ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ ଯେ, ଭାରତର କୂଟନୈତିକ ବ୍ୟବସ୍ଥାକୁ ଦ୍ରୁତ ପରିବର୍ତ୍ତନଶୀଳ ବୈଶ୍ୱିକ ଭୂ-ରାଜନୈତକ ସ୍ଥିତି ସହ ଖାପ ଖୁଆଇବାକୁ ପଡ଼ିବ, ନଚେତ ଦେଶ ପଛରେ ପଡ଼ିଯିବାର ଆଶଙ୍କା ରହିଛି। ଗତ ସପ୍ତାହରେ ବାଂଲାଦେଶରେ ଭାରତର ରାଷ୍ଟ୍ରଦୂତ ଭାବେ ଦିନେଶ ତ୍ରିବେଦୀଙ୍କ ନିଯୁକ୍ତି ଏହି ଚିନ୍ତାଧାରାକୁ ପ୍ରତିଫଳିତ କରୁଥିବା ମନେହେଉଛି। ଏହା ସୂଚିତ କରୁଛି ଯେ, ବର୍ତ୍ତମାନ ଭାରତର ବୈଦେଶିକ ନୀତି ଅଧିକ ଜଟିଳ ଓ ଆହ୍ବାନପୂର୍ଣ୍ଣ ହେଉଥିବା ବେଳେ ସରକାର ରଣନୈତିକ ନିଷ୍ପତ୍ତିକୁ ଗୁରୁତ୍ୱ ଦେଉଛନ୍ତି।
ପର୍ଯ୍ୟବେକ୍ଷକଙ୍କ ମତରେ କୂଟନୀତି ପ୍ରାୟତଃ ବୈଠକ, ସ୍ବାଗତ ସମାରୋହ, ସାଂସ୍କୃତିକ କାର୍ଯ୍ୟକ୍ରମରେ ସୀମାବଦ୍ଧ ହୋଇ ରହିଯାଇଛି। କିନ୍ତୁ ପ୍ରକୃତରେ କୂଟନୀତିର ସଫଳତା ପ୍ରଭାବ ବୃଦ୍ଧି, ବଜାର ବିସ୍ତାର, କୌଶଳଗତ ଭାଗୀଦାରି ଗଠନ ଏବଂ ଜାତୀୟ ସ୍ବାର୍ଥକୁ ଆଗକୁ ନେବା ଉପରେ ନିର୍ଭର କରେ । ଏକ ଭୂ-ରାଜନୈତିକ ପ୍ରତିଯୋଗିତାପୂର୍ଣ୍ଣ ଯୁଗରେ କେବଳ ଘଟଣାବଳୀ ସମ୍ପର୍କରେ ରିପୋର୍ଟ ଦେଉଥିବା କୂଟନୀତିଜ୍ଞ ଦେଶ ପାଇଁ ପର୍ଯ୍ୟାପ୍ତ ନୁହେଁ; ବରଂ ଯେଉଁମାନେ ଘଟଣାକୁ ନୂତନ ଦିଗ ଦେଇପାରିବେ ସେମାନେ ଦରକାର। ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ସରକାର ‘ସ୍ମାର୍ଟ ପାୱାର ଡିପ୍ଲୋମାସି’ ଉପରେ ଗୁରୁତ୍ୱ ଦେଉଛନ୍ତି।
ସିଇଓ ଦୌଡ଼
ନୀତି ଆୟୋଗର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନିଯୁକ୍ତି ପ୍ରକ୍ରିୟା ଜୋରଦାର ହେଉଥିବା ଜଣାପଡ଼ୁଛି। ପ୍ରଶାସନିକ ମହଲରେ ଚର୍ଚ୍ଚା ହେଉଛି ଯେ, ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଅନୁରାଗ ଜୈନ ଏହି ଦୌଡ଼ରେ ଆଗରେ ଅଛନ୍ତି। ଫେବୃଆରୀ ୨୦୨୬ରେ ବି.ଭି.ଆର୍. ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ଶେଷ ହେବା ପରଠାରୁ ଏହି ପଦବୀ ଖାଲି ପଡ଼ିଛି। ବର୍ତ୍ତମାନ ନୀତି ଆୟୋଗର ଡେଭଲପ୍ମେଣ୍ଟ ମନିଟରିଂ ଆଣ୍ଡ୍ ଇଭୋଲ୍ୟୁଶନ ଅଫିସ (ଡିଏମ୍ଇଓ)ର ମହାନିର୍ଦ୍ଦେଶକ ପଦରେ ଥିବା ନିଧି ଛିବ୍ବର ସିଇଓ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। କେନ୍ଦ୍ର ସରକାର ଯଥାଶୀଘ୍ର ଜଣେ ପୂର୍ଣ୍ଣକାଳୀନ ସିଇଓ ନିଯୁକ୍ତ କରିବାକୁ ଚାହୁଁଥିବା ଜଣାପଡ଼ିଛି। ନୀତି ପ୍ରଣୟନ, ଫଳାଫଳ ଉପରେ ନଜର ରଖିବା ଏବଂ କେନ୍ଦ୍ର-ରାଜ୍ୟ ସମନ୍ବୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ, ଆଗାମୀ ବର୍ଷଗୁଡ଼ିକରେ ନୀତି ଆୟୋଗ ଆହୁରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ସେ ଦୃଷ୍ଟିରୁ ଜୈନଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଥିବା ସହ ଭିତ୍ତିଭୂମି ଯୋଜନା ଓ ପ୍ରଯୁକ୍ତିକୈନ୍ଦ୍ରିକ ଶାସନରେ ଦକ୍ଷତା ରହିଛି । ପିଏମ୍ ଗତି ଶକ୍ତି ନ୍ୟାଶନାଲ ମାଷ୍ଟର ପ୍ଲାନ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବାରେ ତାଙ୍କର ଅବଦାନ ରହିଛି। ସେ ବର୍ତ୍ତମାନ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟରତ ଏବଂ ନୀତି ଆୟୋଗରେ ପୂର୍ବରୁ ଅତିରିକ୍ତ ସଚିବ ଓ ପରାମର୍ଶଦାତା ଭାବେ କାମ କରିଥିବାରୁ ସଂସ୍ଥାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ତାଙ୍କର ଗଭୀର ଅଭିଜ୍ଞତା ଅଛି। ସିଇଓ ନିଯୁକ୍ତି କେବଳ ଏକ ଖାଲି ପଦ ପୂରଣ ପାଇଁ ନୁହେଁ; ବରଂ ‘ବିକଶିତ ଭାରତ’ ଲକ୍ଷ୍ୟକୁ ଆଗକୁ ନେବା ପାଇଁଏକ ସଙ୍କେତ।
ମହାରତ୍ନ ପାଇଁ ପରୀକ୍ଷା
ଦୀର୍ଘ ଦଶନ୍ଧି ଧରି ମହାରତ୍ନ ମାନ୍ୟତା ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍ୟୁ) ଗୁଡ଼ିକ ପାଇଁ ସର୍ବୋଚ୍ଚ ସମ୍ମାନ ଭାବେ ରହିଆସିଛି। ଥରେ ଏହି ମାନ୍ୟତା ମିଳିଗଲେ ତାହା ସ୍ଥାୟୀ ବୋଲି ଧରାଯାଉଥିଲା, କିନ୍ତୁ ଏବେ ପରିସ୍ଥିତି ବଦଳୁଛି। ଜଣାପଡ଼ିଛି କେନ୍ଦ୍ର ସରକାର ବିଏଚ୍ଇଏଲ୍ ଓ ସେଲ୍କୁ ଏକ ବର୍ଷ ମଧ୍ୟରେ ଆର୍ଥିକ ପ୍ରଦର୍ଶନ ସୁଧାରିବାକୁ କହିଛନ୍ତି, ନଚେତ ସେମାନଙ୍କ ମହାରତ୍ନ ମାନ୍ୟତା ନବରତ୍ନ ଶ୍ରେଣୀକୁ ଖସିଯିବାର ଆଶଙ୍କା ରହିଛି। ସମସ୍ୟା ସେମାନଙ୍କ ଆକାର କିମ୍ବା ଗୁରୁତ୍ୱକୁ ନେଇ ନୁହେଁ; ବରଂ ପ୍ରକୃତ ସମସ୍ୟା ରହିଛି ଶିଳ୍ପଗତ ଲାଭରେ, ଯାହା ମହାରତ୍ନ ମାନ୍ୟତା ବଜାୟ ରଖିବାର ପ୍ରମୁଖ ମାନଦଣ୍ଡ।
ସରକାରୀ ଅନୁମତି ବିନା ମହାରତ୍ନ କମ୍ପାନୀଗୁଡ଼ିକର ବଡ଼ ଧରଣର ନିବେଶ କ୍ଷେତ୍ରରେ ନିଷ୍ପତ୍ତି ନେବାର ସ୍ବାଧୀନତା ରହିଛି। ଏହି ମାନ୍ୟତା ହରାଇଲେ ସରକାରୀ ନିୟନ୍ତ୍ରଣ ବଢ଼ିବ ଓ ସ୍ବାଧୀନତା ରହିବନି। ବିଏଚ୍ଇଏଲ୍ ଓ ସେଲ୍ ଏପରି କ୍ଷେତ୍ରରେ କାମ କରନ୍ତି ଯେଉଁଠାରେ ବଜାରର ଉତ୍ଥାନ-ପତନ, ସରକାରୀ ବ୍ୟୟ ଏବଂ ବୈଶ୍ୱିକ ପରିସ୍ଥିତି ସେମାନଙ୍କ ଲାଭକୁ ପ୍ରଭାବିତ କରିଥାଏ। ତେଣୁ କେବଳ ଲାଭ ଆଧାରରେ ସେମାନଙ୍କୁ ବିଚାର କରିବା ସେମାନଙ୍କର ବୃହତ୍ତର କୌଶଳଗତ ଅବଦାନକୁ ଅଣଦେଖା କରିପାରେ। ତେବେ ବିଶେଷ ସୁବିଧା ଜାରି ରଖିବାକୁ ହେଲେ ନିରନ୍ତର ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବା ଆବଶ୍ୟକ। ବର୍ତ୍ତମାନର ଯୁଗରେ ନିରନ୍ତର କାର୍ଯ୍ୟଦକ୍ଷତା ହିଁ ସମ୍ମାନ ଓ ସ୍ବାଧୀନତାର ପ୍ରକୃତ ଆଧାର।
ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍
Email: dilipcherian@gmail.com