ଆତ୍ମହତ୍ୟା ଏକ ଗମ୍ଭୀର ସମସ୍ୟା

ଡା. ସତ୍ୟକାମ ମହାପାତ୍ର

ସାରା ବିଶ୍ୱରେ ପ୍ରତି ବର୍ଷ ଦଶ ଲକ୍ଷ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥାନ୍ତି। ଭାରତବର୍ଷରେ ଆତ୍ମହତ୍ୟାର ସ୍ଥିତି ଆହୁରି ଭୟାନକ। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ରିପୋର୍ଟ ଅନୁସାରେ ୨୦୨୧ରେ ଭାରତରେ ୧,୬୪,୦୦୦ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ଏଥିମଧ୍ୟରୁ ଓଡ଼ିଶାରେ ୫୬୫୦ଜଣ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ଆତ୍ମହତ୍ୟାର ଜାତୀୟ ହାର ୧୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୧୨.୩ ପ୍ରତିଶତ। ଅର୍ଥାତ ଓଡ଼ିଶାର ଆତ୍ମହତ୍ୟା ହାର ଜାତୀୟ ହାରଠାରୁ ଅଧିକ। ଯେତେ ସଂଖ୍ୟାର ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି ତାହାର କୋଡିଏ ଗୁଣ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଅର୍ଥାତ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଥିଲା ବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛି।
ଭାରତରେ ମୋଟ ଆତ୍ମହତ୍ୟା ମଧ୍ୟରୁ ୬୭ ପ୍ରତିଶତ ଲୋକ କେବଳ ଯୁବବର୍ଗର (୧୮ ରୁ ୪୫ ବର୍ଷ)। ୧୫ ରୁ ୨୪ ବର୍ଷ ବୟସ ଭିତରେ ମୃତ୍ୟୁର ସବୁଠାରୁ ପ୍ରମୁଖ କାରଣ ହେଲା ଆତ୍ମହତ୍ୟା। ସାରା ବିଶ୍ୱର ଯୁବତୀ ଓ ଯୁବକମାନଙ୍କ ମଧ୍ୟରୁ ଭାରତୀୟ ଯୁବତୀ ଓ ଯୁବକମାନେ ସର୍ବାଧିକ ସଂଖ୍ୟାରେ ଆତ୍ମହତ୍ୟା କରିଥାନ୍ତି। ୨୦୨୧ରେ ୧୧,୦୦୦ ଅଠର ବର୍ଷରୁ କମ୍‌ ପିଲା ଏବଂ କିଶୋର ଓ କିଶୋରୀମାନେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୦ ଅପେକ୍ଷା ୨୦୨୧ରେ ଆତ୍ମହତ୍ୟା ୭ ପ୍ରତିଶତ ବୃଦ୍ଧି ପାଇଛି। ଭାରତକୁ ଏବେ ବିଶ୍ୱର ଆତ୍ମହତ୍ୟାର ରାଜଧାନୀ ବୋଲି କୁହାଯାଉଛି।
ଆମ ଦେଶର ଲୋକମାନେ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଥାନ୍ତି। ୨୦୨୧ରେ ଭାରତରେ ଆତ୍ମହତ୍ୟାର ପ୍ରମୁଖ କାରଣ ହେଲା ପାରିବାରିକ ସମସ୍ୟା (କଳହ) (୩୪%), ବିଭିନ୍ନ ରୋଗ(୧୯%) (ମାନସିକ ସମସ୍ୟା, ବିଭିନ୍ନ ଦୁରାରୋଗ୍ୟ), ବିଭିନ୍ନ ନିଶାଦ୍ରବ୍ୟ ସେବନ (୭%), ବୈବାହିକ ସମ୍ପର୍କରେ ଅସ୍ଥିରତା (୫%), ପ୍ରେମଜନିତ ସମସ୍ୟା (୫%), ଆର୍ଥିକ ସଙ୍କଟ(୪%), ବେରୋଜଗାର(୨%), ପରୀକ୍ଷାରେ ଖରାପ ପ୍ରଦର୍ଶନ, ଚାକିରିଜନିତ ସମସ୍ୟା ଓ ଆତ୍ମୀୟ ଲୋକର ହଠାତ ମୃତ୍ୟୁ ଆଦି। ଜୀବନରେ ଘଟୁଥିବା ଏସବୁ କଠିନ ଓ ଅସୁବିଧାଜନକ ଘଟଣାବଳୀ ମାନସିକ ଚାପ ସୃଷ୍ଟି କରିଥାଏ। ଯେଉଁମାନେ ଏହି ମାନସିକ ଚାପର ଠିକ୍‌ ମୁକାବିଲା କରିପାରନ୍ତି ନାହିଁ, ସେମାନେ ମୁଖ୍ୟତଃ ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। କେତେକ ବ୍ୟକ୍ତି ହଠାତ ଭାବପ୍ରବଣତା ଓ ଆବେଗପ୍ରବଣତାର ଶିକାର ହୋଇ ଆତ୍ମହତ୍ୟା କରିଥାନ୍ତି। ଆଧୁନିକ ଭାରତୀୟ ସମାଜରେ ଯୌଥ ପରିବାରର ପରମ୍ପରା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଲାଣି। ଏହାଛଡ଼ା ଉଭୟ ମାତାପିତା ଚାକିରି କରିବାର ଚଳଣି ବଢ଼ିବାରେ ଲାଗିଲାଣି। ଉଭୟ କାରଣ ଯୋଗୁ କିଶୋର ଓ କିଶୋରୀମାନେ ନିଜ ମନର ଭାବନା ଏବଂ ବେଦନାର ଆଦାନ ପ୍ରଦାନ କରିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାହାଫଳରେ ସେମାନଙ୍କ ଉପରେ ମାନସିକ ଚାପ ବଢ଼ିବାରେ ଲାଗୁଛି ଏବଂ ସେମାନେ ଆତ୍ମହତ୍ୟାର ଉଦ୍ୟମ କରୁଛନ୍ତି।
ଯୁବତୀ ଓ ଯୁବକମାନଙ୍କଠାରେ ଆତ୍ମହତ୍ୟା ଅଧିକ ମାତ୍ରାରେ ଦେଖାଯାଉଛି। ଏହାର ମୁଖ୍ୟ କାରଣଗୁଡ଼ିକ ହେଲା ପାଠପଢ଼ାର ଚାପ, ଅଭିଭାବକଙ୍କ ଆଶାନୁଯାୟୀ ପରୀକ୍ଷାରେ ଅଧିକ ନମ୍ବର ରଖିବାର ଚାପ, ପ୍ରେମ ସମ୍ପର୍କରେ ଅସଫଳ ହେବା ଓ ଭଲ ଚାକିରି ନ ପାଇବା ଆଦି। ସେମାନେ ଚାକିରି କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାରର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏହିସବୁ ସମସ୍ୟା ସେମାନଙ୍କଠାରେ ମାନସିକ ଦୁଶ୍ଚିନ୍ତା ସୃଷ୍ଟି କରୁଛି। କେତେକ ଯୁବତୀ ଓ ଯୁବକ ଏହି ମାନସିକ ଦୁଶ୍ଚିନ୍ତାର ମୁକାବିଲା ସଫଳତାର ସହିତ କରିପାରୁ ନାହାନ୍ତି ଏବଂ ନିଜ ମନର ଭାବନା ଓ ଆବେଗକୁ ଠିକ୍‌ ଭାବରେ ନିୟନ୍ତ୍ରଣ କରିପାରୁ ନାହାନ୍ତି, ଯାହା ଫଳରେ ସେମାନେ ଆତ୍ମହତ୍ୟା କରୁଛନ୍ତି।
ଗତ ଅଢ଼େଇ ବର୍ଷ ହେବ କରୋନା ମହାମାରୀ ଦ୍ୱାରା ଭାରତବର୍ଷରେ ଲୋକମାନଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ଅଧିକ ମାତ୍ରାରେ ବୃଦ୍ଧି ପାଇଛି। ବିଭିନ୍ନ ମାନସିକ ସମସ୍ୟା ଯୋଗୁ ଅନେକ ଲୋକ ଆତ୍ମହତ୍ୟା କରୁଛନ୍ତି। ଏଥିମଧ୍ୟରୁ ପ୍ରମୁଖ ମାନସିକ ସମସ୍ୟାଗୁଡ଼ିକ ହେଲା ଅବସାଦ(ଡିପ୍ରେସନ), ସ୍କିଜୋଫ୍ରେନିଆ, ମାନସିକ ଉଦ୍‌ବେଗ(ଆଙ୍ଗ୍‌ଜାଇଟି) ଓ ବାଇପୋଲାର ରୋଗ ଆଦି। ବିଭିନ୍ନ ପ୍ରକାରର ନିଶା ସେବନ ଯଥା ମଦ୍ୟପାନ, ଗଞ୍ଜେଇ ଓ ନିଦ ଟାବ୍ଲେଟ ଆଦି ଆତ୍ମହତ୍ୟା ପ୍ରବଣତାକୁ ଆହୁରି ବଢ଼ାଇ ଦେଇଥାଏ। ଆତ୍ମହତ୍ୟା କରିବାର ଯଥେଷ୍ଟ ପୂର୍ବରୁ ବ୍ୟକ୍ତି ଏହା ସମ୍ବନ୍ଧରେ ନିଜ ନିକଟତର ଲୋକଙ୍କୁ କିଛି ନା କିଛି ପ୍ରାକ୍‌ ସୂଚନା ଦେଇଥାଏ। ଯେଭଳି କି ବ୍ୟକ୍ତି ଅନ୍ୟମାନଙ୍କ ସହ ମିଳାମିଶା କରେ ନାହିଁ, ଏକୁଟିଆ ରହିବାକୁ ବେଶି ପସନ୍ଦ କରିଥାଏ, ନିଜର ଦୈନନ୍ଦିନ କାମ ଠିକ୍‌ସେ କରେନାହିଁ, ରାତିରେ ଅନିଦ୍ରା ରହେ, ଖାଦ୍ୟ ଖାଇବା କମିଯାଏ, ଅତି ଛୋଟ ଛୋଟ କଥାରେ ଭାବ ବିହ୍ବଳିତ ହୋଇଯାଏ, କାନ୍ଦି ପକାଏ, ପରିବାରର ଲୋକଙ୍କ ସହିତ ଜୀବନ ଓ ମୃତ୍ୟୁ ବିଷୟରେ ଆଲୋଚନା କରେ, ଇଣ୍ଟରନେଟରୁ ଆତ୍ମହତ୍ୟା ବିଷୟରେ ସର୍ଚ୍ଚ କରେ। ଯଦି ପରିବାରର କୌଣସି ଲୋକଠାରେ ଏସବୁ ଲକ୍ଷଣ ଆପଣ ଦେଖନ୍ତି ତେବେ ତୁରନ୍ତ ତାଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନିଅନ୍ତୁ।
ନିଜ ମନରେ ଆତ୍ମହତ୍ୟାର ଚିନ୍ତା ଆସିଲେ ଆପଣ ନିଜ ମନର କଥା ନିକଟତର ଲୋକଙ୍କୁ ଜଣାନ୍ତୁ। ନିଜର ଅସୁବିଧା ସମ୍ବନ୍ଧରେ ଅନ୍ୟମାନଙ୍କ ସହିତ ବିଚାରବିମର୍ଶ କରନ୍ତୁ। ଏହି ସମୟରେ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ କୁଣ୍ଠାବୋଧ କରନ୍ତୁ ନାହିଁ। ଭାବପ୍ରବଣ ହୋଇ ହଠାତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଏହି ସମୟରେ ଧୈର୍ଯ୍ୟର ସହିତ ସମସ୍ତ କାମ କରନ୍ତୁ। ଯୁବତୀ ଓ ଯୁବକମାନେ ନିଜ ମଧ୍ୟରେ ଆତ୍ମବିଶାସ ଓ ଆତ୍ମସଂଯମତା ବଢ଼ାଇବା ଉଚିତ। ଏହାଛଡ଼ା ସକାରାତ୍ମକ ମନୋଭାବ ନେଇ ସମସ୍ତ କାମ କରିବା ଉଚିତ। ଜୀବନରେ ଦେଖାଦେଉଥିବା ଅସୁବିଧାଗୁଡ଼ିକୁ ସମାଧାନ କରିବାର କୌଶଳ ବି ଶିଖନ୍ତୁ।
ପ୍ରତି ବର୍ଷ ସେପ୍ଟେମ୍ବର ୧୦ରେ ବିଶ୍ୱ ଆତ୍ମହତ୍ୟା ନିରୋଧକ ଦିବସ ପାଳନ କରାଯାଇଥାଏ। ଏହି ଦିବସର ପ୍ରମୁଖ୍ୟ ଲକ୍ଷ୍ୟ ହେଲା ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଓ ଆତ୍ମହତ୍ୟା ସହିତ ଗଭୀର ଭାବେ ଜଡ଼ିତ ମାନସିକ ସମସ୍ୟା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା। ଯଦି ଆମେ ସମସ୍ତେ ଆତ୍ମହତ୍ୟା ପ୍ରତି ସଚେତନ ରହିବା ତେବେ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ।
ସହକାରୀ ପ୍ରଫେସର, ମାନସିକ ରୋଗ ବିଭାଗ, ଏସ୍‌ସିବି ମେଡିକାଲ କଲେଜ, କଟକ
ମୋ- ୮୪୫୬୯୧୫୫୦୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri