ଆଜି ରାଜ୍ୟ କ୍ୟାବିନେଟ୍, ୭ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୧୪।୭ (ରବିନାରାୟଣ ଜେନା): ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍‌ରେ ୭ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ଏନେଇ ସୋମବାର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଭାଗୀୟ ସଚିବମାନଙ୍କୁ ଅବଗତ କରାଯାଇଛି।

ସୂଚନା ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଶୃଙ୍ଖଳିତ କରିବାପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାକୁ ନେଇ ଜୁଲାଇ ୧୫ ସନ୍ଧ୍ୟା ୫ଟାରେ ହେବାକୁ ଥିବା ରାଜ୍ୟ କ୍ୟାବିନେଟକୁ ୧୪ ତାରିଖକୁ ଘୁଞ୍ଚାଯିବା ସହିତ ମହାପ୍ରଭୁଙ୍କ ନୀତିକାନ୍ତି ଲାଗି ସ୍ବତନ୍ତ୍ର ପ୍ରସ୍ତାବ ଆସିବାକୁ ରହିଛି। ଏହାସହିତ ପଞ୍ଚାୟତିରାଜ, ପୂର୍ତ୍ତ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟ, ରାଜସ୍ବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଭଳି ବିଭିନ୍ନ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ଆସିବାକୁ ରହିଛି।
ଉଲ୍ଲେଖଯୋଗ୍ୟ, ଦୁଇବର୍ଷ ତଳେ ଭାଜପା ସରକାରଙ୍କ ପ୍ରଥମ କ୍ୟାବିନେଟରେ ଶ୍ରୀମନ୍ଦିରର ୪ଦ୍ୱାର ଖୋଲିବା ସହିତ ‘ସୁଭଦ୍ରା’ ଓ ଚାଷୀଙ୍କ ପାଇଁ ୮୦୦ ଟଙ୍କାର ଇନ୍‌ପୁଟ ସବ୍‌ସିଡି ଭଳି ଯୋଜନାକୁ ଅନୁମୋଦନ ମିଳିଥିଲା। ଏହାପରେ ବାର୍ଦ୍ଧକ୍ୟ ଭତ୍ତା(୮୦ବର୍ଷରୁ ଊର୍ଦ୍ଧ୍ୱ) ୩ହଜାର ୫୦୦ ଟଙ୍କାକୁ ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେହିପରି ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେ.ଜି.ରୁ ପି.ଜି. ପର୍ଯ୍ୟନ୍ତ ମାଗଣା ପାଠ୍ୟକ୍ରମ କାର୍ଯ୍ୟକାରୀ ହେବା ସହିତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆୟୁଷ୍ମାନ ଯୋଜନା ଲାଗୁ କରାଯିବା ଭଳି ନିଷ୍ପତ୍ତିମାନ ନିଆଯାଇଛି।

Dharitri – Odisha’s No.1 Odia Daily

Share