ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ସମିତିର ନିଲମ୍ବିତ ସମ୍ପାଦକ ଶରତ କୁମାର ନାୟକଙ୍କୁ କଟକ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଚାଷୀମାନଙ୍କର ୨୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆନନ୍ଦପୁର ସେବା ସମବାୟ ସମିତିରେ ଚାଷୀମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବେଆଇନ ଭାବେ ଆତ୍ମସାତ୍ କରାଯାଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ବାଙ୍କୀ ଏ.ଆର.ସି.ଏସ. ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ ଚାଷୀମାନେ କୌଣସି ସୁଫଳ ପାଇ ନ ଥିଲେ। ଚାଷୀମାନଙ୍କର ତୀବ୍ର ଅସନ୍ତୋଷ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି କେବଳ ସମ୍ପାଦକଙ୍କୁ ନିଲମ୍ବନ କରାଯାଇଥିଲା ଏବଂ ଉଚ୍ଚ ପଦସ୍ଥ ଅଧିକାରୀମାନେ ମାମଲାକୁ ଚାପିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା।

ସ୍ଥାନୀୟ ପ୍ରଶାସନର କାର୍ଯ୍ୟାନୁଷ୍ଠାନରେ ନିରାଶ ହୋଇ ଚାଷୀମାନେ ଶେଷରେ ଭିଜିଲାନ୍ସ ବିଭାଗର ଆଶ୍ରୟ ନେଇଥିଲେ। କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଘଟଣାରେ ସ୍ୱତନ୍ତ୍ର ଚଢ଼ାଉ ଓ ତଦନ୍ତ କରାଯାଇଥିଲା। ତଦନ୍ତରୁ ଚାଷୀଙ୍କ ୨୧ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ହୋଇଥିବା ସ୍ପଷ୍ଟ ପ୍ରମାଣ ମିଳିବା ପରେ ଭିଜିଲାନ୍ସ ଆଜି ସମ୍ପାଦକ ଶରତ କୁମାର ନାୟକଙ୍କୁ ଗିରଫ କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

Dharitri – Odisha’s No.1 Odia Daily

Share