ଭୁବନେଶ୍ବର,୨୫ା୬: ବିଜେଡିରେ ମିଶିଲେ କାର୍ତ୍ତିକ ପାଣ୍ଡିଆନ୍ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନ । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ଆଜି ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । କହିରଖୁଛୁ କି, ପାଣ୍ଡିଆନ ଦମ୍ପତିଙ୍କ ଘନିଷ୍ଠ କୁହାଯାଉଥିବା ଦଳର କେତେଜଣ ନେତ୍ରୀ ଓ ନେତା ମଧ୍ୟ ସୁଜାତାଙ୍କ ଯୋଗଦାନ ଦ୍ୱାରା ଦଳର ଲାଭ ହେବ ବୋଲି କିଛିଦିନ ହେବ ଗଣମାଧ୍ୟମରେ ମତ ରଖିଆସୁଥିଲେ ।
ଶଙ୍ଖ ଭବନରେ ବିଜୁ ଜନତା ଦଳର ବଡ଼ ବୈଠକ ବସିଥିଲା । ବିଜେଡିର ଜଣକ ପରେ ଜଣେ ନେତା ଆସି ପହଞ୍ଚିଥିଲେ । ବରିଷ୍ଠ ବିଜେଡି ନେତା ସୁଲତା ଦେଓ, ଟୁକୁନି ସାହୁ, ଚନ୍ଦ୍ରଶେଖର ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ, ପଦ୍ମନାଭ ବେହେରା ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିବା ବେଳେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।