ପ୍ରତିଭା ଓ ପୁରସ୍କାର

ହରେକୃଷ୍ଣ ଦାସ

 

ଗୋଟେ ପତ୍ରିକାର ସମ୍ପାଦକ ତଥା ମୋର ବନ୍ଧୁ ସେଦିନ ପରିହାସ ଛଳରେ କହିଲେ, ”କି ଲେଖା ଲେଖୁଛ ହୋ? ପୁରସ୍କାର ଫୁରସ୍କାର କିଛି ନାହିଁ! ଆମ ମିଲି ଗଲା ସପ୍ତାହରେ ପୁଣି ଗୋଟେ ପୁରସ୍କାର ପାଇଲା। ତମଠୁ ସାତ ପଛରେ ଲେଖା ଆରମ୍ଭ କରି ସେ କେତେଗୁଡ଼ାଏ ପୁରସ୍କାର ପାଇଲାଣି। ତମ ଦ୍ବାରା କିଛି ହବନି।“ ତାଙ୍କ କଥାର ମର୍ମ ବୁଝିନପାରି ମୁଁ କହିଲି, ”ଦୀର୍ଘ ବର୍ଷ ଧରି ସାହିତ୍ୟ ସାଧନା ଓ ସମ୍ପାଦନାରେ ସକ୍ରିୟ ଥିବା ତମ ଭଳି ଅନେକ ସାହିତି୍ୟକ କେବେ ବି ନଁା ଶୁଣିନଥିବା ଲୋକଙ୍କୁ ‘ବିଶିଷ୍ଟ ସାହିତି୍ୟକ’ ବୋଲି ବିଭିନ୍ନ ସଭାରେ ସମ୍ବୋଧିତ କରାଯିବାରେ ଆଶ୍ଚର୍ଯ୍ୟାନ୍ବିତ ହୁଅ ଏବଂ ଏଇଭଳି କିଛି ପିଲା ପୁରସ୍କାର ପାଇଲେ ବି ତାଙ୍କ ବିରୋଧରେ ଚର୍ଚ୍ଚା କର। ତମେ କୋଉ ମିଲି କଥା କହୁଛ ମୁଁ ହୁଏତ ତା’ ଲେଖା ପଢ଼ିନି। କିନ୍ତୁ ଅଳ୍ପଦିନ ହେବ ଲେଖୁଥିଲେ କ’ଣ ହେଲା, ତା’ ଲେଖାଗୁଡ଼ିକ ବହୁତ ଉଚ୍ଚ ମାନର ହୋଇଥାଇପାରେ। ଭଲ ଲେଖିପାରିବା ପାଇଁ ଜଣେ ବହୁତ ବର୍ଷ ଧରି ଲେଖିଆସୁଥିବା ଜରୁରୀ ବୋଲି ମୁଁ ବିଶ୍ବାସ କରେନି। ଆଜିକାଲି ତ ଅନେକ ତଥାକଥିତ ବରିଷ୍ଠ ଲେଖକଙ୍କର ଲେଖା ପଢ଼ିଲେ ହସ ଲାଗେ, ଲଜ୍ଜା ବି ଲାଗେ। ଛପା ଅକ୍ଷରରେ ନିଜ ନଁାକୁ ଦେଖିବାର ମୋହରୁ ନିଜକୁ ମୁକାଳି ପାରୁ ନ ଥିବାରୁ ସେମାନେ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାକୁ ଲେଖା ପଠାଉଛନ୍ତି। ସେମାନଙ୍କ ଲେଖା ନ ଛାପିବାର ଦୁଃସାହସ କରିପାରୁ ନ ଥିବାରୁ ତମ ଭଳିଆ ଅନେକ ସମ୍ପାଦକ ସେ ଲେଖାସବୁ ବାଧ୍ୟ ହେଇ ଛାପୁଛନ୍ତି। ହୃଦୟରେ ଉପଯୁକ୍ତ ଭାବନା ଘାଣ୍ଟି ଚକଟି ହେଲେ ଏବଂ ତାକୁ ରୂପ ଦେବାର ସଠିକ କଳାକୌଶଳ ମାଲୁମ ଥିଲେ ଅଳ୍ପ ଦିନ ହେବ ଲେଖୁଥିବା ପିଲାଟିଏ ବି ତଥାକଥିତ ଅଭିଜ୍ଞ ଓ ବୟୋଜ୍ୟେଷ୍ଠଙ୍କଠାରୁ ବହୁତ ଉଚ୍ଚକୋଟୀର ଲେଖା ଲେଖିପାରେ।“
ମୋ କଥାକୁ ନକାରି ଦେଇ ବନ୍ଧୁ କହିଲେ, ”ତମର ଏ ଭାଷଣବାଜିର କିଛି ମୂଲ୍ୟ ନାହିଁ ବୋଲି ଆଗ ଜାଣିରଖ। ମିଲି ଯାହା ଲେଖେ, ତା’ ଭିତରୁ ଅଧିକାଂଶ ଲେଖାର ଅର୍ଥ ଆମେମାନେ ବୁଝିବା ତ ଦୂର, ସେ ନିଜେ ବି ବୁଝିନଥିବ। ଯୋଉ ଅଳ୍ପ କିଛି ଲେଖା ବୁଝିହୁଏ, ତା’ ଭିତରୁ ଅନେକରେ ଅନ୍ୟମାନଙ୍କ ଲେଖାର ପୂରା ଗୋଟେ ଗୋଟେ ଧାଡ଼ି, ଏମିତିକି ସମ୍ପୂର୍ଣ୍ଣ ପାରାଗ୍ରାଫ୍‌ ବି ଏତେ ଚତୁରତାର ସହ ଉତାରି ଦିଆହେଇଥାଏ ଯେ ତାକୁ ‘ଲେଖାଚୋରି’ ବୋଲି କୁହାଯାଇପାରିବ। କିନ୍ତୁ ମୂଳ ଲେଖକମାନେ ଏ କଥା ଜାଣିଲେ ବି ତାକୁ କିଛି ନ କହି ଚୁପ୍‌ ରହିଯାଉଥିବାରୁ ଏବଂ ଏ କଥା ଜାଣିପାରୁଥିବା ଥୋକେ ଲୋକ ତାକୁ ଚୋରି ନ କହି ‘ପ୍ରଭାବିତ’ ଲେଖା କହି ବଳ ଯୋଗାଉଥିବାରୁ ସେ ବିନା ଦ୍ବିଧାରେ ଲେଖିଚାଲିଛି। ତା’ର ପ୍ରଶଂସକଙ୍କ ସଂଖ୍ୟା ବି କିଛି କମ୍‌ ନୁହଁ। ପୁରସ୍କାର ବି ପାଇଚାଲିଛି।“ ନିଜ ଲେଖା କପି କରାହେଉଥିଲେ ବି କାହିଁକି କେହି କିଛି କହୁନାହାନ୍ତି ବୋଲି ଆଶ୍ଚର୍ଯ୍ୟ ହେଇ ପଚାରିବାରୁ ବନ୍ଧୁ କହିଲେ, ”ସମସ୍ତଙ୍କ ସହିତ ସେ ଏମିତି ମଧୁର ସମ୍ପର୍କ ରଖିଛି ଯେ ମନେମନେ ଯେତେ ରାଗିଲେ ବି କେହି ତା’ର ଦୋଷ ଦୁର୍ବଳତା ଦେଖେଇବାକୁ ଇଚ୍ଛା କରନ୍ତିନି।“ ”ହେଲେ, ଲେଖାଗୁଡ଼ିକର ଏ ଦୋଷକୁ ସମ୍ପାଦକମାନେ ତ ଜାଣିପାରୁଥିବେ। ସେମାନେ କାହିଁକି ଛାପୁଛନ୍ତି?“ ମୋ ପ୍ରଶ୍ନରେ ବନ୍ଧୁ ଟିକିଏ ବିରକ୍ତ ହେଇ କହିଲେ, ”କେତେଜଣ ସମ୍ପାଦକ କି ବଡ଼ବଡ଼ିଆଙ୍କ ସହ ତମର ସମ୍ପର୍କ ଅଛି କହିଲ? କେତେଜଣଙ୍କୁ ତମେ ବିଭିନ୍ନ ସମୟରେ ତୋଷାମଦି କରି ମେସେଜ୍‌ ଦେଉଚ, କିଛି ଗିଫ୍ଟ ପଠଉଛ? କିଛି ନ କରି ଚୁପ୍‌ଚାପ୍‌ ରହିଲେ ତମକୁ ପଚାରିବ କିଏ? ପୁରସ୍କାର ତ ବହୁତ ଦୂର କଥା।“
ମୁଁ ଫୁଟାଣି ଦେଖେଇ କହିଲି, ”ପୁରସ୍କାର ନ ହଉ, ମତେ ପାଠକୀୟ ଶ୍ରଦ୍ଧା ତ ମିଳୁଛି। ସେଇ ବହୁତ କିଛି। ବିଭିନ୍ନ କ୍ଷେତ୍ରରେ ବହୁ ପୁରସ୍କାର ପାଇଥିବା ଲୋକ ପ୍ରକୃତରେ ସେଥିପାଇଁ ଯୋଗ୍ୟ ନୁହନ୍ତି ବୋଲି ଆମେ ଜାଣୁ। ବିଭିନ୍ନ ପ୍ରକାର ପ୍ରଭାବ ବିସ୍ତାର କରାହେଇ ଅନେକ ପୁରସ୍କାର ଦିଆଯିବା ଘଟଣାକୁ ନେଇ ତୁମ୍ବୀତୋଫାନ ହେବା ମଧ୍ୟ ଆମେ ଶୁଣୁ। କେବଳ ସାହିତ୍ୟ କାହିଁକି, ନୃତ୍ୟ, ସଙ୍ଗୀତ, ଅଭିନୟ ଆଦି ବିଭିନ୍ନ ସୃଜନାତ୍ମକ ତଥା ସମାଜସେବା କ୍ଷେତ୍ରରେ ଅନେକ ପ୍ରତିଭାବାନ୍‌ ବ୍ୟକ୍ତିଙ୍କୁ ଆମେ ଦେଖୁ, ଯେଉଁମାନଙ୍କୁ କୌଣସି ପୁରସ୍କାର ମିଳିନି ଅଥବା ତଥାକଥିତ ବଡ଼ ପୁରସ୍କାର ମିଳିନି। ଅଥଚ ଶସ୍ତା ଲୋକପ୍ରିୟତା ଆପଣେଇଥିବା ଅପେକ୍ଷାକୃତ କମ୍‌ ପ୍ରତିଭାବାନ୍‌ ବ୍ୟକ୍ତି କେତେ ପୁରସ୍କାର ପାଇଚାଲିଛନ୍ତି। ପ୍ରଚଣ୍ଡ ପ୍ରତିଭାବାନ୍‌ ଅନେକ ବ୍ୟକ୍ତି ତାଙ୍କଠାରୁ ଯଥେଷ୍ଟ କମ୍‌ ପ୍ରତିଭାଯୁକ୍ତ ଅଥଚ ପ୍ରଚଣ୍ଡ ପ୍ରଭାବଯୁକ୍ତ ବ୍ୟକ୍ତିଙ୍କ ସହ ପୁରସ୍କାର ପାଇଁ ପ୍ରତିଦ୍ବନ୍ଦ୍ୱିତା କରି ଦୁଃଖଦ ଭାବେ ହାରିଯାଇଥିବାର ଅନେକ ଘଟଣା କ’ଣ ତମେ ଜାଣିନ? ଏବେ ନିଜେ ତ କହୁଛ ଯେ ହାସ୍ୟାସ୍ପଦ ଲେଖା ଲେଖୁଥିବା ମିଲି ଗୁଡ଼ାଏ ପୁରସ୍କାର ପାଇଲାଣି। ତେଣୁ ପୁରସ୍କାର ଜଣକର ପ୍ରତିଭାର ନିଶ୍ଚିତ ପରିଚୟ ବୋଲି କୁହାଯାଇପାରିବନି। ବିନା ପୁରସ୍କାରରେ କ’ଣ ଭଞ୍ଜ, ଫକୀରମୋହନ ପ୍ରମୁଖଙ୍କ ପ୍ରତିଭାକୁ ନୂ୍ୟନ ବିଚାର କରାଯିବ?“ ବିରକ୍ତ ହେଇଯାଇ ବନ୍ଧୁ କହିଲେ, ”ହେଃ, ତମକୁ ଯେତେ କହିଲେ ବି ତମେ ହବନି। ତମେ ନିଜକୁ ଭଞ୍ଜ କି ଫକୀରମୋହନଙ୍କ ସହ ତୁଳନା କରନି। ମିଲି ପାଇଥିବା ଭଳି କିଛି ଓଜନିଆ ପୁରସ୍କାର କେମିତି ମିଳିବ ସେଥିପାଇଁ ଚେଷ୍ଟା କର। ତମେ ତ କିଛି କରିବନି, ସେଥିପାଇଁ ମୁଁ ବ୍ୟବସ୍ଥା କରିଦେଇଛି।“ ଉତ୍ସୁକ ହେଇ ପଚାରିଲି, ”ମିଲି ଏମିତି କି ପ୍ରକାର ଓଜନିଆ ପୁରସ୍କାର ପାଇଛି, ଏବଂ ବ୍ୟବସ୍ଥା କ’ଣ?“ ”ସେ କ’ଣ ଖାଲି ଓଡ଼ିଶା ଭିତରେ ସୀମିତ ଅଛି? ସେ ପୂରା ଇଣ୍ଟରନ୍ୟାଶନାଲ ଲେଖିକା ହେଇଗଲାଣି। ପୁରସ୍କାରଗୁଡ଼ିକର ନଁା ତା’ ଫେସ୍‌ବୁକ ପେଜ୍‌ରୁ ଦେଖିନେବ। ଏବେ ତମ କଥା ଶୁଣ। ଗୋଟେ ଦାମୀ ଅନୁଷ୍ଠାନ ପାଖରେ ଯୋଗାଯୋଗ କରିଛି। ମାତ୍ର ତିରିଶ ହଜାର ଟଙ୍କା ଦେବାକୁ ପଡ଼ିବ।“ ମୋ ମୁହଁରେ ବିସ୍ମୟ ଦେଖି ବନ୍ଧୁ କହିଲେ, ”ଟଙ୍କା ଦେଇ ପୁରସ୍କାର କିଣୁଛ ବୋଲି ଭାବନି ମ! ବିଭିନ୍ନ ପ୍ରକାର ସେବା ଯୋଗାଉଥିବା ଗୋଟେ ଅନୁଷ୍ଠାନକୁ ତମେ କିଛି ଆର୍ଥିକ ସାହାଯ୍ୟ କରୁଛ ବୋଲି ଭାବ। ତା’ ଛଡ଼ା ସେମାନେ ତମକୁ ଗୋଆ ବୁଲେଇ ନେଇ ସେଇଠି ଗୋଟେ ଫଙ୍କ୍‌ଶନରେ ପୁରସ୍କାର ଦେବେ। ପୁରସ୍କାରର ନଁାଟା ଦାମୀ ଲାଗିବ। ତମେ ଟଙ୍କା ଦେଇଥିବା କଥାଟା ମଧ୍ୟ ଗୁପ୍ତ ରଖାଯିବ।“ ଆକସ୍ମିକ ଭାବେ ଠିକ୍‌ ସେତିକିବେଳେ ଆସିଥିବା ଏକ ଫୋନ୍‌ କଲ୍‌ ରିସିଭ କରିବାମାତ୍ରେ ବନ୍ଧୁ ସଦ୍ୟ ପ୍ରଦାନ କରିଥିବା ବିବରଣୀ ସହ ସମ୍ପୂର୍ଣ୍ଣ ମେଳ ଖାଉଥିବା ଶବ୍ଦରେ ଅଣଓଡ଼ିଆ ଭାଷାରେ ମହିଳା ଜଣକ କହିଲେ, ”ଆପଣ ଏ ବର୍ଷର ମର୍ଯ୍ୟାଦାଜନକ ‘ଅମୁକ’ ପୁରସ୍କାର ପାଇବା ପାଇଁ ମନୋନୀତ ହେଇଛନ୍ତି।…. ଗୋଆରେ ଏକ ଫଙ୍କ୍‌ଶନରେ ଆପଣଙ୍କୁ ପୁରସ୍କୃତ କରାଯିବ।“ ବନ୍ଧୁଙ୍କୁ ଚାହିଁ ମୁରୁକି ହସି କହିଲି, ”ଧନ୍ୟବାଦ, ଏ ପୁରସ୍କାର ପାଇବା ପାଇଁ ମୁଁ ଯୋଗ୍ୟ ପ୍ରତିଭା ନୁହେଁ।“
ଅଧ୍ୟାପକ, ଇଂରାଜୀ ବିଭାଗ
ନିଆଳି କଲେଜ, ନିଆଳି, କଟକ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri