ରାଜ୍ୟର ରାଜସ୍ବ ଚିନ୍ତା

ଅମରେନ୍ଦ୍ର ଦାସ

କରୋନା ମହାମାରୀ ସମଗ୍ର ମାନବଜାତି ସମ୍ମୁଖରେ କେବଳ ଏକ ଅଦୃଶ୍ୟ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟିକରିଛି ତାହା ନୁହେଁ, ସମଗ୍ର ବିଶ୍ୱରେ ଏକ ଉତ୍କଟ ଆର୍ଥିକ ସଙ୍କଟ ମଧ୍ୟ ସୃଷ୍ଟି କରିଛି। ଗୋଟିଏ ପଟରେ ଅଭିବୃଦ୍ଧି ହାର ହ୍ରାସ ପାଇବାର ସଂଶୟ ବୃଦ୍ଧି ପାଇବାରେ ଲାଗିଛି; ଅନ୍ୟପଟରେ ନିମ୍ନଗାମୀ ଅର୍ଥନୀତିକୁ ସୁଧାରିବା ପାଇଁ ଆବଶ୍ୟକ ରାଜସ୍ବ ଯୋଗାଡ଼ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି।
ବର୍ତ୍ତାମାନ ସୁଦ୍ଧା ଆସିଥିବା ପ୍ରାୟ ସମସ୍ତ ଆକଳନରୁ ଏହା ସ୍ପଷ୍ଟ ହୋଇଗଲାଣି ଯେ ବିଶ୍ୱ ଅର୍ଥନୀତି ସହିତ ଭାରତୀୟ ଅର୍ଥନୀତି ୨୦୨୦-୨୧ ଆର୍ଥିକ ବର୍ଷରେ ସଂକୁଚିତ ହେବ। ସରଳ ଭାଷାରେ କହିବାକୁ ଗଲେ ଗତବର୍ଷ ବିଶ୍ୱ ଅର୍ଥ ବ୍ୟବସ୍ଥା ଯେତିକି ମୋଟ ଦ୍ରବ୍ୟ ଓ ସେବା ଉତ୍ପାଦନ କରିଥିଲା, ଚଳିତ ଆର୍ଥିକ ବର୍ଷରେ ତାହା ବ୍ୟାପକ ଭାବରେ ହ୍ରାସପାଇବ। ଉତ୍ପାଦନ ହ୍ରାସ ପାଇବାର ତୁରନ୍ତ ପରିଣାମ ହେଲା ନିଯୁକ୍ତିରେ ହ୍ରାସ, ଲୋକଙ୍କ ଆୟରେ ହ୍ରାସ, ମୋଟ ଚାହିଦାରେ ହ୍ରାସ ଏବଂ ସରକାରଙ୍କର ରାଜସ୍ବ ସଂଗ୍ରହ ହ୍ରାସ।
ଏପରି ନିରାଶାର ବାତାବରଣ ମଧ୍ୟରେ ଅର୍ଥନୀତିକୁ ସୁଧାରିବା ପାଇଁ ହେଲେ ପ୍ରତ୍ୟେକ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡିବ। ଏହି ଭୂମିକାଟି ହେଲା ସରକାରୀ ବ୍ୟୟବୃଦ୍ଧି। ନିରାଶାର ବାତାବରଣ ମଧ୍ୟରେ ପୁଞ୍ଜିପତିମାନେ ଅଧିକ ପୁଞ୍ଜିନିବେଶ କରିବେ ନାହିଁ, ନୂତନ ଉଦ୍ୟୋଗ ସୃଷ୍ଟିହେବାର ସମ୍ଭାବନା ମଧ୍ୟ କ୍ଷୀଣ। ତେଣୁ ଏହି ପରିସ୍ଥିତିରେ ପ୍ରତ୍ୟେକ ସରକାର ଅଧିକରୁ ଅଧିକ ବ୍ୟୟ କରି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବା ସହିତ ନାଗରିକମାନଙ୍କର ଆୟ ବୃଦ୍ଧି ପାଇଁ ପଦକ୍ଷେପ ନେବା ଉଚିତ। ନାଗରିକମାନଙ୍କର ଆୟବୃଦ୍ଧି ହେଲେ, ଚାହିଦାରେ ବୃଦ୍ଧିପାଇବ, ଏବଂ ପୁଞ୍ଜିପତିମାନେ ପୁଣି ସେମାନଙ୍କର ଉତ୍ପାଦନ ବୃଦ୍ଧି କରିବେ ଏବଂ ନୂତନ ଉଦ୍ୟୋଗ ପ୍ରତିଷ୍ଠା ହେବ।
ଏସବୁ କରିବା ପାଇଁ ସରକାରଙ୍କ ପାଖରେ ଆର୍ଥିକ ସମ୍ବଳ ଆବଶ୍ୟକ। ଏହି ସମ୍ବଳ ଆସିବ କେଉଁଠୁ? ସରକାର ମୁଖ୍ୟତଃ ତିନିଟି ଉପାୟରେ ଅର୍ଥସଂଗ୍ରହ କରିଥାନ୍ତି: (୧) କର ସଂଗ୍ରହ (ଆୟକର, ଏବଂ ଦ୍ରବ୍ୟ ଓ ସେବାକର), (୨) ଅଣ-କର ରାଜସ୍ବ (ବିଭିନ୍ନ ପାଉଣା, ଜରିମାନା, ପ୍ରାକୃତିକ ସମ୍ପଦ ବିକ୍ରି ଇତ୍ୟାଦି) ଏବଂ (୩) ଋଣ। ଅର୍ଥନୀତିରେ ଅଭିବୃଦ୍ଧି ହେଲେ ରାଜସ୍ବ ସଂଗ୍ରହ ମଧ୍ୟ ବୃଦ୍ଧିପାଏ। ସେହିପରି ଅର୍ଥନୀତି ସଂକୁଚିତ ହେଲେ ରାଜସ୍ବ ସଂଗ୍ରହ ହ୍ରାସପାଏ। ଉଦାହରଣସ୍ବରୂପ, ଓଡିଶା ଆର୍ଥିକ ସର୍ବେକ୍ଷଣ ତଥ୍ୟ ଅନୁସାରେ ଓଡ଼ିଶାର ମୋଟ ଉତ୍ପାଦ ଏକ ପ୍ରତିଶତ ବୃଦ୍ଧି ହେଲେ ରାଜସ୍ବ ସଂଗ୍ରହ ପ୍ରାୟ ଦୁଇ ପ୍ରତିଶତ ବୃଦ୍ଧି ପାଇଥାଏ। ଠିକ୍‌ ସେହିପରି ଅଭିବୃଦ୍ଧି ହାର ହ୍ରାସ ପାଇଲେ ରାଜସ୍ବ ସଂଗ୍ରହ ହ୍ରାସ ପାଇବ।
କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ଆମ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦେଢ଼ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ଏଥିମଧ୍ୟରୁ ରାଜ୍ୟସରକାର ନିଜସ୍ବ କର ଏବଂ ଅଣକର ମାଧ୍ୟମରେ ପ୍ରାୟ ୫୬୦୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଆକଳନ କରିଥିଲେ; କେନ୍ଦ୍ର ସରକାରଙ୍କଠାରୁ କର-ଭାଗ ଏବଂ ଅନୁଦାନ ମାଧ୍ୟମରେ ୬୮୩୦୦ କୋଟି ଟଙ୍କା ପାଇବାର ଆକଳନ କରିଥିଲେ। ଏହିପରି ଭାବରେ ରାଜ୍ୟ ସରକାର ୧୨୪୩୦୦ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିବାର ଆକଳନ କରିଥିଲେ। ବାକି ୧୪୭୦୦ କୋଟି ଟଙ୍କା ବିଭିନ୍ନ ଋଣ ଆଦାୟ (୨୫୦ କୋଟି ) ଏବଂ ନୂଆ ଋଣ (୨୪୪୫୦ କୋଟି) ମାଧ୍ୟମରେ ସଂଗ୍ରହ କରିବାର ପ୍ରସ୍ତାବ ରଖିଥିଲେ।
କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଲାଗୁ କରାଯାଇଥିବା ତାଲାବନ୍ଦୀ ଫଳରେ ରାଜ୍ୟ ଅର୍ଥନୀତି ବ୍ୟାପକ ଭାବରେ ପ୍ରଭାବିତ ହୋଇଛି। ଆମର ଆକଳନରୁ ଜଣାପଡୁଛି ଯେ, ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଉତ୍ପାଦ ପ୍ରାୟ ୧୩ରୁ ୧୬.୬ ପ୍ରତିଶତ ହ୍ରାସ ପାଇବ। ଏହାଫଳରେ ରାଜ୍ୟର ରାଜସ୍ବ ସଂଗ୍ରହ ବ୍ୟାପକ ଭାବରେ ହ୍ରାସ ପାଇବ। ଆମ ରାଜ୍ୟ ସରକାର ୨୦୨୦ ମସିହାର ଅପ୍ରେଲ ମାସର ରାଜସ୍ବ ସଂଗ୍ରହ ତଥ୍ୟ ଅର୍ଥ ବିଭାଗର ୱେବ୍‌ ସାଇଟରେ ପ୍ରଦର୍ଶିତ କରିଛନ୍ତି। ଏଥିରୁ ଜଣାପଢୁଛି ଯେ, ଗତବର୍ଷ ଅପ୍ରେଲ ମାସ ତୁଳନାରେ ୨୦୨୦ ଅପ୍ରେଲ ମାସରେ ରାଜ୍ୟର ନିଜସ୍ବ କର ସଂଗ୍ରହ ପ୍ରାୟ ୬୧ ପ୍ରତିଶତ ହ୍ରାସପାଇଛି। ନିଜସ୍ବ କର ମଧ୍ୟରେ ରାଜ୍ୟ ଅବକାରୀ କର ସର୍ବାଧିକ ୯୭ ପ୍ରତିଶତ ହ୍ରାସପାଇଛି, ସମ୍ପ୍ରତି ପୁଞ୍ଜି ନେଣଦେଣରୁ ସଂଗୃହୀତ କର ୮୯ ପ୍ରତିଶତ ହ୍ରାସ ପାଇଛି, ଦ୍ରବ୍ୟ ଏବଂ ଯାତ୍ରୀଙ୍କଠାରୁ ସଂଗୃହୀତ କର ୮୬ ପ୍ରତିଶତ ହ୍ରାସ ପାଇଛି, ଯାନବାହାନରୁ ସଂଗୃହୀତ କର ୭୮ ପ୍ରତିଶତ ହ୍ରାସ ପାଇଛି, ରାଜ୍ୟ ଦ୍ରବ୍ୟ ଓ ସେବାକର ୬୪ ପ୍ରତିଶତ ହ୍ରାସ ପାଇଛି। ସେହିପରି ରାଜ୍ୟର ଅଣ-କର ରାଜସ୍ବ ସଂଗ୍ରହ ପ୍ରାୟ ୫୫ ପ୍ରତିଶତ ହ୍ରାସ ପାଇଛି। ଅଣ-କର ରାଜସ୍ବ ମଧ୍ୟରେ ଖଣିଜ ସଂପଦରୁ ମିଳୁଥିବା ରାଜଭାଗର ଏକ ସିଂହଭାଗ ଥାଏ। କିନ୍ତୁ ଅପ୍ରେଲ ୨୦୨୦ରେ ଏହି ରାଜସ୍ବ ସଂଗ୍ରହ ପ୍ରାୟ ୬୭ ପ୍ରତିଶତ ହ୍ରାସ ପାଇଛି। ଏହିପରି ଭାବରେ ରାଜ୍ୟର ମୋଟ ନିଜସ୍ବ ରାଜସ୍ବ ସଂଗ୍ରହ ପ୍ରାୟ ୫୯ ପ୍ରତିଶତ ହ୍ରାସ ପାଇଛି।
କେନ୍ଦ୍ରରୁ ଆସୁଥିବା କର-ଭାଗ ଅପ୍ରେଲ ଏବଂ ମେ ମାସରେ ଗତବର୍ଷ ତୁଳନାରେ ପ୍ରାୟ ସାତ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ଏହି ସମୟରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ ଅଧିକ ଅନୁଦାନ ଗ୍ରହଣ କରିଛନ୍ତି। ଦ୍ରବ୍ୟ ଏବଂ ସେବାକର ପାଇଁ ରାଜ୍ୟ ପାଇବାକୁ ଥିବା କ୍ଷତିପୂରଣ ନ ମିଳିବାର ସୂଚନା ମିଳୁଛି।
କରୋନାର ପ୍ରକୋପ କମୁ ନ ଥିବା ଫଳରେ ବୃହତ୍‌ ବ୍ୟବସାୟ ପ୍ରତିଷ୍ଠାନ ଏପର୍ଯ୍ୟନ୍ତ ସ୍ବାଭାବିକଭାବେ ଚାଲୁ ହୋଇନାହିଁ। ଆମେ ଆଶା ରଖୁଛୁ ଯେ, ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ବେଳକୁ ଆର୍ଥିକ କାରବାରରେ ଆଉ କିଛିଟା ସୁଧାର ଆସିବ ଏବଂ ତୃତୀୟ ଓ ଚତୁର୍ଥ ତ୍ରୈମାସିକ ବେଳକୁ ପ୍ରାୟ ସ୍ବାଭାବିକ ହୋଇଯାଇଥିବ। ଏସବୁକୁ ଆଖିରେ ରଖି ଆମେ ଅନୁମାନ କରୁଛୁ ଯେ ଚଳିତ ପ୍ରଥମ ତ୍ରୈମାସିକରେ ରାଜ୍ୟର ନିଜସ୍ବ ରାଜସ୍ବ ସଂଗ୍ରହ ବଜେଟ ଆକଳନର ମାତ୍ର ଅଧା ସମ୍ଭବ ହେବ ଏବଂ ଦ୍ୱିତୀୟ ତ୍ରୈମାସିକ ବେଳକୁ ଏହା ୭୦ ପ୍ରତିଶତ ହେବ। ତୃତୀୟ ଏବଂ ଚତୁର୍ଥ ତ୍ରୈମାସିକ ବେଳକୁ ରାଜସ୍ବ ସଂଗ୍ରହ ପ୍ରାୟ ସ୍ବାଭାବିକ ହେବ। କେନ୍ଦ୍ରରୁ ଆସୁଥିବା କର-ଭାଗ ଏହିବର୍ଷ ବଜେଟ ଆକଳନଠାରୁ ପ୍ରାୟ ସାତ ପ୍ରତିଶତ ହ୍ରାସ ପାଇବ, କିନ୍ତୁ ଅନୁଦାନରେ କୌଣସି ହ୍ରାସ ପାଇବ ନାହିଁ। ଏପରି ସ୍ଥିତିରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟରେ ଆକଳନ କରିଥିବା ୧୨୪୩୦୦ କୋଟି ଟଙ୍କା ସଂଗ୍ରହ କରିପାରିବେ ନାହିଁ ଏବଂ ଏହା ୧୧୦୫୫୯ କୋଟି ମଧ୍ୟରେ ସୀମିତ ରହିବ। ଅର୍ଥାତ୍‌ ରାଜ୍ୟ ସରକାର ଏବର୍ଷ ବଜେଟ ଆକଳନଠାରୁ ପ୍ରାୟ ୧୩୭୪୧ କୋଟି ଟଙ୍କାର ରାଜସ୍ବକ୍ଷତି ସହିବେ। ଏହା ହେଲେ, ପ୍ରାୟ ୧୫ବର୍ଷ ପରେ ରାଜ୍ୟ ସରକାର ୪୨୩୨ କୋଟି ଟଙ୍କାର ରାଜସ୍ବ ନିଅଣ୍ଟର ସମ୍ମୁଖୀନ ହେବେ ଯାହାକି ରାଜ୍ୟର ମୋଟ ଉତ୍ପାଦର ପ୍ରାୟ ୦.୭ ପ୍ରତିଶତ ହେବ। ୨୦୨୦-୨୧ ବର୍ଷର ବଜେଟରେ ଲକ୍ଷ୍ୟ ରଖାଯାଇଥିବା ଦେଢ଼ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ୩୮୧୯୧ କୋଟି ଟଙ୍କା ଋଣ କରିବାକୁ ପଡିବ ଯାହା କି ରାଜ୍ୟର ମୋଟ ଉତ୍ପାଦର ପ୍ରାୟ ୮.୨ ପ୍ରତିଶତ ହେବ। ଅର୍ଥାତ୍‌ ରାଜ୍ୟର ମୋଟ ଆର୍ଥିକ ନିଅଣ୍ଟ ୩୧୬୧୮ କୋଟି ଟଙ୍କା ହେବ ଯାହା କି ରାଜ୍ୟର ମୋଟ ଉତ୍ପାଦର ପ୍ରାୟ ସାତ ପ୍ରତିଶତ ହେବ।
ସାମ୍ପ୍ରତିକ ଆର୍ଥିକ ପରିସ୍ଥିତିକୁ ଅନୁଧ୍ୟାନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସମସ୍ତ ରାଜ୍ୟକୁ ୨୦୨୦-୨୧ ବର୍ଷ ପାଇଁ ମୋଟ ଆର୍ଥିକ ନିଅଣ୍ଟ ପୂର୍ବନିର୍ଦ୍ଧାରିତ ତିନି ପ୍ରତିଶତକୁ ବୃଦ୍ଧିକରି ପାଞ୍ଚ ପ୍ରତିଶତ କରିବାକୁ ଅନୁମତି ଦେଇଛନ୍ତି। ଏହା ଆମ ରାଜ୍ୟ ପାଇଁ ପର୍ଯ୍ୟାପ୍ତ ହେବ ନାହିଁ। ଏଠାରେ ସୂଚାଇ ଦେବା ପ୍ରାସଙ୍ଗିକ ହେବ ଯେ ସାମ୍ପ୍ରତିକ କଠିନ ପରିସ୍ଥିତିରେ ଅର୍ଥନୀତିକୁ ସଜାଡ଼ିବାର ଏକମାତ୍ର ଉପାୟ ହେଲା ସରକାରୀ ବ୍ୟୟ ବୃଦ୍ଧିକରି ନିଯୁକ୍ତି ସୃଷ୍ଟିକରିବା ତଥା ନାଗରିକମାନଙ୍କର ଆୟ ବୃଦ୍ଧିକରିବା। ଏଥିନିମିତ୍ତ ରାଜ୍ୟ ସରକାର ବଜେଟକୁ ହ୍ରାସ କରିବା ଭାବନାରୁ କ୍ଷାନ୍ତ ରହିବା ଉଚିତ ଏବଂ ବଜେଟ ଅନୁମୋଦିତ ବ୍ୟୟ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ଋଣ କରିବା ଉଚିତ। ଚଳିତ ବର୍ଷର କଠିନ ଆର୍ଥିକ ପରିସ୍ଥିତିରେ ରାଜ୍ୟ ସରକାର ଆର୍ଥିକ ଦାୟିତ୍ୱବୋଧ ଏବଂ ବଜେଟ ପରିଚାଳନା ଆଇନର କଟକଣା ଅନୁପାଳନ କରିବାରେ ସକ୍ଷମ ହେବେ ନାହିଁ। ତେଣୁ ଏହି କଟକଣାକୁ ଅତିକମ୍‌ରେ ଦୁଇବର୍ଷ କୋହଳ କରାଯିବାର ଆବଶ୍ୟକତା ରହିଛି। ଅତି ଆବଶ୍ୟକ ପଡିଲେ ରାଜ୍ୟ ସରକାର ନୂତନ ପ୍ରକଳ୍ପକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିପାରିବେ। ରାଜ୍ୟ ସରକାର ବ୍ୟୟରେ ସର୍ବପ୍ରଥମେ କରୋନା ପାଇଁ ମାଗଣା ଚିକିତ୍ସା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ; ତା’ପରେ ଖାଦ୍ୟସୁରକ୍ଷା ଏବଂ ନିଯୁକ୍ତି ସୃଷ୍ଟି ଉପରେ ପ୍ରାଧାନ୍ୟ ଦେବା ବାଞ୍ଚନୀୟ।
ପ୍ରାଧ୍ୟାପକ, ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ, dasamarendra@gmail.com

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri