ବେକାରି ସମସ୍ୟା ଦୂର ଶ୍ୟାମସୁନ୍ଦରଙ୍କ ଲକ୍ଷ୍ୟ

ସିମୁଳିଆ,୨୩।୫: ଚାକିରି ପଛରେ ଗୋଡ଼ାଇ ନିରାଶ ହେବା ଅପେକ୍ଷା ଛୋଟ ଛୋଟ ଉଦ୍ୟୋଗ କରି ଆମତ୍ନିର୍ଭରଶୀଳ ହେବାକୁ ବାଟ ଦେଖାଇଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କଇଁଶୀ ଅଞ୍ଚଳର ଶ୍ୟାମସୁନ୍ଦର ଦାଶ। ଅନ୍ୟମାନଙ୍କୁ ନିଯୁକ୍ତି ଦେଇ ବେକାରୀ ସମସ୍ୟା ଦୂର କରିବାକୁ ସେ ଅଣ୍ଟା ଭିଡିଛନ୍ତି। ଦୈନନ୍ଦିନ ଜୀବନରେ ନଷ୍ଟ ହୋଇଯାଉଥିବା ବର୍ଜ୍ୟବସ୍ତୁକୁ ରିସାଇକେଲିଂ କରି ଉପଯୋଗୀ କରିବାର ଚିନ୍ତାଧାରା ନେଇ ଗତ ୫ବର୍ଷ ହେଲା ସ୍ଥାନୀୟ ଠାକୁରଙ୍କ ନାମରେ ମାତ୍ର ୧୦ଗୁଣ୍ଠ ଜମିରେ ‘ବିଶ୍ୱେଶ୍ୱର ପ୍ଲାଷ୍ଟିକ’ ନାମରେ ଏକ ସଂସ୍ଥା ଖୋଲିଛନ୍ତି। ଏଥିରେ ସେ ୩ଜଣ ଦିବ୍ୟାଙ୍ଗଙ୍କ ସମେତ ୧୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଦୈନନ୍ଦିନ ଜୀବନରେ ନଷ୍ଟ ହୋଇଯାଉଥିବା ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀକୁ ସଂଗ୍ରହ କରି ସେଗୁଡିକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବା ପରେ ମେଶିନ ସାହାଯ୍ୟରେ ତରଳାଇ ଦାନା ତିଆରି କରି ସେ ବିଭିନ୍ନ ପ୍ଲାଷ୍ଟିକ କାରଖାନାକୁ କଞ୍ଚାମାଲ ଯୋଗାଉଛନ୍ତି।
କଇଁଶୀ ଅଞ୍ଚଳର ତିଳୋତ୍ତମା ଓ ବୃନ୍ଦାବନ ଦାଶଙ୍କ ବଡ଼ପୁଅ ଶ୍ୟାମସୁନ୍ଦର। ବାସୁଦେବପୁର କଲେଜରେ ସେ ଯୁକ୍ତ ୨ ପଢ଼ିବା ପରେ ପାରିବାରିକ ଆର୍ଥିକ ଅସ୍ବଚ୍ଛଳତା କାରଣକୁ ନେଇ ସେ ବାଙ୍ଗାଲୋର ଚାଲିଯାଇଥିଲେ। ସେଠରେ ଦୁଇବର୍ଷ ସୂତାକଳରେ କାମ କରିବା ପରେ ନିଜେ କିଛି କରିବାର ଲକ୍ଷ୍ୟ ନେଇ ଗାଁକୁ ଫେରିଆସିଥିଲେ। ପରେ ମାମୁ ପଦ୍ମନାଭ ଦାଶଙ୍କ ପ୍ରେରଣାରେ ସେ ଆଗକୁ ବଢ଼ିଥିଲେ। ନିଜେ ବିଭିନ୍ନ ଗ୍ୟାରେଜ ଦୋକାନ ବୁଲି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ ଡବା ଓ ବୋତଲ ଆଦି ସଂଗ୍ରହ କରିଥିଲେ। ନିଜ ଫ୍ୟାକ୍ଟ୍ରି ପାଇଁ କାନାରା ବ୍ୟାଙ୍କ ପକ୍ଷରୁ ତାଙ୍କୁ ୫ଲକ୍ଷ ଟଙ୍କା ଋଣ ମିଳିଥିଲା। କେବଳ ଇଲେକ୍ଟ୍ରି ସଂଯୋଗରେ ତାଙ୍କର ସାଢେ ୪ ଲକ୍ଷ ଟଙ୍କା ସରିଯାଇଥିଲା ା ପରେ ବିଭିନ୍ନ ଲୋକଙ୍କ ନିକଟରୁ ସେ ଆଉ ୫ଲକ୍ଷ ସୁଧ ଆଣି ଫ୍ୟାକ୍ଟ୍ରି ଆରମ୍ଭ କରିଥିଲେ। ୨୦୧୯ରେ ତାଙ୍କ ଫ୍ୟାକ୍ଟ୍ରିରେ ନିଆଁ ଲାଗି ସମସ୍ତ ସାମଗ୍ରୀ ଜଳିଯାଇଥିଲା ା ପୁଣି ଦୃଢ଼ ମନୋବଳ ଯୋଗୁ ସେ ଉଠିବା ପାଇଁ ଚେଷ୍ଟା କରିଥିଲେ। ବର୍ତ୍ତମାନ ସେ ମାସିକ ପ୍ରାୟ ୫୦ହଜାର ଟଙ୍କା ଟ୍ୟାକ୍ସ ଦେବା ସହିତ ୧୫ଜଣଙ୍କୁ ଦରମା ପ୍ରଦାନ ପରେ ୩୦ରୁ ୪୦ହଜାର ଟଙ୍କା ଆୟ କରୁଥିବା ଶ୍ୟାମସୁନ୍ଦର କୁହନ୍ତି। ତେବେ ସରକାରଙ୍କ ଯୋଜନା ଓ ପ୍ରୋତ୍ସାହନ କେବଳ କାଗଜକଲମ ଓ ବିଜ୍ଞାପନରେ ସୀମିତ ରହୁଥିବାରୁ ଯୁବକମାନେ ସୁବିଧା ସୁଯୋଗ ପାଇପାରୁ ନାହାନ୍ତି। ସରକାର ଟ୍ୟାକ୍ସ ବଢ଼ାଇ ଦେବା, ବିଭାଗୀୟ ଅଧିକାରୀମାନେ କମିଶନ କାଟିନେବା, ବିଦ୍ୟୁତ୍‌ ସମସ୍ୟା ଏପରିକି ବିଭିନ୍ନ ଅଞ୍ଚଳର ପୋଲିସ ବର୍ଜ୍ୟବସ୍ତୁ ଗାଡ଼ି ଅଟକାଇ ଚାନ୍ଦା ଜୁଲମ କରିବା ପରି ବିଭିନ୍ନ ସମସ୍ୟା ଥିବାରୁ ଯୁବ ଉଦ୍ୟୋଗୀମାନେ ଆଗେଇ ପାରୁ ନ ଥିବା ସୂଚନା ଦେଇଛନ୍ତି ଶ୍ୟାମସୁନ୍ଦର। ଶ୍ୟାମଙ୍କ ମା’ବାପା ତାଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କ ସ୍ତ୍ରୀ ସର୍ବେଶ୍ୱରୀ ରେକର୍ଡ଼ପତ୍ର କାମରେ ସାହାଯ୍ୟ କରୁଥିବାରୁ କିଛିଟା ଦାୟିତ୍ୱ ତାଙ୍କର କମି ଯାଇଛି। ତେବେ ଆଗାମୀ ୨୦ବର୍ଷ ଆଗକୁ ଲକ୍ଷ୍ୟ ରଖି ଯୋଜନା କଲେ ଯୁବକମାନେ ଆଗେଇପାରିବେ ବୋଲି କହିଛନ୍ତି ଶ୍ୟାମସୁନ୍ଦର ା


Enter your email to get our daily news in your inbox.

All Right Reserved By Dharitri.Com

ଘର କାମ କରୁଥିଲେ ଶୋଭାରାଣୀ, ଲାଗିଲା କରେଣ୍ଟ୍‌: ଆଉ ତା’ପରେ..

ଖଇରା,୨୩।୬(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ମହାତିପୁର ପଞ୍ଚାୟତ ଅଧୀନ ଚକ ଗ୍ରାମର ବୈକୁଣ୍ଠ ସାମଲ (୩୫)ଙ୍କ ପତ୍ନୀ ଶୋଭାରାଣୀ ମଙ୍ଗଳବାର ବିଦ୍ୟୁତ ସଂସ୍ପର୍ଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri