ସନ୍ଦେହରେ ଚଣ୍ଡିଖୋଲ ତୈଳଭଣ୍ଡାର ପ୍ରତିଷ୍ଠା

ଯାଜପୁର ଅଫିସ୍‌/ଧର୍ମଶାଳା/ ଜେନାପୁର, ୨୬।୮ (ଡି.ଏନ୍‌.ଏ.): ଦେଶର ୪ର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ତୈଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ପ୍ରାୟତଃ ପଦକ୍ଷେପ ସମ୍ପନ୍ନ ହୋଇସାରିଛି। ପ୍ରକଳ୍ପକୁ ୨୦୧୮ ଜୁନ ୨୭ତାରିଖରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି। ହେଲେ ମଙ୍ଗଳବାର ଡଙ୍କାରୀ, ରାହାଡ଼ପୁର, ବରଡ଼ା ଓ ବାରମାଣ ପାହାଡ଼ର ୩୪୭.୯୬ ଏକର ପରିମିତ ଅଞ୍ଚଳରେ ୩୬ଟି ପଥର ଖାଦାନ ଲିଜ୍‌ ପାଇଁ ମହିଶରା ପଞ୍ଚାୟତ କାର୍ଯ୍ୟାଳୟଠାରେ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଫଳରେ ଚଣ୍ଡିଖୋଲ ତୈଳ ଭଣ୍ଡାର ପ୍ରତିଷ୍ଠା ହେବା ନେଇ ସାଧାରଣରେ ସନ୍ଦେହ ଉପୁଜିଛି। ପ୍ରସ୍ତାବିତ ତୈଳ ଭଣ୍ଡାର ନିକଟରେ ବିସ୍ଫୋରଣ କରି କଳାପଥର ଉତ୍ତୋଳନ କଲେ ତୈଳ ଭଣ୍ଡାର ପ୍ରକଳ୍ପ ପ୍ରତିଷ୍ଠା ଅସମ୍ଭବ ବୋଲି ମତପ୍ରକାଶ ପାଇଛି। ଏହାବାଦ ଡଙ୍କାରୀରେ ନିର୍ଦ୍ଧାରିତ ପରିମାଣଠାରୁ ବହୁଗୁଣରେ ଅଧିକ କଳାପଥର ଖନନ ଅଭିଯୋଗରେ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ମାମଲା ବିଚାରାଧୀନ ଥିଲେ ହେଁ କରୋନା ସଂକ୍ରମଣ ସମୟରେ ପଥର ଖାଦାନ ଲିଜ୍‌ ପାଇଁ କିଭଳି ଜନଶୁଣାଣି ଅନୁଷ୍ଠିତ ହେଲା ସେ ନେଇ ଅନେକେ ପ୍ରଶ୍ନ କରିଛନ୍ତି।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପ୍ରସ୍ତାବ ରହିଛି। ୨ ବର୍ଷ ତଳେ ଭାରତୀୟ ତୈଳ ନିଗମ ଲିଃ(ଆଇଓସିଏଲ୍‌)ର ସିଇଓ ଅଜୟ ଦାସରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡଙ୍କାରୀ ଗସ୍ତ କରି ଚିହ୍ନଟ ହୋଇଥିବା ଜମି ଅନୁଧ୍ୟାନ କରିଥିଲେ। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜମି ଯୋଗାଇବାରେ ବିଳମ୍ବ ହେଉଥିବାରୁ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଥିଲା। ଜରୁରିକାଳୀନ ସମୟରେ ପେଟ୍ରୋଲିୟମ ଦ୍ରବ୍ୟ ଯୋଗାଇଦେବାକୁ ୩.୭ ମିଲିୟନ ମେଟ୍ରିକ ଟନ୍‌ (ଏମ୍‌ଏମ୍‌ଟି) କ୍ଷମତା ବିଶିଷ୍ଟ ସଂରକ୍ଷଣ ଭଣ୍ଡାରର ନିର୍ମାଣ ଯୋଜନା ରହିଛି। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ଏହି ଐତିହାସିକ ପ୍ରସ୍ତାବକୁ ସବୁ ମହଲରୁ ସ୍ବାଗତ କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ର ସଂଖ୍ୟା ୦୦୦୬୩-ସିଏସପିଜି/୨୦।୩।୨୦୧୮ରେ ପ୍ରସ୍ତାବିତ ସ୍ଥାନ ଓ ଏହାର ଆଖପାଖରେ ଚାଲିଥିବା ପଥର ଖାଦାନଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଧର୍ମଶାଳା ତହସିଲଦାର ତାଙ୍କ ପତ୍ର ସଂଖ୍ୟା ୧୧୮୬/୧୨।୪।୨୦୧୮ରେ ଡଙ୍କାରୀରେ ଚାଲିଥିବା ସମସ୍ତ ପଥର ଖାଦାନକୁ ବନ୍ଦ କରିବାକୁ ଯାଜପୁର ଏସ୍‌ପିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ପଥର ଖାଦାନ ଲିଜ୍‌ ଦେବାକୁ ପରିବେଶ ମଞ୍ଜୁରୀ ସକାଶେ ଜନଶୁଣାଣି କରାଯିବା କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି। ଜନଶୁଣାଣିରେ ହାତଗଣତି କେତେଜଣ ଲୋକ ଏହାକୁ ସମର୍ଥନ କରିଛନ୍ତି। ଏହା ପ୍ରଯୋଜିତ ବୋଲି ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା, ନାରୀ ଜାଗରଣ ସମିତିର ସଭାନେତ୍ରୀ ସାବିତ୍ରୀ ସାହୁ, ସତୀଶ ବିଶ୍ୱାଳ ପ୍ରମୁଖ କହିବା ସହ ଜନଶୁଣାଣିକୁ ବିରୋଧ କରିଛନ୍ତି। ଏପରିକି ସାମାଜିକ କର୍ମୀ ବେହୁରା ଏହି ଜନଶୁଣାଣି ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ତୈଳ ଭଣ୍ଡାର ପାଇଁ ଆବଶ୍ୟକ ୪୦୦ ଏକର ଜମି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଥିଲା। ଜମି ଯୋଗାଇ ଦେବା ବଦଳରେ ଖାଦାନ ଚାଲିବା ଅଭିଯୋଗ କରି ସ୍ଥାନୀୟ ସାମାଜିକ କର୍ମୀ ବେହୁରା ହାଇକୋର୍ଟ ଓ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି)ର ଦ୍ୱାରସ୍ଥ ହୋଇଥିଲେ। ୨୦୦୨ରୁ ପରିବେଶଗତ ଅନୁମତି ନ ଥାଇ ବେଆଇନ ଭାବେ କୋଟି କୋଟି ଟଙ୍କାର କଳାପଥର ଉତ୍ତୋଳନ ଉପରେ ଏନ୍‌ଜିଟିରେ ମାମଲା ରୁଜୁ ହେବା ପରେ ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ରୁଜୁ ହୋଇଥିଲା। ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ଦାୟୀ କରି ମଧ୍ୟବର୍ତ୍ତିକାଳୀନ କ୍ଷତିପୂରଣ ବାବଦକୁ ୨୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାୟର ହୋଇଛି। ଏହାବାଦ ଚଣ୍ଡିଖୋଲ ତହସିଲ କୋର୍ଟରେ ପ୍ରାୟ ୫୯ କୋଟି ଟଙ୍କାର ଡିମାଣ୍ଡ ନୋଟିସ୍‌ ଉପରେ ମାମଲା ବିଚାରାଧୀନ ରହିଛି। ରାଜ୍ୟ ସରକାର ତୈଳ ଭଣ୍ଡାର ପାଇଁ ଜମି ଯୋଗାଇ ନ ଦେଇ ପ୍ରଥମେ ପଥର ଖାଦାନ ପାଇଁ ପ୍ରସ୍ତୁତି ଚଳାଇଥିବା ସାଧାରଣରେ ସନ୍ଦେହ ଦୃଢ଼ୀଭୂତ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଥର ଖାଦାନ ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଛି। ତୈଳ ଭଣ୍ଡାର ପ୍ରତିଷ୍ଠା ଆରମ୍ଭ ହେବା ପରେ ସରକାର ଯାହା ନିର୍ଦ୍ଦେଶ ଦେବେ ତଦନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ରାସ୍ତାରେ ଆଣ୍ଠୁଏ ପାଣି: କପା-ଧାନ ଚାଷ ନଷ୍ଟ ଆଶଙ୍କା

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର…

ରଡ଼ିଆ-କଂସାର ଗୋବରୀ ନଦୀବନ୍ଧରେ ୩୦୦ ଫୁଟର ଫାଟ, କାଳ ସାଜିଛି ଚିଙ୍ଗୁଡ଼ି ଘେରି

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରଡ଼ିଆ-କଂସାର-ବଡ଼ଦାଣ୍ଡୁଆ ଗୋବରୀ ନଦୀ ପାର୍ଶ୍ୱ ଲୁଣା ଘେରି ବନ୍ଧ ସପ୍ତାହ ପୂର୍ବେ ଭୁଶୁଡ଼ି ପଡ଼ିବା…

ସୁଟ୍‌କେସ୍‌ରେ ଗଞ୍ଜେଇ ଧରି ବାହାର ରାଜ୍ୟକୁ ଯାଉଥିଲେ ସୁନୀତା: ମାଡ଼ିବସିଲା ପୋଲିସ

ଡୁଙ୍ଗୁରିପାଲି, ୧୦।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଜଣେ ମହିଳାଙ୍କଠାରୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରି ତାଙ୍କୁ କୋର୍ଟ ଚାଲାଣ…

ମା’ଙ୍କୁ ଭରଣପୋଷଣ ଦେଉନାହାନ୍ତି ଭାଗ୍ୟବାନ: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ଭାଗ୍ୟବାନ ଗୌଡ଼ (୪୨)ଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ବ୍ରହ୍ମପୁର ଫେମିଲି କୋର୍ଟକୁ…

ଆପୋଷ ମିଳାମିଶାରେ ମାମଲା ସମାଧାନ ପାଇଁ ମାଜିଷ୍ଟ୍ରେଟଙ୍କ ଗୁରୁତ୍ୱାରୋପ: ବିବାଦ ସମାଧାନରେ…

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବିଭିନ୍ନ ବିବାଦର ସମାଧାନରେ ମଧ୍ୟସ୍ଥିଙ୍କ ଭୂମିକା…

୨୩ରେ ଯାତ୍ରାପୀଠକୁ ଅଣାଯିବ ଶୁଭଖୁଣ୍ଟି; ୮ ଦିନ ଧରି ଚାଲିବ ଯାତ୍ରା

ଦିଗପହଣ୍ଡି, ୧୦।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଗଣପର୍ବ ଭାବେ ପରିଚିତ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ପରିଚାଳନା ନିମନ୍ତେ…

ଓରାଙ୍ଗ୍‌ଉଟାନ ଚୋରାଚାଲାଣ: ଡବ୍ଲ୍ୟୁସିସିବି, ଏସ୍‌ଟିଏଫ୍‌ର ତଦନ୍ତ

ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ବିଚିତ୍ରପୁର ନିକଟ ରଣକଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ହେବାପରେ ଏହା ପଛରେ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣକାରୀ ଗ୍ୟାଙ୍ଗ୍‌…

ମୃତକଙ୍କୁ ଜୀବିତ ଦର୍ଶାଇ ୧୪ ଏକର ଜମି କିଣାବିକାରେ ଜାଲିଆତି: ଧାନ ପଞ୍ଜିକରଣରୁ ବାଦ୍ ପଡ଼ିଲେ ଚାଷୀ,ରାଜରାସ୍ତାକୁ…

ଛତ୍ରପୁର, ୯।୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ମୌଜାରେ ଜମି କିଣାବିକାକୁ ନେଇ ଏକ ବଡ଼ ଧରଣର ଜାଲିଆତି ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri