ପୁନଃ ଯୌବନ: ସମ୍ଭାବନା ଦିଗରେ ପାଦେ

କୁହାଯାଏ ଯେ, ଆମ ଜୀବନସ୍ରୋତ ନିଃଶବ୍ଦରେ ବହିଚାଲିଥାଏ ମୃତ୍ୟୁ ସିନ୍ଧୁର କରାଳ ଲହରିକୁ ଭେଟିବା ପାଇଁ। ଜନ୍ମପରଠାରୁ ଏ ପ୍ରକ୍ରିୟା ଆରମ୍ଭ ହୋଇଯାଏ ଏବଂ ତାହା ଗତିକରେ ଶୈଶବ, ଯୌବନ, ପୌଢ଼ତ୍ୱ ଏବଂ ବାର୍ଦ୍ଧକ୍ୟ ଅବସ୍ଥା ଦେଇ। ଏହା ଅପ୍ରତ୍ୟାବର୍ତ୍ତୀ। ତେବେ ତାକୁ ପ୍ରତ୍ୟାବର୍ତ୍ତୀ କରିବା ଲାଗି, ବିଶେଷକରି ବାର୍ଦ୍ଧକ୍ୟରୁ ଯୌବନାବସ୍ଥାକୁ ଫେରିବା ପାଇଁ ମଣିଷ ଯୁଗ ଯୁଗ ଧରି ସ୍ବପ୍ନ ଦେଖିଆସିଛି। ଆମ ପୁରାଣଶାସ୍ତ୍ର ଏଭଳି ବହୁ କାଳ୍ପନିକ କାହାଣୀରେ ପରିପୂର୍ଣ୍ଣ। ଅନ୍ୟପକ୍ଷରେ ପୁରାତନ ଚିକିତ୍ସା ଶାସ୍ତ୍ରରୁ ମଧ୍ୟ ଏଥିପାଇଁ ବିବିଧ ରସାୟନମାନ ପ୍ରସ୍ତୁତି ଲାଗି ବ୍ୟାପକ ଉଦ୍ୟମ ହୋଇଥିବାର ଜଣାପଡ଼େ। ତେବେ ଏ କ୍ଷେତ୍ରରେ ଏକ ସଫଳ ସମ୍ଭାବନା ପାଦଟିଏ ଅଗ୍ରସର ହୋଇଛନ୍ତି ବୈଜ୍ଞାନିକମାନେ। ନିକଟରେ କାଲିଫର୍ନିଆସ୍ଥିତ ସାନଡିଏଗୋର ସାଲ୍‌କ ଇନ୍‌ଷ୍ଟିଚ୍ୟୁଟ୍‌ଠାରେ ଗବେଷଣାରତ କିଛି ବୈଜ୍ଞାନିକ ବୟସ୍କ ମୂଷାମାନଙ୍କଠାରେ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ପ୍ରତ୍ୟାବର୍ତ୍ତୀ କରିବାରେ କିଛିମାତ୍ରାରେ ସଫଳକାମୀ ହୋଇଛନ୍ତି। ସେମାନେ ଏଥିଲାଗି ନିୟୋଜିତ କରିଛନ୍ତି ”ଜୀବକୋଷୀୟ ପୁନଃଯୌବନଦାୟୀ କୌଶଳ“ (ସେଲୁଲାର୍‌ ରିଜୁଭେନେସନ୍‌ ଟେକ୍ନୋଲୋଜି)। ୟାମାନାକା ଅନୁଲିଖିନ କାରକ (ୟାମାନାକା ଟ୍ରାନସ୍‌କ୍ରିପସନ୍‌ ଫ୍ୟାକ୍ଟର୍ସ) ରୂପେ ଜଣାଶୁଣା ଚାରୋଟି ଅଣୁକୁ ଏଥିରେ ବ୍ୟବହାର କରାଯାଇଛି। ଗବେଷକମାନେ ଏଥିରେ ପ୍ରଦର୍ଶନ କରିପାରିଛନ୍ତି ଯେ, ବୃଦ୍ଧ ମୂଷାମାନଙ୍କ ଜୀବକୋଷଗୁଡ଼ିକୁ ଏହି ପଦ୍ଧତିରେ ଆଂଶିକ ଭାବେ ପୁନଃବିନ୍ୟାସ କରି ଅପେକ୍ଷାକୃତ ଯୁବାବସ୍ଥାକୁ ଫେରାଇ ନିଆଯାଇପାରିବ।
ୟାମାନାକା ଅନୁଲିଖିନ କାରକ ଚାରୋଟିକୁ ସୂଚିତ କରାଯାଏ Oct4, Sox2, Klf4 ଏବଂ CMyc ରୂପେ। ଏଗୁଡ଼ିକ ହେଲେ ପ୍ରୋଟିନ୍‌ ଅନୁଲିଖନକାରୀ କାରକ ଯାହାକି ‘ପ୍ରରୋଚିତ ବହୁବିଧ ସାମର୍ଥ୍ୟ ସମ୍ପନ୍ନ କାଣ୍ଡିକୋଷିକା’ ବା ”ଇଣ୍ଡିଉସ୍‌ ପ୍ଲୁରିପୋଟେଣ୍ଟ ଷ୍ଟେମ୍‌ସେଲ୍‌“ ସୃଷ୍ଟି କରନ୍ତି। ଏହି କାଣ୍ଡକୋଷିକାଗୁଡ଼ିକର ଶରୀରରେ ଯେକୌଣସି ପ୍ରକାର କୋଷିକାକୁ ରୂପାନ୍ତରିତ ହେବାର କ୍ଷମତା ରହିଛି। ଏଗୁଡ଼ିକ ଜିନ୍‌ସ୍ଥିତ ଡିଏନ୍‌ଏର ଆର୍‌ଏନଏକୁ ପ୍ରତିଲିପୀକରଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି। ଜିନ୍‌ସ୍ଥିତ ଡିଏନ୍‌ଏକୁ ଆଧାର ରୂପେ ବ୍ୟବହାର କରି ‘ଆର୍‌ଏନ୍‌ଏ-ପଲିମରେଜ୍‌’ ନାମକ ଏକ ଏଞ୍ଜାଇମ୍‌ ଆର୍‌ଏନ୍‌ଏ ସଂଶ୍ଳେଷଣକାରୀ ରାସାୟନିକ ପ୍ରକ୍ରିୟାକୁ ଉତ୍‌ପ୍ରେରିତ କରେ।
ପ୍ରଥମେ ୨୦୦୬ ମସିହାରେ ଜାପାନ ବୈଜ୍ଞାନିକ ଡ. ଶିନ୍ୟା ୟାମାନାକା ଆବିଷ୍କାର କରିଥିଲେ ଯେ, ଏହି ଚାରୋଟି ଜିନ୍‌ ନିୟନ୍ତ୍ରଣକାରୀ ପ୍ରୋଟିନ୍‌କୁ ଜୀବକୋଷରେ ଯୋଗ କଲେ ସେଗୁଡ଼ିକୁ ଭୃଣୀୟକାଣ୍ଡକୋଷିକା (ଏବ୍ରିଓନିକ୍‌ ଷ୍ଟେମ୍‌ସେଲ୍‌) କୁହାଯାଉଥିବା ଏକ ଅପେକ୍ଷାକୃତ କମ୍‌ ବୟସର ଏବଂ ଅଧିକ ଖାପ୍‌ ଖୁଆଇପାରିଲା ଭଳି ରୂପକୁ ପୁନଃନିର୍ଦ୍ଦେଶିତ ହେବାକୁ ଅନୁମତି ଦିଏ। ଏହି କାଣ୍ଡକୋଷିକାଗୁଡ଼ିକ ବହୁବିଧ ସାମର୍ଥ୍ୟସମ୍ପନ୍ନ ହୋଇଥିବାରୁ ଶରୀରର ଯେକୌଣସି କୋଷିକାକୁ ରୂପାନ୍ତରିତ ହେବାର ସାମର୍ଥ୍ୟ ରହିଛି। ତାଙ୍କୁ ଏଥିପାଇଁ ୨୦୧୨ ମସିହାରେ ନୋବେଲ ପୁରସ୍କାର ମିଳିଥିଲା।
ଖୁବ୍‌ ନିକଟରେ (୨୦୧୮) ହୋଇଥିବା ଅନ୍ୟ ଏକ ଅଧ୍ୟୟନରେ ସାଲକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଗବେଷକମାନେ ବୟସ ବଢ଼ିଚାଲିଥିବା ସୁସ୍ଥ ମୂଷାମାନଙ୍କଠାରେ ଜୀବକୋଷୀୟ ପୁନଃ ତାରୁଣ୍ୟ ଲାଭ (ସେଲୁଲାର୍‌ ରିଜୁଭେନେସନ) ପ୍ରକ୍ରିୟାର ଅବସ୍ଥାନ୍ତର ଉପରେ ଦୀର୍ଘଦିନ ଧରି ପରୀକ୍ଷା ଚଳାଇଥିଲେ। ସେମାନେ ଗୋଟିଏ ଦଳ ମୂଷାଙ୍କୁ ୧୫ ମାସ ବୟସର ହେଲାବେଳଠାରୁ ୨୨ ମାସ ହେବାଯାଏ ନିୟମିତ ଭାବେ ୟାମାନାକା କାରକ ଦେଇ ଚାଲିଲେ (ମୂଷାଙ୍କ ଏ ବୟସ ମଣିଷର ୫୦ରୁ ୬୦ବର୍ଷ ସହିତ ସମତୁଲ୍ୟ) ଏବଂ ଅନ୍ୟ ଏକ ଦଳକୁ ୧୨ ମାସରୁ ୨୨ ମାସ (ମଣିଷର ୩୫ବର୍ଷରୁ ୬୦ବର୍ଷ ସମତୁଲ୍ୟ) ତଥା ତୃତୀୟ ଦଳକୁ ୧ ମାସରୁ ୩୦ମାସ (ମଣିଷର ୮୦ ବର୍ଷ ସମତୁଲ୍ୟ) ତାହା ଦେଇ ଚିକିତ୍ସା କରିଥିଲେ। ତତ୍ପରେ ସେଗୁଡ଼ିକୁ ଚିକିତ୍ସା ନ ପାଇଥିବା ମୂଷାମାନଙ୍କ ସହିତ ତୁଳନା କରିବାରୁ ଦେଖାଗଲା ଯେ, ବୟସ ବୃଦ୍ଧି ସତ୍ତ୍ୱେ ବ ସେମାନଙ୍କର ରକ୍ତକୋଷିକାରେ କିମ୍ବା ସ୍ନାୟୁମାନଙ୍କରେ କୌଣସି ପରିବର୍ତ୍ତନ ସୂଚନା ମିଳିଲା ନାହିଁ। ପୁନଶ୍ଚ ୟାମାନାକା କାରକ ପ୍ରାପ୍ତ ହେଉଥିବା ଜୀବମାନଙ୍କଠାରେ ସାଧାରଣ ବାର୍ଦ୍ଧକ୍ୟ ପ୍ରକ୍ରିୟାର ବିବିଧ ସୂଚନା ପ୍ରତି ଧ୍ୟାନ ଦେବାରୁ ସେମାନେ ଆବିଷ୍କାର କଲେ ଯେ, ଏଗୁଡ଼ିକ ଯୁବ ମୂଷାଙ୍କ ଅନୁରୂପ। ତାଙ୍କ ବୃକ୍‌କ (କିଡନୀ), ଚର୍ମ, ଅଧିଜିବୀୟ ବ୍ୟବସ୍ଥାସମୂହ ଯୁବ ମୂଷାଙ୍କ ଅଧିଜିନୀୟ (ଏପିଜେନେଟିକସ) ଢାଞ୍ଚା ସହିତ ଅତି ନିବିଡ଼ ଭାବେ ମେଳ ଖାଉଥିଲା।
ପୁନଃ ପ୍ରୋଗ୍ରାମିଂ (ରିପ୍ରୋଗ୍ରାମିଂ) ହୁଏତ ତନ୍ତୁ ବା ଟିସୁରେ ତନ୍ତୁମୟତା (ଫିବ୍ରୋସିସ୍‌) ହ୍ରାସ କରୁଥିବ- ତାହା ବୁଝିବା ପାଇଁ ଗବେଷକମାନେ ଚର୍ମରେ ହେଉଥିବା କ୍ଷତ ଉପରେ ଜମା ହେଉଥିବା ତନ୍ତୁଗୁଡ଼ିକୁ ବିଶ୍ଳେଷଣ କଲେ। ସେମାନେ ୟାମାନାକାକାରକ ପ୍ରାପ୍ତ ହେଉଥିବା ବୟସ୍କ ମୂଷାମାନଙ୍କ କ୍ଷତ ଅଞ୍ଚଳରେ କୋଲାଜେନ୍‌ ଜମା ହେବା ପ୍ରକ୍ରିୟା ବୃଦ୍ଧି ପାଇବା ଦେଖିବାକୁ ପାଇଲାବେଳେ ଆଂଶିକ ଭାବେ ପୁନଃ-ପ୍ରୋଗ୍ରାମିଂ ହୋଇଥିବା ମୂଷାଙ୍କଠାରେ ମଧ୍ୟ ଏହି ଅଞ୍ଚଳରେ ତାହା ବେଶ୍‌ ପରିମାଣରେ ଦେଖିବାକୁ ପାଇଥିଲେ। ପୁନଶ୍ଚ ୟାମାନାକାରକ ଚିକିତ୍ସିତ ଜୀବମାନଙ୍କ ରକ୍ତରେ ବୟସ ସହିତ ସମ୍ପୃକ୍ତ ଚୟାପୟନ ଅଣୁଗୁଡ଼ିକର କୌଣସି ପରିବର୍ତ୍ତନ ନ ଆସିବାର ଦେଖାଗଲା।
ଏଠାରେ ସୂଚନାଯୋଗ୍ୟ ଯେ, ମଣିଷଠାରେ ମଧ୍ୟ ଏହି କାରକଗୁଡ଼ିକର କ୍ରିୟାଶିଳତା ସଫଳ ଭାବେ ପରୀକ୍ଷା ହୋଇସାରିଲାଣି। ନିକଟରେ (୨୦୧୮) ଏହି ଉପାୟ ଅବଲମ୍ବନ କରି ୟୁନିଭରସିଟି ଅଫ୍‌ କେମ୍ବ୍ରିଜ୍‌ର ବୈଜ୍ଞାନିକମାନେ ମଣିଷର ଚର୍ମକୋଷିକାର ବୟସ ୩୦ ବର୍ଷ ପଛକୁ ଫେରାଇ ନେଇପାରିଛନ୍ତି। ସେମାନେ ଏହି ସାଧାରଣ କୋଷିକାକୁ ‘ଇଣ୍ଡିଉସ୍‌ ପ୍ଲରିପୋଟେଣ୍ଟ ଷ୍ଟେମସେଲ୍‌’ରେ ପରିଣତ କରିବାରେ ସଫଳକାମୀ ହୋଇପାରିଛନ୍ତି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷାନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୁଦ୍ର ପଲୋର ଉଦଘାଟନ; ନାମ ଫଳକରେ ସରପଞ୍ଚ-ସମିତି ସଭ୍ୟାଙ୍କ ନାମରେ ତ୍ରୁଟି, ଗ୍ରାମର ନାମ ଭୁଲକୁ ନେଇ ଅସନ୍ତୋଷ

ପଟ୍ଟାଙ୍ଗି,୧୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପେଟୁରୁ ପଞ୍ଚାୟତର ରାଇପାଡୁ ଗ୍ରାମରେ ନୂତନ କରି ଏକ କ୍ଷୁଦ୍ର ପୋଲ ନିର୍ମାଣ ହୋଇଛି ।…

ମହଙ୍ଗା ମାଡ଼! ବଢ଼ିଲା ଅମୂଲ କ୍ଷୀର ଦାମ୍, ଲିଟର ପିଛା….

ନୂଆଦିଲ୍ଲୀ,୧୩ା୫: ସାଧାରଣ ଜନତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ଦେଶର ପ୍ରମୁଖ ଦୁଗ୍ଧ କମ୍ପାନୀ ଅମୂଲ ସାରା ଦେଶରେ କ୍ଷୀରର ମୂଲ୍ୟ ପ୍ରତି ଲିଟର…

କ୍ୟାମ୍ପ ନିକଟରୁ IRB ହାବିଲଦାରଙ୍କ ମୃତଦେହ ଉଦ୍ଧାର, ଋଣଭାର-ପାରିବାରିକ ଚିନ୍ତାରେ…

ଭଞ୍ଜନଗର,୧୩ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ଆଇଆରବି ୮ମ ସ୍ଵତନ୍ତ୍ର ବାଟାଲିୟନ ହାବିଲଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଦେବାଶିଷ ବେହେରା…

ପଞ୍ଚାୟତ ନିର୍ବାଚନ ପାଇଁ ପାଗଭିଡ଼ା, ଭାଜପାରେ ସାମିଲ ହେଲେ ବହୁ….

ଗଞ୍ଜାମ,୧୩ା୫ (ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ବଳରାମଚନ୍ଦ୍ର ପୁର ଗ୍ରାମର ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଭାଜପାର ମିଶ୍ରଣ…

ବାସନ ଧୋଉଥିଲେ ମହିଳା, ଟାଣିନେଲା କୁମ୍ଭୀର, ଦୀର୍ଘ ସମୟ ଲଢ଼େଇ ପରେ…

ମହାକାଳପଡ଼ା,୧୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଦଳିଛି ସରକାର। ବଦଳିନି ଜଙ୍ଗଲଘେରୀ ଶବରପଡ଼ାର ଚିତ୍ର। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ…

ପ୍ରତୀକ ଯାଦବଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା, ପୋଷ୍ଟମର୍ଟମ ରିପୋର୍ଟ….

ଲକ୍ଷ୍ନୌ,୧୩।୫: ଭାଜପାର ନେତ୍ରୀ ଏବଂ ମହିଳା କମିଶନର ଉପାଧ୍ୟକ୍ଷ ଅପର୍ଣ୍ଣା ଯାଦବଙ୍କ ସ୍ୱାମୀ ପ୍ରତୀକ ଯାଦବଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ…

ଚାଷୀଙ୍କ ପାଇଁ ଖୁସି ଖବର, ଧାନର MSP ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୩ା୫: କେନ୍ଦ୍ର କ୍ୟାବିନେଟର ବୈଠକରେ ଚାଷୀ, ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ର ସହ ଜଡିତ ଅନେକ ପ୍ରମୁଖ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ୨୦୨୬-୨୭ ଖରିଫ ଋତୁ…

ବସ୍‌ରେ ଯାତ୍ରା କରିବେ ନୀତିନ ଗଡକରୀ, ମୋଦିଙ୍କ ଅପିଲ ପରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ଼୍ବାନ ପରେ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଇନ୍ଧନ ସଂରକ୍ଷଣ ପାଇଁ, ଗଡକରୀ ତାଙ୍କର ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri