ଭୁବନେଶ୍ୱର,୨୩ା୬(ସୁନିତ୍ ମିଶ୍ର): ବିଜେଡି ପକ୍ଷରୁ ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ଲାଗି କରାଯାଇଥିବା ଆବେଦନକୁ ବାଚସ୍ପତି ସୁରମା ପାଢ଼ୀ ଅଗ୍ରାହ୍ୟ କରିଦେଇଛନ୍ତି। ସେହିପରି କଂଗ୍ରେସର ୩ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ଲାଗି ହୋଇଥିବା ଆବେଦନକୁ ମଧ୍ୟ ବାଚସ୍ପତି ପାଢ଼ୀ ଖାରଜ କରିଛନ୍ତି। ଏହି ଘଟଣାକୁ ନେଇ ଏବେ ରାଜନୀତି ଜୋର୍ ଧରିଛି। ବିରୋଧୀ ଦଳର ସଦସ୍ୟମାନେ ଏହାକୁ ନିନ୍ଦା କରିବା ସହିତ ବାଚସ୍ପତି ଦଳୀୟଭିତ୍ତିରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। ବାଚସ୍ପତି ଏହି ଘଟଣାକୁ ନେଇ କହିଛନ୍ତି, ବିରୋଧୀଙ୍କ ଆବେଦନ ରଦ୍ଦ ହୋଇଯାଇଛି। ଦଳ ବିରୋଧୀ ଆଇନର ରୁଲ୍ ୬ ଏବଂ ୭ ଅନୁଯାୟୀ ବିରୋଧୀ ପର୍ଯ୍ୟାପ୍ତ ତଥ୍ୟ ଦେଇନାହାନ୍ତି। ସେମାନଙ୍କ ଆବେଦନକୁ ପ୍ରମାଣିତ କରିବା ଲାଗି ଯାହା ତଥ୍ୟ ଦେବା କଥା ସେମାନେ ଦେଇ ନ ଥିଲେ। ଆବେଦନପତ୍ରର ଏନ୍କ୍ଲୋଜର୍ରେ ଦସ୍ତଖତ ନାହିଁ। ଯିଏ ପିଟିସନର ତାଙ୍କର ଏକ ଆଫିଡାଭିଟ୍ ଦେବା କଥା, ଯାହା ଦେଇନାହାନ୍ତି। ପରବର୍ତ୍ତୀ ସମୟରେ ଯାହାକିଛି ହେବ ସେକଥା ସମୟ କହିବ ବୋଲି ସେ କହିଛନ୍ତି।
ଏହାକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ସେମାନେ ପୂର୍ବରୁ ଜାଣିଥିଲେ ବାଚସ୍ପତିଙ୍କଠାରୁ ନ୍ୟାୟ ପାଇପାରିବେ ନାହିଁ। ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି ସେମାନେ ଭାଜପାକୁ ସହଯୋଗ କରିଛନ୍ତି। ଯେହେତୁ ଭାଜପାର ଡବଲ ଇଞ୍ଜିନ ସରକାର ଚାଲିଛି, ବିରୋଧୀ ବାଚସ୍ପତିଙ୍କଠାରୁ ନ୍ୟାୟ ଆଶା କରିବାଟା ସେମାନଙ୍କ ଭୁଲ୍। ଏହି ପ୍ରସଙ୍ଗରେ ହାଇକୋର୍ଟ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବୁ। ଯଦି ନିୟମକୁ ଠିକ୍ ଭାବେ ପାଳନ କରା ନ ଯିବ ତେବେ ଆଗକୁ ରାଜନୈତିକ ଦଳଗୁଡ଼ିକ ଦୁର୍ବଳ ହେବେ। ଯିଏ ଯାହାକୁ ଚାହିଁବେ ଟଙ୍କା ନେଇ ଭୋଟ୍ ଦେଇଦେବେ। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ ୧୦ର ନିୟମ ଅନୁଯାୟୀ ଯଦି କିଛି ଡକ୍ୟୁମେଣ୍ଟର ଅଭାବ ଥିଲା ତେବେ ତାହା ପ୍ରଦାନ କରିବାକୁ ବାଚସ୍ପତି କହିପାରିଥାଆନ୍ତେ। ସେହି ସୁଯୋଗ ବିରୋଧୀଙ୍କୁ ଦେଲେ ନାହିଁ। ଯେହେତୁ ଯେଉଁମାନଙ୍କୁ ବିଧାନସଭାରୁ ବହିଷ୍କାର କରିବାକୁ ବିରୋଧୀ ଦାବି କରିଥିଲେ, ସେମାନେ ସବୁ ବାଚସ୍ପତି ଜିତିକି ଆସିଥିବା ଦଳକୁ ଭୋଟ୍ ଦେଇଥିଲେ। ତେଣୁ ବାଚସ୍ପତି ସେମାନଙ୍କ ବିଧାନସଭା ସଭ୍ୟପଦ ରଦ୍ଦ କରିବେନି ବୋଲି ଜଣାଥିଲା। ଯେଉଁମାନେ କ୍ରସ୍ ଭୋଟିଂ କଲେ ସେମାନେ ବିଚାରଧାରା ବାହାରକୁ ଯାଇ ଶାସକ ଦଳକୁ ଭୋଟ୍ ଦେଲେ। ଘୋଡ଼ା ବେପାରରେ ମଧ୍ୟ ଲାଭବାନ ହେଲେ। ତେଣୁ ସେମାନେ ୨ ପ୍ରକାର ଭୁଲ୍ କରିଥିବା ଭକ୍ତ କହିଛନ୍ତି।
ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ବିଧାୟକମାନେ ବିଭିନ୍ନ ଦଳରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସୁଛନ୍ତି। ସମସ୍ତେ ଦଳୀୟ ନିର୍ଦ୍ଦେଶକୁ ମାନିବା ଦରକାର। ହେଲେ ଗତ ରାଜ୍ୟ ସଭା ନିର୍ବାଚନରେ ବିଜେଡିର ୮ ବିଧାୟକ ଦଳ ବିରୋଧରେ ଯାଇ ଭୋଟ୍ ଦେଲେ। ସମ୍ବିଧାନର ଅନୁଚ୍ଛେଦ ୧୦ର ନିୟମ ଅନୁଯାୟୀ କ୍ରସ୍ ଭୋଟିଂ କରିଥିବା ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ କରିବାକୁ ବାଚସ୍ପତିଙ୍କୁ ଆବେଦନ ପତ୍ର ଦେଇଥିଲେ। ବାଚସ୍ପତି କହୁଛନ୍ତି ଆବେଦନ ପତ୍ରରେ ଭୁଲ୍ ଥିଲା। ଯଦି କିଛି ଭୁଲ୍ ଥିଲା ବାଚସ୍ପତି ପରାମର୍ଶ ଦେଇପାରିଥାଆନ୍ତେ। ମାତ୍ର ତାହା ନ କରି ବିରୋଧୀଙ୍କ ଆବେଦନକୁ ଖାରଜ କରିବା କେତେ ଠିକ୍।
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିରୋଧୀ ଆଉଥରେ ପାଠ ପଢ଼ିବାର ଆବଶ୍ୟକତା ଅଛି। ଆଣ୍ଟି ଡିଫେକ୍ସନ ଆଇନ ବାବଦରେ ଏବେ ମଧ୍ୟ ବିରୋଧୀ ଅନଭିଜ୍ଞ। କେଉଁମାନଙ୍କ ବିରୋଧରେ ହ୍ବିପ୍ ଅବମାନନା ଲାଗୁ ହେବ ସେ ବାବଦରେ ବିରୋଧୀଙ୍କୁ ପୁନଃ ଅଧ୍ୟୟନ ଓ ଚିନ୍ତନ କରିବାର ଆବଶ୍ୟକତା ଅଛି। ସବୁ କଥାରେ ବାଚସ୍ପତିଙ୍କୁ ଦାୟୀ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପୂଜାରୀ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ୪ ରାଜ୍ୟ ସଭା ଆସନ ଲାଗି ନିକଟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଜେଡିର ୮ ଏବଂ କଂଗ୍ରେସର ୩ ଜଣ ଭାଜପା ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ; ଯେଉଁଥିଲାଗି ସେମାନେ ଦଳରୁ ନିଲମ୍ବିତ ହୋଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୧୦ ଅନୁଯାୟୀ କ୍ରସ୍ ଭୋଟିଂ କରିଥିବା ବିଧାୟକମାନଙ୍କ ବିଧାନସଭା ସଭ୍ୟପଦ ରଦ୍ଦ କରିବା ଲାଗି ଉଭୟ ବିଜେଡି ଏବଂ କଂଗ୍ରେସ ବାଚସ୍ପତିଙ୍କୁ ଆବେଦନ କରିଥିଲେ। ଆବେଦନ କରିବାର ୩ ମାସ ମଧ୍ୟରେ ବାଚସ୍ପତି ଏହା ଉପରେ ନିଷ୍ପତ୍ତି ନେବା କଥା। ସେହିକ୍ରମରେ ବିଜେଡି ଓ କଂଗ୍ରେସର ଆବେଦନକୁ ସମୟ ଭିତରେ ବାଚସ୍ପତି ଖାରଜ କରିଦେଇଛନ୍ତି। ବିଜେଡିର ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ୍ ବିଶ୍ୱାଳ, ନବ କିଶୋର ମଲିକ, ରମାକାନ୍ତ ଭୋଇ, ଚକ୍ରମଣି କହଁର ଏବଂ ସୁବାସିନୀ ଜେନା କ୍ରସ୍ ଭୋଟିଂ କରିଥିଲେ। ସେହିପରି କଂଗ୍ରେସର ସୋଫିଆ ଫିର୍ଦ୍ଦୋସ, ଦାଶରଥି ଗମାଙ୍ଗ ଏବଂ ରମେଶ ଜେନା କ୍ରସ୍ ଭୋଟିଂ କରି ଦଳରୁ ନିଲମ୍ବିତ ହୋଇଛନ୍ତି।