ଶ୍ରୀସମ୍ବେଦ ଶିଖର

ସୁଧିରାଜ ରାଉତ

ଶ୍ରୀସମ୍ବେଦ ଶିଖରକୁ ନିଜ ମୂଳ ଚୈତନ୍ୟରେ ସଂରକ୍ଷିତ ରଖିବା ପାଇଁ ଦାବି ଏହା କେବଳ ଜୈନ ଅନୁଗାମୀଙ୍କ ସ୍ବର ନୁହେଁ,ନୀରବିଗଲେ ଶୁଣିହେବ ଏହା ଭାରତ ଆତ୍ମାର ସ୍ବର। ଯେଉଁ ପାବନଭୂମିରେ ଚବିଶ ତୀର୍ଥକରଙ୍କ ମଧ୍ୟରୁ କୋଡ଼ିଏ ତୀର୍ଥକର ମହାନିର୍ବାଣ ନେଇଛନ୍ତି ସେଇ ଭୂମି କେତେ ଯେ କରୁଣାମୟ, କ୍ରାନ୍ତିମୟ, କେତେ ଯେ କଳୁଷ ନାଶକ ଏହାକୁ ଶବ୍ଦରେ କହିବା ସମ୍ଭବ ନୁହେଁ। ସେହି ଅସାଧାରଣ ଭୂଖଣ୍ଡକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବା ହେଉଛି ଆମ ଦାସତ୍ୱ ପ୍ରମାଣର ଉଦ୍‌ଘୋଷଣା। ଆଜି ବି ଆମେ କେତେ ୟୁରୋପୀ ଆଚରଣର ଅନୁଗାମୀ ଓ ଭାରତବର୍ଷ ଆତ୍ମାଠାରୁ କେତେ ଦୂରରେ ରହିଛୁ ଏହା ତା’ର ପ୍ରତ୍ୟକ୍ଷ ପ୍ରମାଣ।
ମକା କ’ଣ ବିଶ୍ୱ ପର୍ଯ୍ୟଟନ ତାଲିକାଭୁକ୍ତ ?
ଭାଟିକାନ୍‌ ସିଟି କ’ଣ ପର୍ଯ୍ୟଟନ ସ୍ଥଳୀ? ଧନ୍ୟରେ ଭାରତର ଦାୟାଦ! ଶ୍ରୀସମ୍ବେଦ ଶିଖରକୁ ପର୍ଯ୍ୟଟନ ସ୍ଥଳୀ ଘୋଷଣା କଲ। ପର୍ଯ୍ୟଟନ ସ୍ଥଳୀ ଯେଉଁଠି ମଣିଷ ମଉଜ କରିବାକୁ ଯାଏ, ତୀର୍ଥକ୍ଷେତ୍ର ଯେଉଁଠିକୁ ମଣିଷ ଉତ୍ତରଣ ପାଇଁ ଯାଏ। ପର୍ଯ୍ୟଟନ ସ୍ଥଳୀ ଯେଉଁଠି ମଣିଷ ମଦମାଂସରେ ସ୍ନାନକରେ, ତୀର୍ଥକ୍ଷେତ୍ର ଯେଉଁଠି ମଣିଷ ଚୈତନ୍ୟରେ ଶୁଦ୍ଧ ହୁଏ। ଏଇ ବିରାଟ ପ୍ରଭେଦକୁ କ’ଣ ବର୍ତ୍ତମାନ ଭାରତର ଭାଗ୍ୟବିଧାତାମାନେ ଦେଖିପାରିଲେ ନାହିଁ?
ଯେଉଁ ଆବ୍ରାହିମ ଧର୍ମ ଶାଖା ସମୂହ ଭୟର ଭୂଗୋଳରେ ନିଜ ଚଉତରା ଗଢ଼ିଛନ୍ତି, ସଇତାନ ଆଉ ଈଶ୍ୱର, ସ୍ବର୍ଗ ଆଉ ନର୍କ, ପ୍ରାର୍ଥନା ଆଉ କ୍ଷମା ଯାଚନା ..ଏଇ ଖୁଣ୍ଟ ଆଉ ପଘାରେ ମଣିଷ ଆତ୍ମାକୁ ମଣକରି ରଖିଛନ୍ତି ସେମାନେ ବି ନିଜ ପୁଣ୍ୟସ୍ଥଳୀକୁ ସାର୍ବଜନୀନ ଭୂମି କରିନାହାନ୍ତି,ପର୍ଯ୍ୟଟନ ସ୍ଥଳୀ କହିନାହାନ୍ତି। ଅଥଚ ସନାତନ ଧର୍ମ, ଆର୍ଯ୍ୟ ଭୂଖଣ୍ଡର ସମସ୍ତ ଧର୍ମ ତା’ର ପାବନ ଭୂମିକୁ ତା’ ଉତ୍ତରଣର ଶିଖର ସବୁକୁ ମଉଜ ମସ୍ତିର ଭୂମି କିଭଳି ଘୋଷଣା କରିବ ? ଭାରତ ସରକାର କ’ଣ ତା’ ସୁନା, ହୀରାଖଣିକୁ ସାର୍ବଜନୀନ ଭୂମି ଏବଂ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବେ କି ? ସୁନା, ହୀରା ଖଣିଠାରୁ ଏ ତପଭୂମି ଏ କ୍ଷେତ୍ର ଆଉ ଧାମ ସବୁ କ’ଣ ବର୍ତ୍ତମାନ ସରକାରଙ୍କ ପାଇଁ କମ୍‌ ମୂଲ୍ୟବାନ୍‌ କି ? ଗୋଟିଏ ବିଜ୍ଞାନାଗାରକୁ ଯଦି ସର୍ବସାଧାରଣ ମଉଜ ମସ୍ତି କରିବାକୁ ଯାଆନ୍ତି ତାହା କ’ଣ ଆଉ ବିଜ୍ଞାନାଗାର ହୋଇ ରହିବ। ମନେରଖ, ନବଭାରତ ନିୟମ ପ୍ରଣେତାମାନେ! ଏଇ କ୍ଷେତ୍ରସବୁ ଚେତନାର ବିଜ୍ଞାନାଗାର। ଅନ୍ତଃଜୀବନ ପରୀକ୍ଷାଗାର, ଭବିଷ୍ୟ ମଣିଷ ନିର୍ମାଣର ନାସା ଆଉ ଇସ୍ରୋ।
ଶ୍ରୀସମ୍ବେଦ ଶିଖରର ଦିଗ୍‌ବଳୟ ଡେଇଁ ବହୁଦୂର ଅହିଂସା ଆଉ ଅନାସକ୍ତିର ମନ୍ତ୍ର ଉଚ୍ଚାରିତ ହେଉଛି, ସାଧନା ଆଉ ସିଦ୍ଧିର ସୂତ୍ର ଟଙ୍ଗା ହୋଇଛି। ଏଇ ଭୂଖଣ୍ଡକୁ ଏବେ ପର୍ଯ୍ୟଟନ ସ୍ଥଳ ଘୋଷଣା ସହ କେହି ବି ଏଠି ହୋଟେଲ ଖୋଲିପାରିବ, ମଦମାଂସ ପସରା ମେଲିପାରିବ। ମୋର ପରିଚିତ ସକଳ ଜୈନ ବନ୍ଧୁ ଯେଉଁମାନେ ମାଛମାଂସ କଟାହେଉଥିବା ରାସ୍ତାରେ ଯିବାକୁ ଅମଙ୍ଗ ହୁଅନ୍ତି ସେଇ ଅନୁଗାମୀଙ୍କ ପବିତ୍ର ଭୂମିକୁ କିଭଳି ପ୍ରଶାସନ ମଦମାଂସ ଚରାଭୂଇଁ କରିବାକୁ ଅନୁମତି ଦେଲା ? ଏ ଅନୁମତିକୁ କେବଳ ପ୍ରତ୍ୟାହାର କରିନେଲେ ପର୍ଯ୍ୟାପ୍ତ ହେବନି, ଏ ଅନୁମୋଦନକାରୀଙ୍କୁ ସମଗ୍ର ଦେଶ ପାଖେ କ୍ଷମା ଯାଚନା କରିବାକୁ ହେବ ଏବଂ ସଂସଦରେ ଗୃହୀତ କରିବାକୁ ହେବ ଏ ଭୂମି ସବୁ, ଏ ଶିଖର ସବୁ ଦିଗ୍‌ବଳୟ ଯାଏ ଚେତନାର ବିଜ୍ଞାନାଗାର ହୋଇ ରହିବ,ମଣିଷକୁ ଦେବତା କରିବାର ପରୀକ୍ଷାଗାର ହୋଇ ରହିବ।
ଜୈନଧର୍ମ ଓ ଦର୍ଶନ ଜଗତକୁ କ’ଣ ଦେଇଛି ଲେଖି ବସିଲେ ଅନେକ ବହି ହେବ। ବୁଦ୍ଧ ଓ ଜୈନ ଦର୍ଶନରେ ମୌଳିକ ଭିନ୍ନତା ହେଉଛି ନିରୀଶ୍ୱରବାଦ ଓ ଈଶରବାଦ ମଧ୍ୟର ଦୂରତା। ଗାନ୍ଧିଜୀଙ୍କ ଅହିଂସା ଏବଂ ଜୈନ ଅହିଂସା ମଧ୍ୟରେ ପ୍ରଭେଦ ଏତିକି ଗାନ୍ଧିଜୀଙ୍କ ଅହିଂସା,ଉପବାସ ଅନ୍ୟକୁ ବାଧ୍ୟକରେ ତାଙ୍କ ସର୍ତ୍ତକୁ ସ୍ବୀକାର କରିବାକୁ, କିନ୍ତୁ ଜୈନର ଅହିଂସା, ଉପବାସ ନିଜ ନିମ୍ନ ପ୍ରବୃତ୍ତିକୁ ବାଧ୍ୟକରେ ଉତ୍ତରଣ ପାଇଁ। ଅଳ୍ପରେ କହିଲେ – ଏ ମାର୍ଗ ଅନେକ ସକାରାତ୍ମକ ଚୈତନ୍ୟର ଏକ ଅସାଧାରଣ ଯୋଗଫଳ। ଘଟଣାଟିଏ ମନେପଡୁଛି। ଜଣେ ଚିତ୍ରକର ନିଜ ଚିତ୍ରପଟକୁ ନେଇ ଯାଉଥାଏ, ଦୁଇ ବ୍ୟକ୍ତି ନିଜ ମଧ୍ୟରେ ତର୍କ କରିବାକୁ ଲାଗିଲେ ଚିତ୍ର ଲାଲ ରଙ୍ଗର, ଅନ୍ୟ ଜଣକ ମତ ଚିତ୍ର ସବୁଜ ରଙ୍ଗର। ତର୍କ, ସଂଘର୍ଷର ରୂପ ନେଲା। ଏଇ ସମୟରେ ମହାବୀର ପହଞ୍ଚିଲେ ଏବଂ ଉଭୟଙ୍କୁ ଶାନ୍ତ କରାଇ କହିଲେ, ଦୁହେଁ ସତ୍ୟ ଅଟ, ଦୁହେଁ ଚିତ୍ରର ଏକହିଁ ପାର୍ଶ୍ୱ ଲେଖିଛ। ମହାବୀର ସେଇଠି ସଭିଙ୍କୁ ଅନେକାନ୍ତବାଦ ଶିକ୍ଷା ଦେଲେ। ବର୍ତ୍ତମାନ ବିଶ୍ୱର ସବୁ ମୌଳିକ ସମସ୍ୟାର ସମାଧାନ ଏଇ ଶିକ୍ଷାରେ, ଏଇ ଅନେକାନ୍ତବାଦ ମଧ୍ୟରେ ରହିଛି। ଥରେ ଆଇନ୍‌ଷ୍ଟାଇନ୍‌ ନିଜ ଇଚ୍ଛା ବ୍ୟକ୍ତକରି କହିଥିଲେ, ”ଯଦି ପୂର୍ବଜନ୍ମ ଥାଏ ତେବେ ମୁଁ ଜୈନ ପରିବାରରେ ଜନ୍ମିବାକୁ ଚାହିଁବି।“ ଏ ଉକ୍ତିକୁ ଅନେକ ବାର ପଢ଼ିଛି ଓ ଜଣେ ସନାତନୀ ଭାବେ ଆନନ୍ଦିତ ହୋଇଛି। ଆଜିର ବୁଦ୍ଧିଜୀବୀ ଅବଶ୍ୟ ଏହା ପ୍ରଶ୍ନ କରିବେ ଜୈନ କ’ଣ ସନାତନୀ ? ଶ୍ରୀରାମ ଜନ୍ମଭୂମି ପ୍ରସଙ୍ଗ ଶେଷ ନିଷ୍ପତ୍ତି ଯେଉଁଦିନ ସୁପ୍ରିମକୋର୍ଟ ଘୋଷଣା କଲା, ସେଦିନ ସନ୍ଧ୍ୟାରେ ସବୁ ଜୈନଙ୍କ ଛାତରେ ଦୀପ ଜଳିଥିଲା, ଦୀପାବଳି ହୋଇଥିଲା କାରଣ ପ୍ରତିଟି ଜୈନ ଜଣେ ସନାତନୀ। ସନାତନୀ ହୋଇ ଏହା କହୁଛି – ୮୦ କୋଟି ହିନ୍ଦୁ ଶ୍ରୀସମ୍ବେଦ ଶିଖରକୁ ଜୈନମାନଙ୍କୁ ଅର୍ପଣ କରିବାକୁ ଦାବିକରୁ, ନିଜ ସମ୍ପତ୍ତି ମନେକରି ଲଢୁ।
ଆଜି ଯେବେ ଭାରତର ଧାମ ଆଉ କ୍ଷେତ୍ରସବୁ ନବକଳେବର ହେଉଛି ଜୈନମାନଙ୍କ ବିରୋଧ ଆମକୁ ନୂଆ ଚକ୍ଷୁ ଦେଇ କହୁଛି ନବକଳେବର ଅବଶ୍ୟ ଆବଶ୍ୟକ। କିନ୍ତୁ ନବକଳେବର ଆମ ଧାମ ଆଉ କ୍ଷେତ୍ରର ଆତ୍ମାଠାରୁ ଯେଭଳି ଆମକୁ ଦୂରେଇ ନ ନେଉ,ବାହାରର ଚାକଚକ୍ୟରେ ଆମକୁ ନ ଭଟକାଉ। ମନେରଖିବା ଭାରତ ଆଉ ପାଶ୍ଚାତ୍ୟ କଳା,ଭାସ୍କର୍ଯ୍ୟରେ ମୌଳିକ ଫରକ ୟୁରୋପ କଳା,ଭାସ୍କର୍ଯ୍ୟ ବାହାର ନିପୁଣତା ପାଖେ ଅଟକି ରହିଛି, ଇନ୍ଦ୍ରିୟଗ୍ରାହ୍ୟ ପୂର୍ଣ୍ଣତା ପାଖେ ଶେଷ ହୋଇଛି। ଇନ୍ଦ୍ରିୟାତୀତ ଅନୁଭବ ତା’ର ଶ୍ରେଷ୍ଠରୁ ଶ୍ରେଷ୍ଠ କଳାକୃତିରେ ମଧ୍ୟ ମିଳିବ ନାହିଁ। ମାନବୀୟ ଚେତନାକୁ ସୃଷ୍ଟିର ଆତ୍ମା ପାଖକୁ ନେଇଯିବାକୁ ତାହା ଅକ୍ଷମ। ଅର୍ଦ୍ଧାଙ୍ଗ ଈଶ୍ୱରର ଗୋଟିଏ ପଟ୍ଟଚିତ୍ର ସମଗ୍ର ପାଶ୍ଚାତ୍ୟ କଳାସମୂହର ଯୋଗଫଳଠାରୁ ବହୁ ଅଧିକ। ଆମ କ୍ଷେତ୍ର ସବୁ ନବକଳେବର କଲାବେଳେ ଏକଥା ଅବଶ୍ୟ ମନେରଖିବା – ଆମ ଧାମ ସବୁ, କ୍ଷେତ୍ରସବୁ ଉତ୍ତରଣର ଭୂମି ହୋଇ ରହୁ, ଆତ୍ମାର ଆରୋହଣ ସ୍ଥାନ ହୋଇ ରହୁ, ପର୍ଯ୍ୟଟନ ସ୍ଥଳୀ ନ ହେଉ।
ଇନ୍ଦ୍ରାବତୀ, ନବରଙ୍ଗପୁର
ମୋ: ୯୮୬୧୯୬୯୬୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri