ସଙ୍କଟରେ ଶିମିଳିପାଳ

ଡ . ପ୍ରଫୁଲ୍ଲ କୁମାର ସାହୁ

ଶୋଭାର ଭଣ୍ଡାର ଭଞ୍ଜଭୂମି ମୟୂରଭଞ୍ଜ। ଆୟତନ ଦୃଷ୍ଟିରୁ ଓଡ଼ିଶାର ଏହି ସର୍ବବୃହତ୍‌ ଜିଲାର ମଧ୍ୟଭାଗରେ ଅବସ୍ଥିତ ଶିମିଳିପାଳ ଜୈବମଣ୍ଡଳ। ୨୭୫୦ ବର୍ଗ କିମି କ୍ଷେତ୍ରଫଳ ବିଶିଷ୍ଟ ଶିମିଳିପାଳ କେବଳ ଦେଶର ସର୍ବବୃହତ୍‌ ବିଶୁବ ମଣ୍ଡଳୀୟ ଜଙ୍ଗଲ ନୁହେଁ, ଏହା ଏସିଆ ମହାଦେଶରେ ଦ୍ବିତୀୟ ବୃହତ୍ତମ ଅମ୍ଳଜାନ କେନ୍ଦ୍ର। ଏକାଧାରରେ ଜାତୀୟ ଉଦ୍ୟାନ, ବ୍ୟାଘ୍ର ପ୍ରକଳ୍ପ ଓ ହସ୍ତୀ ଅଭୟାରଣ୍ୟ ଭାବରେ ପରିଚିତ ଉକ୍ତ ଅଭୟାରଣ୍ୟକୁ ୟୁନେସ୍କୋ ପକ୍ଷରୁ ମିଳିଛି ବିଶ୍ବ ଐତିହ୍ୟ ମାନ୍ୟତା। ସାଧାରଣତଃ ବିଶ୍ବର ଯେ କୌଣସି ପର୍ଯ୍ୟଟନ ସ୍ଥଳୀ ନିର୍ଦ୍ଦିଷ୍ଟ ଏକ ବିଶେଷତାକୁ ନେଇ ପ୍ରସିଦ୍ଧି ଲାଭ କରିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ରହିଛି ଅସୁମାରି ବିଶେଷତା। ବିସ୍ତୃତ ସବୁଜ ବନାନୀ, ଥାକଥାକ ନଭଶ୍ଚୁମ୍ବୀ ପର୍ବତ, ଭାସମାନ ମେଘମାଳା ଓ କଳକଳ ନାଦିନୀ ଝରଣା ଆଦି କ’ଣ ନାହିଁ ଏ ଅଭୟାରଣ୍ୟରେ! ସମୁଦ୍ର ଜଳପତ୍ତନଠାରୁ ପ୍ରାୟ ୧୧୬୫ ମିଟର ଉଚ୍ଚରେ ଅବସ୍ଥିତ ଶିମିଳିପାଳ ଜୈବମଣ୍ଡଳର ସର୍ବୋଚ୍ଚ ଗିିରିଶୃଙ୍ଗ ମେଘାସନୀ ପର୍ବତ। ମେଘାସନୀ ଉପରକୁ ଚାହିଁଦେଲେ ଲାଗେ, ସତେ ଯେମିତି ଆକାଶ ଏଠି କଥା କହୁଛି ପୃଥିବୀ କାନରେ ଏବଂ ଖଣ୍ଡଖଣ୍ଡ ଭସା ବାଦଲ ସବୁ ଧଳା ଫୁଲ ପରି ଶୋଭା ପାଉଛି ଧରଣୀରାଣୀର ଗଭାରେ। ଗିରି କନ୍ଦର ବୁକୁ ଚିରି ସର୍ପିଳ ଗତିରେ ବହି ଯାଉଛି ବଲାଙ୍ଗୀ, ସୋନ, ଗଙ୍ଗାହାର, ଦେଓ, ସଞ୍ଜ ଓ ଖଇରି ଆଦି କେତେ ସାନ ବଡ଼ ନଦୀ ଏବଂ ଝରଣା। ଘଞ୍ଚ ଅରଣ୍ୟ ମଧ୍ୟରେ ଛିଡ଼ା ହୋଇଥିବା ସୁଉଚ୍ଚ ପାହାଡ଼ ମଥାନରୁ କ୍ଷିପ୍ର ଗତିରେ ଝରିପଡୁଛି ବରେହିପାଣି ଓ ଯୋରନ୍ଦା ଆଦି ମନୋରମ ଜଳପ୍ରପାତ। ଜୈବ ବିବିଧତାର ଅସୁମାରି ଭଣ୍ଡାର ଶିମିଳିପାଳରେ ରହିଛି ଶାଳ, ପିଆଶାଳ, ଶିଶୁ, ଅସନ, ଶିମିଳି ଓ ଚମ୍ପା ଆଦି ୧୦୭୬ ପ୍ରକାର ବୃକ୍ଷଲତା ଏବଂ ୯୬ ପ୍ରକାର ଅର୍ଚିଡ୍‌ ପ୍ରଜାତିର (ଚିତ୍ରା ଜାତୀୟ) ଫୁଲ। ଏଠାରେ ଏମିତି ୫୫ ପ୍ରକାର ବିରଳ ବୃକ୍ଷ ଅଛି, ଯାହା ଦେଖିବାକୁ ମିଳେନି ବିଶ୍ବର ଅନ୍ୟ କୌଣସି ସ୍ଥାନରେ। ଜୈବମଣ୍ଡଳର ବଡ଼ ଆକର୍ଷଣ ହେଉଛି ଏଠାରେ ଥିବା ୫୫ ଜାତିର ପଶୁ, ୬୨ ପ୍ରକାର ସରୀସୃପ ଓ ୩୦୪ ପ୍ରଜାତିର ପକ୍ଷୀ। ପ୍ରଚଣ୍ଡ ଶୀତ, ସୁଖଦଃ ଗ୍ରୀଷ୍ମ ଓ ମୁଷଳ ବର୍ଷାର ଅନୁଭବ ମଧ୍ୟରେ ଜଳବାୟୁର ବିସ୍ମୟକର ବିବିଧତା ହିଁ ଶିମିଳିପାଳ ଜୈବମଣ୍ଡଳର ଅନନ୍ୟ ବିଶେଷତା। ବନଭୂମିର ରଙ୍ଗ, ଶବ୍ଦ ଓ ଆଲୋକର ମହୋତ୍ସବରେ ଗୁଞ୍ଜରିତ ହୁଏ ଜୀବନର ନୂଆ ଛନ୍ଦ। କବି, କଳାକାର, ଭାବୁକ, ଦାର୍ଶନିକ ଓ ପ୍ରକୃତିପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରେ ତା’ର ଶାନ୍ତ, ସ୍ନିଗ୍ଧ ପରିବେଶ। ଶିମିଳି ଗଛରେ ପରିପୂର୍ଣ୍ଣ ଏହି ବନଭୂମି ତଥା ଉତ୍ତୁଙ୍ଗ ପର୍ବତମାଳାର ଚାରୁ ସୁଷମାରେ ବିମୋହିତ ହୋଇ କବିବର ରାଧାନାଥ ଲେଖିଛନ୍ତି- ”ଶାଶ୍ମଳୀ ଶୈଳୁଁ ତିନି ସ୍ଥାନୁ ତିନି ତଟିନୀ ଝରେ, ଲଂଘି ନାନା ବନ ଜନପଦ ମିଶେ ବଂଗସାଗରେ।“ (ଉଷା)
ଶିମିଳିପାଳ କେବଳ ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର ନୁହେଁ, ଏହା ଆମ ଜୀବନ ଜୀବିକାର ଆଧାର। ଶିମିଳିପାଳ ପାଦଦେଶରେ ବାସ କରୁଥିବା ଜନଜାତିର ଲୋକଙ୍କ ଆୟର ସିଂହଭାଗ ନିର୍ଭର କରେ ଏହି ଅଭୟାରଣ୍ୟ ଉପରେ। ତା’ର ପ୍ରାକୃତିକ ଅବସ୍ଥିତିକୁ ଦୃଷ୍ଟିରେ ରଖି ପରିବେଶ ବିଜ୍ଞାନୀମାନେ କୁହନ୍ତି- ଶିମିଳିପାଳ ନ ଥିଲେ ଶସ୍ୟ ଶ୍ୟାମଳା ନୁହେଁ, ଏକ ମରୁ ଅଞ୍ଚଳରେ ପରିଣତ ହୋଇଥାଆନ୍ତା ଓଡ଼ିଶା। ଏହି ଦୃଷ୍ଟିରୁ ବିଚାର କଲେ ଶିମିଳିପାଳ ହେଉଛି ମାନବ ଜାତି ପ୍ରତି ପ୍ରକୃତିର ଏକ ମହାର୍ଘ ଦାନ। ଅଥଚ ପ୍ରକୃତିର ଏ ଅବଦାନ ପ୍ରତି ବଢ଼ିଚାଲିଛି ସ୍ବାର୍ଥାନ୍ଧ ମଣିଷର ଅବମାନନା। ଆମର ଏହି ଅପରିଣାମଦର୍ଶିତା ପାଇଁ କ୍ରମଶଃ ସଂକଟ ଭିତରକୁ ଟାଣି ହୋଇଯାଉଛି ଶୋଭାମୟୀ ଶିମିଳିପାଳ। ଆଇନକୁ ଆଖିଠାର ମାରି କେଉଁଠି ଜଙ୍ଗଲ ତସ୍କର ମୂଲ୍ୟବାନ୍‌ ଗଛ କାଟି ନେଉଛି ତ କେଉଁଠି ଶିକାରୀ ହାତରେ ଯାଉଛି ବନ୍ୟପ୍ରାଣୀଙ୍କ ଜୀବନ। ଆଗରୁ ଜଙ୍ଗଲରେ ନିଆଁ ଲାଗୁଥିଲା ବଜ୍ରପାତ କିମ୍ବା ଅନ୍ୟ କୌଣସି ପ୍ରାକୃତିକ କାରଣରୁ। ଏବେ କିନ୍ତୁ ଜଙ୍ଗଲ ଜଳିବା ପଛରେ ଥିବା କାରଣ ଭିତରୁ ପ୍ରାୟତଃ ନବେ ପ୍ରତିଶତ ହେଉଛି ମଣିଷକୃତ। କିଏ ପୋଡ଼ୁଚାଷ ପାଇଁ ତ କିଏ ବେଆଇନ ଗଛକଟାକୁ ଲୁଚାଇବା ପାଇଁ ଜଙ୍ଗଲ ଦେହରେ ଲଗାଇ ଦେଉଛି ନିଆଁ। କେଉଁଠି ଗଁାକୁ ରାସ୍ତା ଫିଟାଇବା ପାଇଁ ତ କେଉଁଠି ଜଙ୍ଗଲ ଜମି ଜବରଦଖଲ ପାଇଁ ଜଳୁଛି ଜଙ୍ଗଲ। ଏତଦ୍‌ଭିନ୍ନ ଜଙ୍ଗଲ ଜଳିବା ପଛରେ ରହିଛି ମହୁଲ ତୋଳିବା, ଅଙ୍ଗାର ପାଇବା, ବନ୍ୟପ୍ରାଣୀ ଶିକାର କରିବା ଓ ଦାୟିତ୍ୱହୀନ ଭାବରେ ଶୁଖିଲାପତ୍ର ଉପରକୁ ଜଳନ୍ତା ବିଡ଼ି ସିଗାରେଟ୍‌ ଫିଙ୍ଗିବା ଆଦି ବହୁବିଧ ମଣିଷକୃତ କାରଣ। ତେବେ ସେ ଯେଉଁ କାରଣରୁ ହେଉନା କାହିଁକି, ଏବେଏବେ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ସାରା ଦେଶରେ ଲାଗିରହିଛି ଚର୍ଚ୍ଚା। ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ଫେବୃୟାରୀ ୨୧ରେ ନିଆଁ ବନ ବିଭାଗ ଦୃଷ୍ଟିକୁ ଆସିଥିଲା, ଯାହା କ୍ରମଶଃ ଧାରଣ କରିଥିଲା ଭୟଙ୍କର ରୂପ। ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ଅଭୟାରଣ୍ୟର ଯୁଆଡ଼େ ଚାହିଁଲେ ଖାଲି ନିଆଁ ଆଉ ନିଆଁ। ଲାଲ୍‌ପିଣ୍ଡୁଳା ପରି ଦିଶୁଥିବା ସେ ନିଆଁର ଆଁ ଭିତରେ ଜଳିପୋଡ଼ି ପାଉଁଶ ହୋଇଗଲେ ଅନେକ ନିରୀହ ଜୀବଜନ୍ତୁ। ଧ୍ବଂସ ପାଇଗଲା ବିସ୍ତୃତ ଅଞ୍ଚଳବ୍ୟାପୀ ଔଷଧୀୟ ବୃକ୍ଷଲତା। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ହୋଇ ଜଙ୍ଗଲ ବାହାରକୁ ଧାଇଁଲେ ହରିଣ ଓ କୁଟୁରା ଭଳି ଭୟାଳୁ ପ୍ରାଣୀ। ତାତିର ପ୍ରକୋପ ବଢ଼ିବା ସହିତ ଶିମିଳିପାଳ ପାଦଦେଶରେ ଥିବା ଜନବସତି ଆଡ଼େ ପ୍ରସରି ଗଲା ଧୂଆଁ। ଲୋକଙ୍କ ଆଖି ପୋଡ଼ିଲା ଏବଂ ସେମାନେ ନିଃଶ୍ବାସ ପ୍ରଶ୍ବାସରେ ଅନୁଭବ କଲେ ଅସ୍ବାଭାବିକତା। ବନାଗ୍ନିର କରାଳ ରୂପ ଦେଖି ବିବ୍ରତ ହୋଇପଡ଼ିଲେ ଆଖପାଖ ଅଞ୍ଚଳର ଲୋକେ। ପ୍ରତିକାର ପାଇଁ ସରକାରଙ୍କୁ ଅନୁରୋଧ କଲେ ମୟୂରଭଞ୍ଜ ରାଜକୁମାରୀ ଏବଂ ଅନ୍ୟ ଅନେକ ପରିବେଶପ୍ରେମୀ।
ସେମାନଙ୍କ ଉଦ୍‌ବେଗର ଗମ୍ଭୀରତାକୁ ଅନୁଭବ କରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ତତ୍ପରତା। ଆରମ୍ଭ ହେଲା ନିଆଁକୁ ଆୟତ୍ତ କରିବା ପାଇଁ ଜୋରଦାର ଉଦ୍ୟମ। ମାତ୍ର ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ନିରବଚ୍ଛିନ୍ନ ପ୍ରୟାସ ତଥା ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ସତ୍ତ୍ବେ ଥମିବାର ନାଁ ନେଲାନି ବନାଗ୍ନିର ଭୟାବହତା। ଗୋଟିଏ ପଟରେ ନିଆଁ ନିୟନ୍ତ୍ରଣକୁ ଆସିଲେ ମଧ୍ୟ ଅନ୍ୟ ପଟରେ ଜଳିଲା ହୁତୁହୁତୁ ହୋଇ। ଶେଷରେ ମଣିଷର ଉଦାସୀନତା ଓ ଅସହାୟତାକୁ ଉପଲବ୍ଧି କରି ଇନ୍ଦ୍ର ଦେବତା ସିଞ୍ଜନ କଲେ କୃପାବାରି। ଦୀର୍ଘ ସମୟ ବୃଷ୍ଟିପାତ (୯-୩- ୨୦୨୧) ପରେ ନିଆଁ ନିୟନ୍ତ୍ରଣକୁ ଆସିଲା ସତ, କିନ୍ତୁ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ିଲା ଶିମିଳିପାଳ ସୁରକ୍ଷା କ୍ଷେତ୍ରରେ ଥିବା ଆମର ଅବହେଳା ଓ ଅପାରଗତା। ଏହି ପରିପ୍ରେକ୍ଷୀରେ ଆମେ ଜାଣିରଖିବା ଦରକାର, ଜୈବମଣ୍ଡଳର ସନ୍ତୁଳନ ପାଇଁ ଭୂପୃଷ୍ଠରେ ଅନୂ୍ୟନ ଏକ ତୃତୀୟାଂଶ ଅଞ୍ଚଳ ସବୁଜ ବନାନୀରେ ଆଚ୍ଛାଦିତ ହୋଇ ରହିିବା ଜରୁରୀ। ମାତ୍ର ବିକାଶ ନାଆଁରେ ଏଠି ନିପାତ ହେଉଛି ଜଙ୍ଗଲ। ଉଜୁଡ଼ି ଯାଉଛି ପଶୁପକ୍ଷୀଙ୍କ ଆଶ୍ରୟ ସ୍ଥଳୀ। ସନ୍ତୁଳନ ହରାଉଛି ଜୈବ ବିବିଧତା। ଘନଘନ ବଦଳୁଛି ଜଳବାୟୁ। ବିଶ୍ବତାପନ ଯୋଗୁ ତାତି ଉଠିଲାଣି ମେରୁ, ତରୁ, ମରୁ ତଥା ସମଗ୍ର ବାୟୁମଣ୍ଡଳ। ତରଳିବାକୁ ଆରମ୍ଭ କଲାଣି ହିମାଳୟ ଓ ଅନ୍ୟ ପର୍ବତମାଳାର ହିିିମବାହ। ଜଳ ବିଜ୍ଞାନୀଙ୍କ ମତରେ, ଉପୁଜିଲାଣି ପୃଥିବୀ ଜଳାର୍ଣ୍ଣବ ହେବାର ଆଶଙ୍କା। ଏହାକୁ ଦୃଷ୍ଟିରେ ରଖି ତିଆରି ହୋଇଛି କଠୋର ପରିବେଶ ଆଇନ। ମାତ୍ର ସବୁ ଆଇନକାନୁନକୁ ବେଖାତିର କରି ବଢୁଛି ଜଙ୍ଗଲ କ୍ଷୟ। ବାସ୍ତବରେ କେବଳ ଶିମିଳିପାଳ ନୁହେଁ, ବାଲେଶ୍ବରରୁ ବଲାଙ୍ଗିର ଯାଏ ସବୁଠି ଏବେ ଜଳୁଛି ଜଙ୍ଗଲ। ରାଜଧାନୀ ଉପକଣ୍ଠରେ ଥିବା ଚନ୍ଦକା ଜଙ୍ଗଲରେ ବି ଗତମାସ ନିଆଁ ଲାଗି ଜଳିଗଲା ହଜାର ହଜାର ବାଉଁଶ ଗଛ। ନିକଟରେ ପ୍ରକାଶିତ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ରିପୋର୍ଟ କହୁଛି- ଦେଶର ୧୧୭୦ଟି ସ୍ଥାନରେ ଏବେ ଦେଖିବାକୁ ମିଳୁଛି ବନାଗ୍ନିର କରାଳ ରୂପ। ଅନ୍ୟ ଏକ ତଥ୍ୟ ଅନୁସାରେ ଦେଶର ସମୁଦାୟ ଜଙ୍ଗଲର ପାଖାପାଖି ଷାଠିଏ ଶତାଂଶ ଏବେ ନିଆଁର ଆଁ ଭିତରେ। ତେବେ ପ୍ରଶ୍ନ ଉଠୁଛି ଜଙ୍ଗଲ ସୁରକ୍ଷା ଦିଗରେ ଆମର ଏତେ ଅବହେଳା କାହିଁକି?
ଏକଥା ସତ୍ୟ ଯେ, ଲୋକଙ୍କ ସହଭାଗିତା ବିନା ବିସ୍ତୃତ ଜଙ୍ଗଲକୁ ସୁରକ୍ଷା ଦେବା ସରକାରଙ୍କ ପକ୍ଷେ କାଠିକର ପାଠ। ତେଣୁ ଏ ଦିଗରେ ଜନସଚେତନତା ସୃଷ୍ଟି ହେବା ଆବଶ୍ୟକ। ବିଶେଷକରି ଜଙ୍ଗଲ ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ବୁଝିବା ଦରକାର ଯେ, ଜଙ୍ଗଲ କେବଳ ସରକାରଙ୍କର ନୁହେଁ, ଏହା ଲୋକଙ୍କ ସଂପତ୍ତି ଏବଂ ତା’ର ସୁରକ୍ଷା ଦାୟିତ୍ୱ ଲୋକଙ୍କର। ସେମାନଙ୍କ ଭିତରେ ଏହି ବିଶ୍ବାସ ଭରିଦେବା ପାଇଁ ମୁଖ୍ୟତଃ ରାଜନେତାମାନେ ଆଗେଇ ଆସିବା ଦରକାର। ମାତ୍ର ବିଡ଼ମ୍ବନାର ବିଷୟ, ଆମ ଦେଶରେ କେଉଁଠି ଉପନିର୍ବାଚନ ହେଲେ ନେତାମୟ ହୋଇଯାଏ ସେ ଅଞ୍ଚଳ, କିନ୍ତୁ ସପ୍ତାହବ୍ୟାପୀ ଅଭୟାରଣ୍ୟ ଜଳୁଥିଲେ ବି ସ୍ଥିତି ଅନୁଧ୍ୟାନ ପାଇଁ ଘଟଣା ସ୍ଥଳରେ ପହଞ୍ଚତ୍ପାରନ୍ତି ନାହିଁ କୌଣସି ନେତା। କେବଳ ସରକାରୀ ଓ ବିରୋଧୀ ପକ୍ଷ ପରସ୍ପର ଉପରକୁ କାଦୁଅ ଫିଙ୍ଗାଫିଙ୍ଗି କରି ସାରିଦିଅନ୍ତି କର୍ତ୍ତବ୍ୟ। କାରଣ ଅରଣ୍ୟ କାହାର ଭୋଟବାକ୍ସ ନୁହେଁ କି ତା’ ଜଳିଯିବାରେ ନଥାଏ ଭୋଟ ହରେଇବାର ଭୟ। କୁହାଯାଏ, ଜନସଚେତନତା ସୃଷ୍ଟି କରିବା ଦିଗରେ ଗଣମାଧ୍ୟମ ହେଉଛି ଏକ ଶକ୍ତିଶାଳୀ ଆୟୁଧ। ମାତ୍ର ଶିମିଳିପାଳ ଜଳୁଥିବା ବେଳେ କ’ଣ କରୁଥିଲା ଗଣମାଧ୍ୟମ? କେଉଁ ମନ୍ତ୍ରୀ କ’ଣ ଟୁଇଟ୍‌ କଲେ ତାହାହିଁ ଥିଲା ତା’ର ମୁଖ୍ୟ ଖବର। ଜଙ୍ଗଲ ବିଭାଗର ଦକ୍ଷତା ଓ ପ୍ରତିବଦ୍ଧତା ଉପରେ ନିର୍ଭର କରେ ଜଙ୍ଗଲ ସୁରକ୍ଷା। ଅଥଚ ଶିମିଳିପାଳର ନିଆଁ ଅଣାୟତ୍ତ ହେଉଥିବା ବେଳେ ବିଭାଗୀୟ ମନ୍ତ୍ରୀ ଶୁଣାଉଥିଲେ ଅଗ୍ନି ତୁର କାହାଣୀ। ଏ ପ୍ରସଙ୍ଗରେ ପରିବେଶ ବିଜ୍ଞାନୀଙ୍କୁ ସବୁଠୁଁ ବେଶି ଆଶ୍ଚର୍ଯ୍ୟ କଲା ସବୁଜୀକରଣ ପଇସାରେ ମଉଜ କରୁଥିବା ଜଙ୍ଗଲ ବିଭାଗ ଅଧିକାରୀଙ୍କ ଅଜବ ଯୁକ୍ତି। ଜଙ୍ଗଲ ନିଆଁର ପ୍ରକୋପରେ ପୋଡ଼ି ମରିଗଲେ ମାଟି ଓ ବୁଦାରେ ରହୁଥିବା ଅନେକ କୀଟପତଙ୍ଗ। ମହୁଫେଣା ଛାଡ଼ି ଚାଲିଗଲେ ମହୁମାଛିପଲ। ଏହା ଦ୍ୱାରା କ’ଣ ସନ୍ତୁଳନ ହରାଇନି ଜୈବ ବିବିଧତା? ନାନା ପ୍ରକାର ଘାସ ଓ ଗଛଲତା ଜଳିଯିବା ଦ୍ବାରା କ’ଣ ପ୍ରଭାବିତ ହୋଇନି ସେମାନଙ୍କ ଖାଦ୍ୟ ଶୃଙ୍ଖଳା ବ୍ୟବସ୍ଥା? ଜଙ୍ଗଲ କ୍ଷୟ ରୋକିବା ଓ ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ନିର୍ଭର କରେ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି ଉପରେ ଏବଂ ଏ ଦିଗରେ ସରକାରୀ ପ୍ରତିବଦ୍ଧତା ରହିବା ଆବଶ୍ୟକ। କାରଣ ବନ୍ୟପଶୁଙ୍କ ସୁରକ୍ଷା ରାଜଧର୍ମର ଏକ ଅବିଚ୍ଛେଦ୍ୟ ଅଂଶ।
ମହାଭାରତରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ରାଜଧର୍ମ ଶିକ୍ଷା ଦେବାକୁ ଯାଇ ପିତାମହ ଭୀଷ୍ମ କହିଥିଲେ- ‘ହେ ଧର୍ମାତ୍ମା ଯୁଧିଷ୍ଠିର! ଏକଥା ଜାଣିରଖ ଯେ କେବଳ ମନୁଷ୍ୟ ନୁହନ୍ତି, ବନ୍ୟ ପ୍ରାଣୀମାନେ ମଧ୍ୟ ରାଜ୍ୟର ଅଧିବାସୀ ଓ ପ୍ରଜା। ସେମାନଙ୍କ ନିରାପତ୍ତା ଓ ସ୍ବଚ୍ଛନ୍ଦ ଗତି ଯେମିତି ବାଧାପ୍ରାପ୍ତ ନହୁଏ, ସେ ଦିଗରେ ସର୍ବଦା ସଜାଗ ଓ ତୀକ୍ଷ୍ଣ ଦୃଷ୍ଟି ରଖିବା ରାଜାର କର୍ତ୍ତବ୍ୟ।’
ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ,
ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?