ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮ -ଏ ଆଜି କେତେକ ସ୍ଥଳରେ ବୈବାହିକ ପ୍ରତିଶୋଧ ନେବାର ମାଧ୍ୟମ ହୋଇଯାଇଛି। ଯେଉଁ ଆଇନ ଅବଳାଙ୍କ ଆଖିର ଅଶ୍ରୁ ପୋଛିବା ପାଇଁ ଉଦ୍ଦିଷ୍ଟ ଥିଲା, ତାହାର କୂଟାଭିସନ୍ଧିପୂର୍ଣ୍ଣ ପ୍ରୟୋଗ ଆଜି ଶତାଧିକ ପରିବାରକୁ ନିର୍ଯାତନାର ନର୍କକୁ ଠେଲି ଦେଉଛି।
ପ୍ରଥମ ଅଭିଯୋଗର ପ୍ରଥମ ଆଘାତରେ ହିଁ ଶ୍ୱଶୁର ଘରର ବୃଦ୍ଧ ଜନକ-ଜନନୀ, ଅପରିଣୀତା ନଣନ୍ଦ, ସୁଦୂର ପ୍ରଦେଶରେ ଜୀବିକା ନିର୍ବାହ କରୁଥିବା ଦିଅର ସମସ୍ତେ ଏକକାଳୀନ ଅପରାଧୀର କାଠଗଡ଼ାରେ ଛିଡା ହୁଅନ୍ତି। ଏହି ଆତଙ୍କ ଏବେ କେବଳ ଶ୍ୱଶୁର ଘରେ ସୀମିତ ନାହିଁ। ଗ୍ରାମର ସମ୍ମାନିତ, ଭଦ୍ର ଓ ନିରୀହ ପ୍ରତିବେଶୀ, ଯେଉଁମାନେ କେବେ ଝଗଡ଼ା ସମୟରେ ମଧ୍ୟସ୍ଥତା କରିଥିଲେ କିମ୍ବା କେବଳ ପଡ଼ିଶା ଘରେ ରହୁଥିବା କାରଣରୁ ପରିଚିତ ଥିଲେ, ସେମାନେ ଆଜି ଭୟଭୀତ। କାରଣ ସେମାନଙ୍କୁ ନିର୍ଯାତନାରେ ସହଯୋଗ କଲେ ବୋଲି ମିଥ୍ୟା ଅଭିଯୋଗରେ ଛନ୍ଦି ଦିଆଯାଉଛି। ଫଳତଃ ଗ୍ରାମର ମୁରବି, ସରକାରୀ ଚାକିରିଆ, ସମାଜରେ ନିଷ୍କଳଙ୍କ ଚରିତ୍ର ଥିବା ଲୋକ ଏବେ ପାରିବାରିକ ବିବାଦରେ ମୁଣ୍ଡ ପୂରାଇବାକୁ ଭୟ କରୁଛନ୍ତି। ସାମାଜିକ ଦାୟିତ୍ୱବୋଧର ମୃତ୍ୟୁ ଘଟୁଛି ଓ ପଡ଼ୋଶୀ ଧର୍ମ ଲୋପ ପାଇଯାଉଛି, କାରଣ କାହା ଘର ଝଗଡ଼ା ସମାଧାନ କରିବାକୁ ଗଲେ କାଲି ନିଜେ ହାଜତକୁ ଯିବାର ଆଶଙ୍କା ରହିଛି। ଏହି ଭୟର ବାତାବରଣ ଯୋଗୁ ଗ୍ରାମ୍ୟ ଜୀବନର ପାରସ୍ପରିକ ବିଶ୍ୱାସ ଓ ସୌହାର୍ଦ୍ଦ୍ୟ ଛିନ୍ନଭିନ୍ନ ହୋଇଯାଉଛି।
କାରଣ ଏହି ଧାରା ସଂଜ୍ଞେୟ ତଥା ଅଣଜାମିନଯୋଗ୍ୟ। ଅଭିଯୋଗ ପଞ୍ଜୀକୃତ ହେବା ମାତ୍ରେ ଆରକ୍ଷୀ ବିଭାଗ ଉପରେ ତୁରନ୍ତ ନିଗ୍ରହର ଅଦୃଶ୍ୟ ଚାପ ପଡ଼େ। କିନ୍ତୁ ବିଡ଼ମ୍ବନା ଯେ ଅଧିକାଂଶ କ୍ଷେତ୍ରରେ ଅନୁସନ୍ଧାନର ପ୍ରାଥମିକ ସୋପାନକୁ ଅବହେଳା କରାଯାଏ। ଘଟଣାସ୍ଥଳ ପରିଦର୍ଶନ, ନିକଟ ପ୍ରତିବେଶୀଙ୍କ ସାକ୍ଷ୍ୟ ଗ୍ରହଣ, ପାରିପାର୍ଶ୍ୱିକ ପରିସ୍ଥିତିର ସମୀକ୍ଷା, ଚିକିତ୍ସା ପ୍ରମାଣପତ୍ରର ସତ୍ୟତା ନିରୂପଣ ଭଳି ଅପରିହାର୍ଯ୍ୟ ପ୍ରକ୍ରିୟାକୁ ବିସ୍ମୃତ କରି କେବଳ ଅଭିଯୋଗ ଆଧାରରେ ଅଭିଯୋଗପତ୍ର ନ୍ୟାୟାଳୟରେ ଦାଖଲ କରାଯାଏ। ସର୍ବୋଚ୍ଚ ନ୍ୟାୟାଳୟ ଅରନେଶ କୁମାର ମାମଲାରେ ଦେଇଥିବା ଐତିହାସିକ ନିର୍ଦ୍ଦେଶନାମା-ଯେଉଁଥିରେ ୭ବର୍ଷରୁ କମ୍‌ ଦଣ୍ଡାଦେଶ ଥିବା ମାମଲାରେ ବିନା ଯଥେଷ୍ଟ କାରଣରେ ଗିରଫ ନ କରିବା ପାଇଁ କୁହାଯାଇଛି-ତାହା ଧୂଳିସାତ ହୋଇ ଫାଇଲ କୋଣରେ ପଡିରହୁଛି।
ରାତି ଅଧରେ ଦ୍ୱାର ଭାଙ୍ଗି ବୃଦ୍ଧଙ୍କୁ ଟାଣି ନେବା, ହାଜତରେ ଅମାନବୀୟ ବ୍ୟବହାର କରିବା, -ଏସବୁ ଅନେକ ଥାନାର ଦୈନନ୍ଦିନ କାର୍ଯ୍ୟକଳାପ ହୋଇଗଲାଣି। ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ନ କରି ମହିଳା ମାମଲା, କିଛି ନ ଶୁଣି ଗିରଫ କର ମନୋଭାବ ଯୋଗୁ ପୋଲିସ ନିଜେ ନ୍ୟାୟାଧୀଶ ସାଜି ଦଣ୍ଡ ଶୁଣାଇ ଦେଉଛି। ପାରିବାରିକ କଲ୍ୟାଣ ସମିତିର ରିପୋର୍ଟକୁ ଅପେକ୍ଷା ନ କରି, ସିଆର୍‌ପିସି ୪୧-ଏ ନୋଟିସ ନ ଦେଇ ସିଧା ହାତକଡି ପିନ୍ଧାଇବା ସମ୍ବିଧାନର ଧାରା ୨୧ର ସ୍ପଷ୍ଟ ଉଲ୍ଲଂଘନ। କିନ୍ତୁ ବର୍ଦ୍ଦିର ଆଢୁଆଳରେ ଏହି ଅବିଧି ନିରବଚ୍ଛିନ୍ନ ଚାଲିଛି। କାରଣ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ନଜିର ନଗଣ୍ୟ।
ଏହି ଅନୁସନ୍ଧାନଗତ ଶୈଥିଲ୍ୟ ଓ ପୋଲିସ ଅତ୍ୟାଚାରର ପରିଣାମ ଅତ୍ୟନ୍ତ ଭୟାବହ। ଜୀବନର ସାୟାହ୍ନରେ ଉପନୀତ ଶ୍ୱଶୁର କାରାଗାରର ଅନ୍ଧକୂପରେ ନିଃଶ୍ୱାସ ଗଣନ୍ତି, ବାର୍ଦ୍ଧକ୍ୟ ପୀଡିତା ଶାଶୁ ଅପମାନିତ ହୁଅନ୍ତି, ଭବିଷ୍ୟତର ସ୍ବପ୍ନ ଦେଖୁଥିବା ନଣନ୍ଦର ସ୍ବପ୍ନ ଭାଙ୍ଗିଯାଏ। ମିଥ୍ୟା ମାମଲାର କଣ୍ଟକିତ ପଥରେ ଗୋଟିଏ ପରିବାରର ସାମାଜିକ ମର୍ଯ୍ୟାଦା, ଆର୍ଥିକ ମେରୁଦଣ୍ଡ ଓ ମାନସିକ ସ୍ବସ୍ଥ୍ୟ ସମ୍ପୂର୍ଣ୍ଣ ଭୁଶୁଡି ପଡ଼େ। ବର୍ଷ ବର୍ଷ ଧରି ଚାଲିଥିବା ମୋକଦ୍ଦମାର ଅନ୍ତିମ ପରିଣତିରେ ଯେତେବେଳେ ନ୍ୟାୟାଳୟ ପ୍ରମାଣ ଅଭାବରୁ ସମସ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରେ, ସେତେବେଳକୁ ସେମାନଙ୍କ ଜୀବନର ଅମୂଲ୍ୟ ଦଶନ୍ଧିଟିଏ ଅପବ୍ୟୟ ହୋଇସାରିଥାଏ। ଏହା କେବଳ ବ୍ୟକ୍ତିର ପରାଜୟ ନୁହେଁ, ନ୍ୟାୟ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସର ମହାପରାଜୟ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅନେକ ଥର କ୍ଷୋଭ ପ୍ରକାଶ କରିଛନ୍ତି ଯେ କ୍ଷୁଦ୍ର ବୈବାହିକ କଳହକୁ ଅତିରଞ୍ଜିତ କରି ୪୯୮-ଏ’ର ରଙ୍ଗ ଦେଇ ସମଗ୍ର ପରିବାରକୁ ଆଇନର ଜାଲରେ ଛନ୍ଦିଦେବା ଏକ ଦୁର୍ଭାଗ୍ୟଜନକ ପ୍ରବୃତ୍ତି। ଆଇନର ଆତ୍ମା ହେଉଛି ପ୍ରକୃତ ନିର୍ଯାତିତଙ୍କୁ ସୁରକ୍ଷା ଦେବା, ନିର୍ଦ୍ଦୋଷଙ୍କୁ ନିର୍ଯାତନା ଦେବା ନୁହେଁ। ଏଣୁ ଏହି ବ୍ୟାଧିର ଉପଶମ ପାଇଁ ଅନୁସନ୍ଧାନ ପ୍ରକ୍ରିୟାରେ ବୈଜ୍ଞାନିକ ନିଷ୍ଠା ଓ ମାନବୀୟ ସମ୍ବେଦନଶୀଳତାର ସମନ୍ବୟ ଅପରିହାର୍ଯ୍ୟ। ପ୍ରତିଟି ଅଭିଯୋଗର ବସ୍ତୁନିଷ୍ଠ ଯାଞ୍ଚ, ଉଭୟ ପକ୍ଷଙ୍କୁ ଶୁଣିବା, ପାରିବାରିକ କଲ୍ୟାଣ ସମିତିର ସକ୍ରିୟ ହସ୍ତକ୍ଷେପ ଏବଂ ମିଥ୍ୟା ଅଭିଯୋଗକାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୨୧୧ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଏହି ଅନ୍ଧକାରକୁ ଦୂର କରିପାରିବ। ସେହିପରି ଅନୁସନ୍ଧାନରେ ଶିଥିଳତା ଦେଖାଇଥିବା ଓ ଅମାନୁଷିକ ବ୍ୟବହାର କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କଠୋର ବିଭାଗୀୟ ଦଣ୍ଡବିଧାନ ଓ କ୍ଷତିପୂରଣ ଆଦାୟର ବ୍ୟବସ୍ଥା ହେବା ଜରୁରୀ। କାରଣ ନ୍ୟାୟର ତରାଜୁ ଯେତେବେଳେ ଗୋଟିଏ ପଟକୁ ଢଳିଯାଏ, ସେତେବେଳେ ସମାଜର ସନ୍ତୁଳନ ବିପର୍ଯ୍ୟସ୍ତ ହୋଇଯାଏ। ନିର୍ଦ୍ଦୋଷଙ୍କ ଆର୍ତ୍ତନାଦ ଉପରେ ପ୍ରତିଷ୍ଠିତ କୌଣସି ନ୍ୟାୟବ୍ୟବସ୍ଥା ଦୀର୍ଘସ୍ଥାୟୀ ହୋଇପାରେନା।
ସମୟ ଆସିଛି ସମସ୍ତେ ଆତ୍ମାନୁସନ୍ଧାନ କରିବା। ଯେଉଁ ଆଇନ ନାରୀର ମର୍ଯ୍ୟାଦା ରକ୍ଷା ପାଇଁ ସୃଷ୍ଟି ହୋଇଥିଲା, ତାହା କିପରି କୌଣସି ପରିବାର ଧ୍ୱଂସର ହେତୁ ନ ହେଉ ତାହା ସୁନିଶ୍ଚିତ କରିବା ସମାଜର ପ୍ରତିଟି ସଚେତନ ନାଗରିକର କର୍ତ୍ତବ୍ୟ। କାରଣ ପ୍ରକୃତ ନ୍ୟାୟ ସେତେବେଳେ ହିଁ ପ୍ରତିଷ୍ଠିତ ହୁଏ ଯେତେବେଳେ ସତ୍ୟର ଜୟ ହୁଏ ଓ ଅସତ୍ୟର ପରାଜୟ ହୁଏ। ଅନ୍ୟଥା ଆଇନର ମନ୍ଦିର ଅବିଚାରର ରଙ୍ଗମଞ୍ଚରେ ପରିଣତ ହୋଇଯିବ, ଯେଉଁଠି ନିର୍ଦ୍ଦୋଷଙ୍କ ଅଶ୍ରୁର କୌଣସି ମୂଲ୍ୟ ରହିବ ନାହିଁ।
ଗୌରାଙ୍ଗପାଟଣା, ରମ୍ଭା, ଗଞ୍ଜାମ
ମୋ:୯୩୯୧୫୯୪୭୯୭

Odisha’s No.1 Odia Daily