Categories: ରାଜ୍ୟ

ତ୍ୱରିତ ଶୁଣାଣି ସମ୍ପର୍କରେ ଜଣାଅ: ହାଇକୋର୍ଟ, ଏମ୍‌ପି, ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା

କଟକ,୧୨।୧(କାର୍ତ୍ତିକ ସାହୁ): ରାଜ୍ୟରେ ଏମ୍‌ପି ଏବଂ ବିଧାୟକଙ୍କ ବିରୋଧରେ ଥିବା ଆପରାଧିକ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍‌ଏସ୍‌ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରି ଡେଜିଗ୍‌ନେଟେଡ୍‌ କୋର୍ଟସ୍‌ ଫର୍‌ ଏମ୍‌ପି ଆଣ୍ଡ ଏମ୍‌ଏଲ୍‌ଏ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏପରି ଆଦେଶ ଦେଇଛନ୍ତି। ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମାମଲାର ବିବରଣୀ ଅନୁସାରେ, ୨୦୨୩ ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ୩୦ ଜିଲାରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ରହିଥିବା ମାମଲା ସମ୍ପର୍କରେ ହାଇକୋର୍ଟ ୱେବ୍‌ସାଇଟ୍‌ରେ ସୂଚନା ଜାରି କରାଯାଇଛି। ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୮୬, ସମ୍ବଲପୁରରେ ୫୩ ଓ ଗଞ୍ଜାମ ଜିଲାରେ ୫୧ ମାମଲା ବିଚାରାଧୀନ ରହିଛି। ମାମଲାର ଶୁଣାଣିରୁ ଜଣାପଡିଥିଲା ଅନୁଗୋଳରେ ୨୭, ବାଲେଶ୍ୱରରେ ୨୮, ବରଗଡ଼ରେ ଗୋଟିଏ, ବଲାଙ୍ଗୀରରେ ୨୬, କଟକରେ ୩୬, କଳାହାଣ୍ଡିରେ ୧, କୋରାପୁଟରେ ୪୮, ମୟୂରଭଞ୍ଜରେ ୨୪, ସୋନପୁରରେ ୧, ସୁନ୍ଦରଗଡ଼ରେ ୪୧ଟି ମାମଲା ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି। ଏଭଳି ଅନ୍ୟ ଜିଲାଗୁଡିକରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ଥିବା ମାମଲାଗୁଡିକୁ ମିଶାଇ ମୋଟ୍‌ ୪୩୧ ମାମଲା ରାଜ୍ୟରେ ବିଚାରାଧୀନ ଅଛି।

ସୁପ୍ରିମକୋର୍ଟ ୨୦୨୦ ସେପ୍ଟେମ୍ବର ୧୬ ତାରିଖରେ ଅଶ୍ୱିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି କରି ନିର୍ବାଚିତ ଜନ ପ୍ରତିନିଧିଙ୍କ ବିରୋଧରେ ଥିବା ମାମଲାଗୁଡ଼ିକ ଅଦାଲତରେ ତ୍ୱରିତ ଶୁଣାଣି ଓ ଫଏସଲା ପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାପରେ ହାଇକୋର୍ଟ ଏହି ପ୍ରସଙ୍ଗକୁ ନେଇ ୨୦୨୦ରେ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣିବେଳେ ରାଜ୍ୟ ସରକାର ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ଥିବା ଆପରାଧିକ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ କେତେକ ସ୍ଥାନରେ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ହାଇକୋର୍ଟଙ୍କୁ ଅବଗତ କରାଇଥିଲେ।

ତଦନୁସାରେ ଏମ୍‌ପି, ପୂର୍ବତନ ଏମ୍‌ପି, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ବିରୋଧରେ ମାଜିଷ୍ଟେଟଙ୍କ ଦ୍ୱାରା ଟ୍ରାଏଲ ଯୋଗ୍ୟ ମାମଲାଗୁଡ଼ିକର ଶୁଣାଣି ପାଇଁ ୧୧ଟି ସିଭିଲ ଜଜ୍‌ ଅଦାଲତଙ୍କୁ ସ୍ବତନ୍ତ୍ର ଅଦାଲତ ମାନ୍ୟତା ଦିଆଯାଇଥିବା ଦର୍ଶାଇଥିଲେ। ରାଜ୍ୟ ସରକାର ୨୦୨୧ ମାର୍ଚ୍ଚ ୧୭ର ବିଜ୍ଞପ୍ତି ଅନୁସାରେ ୩ଟି ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ଅଦାଲତଙ୍କୁ ଏଭଳି ମାମଲା ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ମାନ୍ୟତା ପ୍ରଦାନ କରାଯାଇଥିବା ୨୦୨୧ ଏପ୍ରିଲ ୫ ଶୁଣାଣିବେଳେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ।