ପାଣିଟାଙ୍କି ଉପରେ ଜିଲା ପରିଷଦ ସଭ୍ୟାଙ୍କ ଧାରଣା

ବେଲପଡ଼ା, ୪ା୧୦(ମନୋଜ କୁମାର ମିଶ୍ର): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଧୁମାଭଟା ଗ୍ରାମରେ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ। ଅବିଳମ୍ବେ କାମ ସାରି ଜଳ ଯୋଗାଣ କରିବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ବି କୌଣସି ସୁଫଳ ମିଳୁନାହିଁ। ଫଳରେ ପାଣି ପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦ କରି ବେଲପଡ଼ା ବ୍ଲକ ଭାଜପାର ଦୁଇଜଣ ଜିଲା ପରିଷଦ ସଭ୍ୟା ଅଭିନବ ପ୍ରତିବାଦ କରିଥିଲେ। ୨୫ନଂ. ଜିଲା ପରିଷଦ ସଭ୍ୟା ଶବ୍ଦ ମିର୍ଦ୍ଧା ଓ ୨୬ନଂ. ଜିଲା ପରିଷଦ ସଭ୍ୟା ଅନିମା ଦାଶ ୫୦ ଫୁଟ ଉଚ୍ଚର ନିର୍ମାଣାଧୀନ ଓଭରହେଡ୍‌ ପାଣି ଟାଙ୍କି ଉପରେ ଚଢ଼ି ଧାରଣା ଦେଇଥିଲେ। ଦାବି ପୂରଣ ନ ହେବା ଯାଏ ତଳକୁ ଓହ୍ଲାଇବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଖବର ପାଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ମାଝି ଘଟଣା ସ୍ଥଳରେ ପହଞ୍ଚତ୍ ଉଭୟ ଜନପ୍ରତିନିଧିଙ୍କୁ ବୁଝାଶୁଝା କରିଥିଲେ। ହେଲେ ସେମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ନ ମିଳିବାଯାଏ ଧାରଣାରୁ ଓହରିବେ ନାହିଁ ବୋଲି ଅଡ଼ି ବସିଥିଲେ। ଅପରାହ୍ନ ୪ଟାରେ ଆନ୍ଦୋଳନସ୍ଥଳକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ରୌପ୍ୟରଞ୍ଜନ ବେହେରା ଓ ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ ଆସି ଆନ୍ଦୋଳନକାରୀ ଦୁଇ ଜିଲା ପରିଷଦ ସଭ୍ୟାଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ୨୦ ତାରିଖ ସୁଦ୍ଧା ପ୍ରକଳ୍ପରୁ ଜଳଯୋଗାଣ ସ୍ବାଭାବିକ ହେବାର ପ୍ରତିଶ୍ରୁତିଦେବା ପରେ ସେମାନେ ତଳକୁ ଓହ୍ଲେଇ ଥିଲେ। ପ୍ରତିଶ୍ରୁତି ପାଳନ ନ ହେଲେ ସେମାନେ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଥିଲେ। କୌଣସି ଅଘଟଣ ଆଶଙ୍କା କରି ବେଳପଡ଼ା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଗ୍ରାମରେ ପୂର୍ବରୁ ଏକ ଜଳପ୍ରକଳ୍ପ ଥିଲା। ହେଲେ ବିଛା ଯାଇଥିବା ପାଇପ୍‌ ସବୁ ଫାଟିଯିବାରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାରୁ ୪ମାସ ପରେ ଜଳଯୋଗାଣ ବ୍ୟାହତ ହୋଇଥିଲା। ଏହାପରେ ପ୍ରକଳ୍ପକୁ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ ହୋଇଯାଇଥିଲା। ପରେ ବିଭାଗ ପକ୍ଷରୁ ନୂତନ ପାଇପ୍‌ ଲାଇନ ବିଛାଯାଇଥିଲା। ନୂତନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂଯୋଗ କରାଯାଇଥିଲା। ହେଲେ ଜଳ ଯୋଗାଣ ହୋଇପାରି ନାହିଁ। ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ ଅକ୍ଟୋବର ୨ ତାରିଖରୁ ଧୁମାଭଟା ଗ୍ରାମରେ ଧାରଣାରେ ବସିଥିଲେ ୨୬ ନମ୍ବର ଜିଲା ପରିଷଦ ଅନିମା ଦାସ। କୌଣସି ସୁଫଳ ନ ମିଳିବାରୁ ବୁଧବାର ସେ ଓ ୨୫ନଂ. ଜିଲା ପରିଷଦ ସଭ୍ୟା ମିର୍ଦ୍ଧା ପାଣିଟାଙ୍କି ଉପରକୁ ଚଢ଼ି ପ୍ରତିବାଦ କରିଥିଲେ।