ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ପାଇ ସୁବଳୟା ପୋଲିସ ଉକ୍ତ ରାସ୍ତାରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଦୁରଦୁରା ନର୍ସରୀ ନିକଟରେ ଏକ ପିକ୍ଅପକୁ ସନ୍ଦେହରେ ଅଟକାଇ ତନଖି ବେଳେ ଗାଡିରେ ଏକ ଗୁପ୍ତ କ୍ୟାବିନ କରି ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ।
ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରିଥିବା ବେଳେ ଗାଡି ଡ୍ରାଇଭର ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଙ୍ଗାବିରା ଗ୍ରାମର ପ୍ରଶାନ୍ତ ପଲାଇ (୨୫)ଙ୍କୁ ଗିରଫ କରିଥିଲା। ଗଞ୍ଜେଇ ନେଉଥିବା (ନଂ.ଓଡି ୦୨ ସିଟି ୨୩୯୭)ପିକ୍ଅପକୁ ଜବତ କରାଯାଥଛି। ସୁବଳୟା ଥାନାରେ ଏକ ମାମଲା(ନଂ.୫୫/୨୬) ରୁଜୁ ହୋଇଥିବା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଏସ୍ପି ନାରାୟଣ ନାଏକ ଓ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ପହଞ୍ଚି ଏକଜିକ୍ୟୁଟିଭି ମାଜିଷ୍ଟ୍ରେଟଭାବେ ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଜବତ ୧୮୭ ପ୍ୟାକେଟ ଗଞ୍ଜେଇକୁ ଓଜନ ପରେ ୧୮୭ କେଜି ଗଞ୍ଜେଇ ଥିବା ଜଣାପଡିଥିଲା।

