Categories: ଖେଳ

୧୩ ସୁଦ୍ଧା ଜବାବ ଦେବାକୁ କ୍ରୀଡ଼ା ମହାସଂଘଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ଅନୁରୋଧକ୍ରମେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଲାଗି ଉଦ୍ଦିଷ୍ଟ କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀର ଜବାବ ଦେବା ସମୟସୀମାକୁ ଦୁଇ ଦିନ ଅର୍ଥାତ୍‌ ଅଗଷ୍ଟ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ରହିଥିବା ଏକ ମାମଲା ପାଇଁ କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀର ଜବାବ ଗୁରୁତ୍ୱପୂର୍ଣ୍ଣ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୧ରେ ହେବ। ସୂଚନାଯୋଗ୍ୟ, ଜାତୀୟ କ୍ରୀଡ଼ା ଆଚରଣବିଧିରେ ବୟସ ଓ କାର୍ଯ୍ୟକାଳକୁ ନେଇ ନେଇ ଯେଉଁ ଗାଇଡ୍‌ଲାଇନ୍‌ ରହିଛି ତାହାକୁ ଠିକ୍‌ରୂପେ ଅନୁପାଳନ କରାଯାଉଛି କି ନା ସେ ନେଇ ଦିଲ୍ଲୀ ହାଇକୋର୍ଟ ସନ୍ଦେହ ପ୍ରକଟ କରିଥିଲେ। ତେଣୁ ଏନେଇ ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନାବଳୀର ଜବାବ ନ ଦେଲେ ସମ୍ପୃକ୍ତ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଉପରୁ ସାମୟିକ ସ୍ବୀକୃତି ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଦେଶର ୫୭ଜାତୀୟ କ୍ରୀଡ଼ା ମହାସଂଘକୁ ଚିଠି କରାଯାଇଛି। ଏଥିପାଇଁ ପ୍ରଥମେ ସମୟସୀମା ଅଗଷ୍ଟ ୧୧ତାରିଖ ରଖାଯାଇଥିଲା। ମଙ୍ଗଳବାର ଆଇଓଏ ସଭାପତି ନରିନ୍ଦର ବାତ୍ରା ଓ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଓ କ୍ରୀଡ଼ା ସଚିବ ରବି ମିତ୍ତଲଙ୍କୁ ଭେଟିଥିଲେ। ପ୍ରଶ୍ନାବଳୀ ଜବାବ ଦେବାର ସମୟ ଅବଧି ବୃଦ୍ଧି ପାଇଁ ଆଇଓଏ ତରଫରୁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି, କ୍ରୀଡ଼ା ଆଚରଣବିଧି ଏବଂ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକର ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ହୋଇଥିବା ଆଇଓଏ ମୁଖ୍ୟ ବାତ୍ରା ଏବଂ ସାଧାରଣ ସମ୍ପାଦକ ମେହେଟା ଏକ ମିଳିତ ବିବୃତିରେ ପ୍ରକାଶ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ ଯେ, ଫେବୃୟାରୀ ୭ରେ ଦିଲ୍ଲୀ ହାଇକୋର୍ଟ ଏକ ନିର୍ଦ୍ଦେଶାନାମା ଜାରି କରିଥିଲେ। କୋର୍ଟଙ୍କୁ ନ ଜଣାଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ କିମ୍ବା ଆଇଓଏ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଉପରେ କୌଣସି ନିଷ୍ପତ୍ତି ନେଇ ପାରିବେନାହିଁ। ପରେ ଏହି ନିର୍ଦ୍ଦେଶନାମାରେ କେତେକ ପରିବର୍ତ୍ତନ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଦାଖଲ କରାଯାଇଥିବା ଏକ ପିଟିଶନକୁ କୋର୍ଟ ଖାରଜ କରିଦେବାରୁ ଏହି ପରିସ୍ଥିତି ଉପୁଜିଛି। ଗତ ମେ ୧୧ ରେ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ସାମୟିକ ସ୍ବୀକୃତି ପ୍ରଦାନ କରାଯାଇଥିଲା। ମାତ୍ର ତାହା ତୁରନ୍ତ ବାତିଲ କରିଦେବା ଲାଗି ହାଇକୋର୍ଟ ଜୁନ୍‌ ୨୪ରେ ନିର୍ଦ୍ଦେଶ ଦେଇଥିଲେ।

Share