ନୂଆଦିଲ୍ଲୀ,୧୯ା୧୧(ପି.ଟି.): ମନ୍ଦିରରେ ପ୍ରାଣୀ ବଳି ସମେତ ଧର୍ମୀୟ ଉତ୍ସବଗୁଡ଼ିକରେ ପ୍ରାଣୀ ହତ୍ୟାକୁ ନିଷେଧ କରିବା ପାଇଁ ଦାଏର ଏକ ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ଜଷ୍ଟିସ୍ ବିକ୍ରମ ନାଥ, ଆର୍. ମହାଦେବନ ଏବଂ ଅପରେଶ କୁମାର ସିଂଙ୍କ ଖଣ୍ଡପୀଠ ପିଟିଶନ୍କୁ ଖାରଜ କରିଦେଇଥିଲେ। ଆଇନଜୀବୀ ଶ୍ରୁତି ବିଷ୍ଟ ଦାଏର କରିଥିବା ପିଟିଶନରେ ଜୀବ ନିଷ୍ଠୁରତା ନିବାରଣ ଆଇନ, ୧୯୬୦ରେ ଥିବା ବ୍ୟବସ୍ଥାରେ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେବାକୁ ସର୍ୱୋଚ୍ଚ ଅଦାଲତଙ୍କୁ ନିବେଦନ କରିଥିଲେ, ଯେଉଁଥିରେ ଧର୍ମୀୟ ରୀତିନୀତିରେ ପ୍ରାଣୀ ହତ୍ୟାକୁ ବାଦ୍ ଦିଆଯାଇଛି। ଉକ୍ତ ଆବେଦନ ଉପରେ କୌଣସି ହସ୍ତକ୍ଷେପକୁ ଖଣ୍ଡପୀଠ ଅନୁମତି ଦେବାକୁ ମନା କରିଦେବା ସହ ଅଲଗା ପିଟିଶନ ଦାଏର କରାଯାଇପାରିବ ବୋଲି କହିଥିଲେ। ପୂର୍ୱରୁ ସୁପ୍ରିମକୋର୍ଟ କେନ୍ଦ୍ର ପ୍ରାଣୀଧନ ମନ୍ତ୍ରଣାଳୟଠାରୁ ଜବାବ ମାଗିଥିଲେ।
ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ ଯେ, ପ୍ରାଣୀବଳି ପ୍ରଥା ପ୍ରାରମ୍ଭରେ ହ୍ରାସ ପାଇଥିବା ସତ୍ତ୍ୱେ ଭାରତର ବିଭିନ୍ନ ଭାଗରେ ଜାରି ରହିଛି। ହିମାଳୟ ଅଞ୍ଚଳ, ଉତ୍ତରପୂର୍ୱ ଭାରତ, ଓଡ଼ିଶା ଓ ପଶ୍ଚିମବଙ୍ଗର କେତେକ ଅଞ୍ଚଳ, ମହାରାଷ୍ଟ୍ର ଓ ଦକ୍ଷିଣ ଭାରତରେ ପ୍ରାଣୀବଳି ପ୍ରଥା ଚାଲିଛି। ଧର୍ମ ନାମରେ ପ୍ରାଣୀ ହତ୍ୟା ସମ୍ୱିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ସେମାନଙ୍କ ଜୀବନ ଧାରଣ ଅଧିକାରର ଉଲ୍ଲଂଘନ କରୁଥିବା ଆବେଦନକାରୀ ଦର୍ଶାଇଥିଲେ।

