ଏବେକୁ ଏତେ, ଆଗକୁ କେତେ

ଦ୍ୱିତୀ ଚନ୍ଦ୍ର ସାହୁ

ସକାଳର ପାଗ ସ୍ଥାୟୀ ରହେନି। କ୍ରମଶଃ ବଦଳିଯାଏ। ଆଜିକାଲି ପାଗ ସହ ମଣିଷର ଅବସ୍ଥା ବି ସେମିତି। ପାଗ ସହ ମଣିଷକୁ ତୁଳନା କରିବାର ଯଥେଷ୍ଟ କାରଣ ଅଛି। ପାଣିପାଗ ଓ ମଣିଷର ମାନସିକ ଅବସ୍ଥା ସ୍ଥିର ନ ଥାଏ। ସମୟାନ୍ତରରେ ବଦଳିଥାଏ। ଆମେ କଥା କଥାକେ ଓଳିଆରୁ ଗଜା ବୋଲି କହି ପିଲାଟିକୁ ମୂଲ୍ୟାୟନ କରୁ। ପିଲାଟି ବିଗିଡିଗଲା। ଆଉ ଜମା ସୁଧୁରିବନି। ତିନି ପାଞ୍ଜିରୁ ଗଲା। ଚାରି ଦଉଡିକଟା ହୋଇଗଲା। ଫୁଲ୍‌ ବାଳୁଙ୍ଗା ହୋଇଗଲା। ମାଟି କରିଦେଲା ନିଜର ଭବିଷ୍ୟତ। ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଇ ହୁଏ। ଥରେ ହୁଗୁଳା ହୋଇଗଲେ ଆଉ କ’ଣ ସୁଧୁରିବ ପିଲା। ଏବେକୁ ଏତେ ତ, ଆଗକୁ କେତେ? ନାହିଁ ନ ଥିବା କାମରେ ହାତ ଦେଲା ମାନେ ପିଲାଟା ବିଗିଡି ଗଲା। ପିଲାଦିନର ଦୁଷ୍ଟାମିକୁ ନେଇ ଅଜସ୍ର ମତାମତ ଦେଉ। ତାକୁ ବଳେଇ ବଳେଇ ଶୁଣେଇ ଦେଉ ମଧ୍ୟ। ଏମିତି ନାକରା କଥା ଶୁଣିଶୁଣି ବଡ଼ ହୋଇଥିବା ପିଲାଟି ବି କରିସ୍ମା କରିପାରେ। ଦଣ୍ଡାବାଳୁଙ୍ଗା ହୋଇ ବୁଲୁଥିବା ପିଲାଟିକୁ ଲୋକେ ଭୋଟ ନାଦି ଦିଅନ୍ତି। ସେ ରାତାରାତି ନେତା ହୋଇଯାଏ। ମନ୍ତ୍ରୀ ପଦ ଯୋଗାଡ଼ ହୋଇଗଲେ ତେଣିକି ସମାଜ ତାକୁ ସଲାମ କରେ। କେବଳ ସେତିକି ନୁହଁ ଦିନରାତି ଚୋରିନାରୀ କରି ବଢିଥିବା ଲୋକଟି ଅମାପ ସମ୍ପତ୍ତିର ମାଲିକ ହୋଇଗଲା ପରେ ଖୁବ୍‌ ସମାଜ ସେବାରେ ମନ ବଳାଏ। ଡାକି ଡାକି ଲୋକଙ୍କୁ ସେବା କରେ। ବିଭିନ୍ନ ଧର୍ମ କାର୍ଯ୍ୟରେ ଯୋଗ ଦିଏ। ମନ୍ଦିର ତୋଳେ। ଦୁଇ ହାତ ଖୋଲି ଦାନ କରେ। ତା’ ପରେ ସେହି ସମାଜ ହଁି ଗତକାଲିର ଲୁଟେରାକୁ ଭଗବାନ ଭଳି ସମ୍ମାନ ଦିଏ। କି ଚମତ୍କାର ଦେଖ। ଦସ୍ୟୁ ରତ୍ନାକରରୁ ବାଲ୍ମୀକି ପାଲଟିଗଲା ଲୋକଟି। କେତେ ଭକ୍ତି ଓ ସମ୍ମାନ। ଏମିତି ତିନିତୁଣ୍ଡରେ ଛେଳି କୁକୁର ପାଲଟିଯାଏ।
ଭାରତୀୟ ଗଣତନ୍ତ୍ର ହେଉ କି ସମାଜତନ୍ତ୍ରରେ ଏମିତି ଚିତ୍ର କିଛି ନୂଆ ନୁହେଁ। ଅପରପକ୍ଷେ ମଣିଷର ପାଣିପାଗ ବି ଦେଖିଲେ ଅଜବ ଲାଗେ। ତୁଳସୀ ଦୁଇପତ୍ରରୁ ବାସେ ପରା। କେଡ଼େ ସୁଧାର ପିଲା। ଖାଣ୍ଟି ସୁନା ମୁଣ୍ଡାଟା। କେତେ ଶାନ୍ତଶିଷ୍ଟ। ମାଛିକୁ ମ’ କହିବାର ନାହିଁ। କାହା ସଙ୍ଗେ ବସାଉଠା ନାହିଁ। ପାଠ ଓ ଘର ପରିବାର ଭଲ ତ ସେ ଭଲ। ବଡ଼ମାନଙ୍କ ପ୍ରତି ଅଗାଢ଼ ଭକ୍ତି। କିନ୍ତୁ ବଡ଼ ହେଲେ ଅନେକଙ୍କ ବଦଳିଯାଏ ଚରିତ୍ର। ନିଜେ ଭଲ ତ ସବୁ ଭଲ। ଆଗ ପଇସା ପଛେ ସମ୍ପର୍କ। ଆଉ କାହାରି ଚିନ୍ତା ନ ଥାଏ। ପାର୍ଥତ୍ବ ସମ୍ପତ୍ତିର ଲୋଭରେ ସେ ମାଡ଼ିଚାଲେ ଆଗକୁ ଆଗକୁ। ମା’ବାପାଙ୍କୁ ବି ଏଡେଇ ଦେଇ ଚାଲିଯାଏ। ଜନ୍ମମାଟି କଥା ଭୁଲିଯାଏ। ଏମିତି ବି ପରିସ୍ଥିତି ହୁଏ ଗଣ୍ଡମୂର୍ଖ ଓ ହୁଣ୍ଡା ନାମରେ ପରିଚିତ ପୁଅଟି ହିଁ ମା’ବାପାଙ୍କ ଯତ୍ନ କରେ। ନିଦାବିଷ୍ଣୁ ସାଜିଥିବା ପୁଅର ଆଉ ଦେଖା ମିଳେନି। ଏବେକା ସମାଜରେ ଏମିତି କିଛି ବିକଳ ଚିତ୍ର। ଯିଏ ପଢିଲା ସେ ବଢିଲା। ଶ୍ରେଷ୍ଠ ବି ହେଲା। ଅଥଚ ହୃଦୟହୀନ ପାଲଟିଗଲା। ଏକୋଇରବଳା ବିଶିକେଶନ ବୋଲି ଯାହାକୁ ମା’ବାପା ଖୁଆଇପିଆଇ ବଡ଼ କରିଥାଏ ବଡ଼ହେଲା ପରେ ସେ ଯାବତୀୟ ମିଛ ସୁଖର ଭ୍ରମରେ ପର ପାଲଟିଯାଏ। ଭବିଷ୍ୟତ ସେଇଆ କେବେ ହୋଇପାରେନା ଯେଉଁଥିରେ ଆତ୍ମୀୟଙ୍କ ଦୁଃଖର ଲହଡି ଭାଙ୍ଗୁଥାଏ। ନିଜସ୍ବ ସମୃଦ୍ଧିର ଗ୍ରାଫ୍‌ ଉପରକୁ ଉଠିପାରେ ଅକ୍ଳେଶରେ ଅଥଚ ନକ୍ସା ତିଆରି ପଛର ଅନୁଭବୀଙ୍କ ବେଦନାରେ ଗ୍ରାଫ୍‌ର ରେଖା ଅଙ୍କାବଙ୍କା ବି ହୋଇପାରେ କାଳର କରାଳ ଗତିରେ। ଭାଗ୍ୟକୁ ହାତରେ ଧରି ଫୁତ୍‌କାର କରୁଥିବା ସଫଳ କର୍ମକାରମାନେ ବି ସମୟ ନିକଟରେ ବୋଲ ମାନନ୍ତି। ହୃଦୟହୀନ ସନ୍ତାନଙ୍କ ଭାଗ୍ୟରେଖାରେ ବି ମାର୍କଦଶା ଆସିଯାଏ। ସେତେବେଳେ ଭାଗ୍ୟଧାରୀମାନେ ଭାଗ୍ୟ ଅପେକ୍ଷା ଆପଣାର ଲୋକଙ୍କୁ ଖୋଜିବସନ୍ତି।
ଭଲର ପରିଭାଷା ଖୋଜିବାକୁ କୌଣସି ଅଭିଧାନ ଆବଶ୍ୟକ ନାହିଁ। ହୃଦୟବାନ୍‌ ବ୍ୟକ୍ତି ସମସ୍ତଙ୍କ ହୃଦୟରେ ଘର କରି ରହିପାରେ। ଅଚିରେ ଆପଣାପଣର ରଜୁରେ ବାନ୍ଧିପାରେ। ସବୁ ସଫଳ ମଣିଷ ଭଲ ମଣିଷ ହୋଇ ନ ପାରନ୍ତି। ଅନେକ ସଫଳ ମଣିଷଙ୍କ ନିକଟରେ ଗୁଣଚିହ୍ନା ହୃଦୟଟି ଥାଇପାରେ କିନ୍ତୁ ବେଦନାଚିହ୍ନା ହୃଦୟଟି ନ ଥାଇପାରେ। ଏହି କ୍ରମରେ ଯାବତୀୟ କର୍ମ, ଯୋଜନା ଓ ଲକ୍ଷ୍ୟରେ ଆମର ତତ୍କାଳିକ ମୂଲ୍ୟାୟନ ଅଧିକାଂଶ ସମୟରେ ଠିକ୍‌ ହୋଇ ନ ଥାଏ। ଭଲ ଖରାପ ହୋଇଯାଏ। ଖରାପ ବି ଭଲ ହୋଇପାରେ। ବେଳେବେଳେ ଗୋଟେ ମୁହୂର୍ତ୍ତରେ ଜୀବନର ମୋଡ଼ ବୁଲିଯାଏ। ଗୋଟେ ଘଟଣା, ଗୋଟେ ଚରିତ୍ର ଓ ଗୋଟେ ଜୀବନ୍ତ ଉଦାହରଣ ମଣିଷକୁ କୋଉଠିରୁ କୋଉଠିକୁ ନେଇ ପହଞ୍ଚାଇ ଦେଇପାରେ। ନିଜେ ମଣିଷ ଜାଣିପାରେନା ତା’ର ସ୍ଥିତି କ’ଣ ହୋଇପାରେ। ନିଜର ଭାଗ୍ୟକୁ କାଗଜକଲମରେ ସଜାଡି ସୁନ୍ଦର ନକ୍ସା କରିବା ଭିତରେ ସମୟର ମାପ ଖଇଚା କରିଦେଇପାରେ। ମଣିଷ ଜାଣେ ସେ ନିଜେ ସବୁକିଛି ନୁହେଁ। ସବୁକିଛି ହେବା ପାଇଁ ପରିଶ୍ରମ, ବୁଦ୍ଧି, ଭାଗ୍ୟ ଓ ଚାରିପାଖର ମଣିଷମାନଙ୍କ କୃପା ବି ଲୋଡା ପଡିଥାଏ। ଏତେସବୁ ପରେ ବି ଖେଳ ବିଗିଡିଯାଏ। ସମୟ ସହ ତାଳ ଦେଇ ଆଗକୁ ବଢିଲେ ବି କେଉଁ ଏକ ମୁହୂର୍ତ୍ତରେ ଭାଗ୍ୟର ଗତିପଥ ବଦଳିଯାଏ। ବାସ୍ତବରେ ଅଧିକ ସମ୍ବେଦନଶୀଳତା ହିଁ ସନ୍ତାନ, ପରିସ୍ଥିତି ଓ ଲକ୍ଷ୍ୟପଥକୁ ବିଗାଡି ଦେଇଥାଏ। ସବୁ କ୍ଷେତ୍ରରେ ଗୋଟେ ଧୈର୍ଯ୍ୟ ଆବଶ୍ୟକ। ଆଗକୁ ବଢିବାକୁ ହେଲେ ଅସୀମ ଧୈର୍ଯ୍ୟ ଲୋଡ଼ା। ଗୋଟେ ଭଲ ସମ୍ପର୍କ ରଖିବାକୁ ହେଲେ ଧନସମ୍ପତ୍ତିର ଆବଶ୍ୟକତା ନ ଥାଏ। କେବଳ ଲୋଡ଼ା ଥାଏ ଭଲ ପାଇବା, ବିଶ୍ୱାସ ଓ ଅସୀମ ଧୈର୍ଯ୍ୟ। ସଫଳତା ବିଳମ୍ବ ହୋଇପାରେ ଅସମ୍ଭବ ନୁହେଁ। ସାମ୍ପ୍ରତିକ ସ୍ଥିତିକୁ ନେଇ ସାମଗ୍ରିକ ଆକଳନ କରି ଶେଷ ରାୟ ଶୁଣାଉ – ଏବେକୁ ଏତେ, ଆଗକୁ କେତେ! ଏଭଳି ମାନସିକତା ଅପେକ୍ଷା ନିରନ୍ତର ଓ ସାମଗ୍ରିକ ମୂଲ୍ୟାୟନ ଉପରେ ଅଧିକ ଦୃଢ଼ ଆଶାବାଦୀ ରହିବା ଆବଶ୍ୟକ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ -୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri