ମୁହଁ ବନ୍ଦ ପାଇଁ ପଦକ୍ଷେପ

ନିର୍ବାଚନ ପ୍ରଚାର ସକାଶେ ଅରବିନ୍ଦ କେଜ୍‌ରିିୱାଲଙ୍କୁ କିଛିଦିନ ପାଇଁ ଜେଲରୁ ମୁକ୍ତ କରାଯାଇଛି। ପ୍ରଚାର ପରେ ତାଙ୍କୁ ଜେଲକୁ ଫେରିବାକୁ ପଡ଼ିବ। କେଜ୍‌ରିିୱାଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। ସେ ଜେଲରେ ରହିବାର କାରଣ ତାଙ୍କ ଜାମିନକୁ ଭାଜପା ବିରୋଧ କରୁଛି। ବିଚାରପତିମାନେ ଅନୁଭବ କଲେ, କେଜ୍‌ରିିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ସେ ମଧ୍ୟ ଏକ ଜାତୀୟ ଦଳର ନେତା। ଏହା ନିଃସନ୍ଦେହ ଯେ, ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି, କିନ୍ତୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। ତାଙ୍କର ପୂର୍ବରୁ କୌଣସି ଆପରାଧିକ ରେକର୍ଡ ନାହିଁ। ସେ ମଧ୍ୟ ସମାଜ ପାଇଁ ବିପଦ ନୁହନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ୨୦୨୨ରେ ଏହି ମାମଲା ପଞ୍ଜୀକୃତ ହୋଇଥିଲା। କିନ୍ତୁ ଭୋଟ ଗ୍ରହଣ ଆରମ୍ଭର କିଛିଦିନ ପୂର୍ବରୁ କେଜ୍‌ରିୱାଲଙ୍କୁ ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା। ୧୯ ଏପ୍ରିଲରେ ମତଦାନ ଆରମ୍ଭ ହୋଇଥିଲା। କେଜ୍‌ରିୱାଲ ୧ ମାସରୁ ଅଧିକ ସମୟ ପ୍ରାରମ୍ଭିକ ପ୍ରଚାର ଅଭିଯାନରେ ଭାଗନେଇପାରିଲେ ନାହିଁ। ନିର୍ବାଚନର ତିନିଟି ପର୍ଯ୍ୟାୟ ଶେଷ ହୋଇଯାଇଥିବାବେଳେ ତାଙ୍କୁ ଜେଲରେ ରଖାଯାଇଥିଲା। ତାଙ୍କ ସ୍ତ୍ରୀ ହିଁ ତାଙ୍କ ନାମରେ ପ୍ରଚାର କରିଥିଲେ। ୪ ଜୁନ୍‌ରେ ଫଳାଫଳ ବାହାରିବାବେଳେ ଏପରି ନିର୍ବାଚନକୁ ମୁକ୍ତ ଏବଂ ନିରପେକ୍ଷ ବୋଲି ବିବେଚନା କରାଯିବ କି? ବିରୋଧୀଙ୍କୁ ଜେଲରେ ରଖି ତୁମେ ସ୍ବାଧୀନ ଭାବେ ପ୍ରଚାର କରିବା ଏକ ପ୍ରକାର ନିର୍ବାଚନ, ଯାହା ଏକଚ୍ଛତ୍ରବାଦ ଦେଶଗୁଡ଼ିକରେ ଘଟିଥାଏ। ଝଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବରୁ ତେଲଙ୍ଗାନାରେ ସରକାର ଚଳାଇଥିବା ଭାରତ ରାଷ୍ଟ୍ର ସମିତିର କଲଭକୁନ୍ତଳା କବିତା ସମସ୍ତେ ଜେଲରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କାହାରିକୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। କୋର୍ଟରେ ଭାଜପାର ଯୁକ୍ତି ହେଉଛି ଅନ୍ୟ ଅଭିଯୁକ୍ତଙ୍କ ତୁଳନାରେ ରାଜନେତାମାନଙ୍କୁ ସ୍ବତନ୍ତ୍ର ବ୍ୟବହାର ପ୍ରଦର୍ଶନ କରିବା ଉଚିତ ନୁହେଁ ଏବଂ ପ୍ରଚାର ପାଇଁ ଜାମିନ ଦିଆଯିବା ଉଚିତ ନୁହେଁ। ଗଣତନ୍ତ୍ର ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ଏହା କ’ଣ ଦର୍ଶାଉ ନାହିଁ। ପୁନଶ୍ଚ, ଆମକୁ ଧ୍ୟାନ ଦେବାକୁ ହେବ ଯେ ଜେଲରେ ଥିବା ଏହି ରାଜନେତାମାନଙ୍କ ମଧ୍ୟରୁ ଜଣେ ହେଲେ କେହି ଦୋଷୀ ନୁହନ୍ତି। ସେମାନେ କେବଳ ଅଭିଯୁକ୍ତ ଓ ଭାଜପା ସେମାନଙ୍କ ବିରୋଧରେ ଅଭିଯୋଗ କରିଛି। କେଜ୍‌ରିିୱାଲଙ୍କ ମାମଲାରେ କୋର୍ଟ ଯାହା ଉଲ୍ଲେଖ କରିଛନ୍ତି ତାହା ମଧ୍ୟ ଅନ୍ୟ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ସେମାନଙ୍କ ବିରୋଧରେ ପୂର୍ବରୁ କୌଣସି ଅଭିଯୋଗ ନାହିଁ। ସେମାନେ ସମାଜ ପାଇଁ ବିପଦ ନୁହନ୍ତି। ସେମାନେ ସମସ୍ତେ ରାଜନୈତିକ ଦଳର ନେତା।
ଜେଲରୁ ମୁକ୍ତହେବା ପରେ କେଜ୍‌ରିିୱାଲଙ୍କୁ ଜୋର୍‌ଦାର ସ୍ବାଗତ କରାଯାଇଥିଲା ଏବଂ ଭାଜପା ଏଥିରେ ଖୁସି ନ ଥିଲା। ସମସ୍ୟା ହେଉଛି ଏହି ଘଟଣାରେ କୋର୍ଟକୁ ବାଧ୍ୟ କରାଯାଉଛି। ଭାଜପା ଏପରି କାର୍ଯ୍ୟରେ ଲିପ୍ତ ରହି ଗଣତନ୍ତ୍ର ଉପରେ ଆକ୍ରମଣ କରୁନାହିଁ ବୋଲି ଯାହା କହୁଛି ତାହା ଗ୍ରହଣୀୟ କି? ଭାରତ ଯେଉଁ ବାଟ ଧରିଛି ସେ ବିଷୟରେ ବାହ୍ୟଜଗତ କ’ଣ ଅନୁଭବ କରୁଛି? ଅନେକ ବର୍ଷ ମଧ୍ୟରେ ଯାହା ସବୁ କୁହାଯାଇଛି ସେ ବିଷୟକୁ ଫେରିବା ଦରକାର। ବିଶ୍ୱର ଅନ୍ୟ ଦେଶଗୁଡ଼ିକ କହନ୍ତି, ଭାରତ କେବଳ ଏକଚ୍ଛତ୍ରବାଦ ଆଡ଼କୁ ଗତି କରୁନାହିଁ, ବରଂ ଏହା ଆଉ ଗଣତନ୍ତ୍ର ହୋଇ ରହିନାହିଁ। ଫ୍ରିଡମ୍‌ ହାଉସ ଅନୁଯାୟୀ, ରାଜନୈତିକ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ଭାଜପା ସରକାରୀ ସଂସ୍ଥାଗୁଡ଼ିକୁ ଅତ୍ୟଧିକ ବ୍ୟବହାର କରୁଛି। ଏହା ସତ୍ୟ। ଫ୍ରିଡମ୍‌ ହାଉସ ଭାରତକୁ ‘ଆଂଶିକ ମୁକ୍ତ’ ମାନ୍ୟତା ଦେଇଛି। ଏହା ମଧ୍ୟ ସତ୍ୟ। ବାସ୍ତବରେ ଏହା ଭାରତର ସ୍ଥିତି ତୁଳନାରେ କେଜ୍‌ରିଓ୍ବାଲଙ୍କ ସ୍ଥିତିରେ ଅତ୍ୟଧିକ ପ୍ରତିଫଳିତ ହେଉଛି। ନାଗରିକ ସ୍ବାଧୀନତା, ସାଂସ୍କୃତିକ ବିବିଧତା, ରାଜନୈତିିକ ସଂସ୍କୃତି ଓ ଭାଗୀଦାରି ଏବଂ ନିର୍ବାଚନ ପ୍ରକ୍ରିୟା ଉପରେ ନିରୀକ୍ଷଣ କରିଥିବା ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ର ଗଣତନ୍ତ୍ର ସୂଚକାଙ୍କରେ ୨୦୧୪ରେ ଭାରତ ୨୭ତମ ସ୍ଥାନରେ ଥିଲା। ୨୦୨୦ରେ ଭାରତକୁ ଏକ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବେ ଶ୍ରେଣୀଭୁକ୍ତ କରାଯାଇଥିଲା ଓ ଗତ ବର୍ଷ ଭାରତ ୪୧ତମ ସ୍ଥାନରେ ରହିଥିଲା। ଏହା ଥିଲା ଗଣତାନ୍ତ୍ରିକ ପଶ୍ଚାତଗମନ ଏବଂ ମୋଦିଙ୍କ ସମୟରେ ବୃଦ୍ଧି ପାଇଥିବା ଧର୍ମୀୟ ପ୍ରଭାବର ପରିଣାମ। ୨୦୧୭ରେ ନାଗରିକ ସମାଜ ସଙ୍ଗଠନଗୁଡ଼ିକର ବୈଶ୍ୱିକ ମେଣ୍ଟ ସିଭିକସ୍‌ ଭାରତର ନାଗରିକ କ୍ଷେତ୍ରକୁ ‘ଅବରୋଧିତ’ ଭାବେ ଦର୍ଶାଇଥିଲା ଓ ପରେ ‘ଦମନକାରୀ’କୁ ଖସି ଆସିଛି। ଦମନ ଭଳି ଶବ୍ଦ ଗଣତନ୍ତ୍ରରେ ବ୍ୟବହାର ହୁଏ କି? ନା। ମାର୍ଚ୍ଚ ୨୦୨୨ରେ ସିଭିକସ୍‌ କହିଥିଲା ଯେ, ନାଗରିକ ସ୍ବାଧୀନତାର ଦ୍ରୁତ ଅବନତି ହୋଇଥିବା ଦେଶଗୁଡ଼ିକର ଏକ ତାଲିକାରେ ଭାରତ ଯୋଡ଼ିହୋଇଛି ଏବଂ ସମାଲୋଚକମାନଙ୍କ ମୁହଁ ବନ୍ଦ କରିବା ଲାଗି ମୋଦି କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ନିର୍ବାଚନ ସମୟରେ ସମାଲୋଚକମାନଙ୍କୁ ଜେଲରେ ରଖିବା ହେଉଛି ସେମାନଙ୍କୁ ଚୁପ୍‌ କରିବାର ଏକ ଉତ୍ତମ ପଦକ୍ଷେପ। ବିଶେଷକରି କେଜ୍‌ରିୱାଲ ଏବଂ ସଞ୍ଜୟ ସିଂ ଏହାର ଉଦାହରଣ, ଯେଉଁମାନଙ୍କୁ ବିନା ଦୋଷରେ ଇଡି ଦ୍ୱାରା ଜେଲରେ ରଖାଯାଇଥିଲା ଏବଂ ସେମାନେ ଜାମିନରେ ଆସିଛନ୍ତି।
ଶେଷରେ ସୁଇଡେନ ଗୋଥେନ୍‌ବର୍ଗ ବିଶ୍ୱବିଦ୍ୟାଳୟର ଭି-ଡେମ୍‌ ରିପୋର୍ଟ ପ୍ରକାଶ କରିଛି ଯେ, ମୋଦିଙ୍କ ଅଧୀନରେ ଭାରତ ଗଣତନ୍ତ୍ରର ମାନ୍ୟତା ହରାଇଛି ଏବଂ ଗୋଟିଏ ‘ଏକଚ୍ଛତ୍ରବାଦ ନିର୍ବାଚନ’ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇ ହଙ୍ଗେରୀ ଏବଂ ତୁର୍କୀ ଭଳି ନିଜକୁ ପ୍ରତିପାଦିତ କରିଛି। ଅଭିବ୍ୟକ୍ତି, ଗଣମାଧ୍ୟମ ଏବଂ ନାଗରିକ ସମାଜର ସ୍ବାଧୀନତାରେ ପାକିସ୍ତାନ ଭଳି ଭାରତ ଏକଚ୍ଛତ୍ରବାଦୀ ହୋଇଛି ଏବଂ ଉଭୟ ବାଂଲାଦେଶ ଓ ନେପାଳ ତୁଳନାରେ ଏହା ଖରାପ। ୨୦୧୪ ପରେ ଯେତେବେଳେ ଏହିସବୁ ରିପୋର୍ଟ ଆସିବାକୁ ଲାଗିଲା ସେତେବେଳେ ସରକାର ତଥା ଏହାର ସମର୍ଥକମାନେ ଉପହାସ କଲେ ଏବଂ ଏହା ପକ୍ଷପାତର ପରିଣାମ ବୋଲି କହିଥିଲେ। ଆଜି ୨୦୨୪ରେ, ଭାଜପା ଏକ ନିର୍ବାଚନ ସମୟରେ ବିରୋଧୀଙ୍କୁ ଜେଲରେ ରଖିଛି। ତଥାପି ବିଶ୍ୱାସ କରାଯାଉଛି କିମ୍ବା ଅନ୍ତତଃ ପକ୍ଷେ ଆମ ମଧ୍ୟରେ ବିଶ୍ୱାସ ଜନ୍ମାଉଛି ଯେ, ଏହା କେବଳ ଗଣତନ୍ତ୍ରର ନିୟମ ପାଳନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri