Categories: ଖେଳ

ଏସ୍‌ଆର ଅନ୍‌ଲାଇନ୍‌ ଓପନ ଚେସ୍‌: ଟାଇଟଲରେ ନିଖିଲଙ୍କ ହ୍ୟାଟ୍ରିକ

ଭୁବନେଶ୍ୱର, ୨୯।୧୨(କ୍ରୀଡ଼ା ପ୍ରତିନିଧି)-
ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୪ତମ ଅନ୍‌ଲାଇନ୍‌ ଚେସ୍‌ ପ୍ରତିଯୋଗିତାରେ ଷ୍ଟିଓ୍ବାର୍ଟ ସ୍କୁଲର ନିଖିଲ ସାହୁ ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ନିଖିଲ ୫ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଛି। ଏଥିସହ କ୍ରମାଗତ ୩ ଟୁର୍ନାମେଣ୍ଟ ଜିତି ଟାଇଟଲରେ ହ୍ୟାଟ୍ରିକ କରିଛନ୍ତି ନିଖିଲ। ପୂର୍ବରୁ ସେ ୨୨ ଓ ୨୩ତମ ପ୍ରତିଯୋଗିତାରେ ମଧ୍ୟ ଚାମ୍ପିୟନ ହୋଇଥିଲେ। ଏଥର ହାଇଦ୍ରାବାଦସ୍ଥିତ ସିଷ୍ଟର ନିବେଦିତା ସ୍କୁଲର ଶିବାଂଶ ମିଶ୍ର ୪.୫ ପଏଣ୍ଟ ପାଇ ରନର୍ସଅପ୍‌ ହୋଇଛନ୍ତି। ସମାନ ପଏଣ୍ଟ ପାଇଥିଲେ ହେଁ ତନ୍ମୟ ତ୍ରିପାଠୀଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୧୩ ବର୍ଷରୁ କମ୍‌ରେ ଓମ୍‌ ଆଦିତ୍ୟ ଖାଡ଼ଙ୍ଗା, ୧୫ ବର୍ଷରୁ କମ୍‌ ବିଭାଗରେ ଦକ୍ଷିଣ ଆଫ୍ରିକାରେ ରହୁଥିବା ଧିର ଚାଓ୍ବଲା, ୧୧ ବର୍ଷରୁ କମ୍‌ରେ ସ୍କଟଲାଣ୍ଡରେ ବାସ କରୁଥିବା ଶ୍ରୀନିବାସ ରଥ, ଜୀବନ ଜ୍ୟୋତି, ବିକାଶ କୁମାର ଲେଙ୍କା, ୯ ବର୍ଷରୁ କମ୍‌ରେ ଦେବର୍ପିତା ମିଶ୍ର, ଅଭିଜୟ ପତି ଏବଂ ଭେଟେରାନ ବର୍ଗରେ ସଞ୍ଜୟ ପଟ୍ଟନାୟକ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ସେଣ୍ଟରର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ, ଡାକ୍ତର ମାନସ ରଞ୍ଜନ ମିଶ୍ର ଓ କୋଚ୍‌ ସତ୍ୟଜିତ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Share