ଦଳମତରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହୋଇଛନ୍ତି। ସେ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳମତରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି । ତେଣୁ ଆପଣମାନେ ବର୍ତ୍ତମାନ ସମସ୍ତଙ୍କ ପାଇଁ କାମ କରନ୍ତୁ । ଦଳମତରୁ ଉପରକୁ ଉଠି କାମ କଲେ ଆମେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା ବୋଲି ସେ କହିଛନ୍ତି । ବିକାଶ ସବୁବେଳେ ଆମର ଫୋକସ ହୋଇ ରହିଆସିଛି । ବିକାଶ ପାଇଁ ଆମର କଠିନ ପରିଶ୍ରମକୁ ଜନସାଧାରଣ ସବୁବେଳେ ସ୍ବୀକୃତି ଦେଇଛନ୍ତି । ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକ ଐତିହାସିକ ରାୟ ଦେଇଛନ୍ତି । ସେଥିପାଇଁ ଜନସାଧାରଣଙ୍କ ନିକଟରେ ଆମେ ଋଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଭୟ ବ୍ଲକର ଉନ୍ନତି ପାଇଁ ସମସ୍ତେ ମିଳିମିଶି ଏକ ଟିମ୍‌ ଭାବରେ କାମ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।