ନୂଆଦିଲ୍ଲୀ,୨୬ା୬: ଭାରତର ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କର ସ୍ପୋଟର୍ସ ହାର୍ନିଆ ଅସ୍ତ୍ରୋପଚାର ସଫଳ ହୋଇଛି। ଜର୍ମାନୀର ମ୍ୟୁନିକ୍ଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ଏ ନେଇ ୩୪ ବର୍ଷୀୟ ବିସ୍ଫୋରକ ବ୍ୟାଟର ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।
ଅସ୍ତ୍ରୋପଚାର ଶେଷ ହୋଇଥିବାରୁ ସେ ବେଙ୍ଗାଲୁରୁସ୍ଥିତ ବିସିସିଆଇର ସେଣ୍ଟର ଅଫ୍ଏକ୍ସିଲେନ୍ସରେ ରେହାବିଲିଟେନଶନ ଆରମ୍ଭ କରିବେ। ଭାରତୀୟ ଦଳ ତା’ର ପରବର୍ତ୍ତୀ ହ୍ବାଇଟ୍ ବଲ ସିରିଜ୍ ବାଂଲାଦେଶ ବିପକ୍ଷରେ ଅଗଷ୍ଟରେ ଖେଳିବ।
ବାଂଲାଦେଶ ଟୁରରେ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍ ଖେଳିବ। ୨୦୨୩ ଦିନିକିଆ ବିଶ୍ୱକପ୍ ପରଠାରୁ ଏହି ଫର୍ମାଟରେ ଖେଳିନଥିବା ସୂର୍ଯ୍ୟ ଅଗଷ୍ଟ ୨୬ ତାରିଖରେ ଚାଟୋଗ୍ରାମରେ ଖେଳାଯିବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍ରେ ଭାରତୀୟ ଦଳର ନେତୃତ୍ୱ ନେବେ। ଅସ୍ତ୍ରୋପଚାର ପୂର୍ବରୁ ସୂର୍ଯ୍ୟକୁମାର ଆଇପିଏଲ୍ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ୭୧୭ ରନ ସହ ଅରେଞ୍ଜ କ୍ୟାପ୍ ଅଧିକାରୀ ସାଇ ସୁଦର୍ଶନ(୭୫୯ ରନ୍)ଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ରହିଥିଲେ।


