Posted inଫୁରସତ

ନୂଆଁଖାଇ ତିହାର୍‌: ନୂଆ ଆହ୍ବାନ ‘ସାମାଜିକ ଦୂରତାରୁ ସାମାଜିକ ନିବିଡ଼ତା’

ନୂଆଁଖାଇ ତିହାର୍‌ର ମୂଳ ଆବେଦନ ସାମାଜିକ ନିବିଡତା। ଏଥିରେ ସାମାଜିକ ଦୂରତାର ସ୍ଥାନ ନାହିଁ। କେଉଁ ଆବହମାନ କାଳରୁ ପଶ୍ଚିମ ଓଡିଶା ବା କୋଶଳାଞ୍ଚଳର ଭୌଗୋଳିକ ପରିସୀମାରେ ନୂଆଁଖାଇ ତିହାର ପାଳିତ ହୋଇଆସୁଛି। ଏହାକୁ ପ୍ରଥମ ଅନ୍ନର ପର୍ବ କୁହାଯାଏ। ମୂଳତଃ ଏହା କୃଷିଭିତ୍ତିକ ତିହାର। ଭାଦ୍ରବ ମାସରେ ଅଁାଟ(ଉଚ୍ଚ) ଜମିରେ ଧାନକେଣ୍ଡା ଗଜୁରି ଉଠେ। ଏହାକୁ ଦେଖି ମଣିଷ ମନ ଭାବୋଚ୍ଛାସରେ ଭରିଯାଏ। ପ୍ରଥମ ଅନ୍ନକୁ କୃତଜ୍ଞତା ସ୍ବରୂପ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରେ। ଏଇ ପ୍ରଥମ ଅନ୍ନ ଅର୍ପଣ ପର୍ବ ବା ତିହାର ହେଉଛି ନୂଆଁଖାଇ। ବିଭିନ୍ନ ରାଜ୍ୟରେ ପ୍ରଥମ ଅନ୍ନକୁ ନେଇ ଅନେକ ପର୍ବପର୍ବାଣି ପାଳନ ହୋଇଥାଏ। ତେବେ ପଶ୍ଚିମ ଓଡିଶାର ନୂଆଁଖାଇର ସ୍ବାତନ୍ତ୍ରତା ରହିଛି।

ନୂଆଁଖାଇ ପରିବାରକୁ ଏକାକାର କରେ। ବନ୍ଧୁ ପରିଜନ, ସମ୍ପର୍କୀୟ, ପଡୋଶୀଙ୍କୁ ସ୍ନେହବନ୍ଧନରେ ଯୋଡେ। ପରସ୍ପରକୁ ଦାୟିତ୍ୱସମ୍ପନ୍ନ କରେ। ନୂଆଁଖାଇ ଦିନ ଯିଏ ଯେତେ ଦୂରେଥିଲେ ମଧ୍ୟ ଘରକୁ ଫେରିବାକୁ ବ୍ୟାକୁଳ ହୁଏ। ଅଧିକାଂଶ ଲୋକେ ଦୂରଦୂରାନ୍ତରୁ ଘରକୁ ଓ ଗଁାକୁ ଫେରୁଥିବାରୁ ଏକ ମହାମିଳନ ପର୍ବରେ ରୂପାନ୍ତରିତ ହୋଇଯାଏ। ଇଷ୍ଟ ଦେବଦେବୀଙ୍କୁ ଅର୍ପିତ ନୂଆକୁଣ୍ଡା ସହ ଅନେକ ବ୍ୟଞ୍ଜନକୁ ପରିବାର ଲୋକେ ଏକତ୍ର ବସି ଖାଆନ୍ତି। ଏହାପରେ ପରିବାରର ବୟୋଜ୍ୟେଷ୍ଠଙ୍କୁ କନିଷ୍ଠମାନେ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥାନ୍ତି। ପରସ୍ପର ଭିତରେ ସ୍ନେହ ଓ ଶ୍ରଦ୍ଧା ଝଲସିଉଠେ। ଏହାପରେ ପଡୋଶୀ, ସମ୍ପର୍କୀୟ ଓ ଗଁା ଲୋକଙ୍କ ସହ ଆରମ୍ଭ ହୁଏ ଜୁହାର ଭେଟ୍‌ କାର୍ଯ୍ୟକ୍ରମ। ନୂଆଁଖାଇ ତିହାର ଦିନ ଗଁା ବା ସହର ଏକ ବୃହତ୍‌ ପରିବାରରେ ରୂପାନ୍ତରିତ ହୋଇଯାଏ। ମତାନ୍ତର, ମନାନ୍ତର ଭୁଲି ଜୀବନକୁ ଗତିଶୀଳ କରିବା ପାଇଁ ନୂଆ ସଂକଳ୍ପ ନିଅନ୍ତି। ଏହାହିଁ ନୂଆଁଖାଇର ପାରମ୍ପରିକତା, ମୂଳତତ୍ତ୍ୱ ଓ ବିଚାରବୋଧ। ତେବେ ସମୟଚକ୍ରରେ ନୂଆଁଖାଇ ତିହାର ପାଳନରେ ଅନେକ ପରିବର୍ତ୍ତନ ଘଟିଛି। କାଳକ୍ରମେ ମୂଳ କୃଷି ପରମ୍ପରାରେ ଅନେକ ନୂଆ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଉପକ୍ରମ ଯୋଡିହୋଇଛି। ଦିନକୁ ଦିନ ନୂଆଁଖାଇ ଉତ୍ସବ ମୁଖରିତ ଓ ଆକର୍ଷଣୀୟ ହୋଇଉଠୁଛି ସତ, ମାତ୍ର ଏହାର ମୂଳ ବିଚାରବୋଧଟି ଯେମିତି ସଂକ୍ରମିତ ହୋଇଚାଲିଛି।

ଦୁଇବର୍ଷ ତଳର କୋଭିଡ଼ ମହାମାରୀ ସମଗ୍ର ମଣିଷ ଜାତିକୁ ଦେହଲାଇ ଦେଲା। ଜୀବନ ବଞ୍ଚାଇବାକୁ ହେଲେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ହିଁ ପଡିବ ବୋଲି କୁହାଗଲା। ସାମାଜିକ ଦୂରତା ଶବ୍ଦର ବ୍ୟବହାରକୁ ନେଇ ଅନେକ ବିଜ୍ଞଜନ, ବୁଦ୍ଧିଜୀବୀ ପ୍ରଶ୍ନ କଲେ। ସାମାଜିକ ଦୂରତା ବଦଳରେ ଶାରୀରିକ ଦୂରତା କଥା କୁହାଯାଉ ବୋଲି ପରାମର୍ଶ ଦେଲେ। ସାମାଜିକ ଦୂରତା ଶବ୍ଦର ବହୁଳ ବ୍ୟବହାର ମଣିଷର ଅନ୍ତରାତ୍ମା ଓ ସମାଜକୁ ବହୁଳ ମାତ୍ରାରେ ପ୍ରଭାବିତ କରିବ ବୋଲି ଚେତାଇ ଦେଲେ। ଲୋକେ ଜୀବିକା ହରାଇ ନିଜ ଗଁାକୁ ଫେରିଲା ବେଳେ ଗ୍ରାମବାସୀ ଓ ସରକାରୀ କଳ ପ୍ରବାସୀଙ୍କୁ ଗଁାକୁ ପଶିବାକୁ ଦେଲେନାହିଁ। ଭୋକ ଉପାସ, ଭୟ ଓ ଭ୍ରାନ୍ତି ଭିତରେ ମଣିଷ ସେଦିନ କୋଭିଡ଼ ମହାମାରୀ କାଳର ସାମାଜିକ ଦୂରତାକୁ ଅଙ୍ଗେ ନିଭାଇଥିଲା। କେବଳ ପ୍ରବାସୀ ନୁହଁ, ପରିବାର, ଗଁା ଓ ସହର ଭିତରେ ପୀଡିତ ମଣିଷଟିଏ କେତେ ଅଲୋଡା, ଅବହେଳା ଏବଂ ଅମାନବିକ ପରିସ୍ଥିତିର ସମ୍ମୁଖୀନ ହେଲା। ସେଇ ଗଭୀର ପୀଡା ଆଜିବି ଅନେକଙ୍କ ଅନ୍ତର୍ମନକୁ ଦେହଲାଇ ଦେଉଛି। କୋଭିଡ ସମାଜରେ ସାମାଜିକ ଫାଟ ଓ ଦୂରତା ସୃଷ୍ଟି କରିଥିଲା। ଏଭଳି ସମୟରେ କୋଭିଡ ପରବର୍ତ୍ତୀ ନୂଆଁଖାଇ ଅଧିକ ପ୍ରାସଙ୍ଗିକ ହୋଇପଡିଛି। ସାମାଜିକ ଦୂରତାରୁ ସାମାଜିକ ନିବିଡତା ଆଡକୁ ପୁଣି ଥରେ ମଣିଷକୁ ଫେରାଇ ନେବାକୁ ନୂଆ ଆହ୍ବାନ ନେଇ ଆସିଛି ନୂଆଁଖାଇ।
– ରିପୋର୍ଟ: ବୀରେନ୍ଦ୍ର କୁମାର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri