ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ) – ଶନିବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି ।ଏଥିରେ ଜିଲାର ୪୬ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଅର୍ଥାତ୍ ଜିଲାର ଏ-୧ ଗ୍ରେଡ୍ ତାଲିକାର ଏକାଦଶ ସ୍ଥାନରେ ରହିଥିବା ବରଗଡ଼ ଜିଲା ଝାରବନ୍ଧ ବ୍ଲକ ବୈତାଲି କ୍ଲଷ୍ଟର ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଅମଠିର ଛାତ୍ର ରୂପେଶ ନାଏକଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଥିବାବେଳେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।ଝାରବନ୍ଧ ବ୍ଲକର ଟପ୍ପର ହୋଇଥିବା ରୂପେଶଙ୍କ ମା କ୍ଷୀରବତୀ ନାଏକ ଏବଂ ବାପା ନିରଞ୍ଜନ ନାଏକ ପ୍ରବାସୀ ଶ୍ରମିକ। ସେମାନେ ପ୍ରାୟ ୧୫ବର୍ଷ ହେଲା, ରାୟପୁରରେ ଏକ ପ୍ଲାଇଉଡ଼ କମ୍ପାନୀରେ କାମ କରୁଛନ୍ତି। ରୂପେଶ ନିଜ ଅଜା ଘେନୁ ନାଏକ ଏବଂ ଆଈ ବଦେଲି ନାଏକଙ୍କ ସହିତ ଘରେ ରହୁଛନ୍ତି । ନିଜର କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ଦ୍ୱାରା ସେ ଆଜି ଏହି କୃତିତ୍ୱ ଅର୍ଜନ କରିଛନ୍ତି । ତାଙ୍କର ସଫଳତାର ଶ୍ରେୟ ସେ ଶିକ୍ଷୟିତ୍ରୀ, ଶିକ୍ଷକ ମାନଙ୍କୁ ଦେଇଛନ୍ତି । ରୂପେଶ ପ୍ରଥମେ ନିଜ ଗ୍ରାମର ପୁଟୁକିଡୁଙ୍ଗୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଅମଠିରେ ନବମ ଦଶମ ଶ୍ରେଣୀ ଅଧ୍ୟୟନ କରିଥିଲେ । ସେ ମୋଟ ୫୪୮ ମାର୍କ ରଖି ଝାରବନ୍ଧ ବ୍ଲକ ଟପ୍ପର ହୋଇଛନ୍ତି । ସେ ଦୈନିକ ୬ରୁ ୭ ଘଣ୍ଟା ପରିଶ୍ରମ କରୁଥିଲେ । ଭବିଷ୍ୟତରେ ଜଣେ ଇଞ୍ଜିନିୟର ହେବା ସହ ସଫଳ କ୍ରିକେଟ ଖେଳାଳୀ ହେବାର ସ୍ୱପ୍ନ ରଖିଥିବା କହିଛନ୍ତି ରୂପେ । ତାଙ୍କର ଏହି ସଫଳତା ପରେ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି, ବୈତାଲି କ୍ଲଷ୍ଟର ସିଆରସିସି ଦିବସ କୁମାର ସାହୁ, ଅମଠି ଗ୍ରାମ ପଞ୍ଚାୟତ ସରପଞ୍ଚ ଲକ୍ଷେ ସିଂ ଥପା, ଅମଠି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୋଳାମଣୀ ତ୍ରିପାଠୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।