Categories: ଖେଳ

ରାଜ୍ୟ ଓପନ ଚେସ୍‌: ସୌମ୍ୟଙ୍କୁ ୫୯ତମ ଟାଇଟଲ

ଭୁବନେଶ୍ୱର, ୩୦।୧୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଓ ବାଙ୍କି ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ରବିବାର ମା’ ଚର୍ଚ୍ଚିକା ରାଜ୍ୟ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇ ଯାଇଛି। କରୋନା କଟକଣା ଜନିତ ଦୀର୍ଘ ୯ ମାସର ବ୍ରେକ୍‌ ପରେ ଏହାଥିଲା ରାଜ୍ୟର ପ୍ରଥମ ଫେସ୍‌ ଟୁ ଫେସ୍‌ ଚେସ୍‌ ଟୁର୍ନାମେଣ୍ଟ। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଫିଡେ ମାଷ୍ଟର ଭୁବନେଶ୍ୱରର ସୌମ୍ୟରଞ୍ଜନ ମିଶ୍ର ୫.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ରାଜ୍ୟ ଚେସ୍‌ରେ ସୌମ୍ୟଙ୍କ କ୍ୟାରିୟରର ଏହା ୫୯ତମ ଟାଇଟଲ। କଟକର ସେକ୍‌ ରାଜା ଓ ଜଟଣୀର ଅବିନାଶ ବଳିୟାର ସିଂ ୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଦର୍ଶନ ଭିତ୍ତିରେ ପ୍ରଥମ ୧୩ ସ୍ଥାନରେ ରହିଥିବା ପ୍ରତିଯୋଗୀମାନେ ହେଲେ ଜିତେନ୍ଦ୍ର କୁମାର ଦାସ, ଚନ୍ଦନ କୁମାର ପ୍ରଧାନ, ସ୍ମୃତି ରଞ୍ଜନ ମହାନ୍ତି, ସିଦ୍ଧାର୍ଥ ରୟ, ଦୀପ୍ତିରଞ୍ଜନ ନାୟକ, ପ୍ରକାଶ ସାହୁ, ଭୀମସେନ ପ୍ରଧାନ, ସୁଦର୍ଶନ ବେହେରା, ସୂରଜ କୁମାର ମହାରଣା ଓ ଗଣେଶ ଚନ୍ଦ୍ର ପରିଡ଼ା। ଭାଗ ନେଇଥିବା ସ୍କୁଲ ଛାତ୍ରଙ୍କ ମଧ୍ୟରୁ ଅମନ ଅଲୀ, ଇଶାନି ଦାସ, ଅମ୍ଳାନ ସେନାପତି, ଆଦିତୀ ମହାରଣା, ଶ୍ରୀୟସ୍ମିତା ବଳିୟାର ସିଂଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବାଙ୍କିସ୍ଥିତ ଚର୍ଚ୍ଚିକା ୟୁଜିଏମ୍‌ଇ ସ୍କୁଲର ପ୍ରଧାନ ଶିକ୍ଷକ ମାନସ ନନ୍ଦ, ବାଙ୍କି ଚେସ୍‌ ଆସୋସିଏଶନ ସମ୍ପାଦକ ଚନ୍ଦନ କୁମାର ପ୍ରଧାନ, ସଭାପତି ଜ୍ଞାନରଞ୍ଜନ ପରିଡ଼ା ଓ ଗେମ୍ସ ଡାଇରେକ୍ଟର ଦେବାଶିଷ ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share