ନୂଆଦିଲ୍ଲୀ,୧୪।୮: ଅଧିକ ପରିମାଣର ଚିନି, ଲୁଣ ଏବଂ ସନ୍ତୁଳିତ ଚର୍ବି (ସାଚୁରେଟେଡ୍ ଫ୍ୟାଟ୍) ଥିବା ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ‘ଫ୍ରଣ୍ଟ-ଅଫ୍-ପ୍ୟାକ ୱାର୍ଣ୍ଣିଂ ଲେବଲ’(ଖାଦ୍ୟ ପ୍ୟାକେଟ ଉପରେ ଚେତାବନୀ ସୂଚକ ଚିହ୍ନ) ନ ଲଗାଇବାକୁ ନେଇ ଗୁରୁବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଫାସାଇ)ର ଆଭିମୁଖ୍ୟକୁ ନେଇ ସୁପ୍ରିମକୋର୍ଟ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହି ପ୍ରାଧିକରଣ କର୍ପୋରେଟ ଚାପରେ ରହି କାର୍ଯ୍ୟ କରୁଛି କି ବୋଲି ପ୍ରଶ୍ନ କରିଛନ୍ତି। କୋର୍ଟ କେନ୍ଦ୍ର ଏବଂ ଫାସାଇକୁ କହିଛନ୍ତି, ଏହି ବିଷୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ସାଧାରଣ ନାଗରିକଙ୍କ ସମେତ ବିଶେଷ କରି ବଢୁଥିବା ପିଲାମାନଙ୍କ ସ୍ବାସ୍ଥ୍ୟ ସହିତ ଜଡ଼ିତ। ତେଣୁ ଏ ସମ୍ପର୍କିତ ନିଷ୍ପତ୍ତି କର୍ପୋରେଟ ଚାପ ଦ୍ୱାରା ପ୍ରଭାବିତ ହେବା ଉଚିତ ନୁହେଁ।
ଯଦି କେନ୍ଦ୍ର ସରକାର ଏହାର ତ୍ୱରିତ ବିଚାର କରି ପଦକ୍ଷେପ ନ ନିଅନ୍ତି ତେବେ ସୁପ୍ରିମକୋର୍ଟ ଏହାକୁ କରିବ ବୋଲି ଏକ ଜନସ୍ବାର୍ଥ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ଜଷ୍ଟିସ୍ ଜେ.ବି. ପର୍ଦ୍ଦିୱାଲା ଏବଂ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଗିଦ କରିଛନ୍ତି।

