ପାପ ସମସ୍ତଙ୍କର

ଗତ କିଛିଦିନ ହେବ କ୍ରସ୍‌ଭୋଟିଂ (କୌଣସି କାରଣରୁ ପ୍ରଭାବିତ ହୋଇ ଅନ୍ୟ ଦଳକୁ ଭୋଟ ଦେବା), ଡିଫେକ୍ସନ (ନିର୍ବାଚିତ ହୋଇଥିବା ଦଳକୁ ଛାଡ଼ି ଅନ୍ୟତ୍ର ଯିବା) ଓ ହର୍ସ ଟ୍ରେଡିଂ (ଘୋଡ଼ା ବେପାର) ଭଳି ଶବ୍ଦ ବହୁଳ ଭାବେ ବ୍ୟବହାର କରାଯାଉଛି। ଏହି ଅନୈତିକ କାର୍ଯ୍ୟ ଏକ ବିଚିତ୍ର ମାନସିକତା ପ୍ରଦର୍ଶନ କରିଥାଏ। ରାଜନୀତିରେ ଜନସେବା ଏବଂ ଦେଶର ଚିନ୍ତା କରିବା ପରିବର୍ତ୍ତେ ଯେତେବେଳେ ଅନ୍ୟ ଆକର୍ଷଣ ଜୋର୍‌ ଧରେ ସେତେବେଳେ ସମ୍ପୃକ୍ତ ନିର୍ବାଚିତ ପ୍ରତିନିଧି ନିଜର ବିଶ୍ୱାସକୁ ଜଳାଞ୍ଜଳି ଦେଇ କେବଳ ସ୍ବାର୍ଥ ଓ ସୁବିଧାକୁ ଦେଖିଥାଏ। ଏଭଳି ଚରିତ୍ର ଏବେ ଅଧିକ ବ୍ୟାପକ ହେଉଥିବାର ପ୍ରମାଣ ସବୁଆଡ଼େ ମିଳୁଛି।
ନିକଟରେ ରାଜ୍ୟ ସଭା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ହିମାଚଳ ପ୍ରଦେଶରେ କ୍ରସଭୋଟିଂ ହେବାରୁ କଂଗ୍ରେସ ପାଖରେ ଆବଶ୍ୟକ ସଦସ୍ୟ ଥିଲେ ମଧ୍ୟ ତା’ର ପ୍ରାର୍ଥୀ ଅଭିଷେକ ମନୁ ସିଙ୍ଗ୍‌ଭି ହାରିଯାଇଥିଲେ। ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଥିଲେ। ଉଲ୍ଲେଖ କରାଯାଇପାରେ ଯେ, ୬୮ ସଦସ୍ୟ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସର ୪୦ ଓ ୩ ସ୍ବାଧୀନ ବିଧାୟକଙ୍କୁ ନେଇ ସରକାର ଥିବା ବେଳେ ଭାଜପା ପାଖରେ ଥିଲା ମାତ୍ର ୨୫ ସଦସ୍ୟ। କଂଗ୍ରେସର ୬ ଓ ୩ ସ୍ବାଧୀନ ବିଧାୟକଙ୍କୁ ନେଇ ଭାଜପା ରାଜ୍ୟ ସଭା ନିର୍ବାଚନକୁ ଗୋଳମାଳିଆ କରିଦେଲା।
ଉପରଲିଖିତ ଘଟଣା ଭାରତୀୟ ରାଜନୀତିରେ ନୂଆ ନୁହେଁ। ହେଲେ ଏହି ଧାରା ଜାରି ରହିବା ଗଣତନ୍ତ୍ର ପାଇଁ ଅସ୍ବାସ୍ଥ୍ୟକର। ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ଯେ, କେନ୍ଦ୍ରରେ ଶାସନ କରୁଥିବା ଭାଜପା ବିରୋଧୀଶୂନ୍ୟ ଶାସନ କରିବାକୁ ଚେଷ୍ଟା କରୁଛି। ଘୋଡ଼ା ବେପାର ଯେଉଁଠି ସମ୍ଭବ ହେଉ ନାହିଁ ବା ବିରୋଧୀଙ୍କ ସଂଖ୍ୟା ଭାଙ୍ଗିବା ଲାଗି ସଫଳ ନ ହେଲେ, ସେମାନଙ୍କୁ ଦମନ କରିବା ଲାଗି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ପଛରେ ଲଗାଇ ଦିଆଯାଉଛି। ଫଳରେ ସେମାନେ ଭୟଭୀତ ହୋଇଯାଉଛନ୍ତି। ଆଜିର ପରିସ୍ଥିତିରେ ଅଧିକାଂଶ ରାଜନୈତିକ ବ୍ୟକ୍ତିଙ୍କର ଭିନ୍ନ ରୋଜଗାର ପନ୍ଥା ରଖିବା ଆବଶ୍ୟକ ହୋଇପଡୁଛି। ରାଜନୀତି ବ୍ୟତୀତ ଅନ୍ୟ ବାଟରେ ରୋଜଗାର କରିପାରିଲେ ଏହି ବ୍ୟକ୍ତିମାନେ ବଞ୍ଚିପାରିବେ। ଯେତେ ପ୍ରଚାର କରାଗଲେ ମଧ୍ୟ ବିଧାୟକ ଏବଂ ସାଂସଦମାନଙ୍କୁ ମିଳୁଥିବା ଦରମା ତୁଳନାରେ ସେମାନଙ୍କର ନିର୍ବାଚନମଣ୍ଡଳୀ ପାଇଁ ଖର୍ଚ୍ଚ ଦଶ ଗୁଣା ହୋଇଥାଏ। ଯେଉଁ ନିର୍ବାଚିତ ପ୍ରତିନିଧି ସହିତ ବ୍ୟବସାୟିକ ବନ୍ଧୁ ବା ପରିବାର ରହି ନ ଥିବେ ସେଭଳି ବ୍ୟକ୍ତି ତିଷ୍ଠିବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ। ଦେଖିବାକୁ ଗଲେ ଭାରତର ସବୁ କ୍ଷମତାସୀନ ରାଜନୈତିକ ଦଳ ମଧ୍ୟ ଦୁର୍ନୀତି କରିବା ପାଇଁ ବାଧ୍ୟ ହୋଇ ନିଜର ବ୍ୟବସାୟିକ ଗୋଷ୍ଠୀକୁ ଅହେତୁକ ଅନୁଗ୍ରହ ଦେଖାଇଥାନ୍ତି। ଏହା ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି। ଆଜି ଯେଉଁମାନେ କ୍ଷମତାରେ ଅଛନ୍ତି, ସେମାନେ ମଧ୍ୟ ପୂର୍ବରୁ ସିବିଆଇକୁ ‘କଂଗ୍ରେସ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ’ ଆଖ୍ୟା ଦେଇଥିଲେ। ଏବେ ପାଲଟା ପରିସ୍ଥିତିରେ ସେହି ଲୋକମାନେ ସିବିଆଇ, ଇଡି ଏବଂ ଇନ୍‌କମ୍‌ ଟ୍ୟାକ୍ସ ଭଳି ତଦନ୍ତକାରୀ ଓ ଦୁର୍ନୀତି ନିରୋଧୀ ସଂସ୍ଥାକୁ ନିଜର ରାଜନୈତିକ ଫାଇଦା ପାଇଁ ଖୋଲାଖୋଲି ଓ ଅତ୍ୟଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ସମ୍ଭବତଃ ଏହି ଲୋକମାନେ ଯେତେବେଳେ କ୍ଷମତାରୁ ଯିବେ ତାଙ୍କର ଓ ତାଙ୍କ ସହଯୋଗୀ ବ୍ୟବସାୟୀଙ୍କ ବିରୋଧରେ ପରବର୍ତ୍ତୀ ସରକାର ଏହି ସଂସ୍ଥାଗୁଡ଼ିକୁ ଲଗାଇବାକୁ ପଛଘୁଞ୍ଚା ଦେବେନାହିଁ। ଏହା ସତ୍ୟ ଯେ ରାଜନୀତି କରୁଥିବା ସବୁ ଦଳକୁ ନିର୍ବାଚନ ବେଳେ କଳାଧନ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ପୂର୍ବରୁ ତାହା କଂଗ୍ରେସ କରୁଥିଲା। ଏବେ ଭାଜପା ମଧ୍ୟ ସେଇଆ କରୁଛି। ଅର୍ଥାତ୍‌ ଯିଏ ଆସିଲା ସିଏ ସେହି ଗାତରେ ମୁଣ୍ଡପୋତି ପଡ଼ିଲା। କେତୋଟି ଦଳରେ ଅନେକ ରାଜନେତା ନିଜ ନିଜର ରୋଜଗାର କରିଥାନ୍ତି। ଆଉ କେତୋଟି ଦଳରେ କେବଳ ମୁଖ୍ୟ ଲୋକ ସବୁ ଅର୍ଥ ଠୁଳ କରି ଅନ୍ୟମାନଙ୍କୁ ସମୟ ଆସିଲେ ଖଟେଇ ଥାଆନ୍ତି। ତେବେ ପାପ ସମସ୍ତଙ୍କର ଏକପ୍ରକାର। ଏମାନଙ୍କ ମଧ୍ୟରୁ କେହି ଭଲ ଖରାପ ବାଛିପାରିବେ ନାହିଁ। ସାଧାରଣ ଲୋକ ନିଶାରେ କିଛିଦିନ କାହା ପଛରେ ଧାଇଁଥାନ୍ତି। ନିଶା ଛାଡ଼ିଗଲେ ମୋହ ଛାଡ଼ିଯାଏ। ପୁନର୍ବାର ନିଶା ହେଲେ ଆଉ କାହା ପଛରେ ଦୌଡ଼ି ଥାଆନ୍ତି। ଦୌଡ଼ିବା ହେଉଛି ଜନସାଧାରଣଙ୍କ ଭାଗ୍ୟ।
ଏବେ ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାୟକଙ୍କୁ ଡରାଇ, ଧମକାଇ କିମ୍ବା ଅର୍ଥ ଲାଳସା ଦେଖାଇ ଏପଟ ସେପଟ କରିଦିଆଯାଇ ପାରିଛି। ଏହା କାହାର ଦୋଷ ବୋଲି କହିବା କଷ୍ଟକର। କାରଣ ନିଜ ସୁବିଧା ପାଇଁ କିଛି ଲୋକ ଦେଉଥିବା ବେଳେ ସେହିଭଳି ଅନ୍ୟ କିଛି ଲୋକ ନେଉଛନ୍ତି। ଯଦି ଘୁଷ୍‌ ଦେବାକୁ କେହି ନ ଥିବେ ପୃଥିବୀରେ କେହି ଘୁଷ୍‌ ନେଇପାରିବେ ନାହିଁ। ଆଜିର ଭାରତୀୟ ରାଜନୈତିକ ନେତାଙ୍କ ଚରିତ୍ର ସ୍ପଷ୍ଟ ଭାବେ ସାଧାରଣ ଲୋକଙ୍କ ଚରିତ୍ରକୁ ଦର୍ଶାଉଛି। ଆମ ଭିତରେ ଥିବା ଲୋଭ ଏବଂ ଭୟ ଉଭୟ ଆମ ନେତାମାନଙ୍କ ମନରେ ରହିଛି। ରାଜନେତାମାନେ ସ୍ବର୍ଗରୁ ଖସିନାହାନ୍ତି କିମ୍ବା ସେମାନଙ୍କୁ ଭଗବାନଙ୍କ ଆଖ୍ୟା ଦେବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri