Categories: ଖେଳ

ଆଟଲେଟିକୋ ମାଡ୍ରିଡ୍‌ରେ ଯୋଗଦେଲେ ସୁଆରେଜ୍‌

ମାଡ୍ରିଡ୍‌, ୨୫ା୯ (ଏପି)-ଫୁଟ୍‌ବଲ ଷ୍ଟାର ଲୁଇସ୍‌ ସୁଆରେଜ ଶେଷରେ ସ୍ପେନରେ ରହିଲେ। ଉରୁଗୁଏର ଏହି ଷ୍ଟ୍ରାଇକର ୬ ନିୟୁତ ୟୁରୋ (୭ ନିୟୁତ ଡଲାର) ବିନିମୟରେ ବାର୍ସିଲୋନା ଫୁଟ୍‌ବଲ କ୍ଲବରୁ ଆଟଲେଟିକୋ ମାଡ୍ରିଡ୍‌କୁ ବଦଳି ହୋଇଛନ୍ତି। ସୁଆରେଜ ବାର୍ସିଲୋନା ସହ ୬ଟି ସଫଳ ସିଜନ ଅତିବାହିତ କରିଛନ୍ତି। କାଟାଲାନର ଏହି କ୍ଲବ ସହ ସେ ୧୩ ଟାଇଟଲ ଜିତିଛନ୍ତି। ବାର୍ସିଲୋନାରେ ଥିବାବେଳେ ସେ ସେସାର ରୋଡ୍ରିଗୁଏଜ୍‌ (୨୩୨) ଏବଂ ଲିଓନେଲ ମେସି (୬୩୪)ଙ୍କ ପଛକୁ ୧୯୮ଗୋଲ ସହ ତୃତୀୟ ସର୍ବାଧିକ ଗୋଲ ସ୍କୋର ବିବେଚିତ ହୋଇଥିଲେ। ଅଗଷ୍ଟରେ ଚାମ୍ପିୟନ୍ସ ଲିଗ୍‌ର ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ବେୟର୍ନ ମ୍ୟୁନିକ୍‌ ନିକଟରୁ ୮-୨ରେ ଲଜ୍ଜାଜନକ ପରାଜୟ ପରେ ବାର୍ସିଲୋନାର ନୂଆ କୋଚ୍‌ ରୋନାଲ୍ଡ କୋମ୍ୟାନ ଦଳର ପୁନର୍ଗଠନ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ଯୋଜନାରେ ୩୩ବର୍ଷୀୟ ସୁଆରେଜଙ୍କୁ ରଖି ନ ଥିବା ସୂଚନା ପାଇବା ପରେ ଉରୁଗୁଏ ଷ୍ଟ୍ରାଇକର ନୂଆ କ୍ଲବ ସନ୍ଧାନରେ ଥିଲେ। ଦଳରେ ତାଙ୍କର ଆବଶ୍ୟକତା ନାହିଁ ବୋଲି ଜାଣିବା ପରେ ମିଡ୍‌ଫିଲ୍ଡର ଇଭାନ ରାକିଟିକ୍‌ ବାର୍ସିଲୋନା ଛାଡ଼ି ସେଭିଲାରେ ଯୋଗ ଦେଇସାରିଛନ୍ତି। ଡିଫେଣ୍ଡର ସାମୁଏଲ ଅମ୍‌ଟିଟି ମଧ୍ୟ ଅନ୍ୟତ୍ର ପଳାଇବା ଲାଗି ଯୋଜନା ଚଳାଇଛନ୍ତି। ମେସି ହେଉଛନ୍ତି ସୁଆରେଜ୍‌ଙ୍କ ଦୀର୍ଘକାଳୀନ ସାଥୀ ଏବଂ ଟିମ୍‌ମେଟ। ସେ ଫ୍ରି ଟ୍ରାନ୍ସଫର ଚାହୁଁଥିଲେ। ମାତ୍ର କ୍ଲବ ତାଙ୍କ ଅନୁରୋଧ ରକ୍ଷା କରି ନ ଥିଲା।

Share