ମା’ଙ୍କ ମୃତ୍ୟୁ ପରେ କବରସ୍ଥଳରେ ଧୂପ ଦେଇ ବସି ରହୁଥିଲେ, ମାସକ ପରେ ଜୀବନ ହାରିଲେ ପୁଅ

ସଇଁତଲା, ୭ା୨(ଡି.ଏନ.ଏ.): ମାସକ ତଳେ ରୋଗଗ୍ରସ୍ତ ହୋଇ ଆରପାରିକୁ ଚାଲି ଯାଇଥିଲେ ମା’। ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିବା ପୁଅ ଶନିବାର ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରତିଦିନ ମା’ଙ୍କ କବରସ୍ଥଳରେ ସେ ଧୂପଦେଇ ବସି ରହୁଥିଲେ। ଶେଷରେ ମା’ଙ୍କ ଶାଢିକୁ ବେକରେ ବାନ୍ଧି ଘର ଫ୍ୟାନରେ ଝୁଲି ଜୀବନ ହାରିଥିବା ଯୁବକ ଜଣକ ହେଲେ ବଲାଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ ବେଲଗାଁ ସ୍ବାଧୀନପଡ଼ାର ଅଖତାର ମହମ୍ମଦ(୨୦)। ବେଲଗାଁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଛି।

ପୋଲିସ ସୂତ୍ରରୁ ଜଣାଯାଏ, ବେଲଗାଁ ସ୍ବାଧୀନପଡ଼ା ନିବାସୀ ରଫି ମହମ୍ମଦ ବେଲଗାଁରେ ଏକ ସାଇକେଲ ମରାମତି ଦୋକାନ କରିଛନ୍ତି। ରଫିଙ୍କ ପୁଅ ଅଖତାର ଟିଟିଲାଗଡ଼ ଡିଏଭି କଲେଜରେ ଯୁକ୍ତ୨ ବର୍ଷର ଛାତ୍ର। ରଫିଙ୍କ ସ୍ତ୍ରୀ କଲିମୁନ ବେଗମ ଗତ ଅକ୍ଟୋବର ମାସରୁ ପେଟ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପାଇଁ ଅର୍ଥ ବାଧକ ହେବାରୁ ସରକାରୀ ଅନୁଦାନ ପାଇଁ ପରିବାର ଲୋକେ ଟିଟିଲାଗଡ଼ ଉପଜିଲାପାଳଙ୍କୁ ଆର୍ଥିକ ଅନୁଦାନ ପାଇଁ ଜଣାଇଥିଲେ। ଚିକିତ୍ସା ପାଇଁ ଅଖତର ଅନେକ ଥର ମା’ଙ୍କୁ କଟକ ନେବା ଆଣିବା କରିଥିଲେ। ହେଲେ ଅର୍ଥାଭାବରୁ ଅଧିକ ଚିକିତ୍ସା କରାଇବା ସମ୍ଭବ ହେଉ ନ ଥିଲା। ଫଳରେ ମାସକ ତଳେ କଲିମୁନଙ୍କ ମୃତ୍ୟୁ ହୋଇଯାଇଥିଲା। ମା’ଙ୍କ ମୃତ୍ୟୁ ପରେ ଅଖତାରଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିଲା। କଲିମୁନଙ୍କ କବରସ୍ଥଳରେ ଅଖତାର ପ୍ରତ୍ୟହ ଧୂପକାଠି ଲଗାଇ ଚୁପ୍‌ଚାପ ବସି ରହୁଥିବା ପରିବାର ଲୋକେ କହିଛନ୍ତି। ମାନସିକ ସ୍ତରରେ ଭାଙ୍ଗିପଡ଼ିଥିବା ଅଖତାର ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ମିନିଟରେ ନିଜ ଘରେ ଥିବା ସିଲିଂ ପଙ୍ଖାରେ ମା’ଙ୍କ ଶାଢ଼ି ବେକରେ ଦେଇ ଆମତ୍ହତ୍ୟା କରିଥିଲେ। ବାପା ରଫି ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାର ତଦନ୍ତ କରାଯାଉଥିବା ବେଲଗାଁ ଫାଣ୍ଡି ଅଧିକାରୀ ଅନାଦି ମଟାରୀ କହିଛନ୍ତି।