କେନ୍ଦୁଝର,୧୧।୯(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ଆହ୍ବାନରେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କରାଯାଇଛି।
କେନ୍ଦୁଝର ଜିଲାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ବିଭିନ୍ନ ସରକାରୀ ବ୍ୟାଙ୍କ ଶାଖାରେ ସାଧାରଣ ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ବନ୍ଦ ରହିବା ଯୋଗୁ ଦୈନନ୍ଦିନ ବ୍ୟବସାୟିକ କାରବାର ସମେତ ଗ୍ରାହକ ସେବା ବ୍ୟାହତ ହୋଇଛି। ଦେଶବ୍ୟାପୀ ଧର୍ମଘଟର ମୁଖ୍ୟ ଦାବି ମଧ୍ୟରେ ସପ୍ତାହରେ ୫ ଦିନିଆ କାର୍ଯ୍ୟ ଦିବସ ଏବଂ ଅନ୍ୟାନ୍ୟ ଦୀର୍ଘଦିନର ବକେୟା ପ୍ରସଙ୍ଗ ରହିଛି। ଶାଖା ବନ୍ଦ ରହିବାରୁ ନଗଦ ଜମା ଓ ଉଠାଣ, ଚେକ୍ ପ୍ରକ୍ରିୟାକରଣ, ଋଣ ସମ୍ବନ୍ଧୀୟ କାର୍ଯ୍ୟ ଓ ଅନ୍ୟାନ୍ୟ ଶାଖାଭିତ୍ତିକ ସେବା ପ୍ରଭାବିତ ହୋଇଥିଲା।
ସ୍ଥାନୀୟ ବ୍ୟବସାୟୀ, ଛୋଟ ବ୍ୟବସାୟୀ, ଠିକାଦାର ଓ ସାଧାରଣ ଗ୍ରାହକଙ୍କ ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିଥିଲା। ଇଉପିଆଇ, ଏଟିଏମ୍, ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍ ଭଳି ଡିଜିଟାଲ ସେବା ଚାଲୁଥିଲେ ମଧ୍ୟ ଅନେକ ଜରୁରୀ ଶାଖାଭିତ୍ତିକ କାର୍ଯ୍ୟ ଅଟକି ରହିଥିଲା। ଧର୍ମଘଟକୁ ସଫଳ କରିବା ପାଇଁ କେନ୍ଦୁଝରରେ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଙ୍ଗଠନର ନେତାମାନେ ସକ୍ରିୟ ଭାବେ ଯୋଗ ଦେଇଥିଲେ।
ବାଲେଶ୍ୱର ଜୋନ୍ର ସହକାରୀ ସାଧାରଣ ସମ୍ପାଦକ ତୁଷାରକାନ୍ତ ବେହେରା, ଉମାକାନ୍ତ ହାଁସଦା, ବାଲେଶ୍ୱର ଜୋନ୍ର ବିଶ୍ୱରଞ୍ଜନ ପୃଷ୍ଟି, ପଙ୍କଜ ଲୋଚନ ନାଏକ ଏବଂ କେନ୍ଦୁଝର ଜୋନ୍ର ବିବେକାନନ୍ଦ ନାଏକ ନେତୃତ୍ୱ ନେଇଥିଲେ। ସେହିପରି ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତା ଉମେଶ ଚନ୍ଦ୍ର ବେହେରା, ବିକାଶ ଯାଦବ, ସୁଭାଷ ଦାସ ଓ ସଞ୍ଜୟ ସାହୁ ଧର୍ମଘଟକୁ ସମର୍ଥନ ଜଣାଇ ସକ୍ରିୟ ଭୂମିକା ନେଇଥିବା ବେଳେ କେନ୍ଦୁଝର ଜିଲା ଆଞ୍ଚଳିକ ସମ୍ପାଦକ ହରିହର ମହାନ୍ତ ମଧ୍ୟ ଏଥିରେ ସାମିଲ ହୋଇଥିଲେ।
୨୦୨୪ରେ ହୋଇଥିବା ବୁଝାମଣା ଅନୁଯାୟୀ ପାଞ୍ଚଦିନିଆ ବ୍ୟାଙ୍କିଙ୍ଗ୍ ସପ୍ତାହ ଲାଗୁ କରିବା, ପିଏଲ୍ଆଇ ବ୍ୟବସ୍ଥାରେ ଥିବା ବୈଷମ୍ୟ ଦୂର କରିବା, ପେନ୍ସନ ସମ୍ବନ୍ଧୀୟ ଦାବି ଏବଂ ଅନ୍ୟାନ୍ୟ ଦୀର୍ଘଦିନର ଦାବିର ସମାଧାନ ପାଇଁ ଆନ୍ଦୋଳନ ଜାରି ରହିବ। ସ୍ଥାନୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଆଜିର ଧର୍ମଘଟର ପ୍ରଭାବ ସ୍ପଷ୍ଟ ଭାବେ ଦେଖାଯାଇଥିବା ବେଳେ ଆଗାମୀ ଦିନରେ ଦାବିଗୁଡ଼ିକର ସମାଧାନ ନ ହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଙ୍ଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି।

