ଭଡ଼ାରେ ସୈନ୍ୟ

ଏବେ ଅବଶ୍ୟ ସମସ୍ତେ ଭୁଲିଗଲେଣି ଏବଂ କେହି କିଛି କହିବାକୁ ପ୍ରସ୍ତୁତ ନ ଥିଲା ଭଳି ମନେ ହେଉଛି । କିନ୍ତୁ ଅଳ୍ପ କିଛି ବର୍ଷ ପୂର୍ବେ, ସମସ୍ତଙ୍କର ମନେ ଥିବ, କଥା କଥାକେ କୁହାଯାଉଥିଲା- ‘ପାଟି ଫିଟାଅନି, ସିଆଚେନ୍‌ରେ ଛିଡ଼ା ହୋଇଥିବା ଭାରତୀୟ ସୈନ୍ୟଙ୍କ କଥା ଭାବ’। ଏବେକାର ପୃଥିବୀକୁ ଦେଖିଲେ ଦେଶପ୍ରେମର ପ୍ରତୀକ ଭାବେ ସୈନ୍ୟମାନଙ୍କୁ ନିଆଯାଇ ପାରିବ ନାହିଁ। କେବଳ ଭାରତରେ ମୋଦି ସରକାରଙ୍କୁ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଅପଦସ୍ଥ କରିବାରେ ସୀମିତ ରହିଲା ନାହିଁ। ପୃଥିବୀବ୍ୟାପୀ ସମ୍ଭବତଃ ସବୁ ବଡ଼ ଦେଶରେ ସୈନ୍ୟଙ୍କର ଗୁରୁତ୍ୱ ହ୍ରାସ ପାଇ ଏକ ଚାକିରିଆର ସ୍ଥିତିକୁ ଟାଣି ହୋଇ ଆସିଲାଣି।
ଉଦାହରଣ ସ୍ବରୂପ, ୟୁକ୍ରେନକୁ ଆକ୍ରମଣ କରିବା ପାଇଁ ରୁଷିଆ ସରକାର ଏକ ଘରୋଇ (ମର୍ସିନେରି) ଗୋଷ୍ଠୀକୁ ବ୍ୟବହାର କରୁଥିଲା ବୋଲି ଜଣାପଡୁଛି। ୟେଭ୍‌ଗେନି ପ୍ରିଗୋଝିନ୍‌ଙ୍କ ନେତୃତ୍ୱାଧୀନ ଓ୍ବାଗନର ଗୋଷ୍ଠୀ ରୁଷିଆ ସରକାରଙ୍କଠାରୁ ଅର୍ଥ ନେଇ ଯୁଦ୍ଧ କରୁଥିଲା। ହୁଏତ ଅର୍ଥ ନେଣଦେଣରେ ସମସ୍ୟା ହେବା ଯୋଗୁ ଓ୍ବାଗନର ଏବଂ ରୁଷିଆ ସରକାରର ମଧ୍ୟରେ ଅବୁଝାମଣା ଆରମ୍ଭ ହେଲା। ଏଥିସହିତ ଡୋନ୍‌ଟେକ୍ସରେ ବିଜୟଲାଭ କରିବା ପରେ ଓ୍ବାଗନର ଗ୍ରୁପ୍‌କୁ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଶ୍ରେୟ ନ ଦେବା ଫଳରେ ବିଦ୍ରୋହ ଆରମ୍ଭ ହେଲା। ଅର୍ଥ ନେଇ ଯୁଦ୍ଧ କରୁଥିବା ବ୍ୟକ୍ତିଙ୍କୁ ଯିଏ ଅଧିକ ଭଡ଼ା ଦେବ ସେ ହୁଏତ ସେମାନଙ୍କ ସମର୍ଥନ ପାଇପାରିବ। ଅର୍ଥାତ୍‌ ଓ୍ବାଗନର ଗ୍ରୁପ୍‌କୁ ଆମେରିକା ଓ ୟୁକ୍ରେନର ଅନ୍ୟ ସମର୍ଥକ ଦେଶଗୁଡ଼ିକ ଅଧିକ ଅର୍ଥ ଯାଚିଥିବାର ସମ୍ଭାବନାକୁ ଏଡ଼େଇ ଦେଇହେବ ନାହିଁ। ସତ୍ୟାସତ୍ୟ ଜାଣିବା କଷ୍ଟକର ହୋଇପାରେ। ତେବେ ୨୪ ଜୁନ୍‌ ୨୦୨୩ରେ ବିଦ୍ରୋହୀ ଓ୍ବାଗନର ଯୋଦ୍ଧାମାନେ ଦକ୍ଷିଣାଞ୍ଚଳ ରୁଷିଆର ରୋସ୍ତବ-ଅନ୍‌-ଡନ୍‌ ସହରକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏହିଠାରେ ରୁଷିଆ ସେନାର ସମସ୍ତ ସାମରିକ ପ୍ରତିଷ୍ଠାନ ଥିବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ପ୍ରାୟ ୨୫,୦୦୦ ଯୋଦ୍ଧା ପ୍ରାରମ୍ଭିକ ସଫଳତା ପାଇବା ପରେ ଯେତେବେଳେ ମସ୍କୋ ଅଭିମୁଖେ ଅଗ୍ରସର ହେଲେ ସେତେବେଳେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। କୁହାଗଲା ଯେ ମସ୍କୋ ବିମାନବନ୍ଦରରୁ ପୁଟିନ୍‌ଙ୍କ ସମେତ ରୁଷିଆର ଅନେକ ପୁରୁଖା ନେତା ବିଭିନ୍ନ ଘରୋଇ ବିମାନରେ ସହର ଛାଡ଼ି ପଳାଇଲେ। ତେବେ ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋଙ୍କ ସହାୟତା ନିଆଯାଇ ୟେଭ୍‌ଗେନିଙ୍କୁ ବୁଝାଶୁଝା କରାଯିବା ପରେ ବିଦ୍ରୋହୀ ସେନା ଆଗକୁ ବଢ଼ି ନ ଥିବା ଖବର ମିଳିଛି। ଏହାର ଅର୍ଥ ହେଉଛି ଯେ ଓ୍ବାଗନର ଗ୍ରୁପ୍‌ ହାରି ନାହିଁ, କେବଳ ଶାନ୍ତ ପଡ଼ିଛି।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଇତିମଧ୍ୟରେ ଏକ ବର୍ଷ ୪ ମାସ ପୂରଣ କରିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସେନା ଯେଉଁଭଳି ଭାବେ ରୁଷିଆ ସାମରିକ ବାହିନୀକୁ ଜବାବ ଦେଇ ସାମ୍ନା କରିଚାଲିଛି, ତାହା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛି। ଯୁଦ୍ଧର ପ୍ରାରମ୍ଭିକ ଅବସ୍ଥାରେ ରୁଷିଆ ଆଶା କରିଥିଲା ଖୁବ୍‌ଶୀଘ୍ର ୟୁକ୍ରେନ୍‌ ଉପରେ ବିଜୟଲାଭ କରିବ। କିନ୍ତୁ ଜେଲେନ୍‌ସ୍କିଙ୍କ ରଣକୌଶଳ ଓ ତାଙ୍କ ସେନାର ଦୃଢ଼ ମନୋବଳ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆକୁ ପାଣି ପିଆଇ ଦେଇଛି। ଇତିହାସରୁ ପଢ଼ିଛେ, ସର୍ବଦା ଏକଚ୍ଛତ୍ରବାଦୀମାନେ ନିଜ ଜିଦ୍‌କୁ ଜାହିର କରିବା ଲାଗି ସାଂଘାତିକ ନିଷ୍ପତ୍ତି ନେଇଥାଆନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍‌ ବିରୋଧରେ ରୁଷିଆର ଦୀର୍ଘଦିନର ଯୁଦ୍ଧ ମସ୍କୋର ଅର୍ଥନୀତିକୁ ଦୁର୍ବଳ କରିଦେଉଛିି। ଅନେକ ହଜାର ସୈନ୍ୟଙ୍କ ମୃତ୍ୟୁ ରୁଷିଆରେ ଅସନ୍ତୋଷ ସୃଷ୍ଟି କରିଛି। ଯେଉଁମାନେ ସରକାରୀ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ସେମାନଙ୍କୁ ପୁଟିନ୍‌ ଜୀବନରୁ ମାରି ପକାଉଥିବା ଗଣମାଧ୍ୟମରେ ଆଲୋଚନା ହେଉଛି।
ଏସିିଆ ମହାଦେଶରେ ମଧ୍ୟ ଯୁଦ୍ଧ ବାତାବରଣ ଆରମ୍ଭ ହୋଇଛି। ସେପଟେ ପାଶ୍ଚାତ୍ୟ ଦେଶଗୁଡ଼ିକ ନାଟୋର ସାହାଯ୍ୟ ନେଇ ଏବଂ ୟୁକ୍ରେନ ଭଳି ଦେଶକୁ ବ୍ୟବହାର କରି ରୁଷିଆକୁ ଦବେଇ ଦେଲେଣି। ସେହିଭଳି ଏସିଆ ମହାଦେଶରେ ଚାଇନାକୁ ଦବାଇବା ପାଇଁ ଆମେରିକା ଅତ୍ୟନ୍ତ ସକ୍ରିୟ ହୋଇପଡ଼ିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇ ସେଠାରେ ସମ୍ମାନ ପାଉଥିବା ବେଳେ ତା’ ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ବେଜିଂରେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିବା ପାଇଁ ବ୍ୟାକୁଳତା ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା। ହୋଇପାରେ ଆମେ ଭାରତୀୟମାନେ ବିଶେଷ କିଛି ବୁଝିବାକୁ ଚେଷ୍ଟା କରୁ ନ ଥିବାରୁ ଅନ୍ତର୍ଜାତୀୟ ନୀତି ବୁଝିବାରେ ଅସମର୍ଥ ହୋଇପଡୁଛୁ। ବାସ୍ତବ ପରିସ୍ଥିତିକୁ ଦେଖିଲେ ଚାଇନାର ଗତିରୋଧ କରିବା ହେଉଛି ଆମେରିକାର ମୂଳ ଲକ୍ଷ୍ୟ। ସେଥିପାଇଁ ୟୁକ୍ରେନ ଭଳି ତାଇଓ୍ବାନକୁ ବ୍ୟବହାର କରିବାକୁ ଇଚ୍ଛୁକ ଥାଇପାରେ ଆମେରିକା। କିନ୍ତୁ ୟୁକ୍ରେନ ଭୌଗୋଳିକ ଦୃଷ୍ଟିକୋଣରୁ ଏକ ବିରାଟକାୟ ଦେଶ ହୋଇଥିବା ବେଳେ ତାଇଓ୍ବାନ ଏକ କ୍ଷୁଦ୍ର ଦ୍ୱୀପ ମାତ୍ର। ସେଥିପାଇଁ ଭାରତର ଗୁରୁତ୍ୱ ଏହି ପେଞ୍ଚରେ ବୃଦ୍ଧି ପାଉଛି। ଭାରତୀୟଙ୍କୁ ମନେରଖିବାକୁ ହେବ ଯେ ଚାଇନା ମଧ୍ୟ ରୁଷିଆ ଭଳି ଭଡ଼ାଟିଆ ସୈନ୍ୟ ଗୋଷ୍ଠୀ ସୃଷ୍ଟି କରିବାରେ ଲାଗିଛି। ସେଥିପାଇଁ ଯୁଦ୍ଧ ଡାକରା ଦେଉଥିବା ଭାରତୀୟମାନେ ନିଜର ସ୍ଥିତିକୁ ବୁଝିକରି କଥା କହିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri