ସାପ, ଶିଡ଼ି ଓ ଜୀବନ

ସୁପ୍ରଭା ବେହେରା

ଯେବେଠାରୁ ଦିନ, ଦଣ୍ଡ, ମାସ, ବର୍ଷର ପିଠିରେ ଆୟୁଷ ଶିଡ଼ି ଚଢ଼ି ଜୀବନ ଗଢ଼େ, ସେବେଠାରୁ ବୋଧହୁଏ ମଣିଷକୁ ଶିଡ଼ିର ମୋହ ମୋହାଚ୍ଛନ୍ନ କରେ। ମଣିଷକୁ ଭିତରୁ ଯେମିତି କିଏ ଜଣେ ଉସୁକାଉ ଥାଏ, ନା ଏଇଠି ନୁହଁ, ଆଉ ଟିକେ ଉପରକୁ ଚଢ଼ୁନୁ। ଆଉ ଟିକେ ଉପରେ ବସିଲେ ତୋତେ ସାଜିବ। କିନ୍ତୁ ସେଇ ଉପରଟା କେତେ ଉଚ୍ଚରେ, ଜୀବନ ସରିଯାଏ ପଛକେ ସେଇଟା ସ୍ଥିରୀକୃତ ହୋଇ ପାରେ ନାହିଁ। ମଣିଷ ସାରା ଜୀବନ ଅଣନିଃଶ୍ୱାସୀ ହୋଇ ଧାଇଁ ବୁଲେ, ଶିଡ଼ିର ଗୋଟିଏ ଗୋଟିଏ ପାହାଚକୁ ଅତିକ୍ରମ କରିବାକୁ। ଗୋଟିଏ ପାହାଚ ଅତିକ୍ରମ କରି ସେଇଠି ଛିଡ଼ା ହେଲେ, ତା’ ପରର ପାହାଚ ପୁଣି ହାତ ଠାରି ଡାକେ। ସେ ପାହାଚରେ ଛିଡ଼ା ହେବାର ଲାଳସା ମନରେ ଜାଗେ। ତା’ ପାଇଁ ମଣିଷ ପୁଣି ଚେଷ୍ଟାରେ ଲାଗିରହେ। ସତେକି ଆକାଶକୁ ଛୁଇଁବ ମଣିଷ। ଏଇ ମନ ନିତି ରାବଣ ପରି ସ୍ବର୍ଗକୁ ନିଶୁଣି ବାନ୍ଧିବାର ସ୍ବପ୍ନ ଦେଖୁଥାଏ।
ଜୀବନରେ ସଫଳତାର ଶିଡ଼ିର ମହତ୍ତ୍ୱ ବହୁତ ଅଧିକ। ନିଷ୍ଠା, ଉଦ୍ୟମ, ଧୈଯ୍ୟ, କଠିନ ପରିଶ୍ରମ, ସକାରାତ୍ମକ ମନୋବଳ, ଦୃଢ଼ ଆତ୍ମବିଶ୍ୱାସ ଏସବୁ ହେଉଛି ଶିଡ଼ିର ଗୋଟିଏ ଗୋଟିଏ ପାହାଚ। ଖୁବ୍‌ ଯତ୍ନର ସହ ଏସବୁକୁ ଯିଏ ଅତିକ୍ରମ କରେ, ଶିଡ଼ିର ଶେଷ ମୁଣ୍ଡରେ ସଫଳତା ଫୁଲମାଳ ଧରି ଅପେକ୍ଷା କରିଥାଏ। କିନ୍ତୁ ଆଜିର ମଣିଷ ପାଖରେ କାହିଁ ଏତେ ଧୈଯ୍ୟ,? କାହିଁ ଏତେ ପ୍ରତୀକ୍ଷା? ସେ ଚାହେଁ ପ୍ରଥମ ପାହାଚରେ ପାଦ, ତା’ପରେ ଶେଷ ପାହାଚ। ମଝି ପାହାଚକୁ ସେ ଲମ୍ଫ ପ୍ରଦାନ କରି ଡେଇଁବାକୁ ଚାହେଁ। ରାତାରାତି ସେ ବଡ଼ଲୋକ ହେବାକୁ ଚାହେଁ। ସେ ଶିଡ଼ିର ପାହାଚ ଅଲଗା ଉପାଦାନରେ ତିଆରି ହୋଇଥାଏ। ସେ ପାହାଚ ଶଠତା, ବିଶ୍ବାସଘାତକତାର ସ୍ୟାହିରେ ଲେଖାଥାଏ। ଶିଡ଼ି ଚଢ଼ି ଉପର ପାହାଚରେ ବସିବାକୁ କାହାକୁ ଅବା ଭଲ ନ ଲାଗେ ? ତେଣୁ ଦପ୍ତର, ରାଜନୀତି, ସାହିତ୍ୟ, କଳା, ବିଜ୍ଞାନ ପ୍ରତ୍ୟେକ କ୍ଷେତ୍ରରେ ଚାଲେ ପ୍ରତିଯୋଗିତା। ମଣିଷ ଶିଡ଼ି ଚଢିବାକୁ ଯେତିକି ଉଦ୍ୟମ ନ କରେ, ଶିଡ଼ି ଚଢୁଥିବା ଲୋକର ଗୋଡ଼ ଟାଣିବାକୁ ସେତିକି ଚେଷ୍ଟା କରିଥାଏ। ଆମେ ଏବେ ଏମିତି ଏକ ମାନସିକତା ନେଇ ବସବାସ କରୁଛୁ, ଯେଉଁଠି ଜଣେ ଉପରକୁ ଗଲେ, ଅନ୍ୟ ଦଶଜଣଙ୍କୁ ଶକ୍ତ ମାନସିକ ଧକ୍କା ଲାଗିଥାଏ। ଏହି ସଂକ୍ରାମକ ରୋଗରେ ଗୋଟିଏ ସାହି, ଗାଁ କିମ୍ବା ସହର ଆକ୍ରାନ୍ତ ନୁହଁ। ବରଂ ସାରା ବିଶ୍ୱ କହିଲେ ଅତ୍ୟୁକ୍ତି ହେବ ନାହିଁ। ମଣିଷ ଅନ୍ୟ ଜଣକୁ ଉପରକୁ ଚଢ଼ିବାକୁ ନ ଦେବାକୁ ରଚନା କରେ ହୀନ ଚକ୍ରାନ୍ତ। ବେଳେ ବେଳେ ହୀନ ଚକ୍ରାନ୍ତ ଏତେ କୁତ୍ସିତ ଥାଏ, ଭାବିବାକୁ ମଧ୍ୟ ଲଜ୍ଜା ଆସେ। ବୈଜ୍ଞାନିକ ନମ୍ବି ନାରାୟଣଙ୍କ କଥା ବିଚାରକୁ ନିଆଯାଉ। ଭାରତୀୟ ମହାକାଶ ବିଜ୍ଞାନ ଅଧ୍ୟୟନ ସଂସ୍ଥା (ଆଇଏସ୍‌ଆର୍‌ଓ)ର କ୍ରାୟୋଜେନିକ ବିଭାଗର ଦାୟିତ୍ୱରେ ସେ କାର୍ଯ୍ୟରତ ଥିଲେ। ଯେତେବେଳେ ଆମେରିକାର କୂଟ ଚକ୍ରାନ୍ତରେ ରୁଷିଆ ଭାରତକୁ କ୍ରାୟୋଜେନିକ ଇଞ୍ଜିନ୍‌ର ଜ୍ଞାନ କୌଶଳ ବିକ୍ରି କରିବାକୁ ମନା କରିଦେଲା, ସେତେବେଳ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥା ନିଜସ୍ବ କ୍ରାୟୋଜେନିକ ଇଞ୍ଜିନ୍‌ ତିଆରିକରିବା ପାଇଁ ସିଦ୍ଧାନ୍ତ ନେଲା। କୁହାଯାଏ ଆମେରିକା ଚାହୁଁ ନ ଥିଲା ଭାରତ ଏହି ଜ୍ଞାନକୌଶଳରେ ଆଗକୁ ବଢୁ। ନିଜସ୍ବ ନିର୍ମିତ କ୍ରାୟୋଜେନିକ ଇଞ୍ଜିନ୍‌ର ଜ୍ଞାନ କୌଶଳ ଭାରତକୁ ବିଶ୍ୱ ଦରବାରରେ ଏକ ଭିନ୍ନ ପରିଚୟ ଦେଇପାରିଥା’ନ୍ତା। କିନ୍ତୁ ସେହି ଘୃଣ୍ୟ ମାନସିକତା ବ୍ୟକ୍ତି ବିଶେଷ ହେଉ ଅବା ଦେଶ କଥା ହେଉ ଶିଡ଼ିର ଉପରକୁ କାହାରିକୁ ଯିବାକୁ ଦେବା ନାହିଁ। ତା’ ପୂର୍ବରୁ କଳେବଳେ କୌଶଳେ ତା’ ଗୋଡ଼କୁ ତଳକୁ ତଳକୁ ଟାଣିବା। ନମ୍ବି ନାରାୟଣଙ୍କ କ୍ଷେତ୍ରରେ ତାହା ହିଁ ହୋଇଥିଲା। ତାଙ୍କୁ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଦର୍ଶାଇ ଜେଲର କାଳକୋଠରି ମଧ୍ୟରେ ରଖି ଦିଆଗଲା। ଆଉ ଭାରତ କ୍ରାୟୋଜେନିକ ଇଞ୍ଜିନ୍‌ ନିର୍ମାଣ କ୍ଷେତ୍ରରେ ୧୦ ବର୍ଷ ପଛକୁ ଚାଲିଗଲା। ଏହା ପ୍ରତ୍ୟେକଟି ଭାରତୀୟ ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା, ଯାହାର କ୍ଷତି ଅପୂରଣୀୟ।
ଶିଡ଼ିର ମୂଳଟି ମାଟି ମଗ୍ନା କିନ୍ତୁ ତାହାର ପାହାଚଗୁଡ଼ିକ ଆକାଶ ମନସ୍କ। ସେଥିପାଇଁ ବୋଧହୁଏ ମଣିଷ ଯେତେବେଳେ ଗୋଟିଏ ଗୋଟିଏ ପାହାଚ ଚଢ଼ି ଚଢ଼ି ଯାଏ, ମାଟିଠାରୁ ସେତିକି ଦୂରେଇ ଦୂରେଇ ଯାଏ। ଯେତେ ଉପରକୁ ଯାଏ, ତଳ ପାହାଚର ଲୋକମାନେ ତାକୁ ସେତିକି ଛୋଟ ପ୍ରତୀୟମାନ ହୁଅନ୍ତି। ସେ ଭୁଲିଯାଏ ତାହାର ମୂଳଦୁଆକୁ। ଭୁଲିଯାଏ ମାଟିକୁ। ଭୁଲି ଯାଏ ସମ୍ପର୍କକୁ ସବୁ କିଛିକୁ। ତାକୁ ଖାଲି ନିଜର ଉଚ୍ଚତା ହିଁ ଦେଖାଯାଏ। ଧରା ତାହାକୁ ସରା ଭଳି ଦେଖାଯାଏ। ସେ ବୁଝେ ନାହିଁ ଦିନେ ତାକୁ ସେହି ମାଟିକୁ ଫେରିବାକୁ ହେବ। ଉପର ପାହାଚରେ ବସି, ଅହଂରେ ଡୁବି ଯାଏ। ସେ ବୁଝେ ନାହିଁ ଜୀବନ ସାପ ଓ ଶିଡ଼ିର ଖେଳ ମାତ୍ର। ଲୁଡୁର ଗୋଟି ଗଡ଼ି ଚାଲିଥାଏ। ତା’ ସହିତ ଗଡ଼ି ଚାଲିଥାଏ ଜୀବନ, ଛାଇ ଆଲୁଅର ଖେଳ ଭଳି। କେବେ ଉପର, କେବେ ତଳ। କେବେ ସାପ, କେବେ ଶିଡ଼ି। ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର। ତା’ ପରେ ମଣିଷର ଅନ୍ଧାରି ମନ ଗହ୍ବରରେ କ’ଣ କମ୍‌ ସାପ ଅଛନ୍ତି। ଯେଉଁମାନେ ନିମିଷକରେ ଅହଂକାରୀ ମଣିଷର ସତ୍ତାକୁ ପାଟି ପାଖରେ ଗିଳି ଦେଇ, ଲାଞ୍ଜ ପାଖରେ କାଢ଼ି ଦିଅନ୍ତି। ସେଇ ସାପଟି ହେଉଛି ମଣିଷ ମନର ଲୋଭ ଓ ଆସକ୍ତି। କିଛି ଲୋକ ଶିଡ଼ିର ଉପର ପାହାଚରେ ଥା’ନ୍ତି, କିଛି ମଝିରେ ଆଉ କିଛି ତଳ ପାହାଚରେ। ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଜାଣନ୍ତି ନାହିଁ ଶିଡ଼ି ବୋଲି କିଛି ଅଛି। ମଣିଷ ଶିଡ଼ି ଚଢ଼ୁ, କିନ୍ତୁ ଶିଡ଼ି ବୋଲି କିଛି ଅଛି ଜାଣି ନ ଥିବା ଭଳି ନିରୀହ ମଣିଷକୁ ପାହାଚ ନ କରୁ।
ଭୁବନେଶ୍ବର
ମୋ-୯୦୪୦୩୬୦୨୫୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri