Categories: ଖେଳ

ଖଣ୍ଡେ ରୁଟି ଖାଇ ଦିନ କାଟୁଥିଲେ, ଏବେ ବିଶ୍ୱର ଘାତକ ଅଲରାଉଣ୍ଡର

ୱେଷ୍ଟଇଣ୍ଡିଜର ଘାତକ ଅଲରାଉଣ୍ଡର କିରନ ପୋଲାର୍ଡ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଟି-୨୦ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ମାନଙ୍କ ମଧ୍ୟରୁ ପୋଲାର୍ଡ ଅନ୍ୟତମ। କ୍ରିକେଟର ଏହି ଫର୍ମାଟରେ ସେ ମୋଟ ୧୧,୫୭୧ ରନ କରିଛନ୍ତି। ଟି -୨୦ କ୍ରିକେଟରେ ଗୋଟିଏ ଶତକ ଏବଂ ୫୬ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ରଖିଛନ୍ତି। ବିଶ୍ୱର ଜଣେ ଲୋକପ୍ରିୟ କ୍ରିକେଟର୍‌ ହେବା ତାଙ୍କ ପକ୍ଷେ ସହଜ ନ ଥିଲା। ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା।
କିରନ ପୋଲାର୍ଡଙ୍କ ଜନ୍ମ ପରେ ପିତା ତାଙ୍କୁ ଏବଂ ମା’ଙ୍କୁ ଏକାକୀ ଛାଡି ପଳାଇଥିଲେ। ଏହା ପରେ, ମା’ ହିଁ ପୋଲାର୍ଡଙ୍କୁ ଲାଳନପାଳନ କରିଥିଲେ। ଘରର ଅବସ୍ଥା ଏତେ ଖରାପ ଥିଲା ଯେ ପୋଲାର୍ଡ ଏବଂ ତାଙ୍କ ମାଙ୍କୁ ଖଣ୍ଡେ ରୁଟି ଖାଇ ଦିନ କଟାଇବାକୁ ପଡୁଥିଲା।
ପୋଲାର୍ଡ ପିଲାଦିନେ ପୋର୍ଟ ଅଫ୍‌ ସ୍ପେନର ଟକାରିଗୁଆ ଅଞ୍ଚଳରେ ରହୁଥିଲେ। ଏହି ଅଞ୍ଚଳ ସର୍ବଦା ଅପରାଧୀଙ୍କ ପେଣ୍ଠସ୍ଥଳ ରହିଥିଲା। କିନ୍ତୁ ପୋଲାର୍ଡ ହାର ମାନି ନ ଥିଲେ। ସେହି ପରିବେଶରେ ରହି ଜଣେ ସଫଳ କ୍ରିକେଟର ହୋଇଥିଲେ।

Share