ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଏସ୍‌ପି: ଭିତ୍ତିଭୂମି ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ….

ଦାରିଙ୍ଗବାଡ଼ି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡ଼ିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସୋମବାର କନ୍ଧମାଳ ଏସ୍‌ପି ରମେନ୍ଦ୍ର ପ୍ରସାଦ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି। ଏସ୍‌ପିଙ୍କୁ ନିକଟରେ ପାଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି।

ଏସ୍‌ପି ରମେନ୍ଦ୍ର ପ୍ରସାଦ ବିଦ୍ୟାଳୟର ଷଷ୍ଠ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ଶ୍ରେଣୀକକ୍ଷକୁ ଯାଇ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟରେ ଶିକ୍ଷାଦାନ କରିଥିଲେ। ଏହି ଅବସରରେ ସେ ଛାତ୍ରୀଛାତ୍ରଙ୍କ ସହ ଶିକ୍ଷା, ଭବିଷ୍ୟତ ଲକ୍ଷ୍ୟ ଓ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ।

ପରେ ଏସ୍‌ପି ବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ମହାରଣାଙ୍କ ସହ ବିଦ୍ୟାଳୟର ଭିତ୍ତିଭୂମି ଓ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ଓ ଆବଶ୍ୟକ ଭିତ୍ତିଭୂମି ନେଇ ମଧ୍ୟ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ।

ପ୍ରକାଶ ଥାଉକି, ସୋମବାର ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଜିଲାସ୍ତରୀୟ ସାମୂହିକ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅଭିଯୋଗ ଶୁଣାଣିରେ ଯୋଗଦେବାକୁ ଆସିଥିବା ଏସ୍‌ପି ଓ ଜିଲାପାଳ ଭିନ୍ନ ଭିନ୍ନ ଭାବେ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀଛାତ୍ରଙ୍କଙ୍କୁ ଶିକ୍ଷାଦାନ କରିଥିଲେ।

ଏହି ସମୟରେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଆଇଆଇସି ସଂଗ୍ରାମ କେଶରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share