ମା’ଙ୍କ ଶୁଦ୍ଧିକ୍ରିୟା ଭୋଜି ସରିଲା, ସନ୍ଧ୍ୟାରେ ଗାଁ ଶ୍ମଶାନରେ ଜଳିଲା ପୁଅର ଚିତା: ଫାସିଗୁଡ଼ା ଗ୍ରାମରେ ଶୋକାକୁଳ ପରିବେଶ

ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର ଶରତ ଚନ୍ଦ୍ର ନାୟକ(୩୯) ଗୁରୁବାର ମଧ୍ୟାହ୍ନରେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ନିକଟ କଲ୍ୟାଣ ମଣ୍ଡପ ପରିସରରେ ସେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥଲେ। ସମ୍ପର୍କୀୟ ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।  ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଏନେଇ ଦିଗପହଣ୍ଡି ଥାନାରେ ଏତଲା ହେବା ପରେ ଆଇଆଇସି କିଶୋର କୁମାର ସାମଲ ଅପମୃତ୍ୟୁ ମାମଲା ନଂ.୨୯/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।

ତଦନ୍ତକାରୀ ଅଧିକାରୀ ଏଏସଆଇ ମନୋଜ ସିଂ ମୃତଦେହ ଜବତ କରିବା ସହ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି। ବୁଧବାର ତାଙ୍କ ମାଙ୍କ ଶୁଦ୍ଧିକ୍ରିୟା ଏକଦଶାହ ଭୋଜି ସରିଥିଲା। ଘରେ ବନ୍ଧୁ ବାନ୍ଧବ ଙ୍କ ଗହଳ ଚହଳ ଥିଲା। ଭୋଜି ରେ ବ୍ୟବହୃତ କୁଳ ସମାଜ ହଣ୍ଡା,ହାଣ୍ଡି ଫେରସ୍ତ ପାଇଁ ସେ କଲ୍ୟାଣ ମଣ୍ଡପ କୁ ଯାଇଥିଲେ। ସେଠାରେ କେହି ନ ଥିବା ସୁଯୋଗ ନେଇ ସେ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share