ଜଣେ ଖରାପ ଲେଖକର ଗପ

ଡ. ନରେନ୍ଦ୍ର ସେଠୀ

 

ସମାଜର ବଡ଼ବଡ଼ିଆଙ୍କ ଆଖିରେ ସେ ଥିଲେ ଜଣେ ଅଶ୍ଳୀଳ ଓ ଅଭଦ୍ର ଲେଖକ। ଯୋଉ ଶବ୍ଦକୁ ଆମେ ଉଚ୍ଚାରଣ କରିବାକୁ ସଂକୋଚ କରିଥାଉ, ସେ ତାକୁ ସହଜରେ ତାଙ୍କ ଗପରେ ଲେଖି ପାରୁଥିଲେ। ନିଜ ସମୟଠାରୁ ଅନେକ ଆଗରେ ଥିବା ସେଇ ମଣିଷ ହେଲେ ୧୯୧୨ ରେ ପଞ୍ଜାବର ଲୁଧିଆନାରେ ଜନ୍ମିତ ମହାନ୍‌ ଲେଖକ ସଆଦତ ହସନ ମଣ୍ଟୋ। ଉଭୟ ଭାରତ ଓ ପାକିସ୍ତାନର ବୋଧେ ସେ ସବୁଠାରୁ ଅଧିକ ପଢ଼ା ଯାଇଥିବା ଚର୍ଚ୍ଚିତ ସାହିତି୍ୟକ। ତାଙ୍କ ନିଜ ଭାଷାରେ ମଣ୍ଟୋ କହନ୍ତି, ‘ଯଦି ତୁମେ ମୋ କାହାଣୀକୁ ପଢ଼ି ପାରିବନି, ତା’ହାଲେ ଏ ସମାଜ ଅସହ୍ୟ। ସମାଜ ଦେହରୁ ଲୁଗା କାଢ଼ିବାକୁ ମୁଁ କିଏ? ଯୋଉ ସମାଜ ଆଗରୁ ଉଲଗ୍ନ ମୁଁ ତାକୁ ଘୋଡ଼ାଇ ରଖିବାକୁ ଚେଷ୍ଟା ବି କରିବିନି, ତାହା ପୋଷାକ ପ୍ରସ୍ତୁତ କରୁଥିବା ଲୋକର କାମ।’ ମଣ୍ଟୋଙ୍କ କାହାଣୀଗୁଡ଼ିକ ପଢ଼ିଲା ପରେ ଲାଗେ ଯେ ଲେଖକ ଗତାନୁଗତିକ ଭାବରେ ଭଦ୍ର ମିଛ କହିବା ବଦଳରେ କଟୁ ସତ୍ୟ ପରଷି ନିର୍ଦ୍ଦୟ ସଚ୍ଚୋଟତାର ଖୋଲା ଦର୍ପଣ ମଧ୍ୟ ହୋଇପାରେ। ମଣ୍ଟୋଙ୍କ କଠୋର ସ୍ବର ସମାଜର ବିଷାକ୍ତ କପଟତାକୁ ଆଙ୍ଗୁଠି ଦେଖାଇବାକୁ ପଛେଇ ନ ଥିଲା। ସଆଦତ ହସନ ମଣ୍ଟୋ ଅଳ୍ପ କିଛି ଲେଖକଙ୍କ ମଧ୍ୟରୁ ଜଣେ; ଯିଏ ବିଭାଜନର ଅପମାନ, ଗ୍ଳାନି ଓ ପୀଡ଼ା ବିଷୟରେ ଶାଣିତ ସ୍ବର ଉତ୍ତୋଳନ କରିଥିଲେ ଓ ଉଭୟ ପାକିସ୍ତାନ ଏବଂ ଭାରତର ପାଠକମାନଙ୍କୁ ଆକର୍ଷିତ କରିଥିଲେ। ମଣ୍ଟୋ ବାରମ୍ବାର ଅନୁଭବ କରେଇ ପାରୁଥିଲେ ଯେ, ହୁଏତ ସମୟ ବଦଳିଛି ଏବଂ ଦୁଇଟି ଅଲଗା ଦେଶ ତିଆରି ହେଇଛି; ହେଲେ ଅନେକ ଜିନିଷ ସେହିପରି ପୂର୍ବବତ୍‌ ରହିଛି।
‘ଖୋଲଦୋ’ ଗପରେ ଝିଅକୁ ମୃତ ମନେ କରି ଜଣେ ହତଭାଗ୍ୟ ପିତା ତାକୁ ଶରଣାର୍ଥୀ ଶିବିରରେ ପାଇଲା ପରେ ଜାଣି ନଥିଲା ଭାଗ୍ୟ ତା’ ପାଇଁ କ’ଣ ସାଇତି ରଖିଛି! ଏହି ଗପର ଭୟଙ୍କର ସତ୍ୟକୁ କିଏ ଭୁଲିପାରିବ, ଯୋଉଠି ବିଭାଜନ ପରବର୍ତ୍ତୀ ଦଙ୍ଗାର ଶିକାର ହୋଇ ଅନେକ ଥର ବଳାତ୍କାରର ଶିକାର ହୋଇଥିବା ଧର୍ଷିତା ଝିଅଟି ସବୁ ଭୁଲିଯାଇ କେବଳ ଗୋଟିଏ ଶବ୍ଦ ମନେରଖିଥାଏ ‘ଖୋଲ’, ଯାହା ଶୁଣିଲେ ସେ ନିଜ ଦେହରୁ ବସ୍ତ୍ର କାଢ଼ିଦିଏ।
‘ଥଣ୍ଡା ଗୋସ୍ତ’ ଗପର ମୁଖ୍ୟ ଚରିତ୍ର କୁଳବନ୍ତ ଅଗଣିତ ଲୋକଙ୍କୁ ମାରିବା ପରେ ଘରକୁ ଫେରି ସ୍ତ୍ରୀ ଆଗରେ ଜଣେ ସୁନ୍ଦରୀ ମହିଳାର ଶବ ସହିତ ସମ୍ଭୋଗ କରିଥିବା ପ୍ରକାଶ କରିବା ପରେ, ସନ୍ଦେହରେ ସ୍ତ୍ରୀ ତାକୁ କିପରି ହତ୍ୟା କରେ ତାହା ପାଠକକୁ ସ୍ତବ୍ଦ କରେ। ‘ଟୋବାଟକ ସିଂହ’ ଗପରେ ବିଭାଜନର ଯନ୍ତ୍ରଣା ସହି ନପାରି ମାନସିକ ଭାରସ୍ୟାମ ହରେଇଥିବା ବିସେନ ସିଂହ ଜୀବନ ତମାମ ତା’ର ହଜିଲା ସହରକୁ ଖୋଜି ଚାଲିଛି। ସେହିପରି ମଣ୍ଟୋଙ୍କୁ ମାତ୍ର ସାତ ବର୍ଷ ହୋଇଥିଲା ବେଳେ ଜାଲିୱାନା ବାଗ ହତ୍ୟାକାଣ୍ଡକୁ ସେ ଦେଖିଥିଲେ ଓ ସେଠି ଏକ ନିଜ ବୟସର ଆଉ ଜଣେ ପିଲାକୁ ଗୁଳି ଯନ୍ତ୍ରଣାରେ ଛଟପଟ ହୋଇଥିବାର ଘଟଣାକୁ ସେ ‘ତମାସା’ ଗପରେ ଲେଖିଥିଲେ। ମୁଁ କାହିଁକି ଗପ ଲେଖେ କ୍ରମରେ ନିଜେ ମଣ୍ଟୋ କହନ୍ତି, ‘ଚରିତ୍ର ଯେତେ ଖରାପ ହେଲେ ମଧ୍ୟ ଜଣେ ପୁରୁଷ ସର୍ବଦା ଭଦ୍ର ପୁରୁଷ ହେଇଥାଏ, କିନ୍ତୁ ଜଣେ ନାରୀ ତାକୁ ପୁରୁଷ ଦ୍ୱାରା ଦିଆଯାଇଥିବା ଅଭିନୟରେ ଯଦି ଥରୁଟିଏ ଜୀବନରେ ଭୁଲ କରିବସେ, ତା’ହାଲେ ସେ ବେଶ୍ୟା ଓ ନଷ୍ଟ ଚରିତ୍ରା ହେଇଯାଏ।’ କାମ ଇଚ୍ଛା, ମଦ୍ୟପ, ବେଶ୍ୟା ଭଳି ଥିମ୍‌ ଉପରେ ମଣ୍ଟୋଙ୍କ ଖୁଲମ୍‌ଖୋଲା ଅଭିବ୍ୟକ୍ତି ତାଙ୍କୁ ଜଣେ ଅଶ୍ଳୀଳ ଲେଖକର ଆଖ୍ୟା ଦେଇଥିଲା ଓ ସେଥିପାଇଁ ତାଙ୍କ ଉପରେ ଛ’ ଥର କେସ୍‌ ମଧ୍ୟ ହେଇଥିଲା।
ମଣ୍ଟୋ ଏପରି ଜଣେ ବ୍ୟକ୍ତିତ୍ୱ, ଯିଏ ଅନ୍ତରରେ ଭାରତୀୟ ଏବଂ ଆତ୍ମାରେ ଜଣେ ସତ୍ୟବାଦୀ ଲେଖକ ଥିଲେ। ପଞ୍ଜାବର ଏକ ମୁସ୍‌ଲିମ ପରିବାରରେ ଜନ୍ମିତ ମଣ୍ଟୋ ବମ୍ବେରେ ଏକ ଚଳଚ୍ଚିତ୍ର ପତ୍ରିକାରେ କାମ କରୁଥିଲେ। ସେ ପରାଧୀନ ଭାରତରେ ବେଶ୍ୟାମାନଙ୍କର ବିବଶତା, ଭଦ୍ରମୁଖା ପିନ୍ଧିଥିବା ପୁରୁଷମାନଙ୍କର କାମାନ୍ଧତା, ବିଭାଜନ ସମୟରେ ଘଟିତ ହୋଇଥିବା ନାରୀମାନଙ୍କ ଉପରେ ଅତ୍ୟାଚାର, ହତ୍ୟା ଓ ଲୁଣ୍ଠନକୁ ଖୋଲାଖୋଲି ପ୍ରତିପାଦନ କରୁଥିଲେ। ମଣ୍ଟୋଙ୍କ ଲେଖନୀ ମିଛ କହି ଜାଣି ନଥିଲା ଓ ସତ କହିବାକୁ ସଙ୍କୋଚ କରୁ ନଥିଲା। ବମ୍ବେ ସହରରେ ରହିବା ବେଳେ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ହୋଇ ସେ ଅନେକ ଲେଖା ଲେଖିଥିଲେ, ଯାହା ତାଙ୍କ ଯିବାର ପଞ୍ଚଷଠି ବର୍ଷ ପରେ ମଧ୍ୟ ସେହି କୃତିସବୁ ଦସ୍ତାବିଜ୍‌ ସଦୃଶ ସାହିତ୍ୟକୁ ଋଦ୍ଧିମନ୍ତ କରିଛି। ସେ ସମୟର ଜଣେ ଚର୍ଚ୍ଚିତ ଓ ସର୍ବଶ୍ରେଷ୍ଠ ଗାଳ୍ପିକ ମଣ୍ଟୋଙ୍କ ଜୀବନ ୧୯୪୭ ରେ ଭାରତ ଦୁର୍ଭାଗ୍ୟଜନକ ବିଭାଜନ ପରେ ଏକ ଭିନ୍ନ ମୋଡ଼ ନେଇଥିଲା। ମଣ୍ଟୋଙ୍କ ପ୍ରିୟ ବନ୍ଧୁ ଶ୍ୟାମର ପରିବାର ଲୋକଙ୍କୁ ଦଙ୍ଗାରେ ମୁସଲମାନ ଲୋକମାନେ ମାରିଦେବା ଫଳରେ ସେ ଲେଖିଥିଲେ, ”ମାଂସ କାଟି ନେଲା ପରେ ହାଡ଼ସବୁ କୁଆଡ଼େ ଗଲା? ତୁମେ କିପରି ଚିହ୍ନିବ ତାହା ହିନ୍ଦୁର ହାଡ଼ ଥିଲା କି ମୁସଲମାନର, ତୁମେ ତାକୁ ଦାହ କଲ ନା ସମାଧି ଦେଲ?“ ତାଙ୍କ ବନ୍ଧୁ ଶ୍ୟାମ ଏହା ପଢ଼ି ରାଗିଯାଇ କହିଲେ, ଏହା ତୁମ ଗପର ଚରିତ୍ର ନୁହେଁ… ଏହା ମୋ ପରିବାର କଥା… ମୁସଲମାନମାନଙ୍କ ଉତ୍ତରରେ ମଣ୍ଟୋ କହିଲେ, ଯଦି ମୁସଲମାନମାନଙ୍କୁ ଏତେ ଘୃଣାକର, ତାହାଲେ ତୁମେ ମୋତେ ମଧ୍ୟ ସେତେବେଳେ ମାରିଦେଇଥାନ୍ତ? ପ୍ରିୟ ବନ୍ଧୁ ଶ୍ୟାମ କହିଲେ, ‘ନିଶ୍ଚୟ’। ଏହା ମଣ୍ଟୋଙ୍କୁ ଏତେ ବିଚଳିତ କଲା ଯେ, ବିଭାଜନ ବେଳେ ମଣ୍ଟୋ ପାକିସ୍ତାନ ଚାଲିଗଲେ। ପାକିସ୍ତାନ ଗଲା ପରେ ମଣ୍ଟୋଙ୍କ ସାହିତ୍ୟ ଜୀବନ ଅନ୍ଧକାର ହୋଇଗଲା। ରକ୍ଷଣଶୀଳ ପାକିସ୍ତାନରେ ତାଙ୍କୁ ଜଣେ ଅଭଦ୍ର ଓ ଅଶ୍ଳୀଳ ଲେଖକ ଭାବରେ ଅନେକଥର କୋର୍ଟ କଚେରିର ଦ୍ୱାରସ୍ଥ ହେବାକୁ ପଡ଼ିଲା। ଶେଷରେ ଭାଙ୍ଗିପଡ଼ି ମଣ୍ଟୋ ନିଶାଗ୍ରସ୍ତ ହେଲେ। ଖୁବ୍‌ କମ୍‌ ମାତ୍ର ୪୩ ବର୍ଷ ବୟସରେ ପ୍ରାଣା ତ୍ୟାଗ କଲେ। ଏକ ସଚ୍ଚୋଟ ନିର୍ଭୀକ ଓ ସତ୍ୟବାଦୀ ଲେଖକର କଲମ ବିଶ୍ରାମ ନେଲା ସତ, କିନ୍ତୁ ତାଙ୍କର ବାଇଶ ଖଣ୍ଡ ଗଳ୍ପ ସଂକଳନ, ଅନେକ ନାଟକ ଓ ଅନୁବାଦ୍ୟ ସାହିତ୍ୟ ସମଗ୍ର ବିଶ୍ୱ ସାହିତ୍ୟକୁ ଖୋରାକ ଦେଇଛି, ଯାହା ଫଳରେ ସର୍ବାଧିକ ପଠିତ ସାହିତି୍ୟକଙ୍କ ମଧ୍ୟରେ ଏହି ହତଭାଗା ମଣ୍ଟୋ ଅଛନ୍ତି। ସମାଜର କଟୁ ସତ୍ୟକୁ ପ୍ରକାଶ କରିବା ଯୋଗୁ ମଣ୍ଟୋଙ୍କୁ ଯୋଉମାନେ ଅଶ୍ଳୀଳ ଆଖ୍ୟା ଦେଲେ, ସେମାନେ ପରଦା ପଛରେ ଭଦ୍ରମୁଖା ଆଢ଼ୁଆଳରେ ସେହି କାର୍ଯ୍ୟରେ ଲିପ୍ତ ଥିଲେ। ମଣ୍ଟୋଙ୍କୁ ହରେଇ ଚାଳିଶ ଦଶକର ସାହିତ୍ୟ ମ୍ଳାନ ହେଲା, କିନ୍ତୁ ସେ ଅମ୍ଳାନ ହୋଇଗଲେ ଅଗଣିତ ପାଠକମାନଙ୍କ ହୃଦୟରେ। ମଣ୍ଟୋଙ୍କୁ ଅଶ୍ଳୀଳ ବଦଳରେ ଜଣେ ନିର୍ଭୀକ, ସତ୍ୟବାଦୀ ଓ ମହାନ୍‌ ଲେଖକ ଭାବରେ ଆସନ୍ତା ପିଢ଼ି ମନେରଖିଥିବ ଏଥିର ସନ୍ଦେହ ନାହିଁ।
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri