ଶ୍ରୀଫଳରୁ ଶ୍ରୀ

ରଞ୍ଜନ କୁମାର ଦାସ

 

ନିକଟରେ ନିର୍ବାଚନ କାର୍ଯ୍ୟରେ ପର୍ଯ୍ୟବେକ୍ଷକ ଭାବେ କେରଳ ଯିବାର ସୁଯୋଗ ଆସିଥିଲା। କେରଳକୁ ଭଗବାନଙ୍କ ନିଜ ରାଜ୍ୟ ରୂପେ ଚିତ୍ରିତ କରାଯାଏ। ଏଠିକି ଆସିବା ପୂର୍ବରୁ ଏହାକୁ ଏକ ଅତିଶୟୋକ୍ତି ବୋଲି ମନେ କରୁଥିଲି। ମାତ୍ର ଏଠି ପହଞ୍ଚିଲା ପରେ ହିଁ ହୃଦ୍‌ବୋଧ ହେଲା କାହିଁକି ଏହାକୁ ଭଗବାନଙ୍କ ପ୍ରିୟ ସ୍ଥାନ କୁହାଯାଏ। ଆମ ରାଜ୍ୟରେ ମଧ୍ୟ ବିଶ୍ୱାସ କରାଯାଏ ଯେ, ଉଦ୍‌ଯୋଗୀ ଲୋକଙ୍କ କାନ୍ଧରେ ଲକ୍ଷ୍ମୀ ବାସ କରନ୍ତି। ବାସ୍ତବରେ ସେଇ କାରଣରୁ ଅର୍ଥାତ୍‌ ଏଠାର ଲୋକମାନେ ଖୁବ୍‌ ଉଦ୍‌ଯୋଗୀ ହୋଇଥିବାରୁ ଏଠି ଲକ୍ଷ୍ମୀ ବାସ କରନ୍ତି। ଆଉ ଲକ୍ଷ୍ମୀ ଯେଉଁଠି ସ୍ବୟଂ ଭଗବାନ ତ ନିଶ୍ଚୟ ସେଠି ରହିବେ। ଏଠି ପ୍ରତି ଘରେ ଘରେ ନଡ଼ିଆ ବାରି। ତା’ ଭିତରେ ଗୁଆଗଛ, କଦଳୀ ଗଛ ନିଶ୍ଚୟ ଭରି ରହିଥିବ। ତଳେ ଇଞ୍ଚେ ବି ଜାଗା ସେମାନେ ବେକାର ଛାଡ଼ନ୍ତି ନାହିଁ। ନଡ଼ିଆ ଗଛରେ ଲଟେଇ ବଢ଼ୁଥିବ ଗୋଲମରିଚ ବା କୋକୋ ଗଛ। ତଳେ ଗଛରୁ ଗଛ ମଝିରେ ଥିବା ଫାଙ୍କ ବି ଫାଙ୍କା ନ ଛାଡ଼ି ଲଗେଇ ଦିଅନ୍ତି ସପୁରି ଭଳି ଛୋଟ ଗଛ। ତେଣୁ ବର୍ଷ ସାରା ତାଙ୍କର କୋଉଥିରୁ ନା କୋଉଥିରୁ ଆୟ ହେଉଥାଏ। ଏଠି ବେଶ୍‌ କିଛି ଦିନ ରହିବା ଭିତରେ ଲୋକଙ୍କର ସ୍ବଚ୍ଛଳତା ମତେ ପ୍ରଭାବିତ କରିଥିଲା। ଯେ କୌଣସି ଗାଁରେ ପଶିଗଲେ ବେଶ୍‌ ବଡ଼ ବଡ଼ ରୁଚିସମ୍ପନ୍ନ ଆକର୍ଷଣୀୟ କୋଠାଘର ସବୁ ପରିଲକ୍ଷିତ ହୁଏ। ସବୁ ଘର ଆଗରେ ଖୋଲା ଜାଗା, ବାଲକୋନି ଓ ପାଚେରି। ଗାଁଗୁଡ଼ିକ ଗୋଟେ ଗୋଟେ ଛୋଟ ସହର ଭଳି ଲାଗେ। ଗାଁ ମୁଣ୍ଡର ବଜାରଗୁଡ଼ିକ ମଧ୍ୟ ବେଶ୍‌ ବଡ଼, ରୁଚିଶୀଳ ଓ ଅତ୍ୟାଧୁନିକ ସୁବିଧାସମ୍ପନ୍ନ। ଲୋକଙ୍କର କ୍ରୟ କ୍ଷମତା ନ ଥିଲେ ଗାଁ ମୁଣ୍ଡରେ ସେଭଳି ଅତ୍ୟାଧୁନିକ ଦୋକାନ ରହିବାର ଯଥାର୍ଥତା ନ ଥାନ୍ତା। ତେଣୁ ଆରାମରେ କୁହାଯାଇପାରେ ଯେ ଲୋକମାନେ ସେଠି ସମ୍ପନ୍ନ ଓ ସ୍ବଚ୍ଛଳ। ଏମାନଙ୍କ ସ୍ବଚ୍ଛଳତାର ମୁଖ୍ୟ କାରଣ କୃଷି। କୃଷି ବ୍ୟତୀତ ସମଗ୍ର କେରଳରେ କୌଣସି ଶିଳ୍ପ ବା ଖଣିଖାଦାନ ନାହିଁ। କୃଷି ଭିତରେ ନଡ଼ିଆ, ଗୁଆ, କଦଳୀ, କୋକୋ ଏବଂ ରବର ମୁଖ୍ୟ। ପ୍ରାୟ ଲୋକଙ୍କ ଘର ଆଗରେ ଚାରିଚକିଆ ଗାଡ଼ିଟିଏ ମଧ୍ୟ ଥିବାର ଦେଖିବାକୁ ମିଳେ। ଲୁଙ୍ଗି ପିନ୍ଧି ଚାଷୀମାନେ ବୁଲେଟ ଗାଡ଼ିରେ ଯାଉଥିବାର ଦୃଶ୍ୟ ମଧ୍ୟ ବହୁଳ ଭାବେ ଦୃଷ୍ଟିଗୋଚର ହୁଏ।
ସାଧାରଣତଃ ଆମର ଧାରଣା ଥାଏ ଯେ ନଡ଼ିଆଗଛ କେବଳ ପାଣି ଜାଗାରେ ହୋଇପାରେ।
ମାତ୍ର ଏଠି ଆସି ଜାଣିବାକୁ ପାଇଲି ଯେ ଶୁଖିଲା ଜାଗାରେ ବି ନଡ଼ିଆଗଛ ବଢ଼ିବାରେ ଅସୁବିଧା ନାହିଁ। ଉତ୍ତର କେରଳର ମୁଁ ଯେଉଁ ଜିଲାକୁ ଆସିଥିଲି ତା’ର ନାଁ ଥିଲା କାସରଗଡ଼। ସେଇଟି ଗୋଟିଏ ପାହାଡ଼ିଆ ଟାଙ୍ଗରା ଜାଗା। ଚାରିଆଡ଼େ ମାଙ୍କଡ଼ା ପଥର ଖାଦାନ। ସେଠି ବି ଚାରିଆଡ଼େ ନଡ଼ିଆ, ଗୁଆ, କଦଳୀ ବଗିଚା। ସେଇଥି ପାଇଁ ସେଠି ଭୂତଳ ଜଳସ୍ତର ମଧ୍ୟ ନିୟମିତ ଭାବେ ଭୂପୃଷ୍ଠର ପାଖାପାଖି ଥାଏ ଏବଂ ବର୍ଷ ସାରା ସବୁଜିମା ଥାଏ। ପରିବେଶ ଶୀତଳ ମଧ୍ୟ ଥାଏ।
ଆମ ଓଡ଼ିଶାରେ ସମଗ୍ର ପୁରୀ ଜିଲା ଏପରି କି ଅବିଭକ୍ତ କଟକ ଆଦି ଜିଲାରେ ମଧ୍ୟ ନଡ଼ିଆ ଚାଷ ବହୁଳ ଭାବେ ହୁଏ। ମାତ୍ର ଏଠିକାର ଚାଷୀ ସେଇ ନଡ଼ିଆ ଚାଷ କରି କାହିଁକି ଓଡ଼ିଶାର ନଡ଼ିଆ ଚାଷୀଙ୍କଠାରୁ ଅଧିକ ଧନୀ ତା’ର ଏକ ଚମକ୍‌ପ୍ରଦ କାରଣ ମୋର ଦୃଷ୍ଟି ଗୋଚର ହେଲା। ପ୍ରାଥମିକ ଭାବେ ଯେ କେହି କହିପାରିବ ଯେ ଆମ ଓଡ଼ିଶାର ଲୋକମାନେ ବା ଚାଷୀମାନେ ଏବେ ଆଉ ପୂର୍ବଭଳି ଉଦ୍‌ଯୋଗୀ ନୁହନ୍ତି। ଏକଦା ସେମାନେ ସମଗ୍ର ଦକ୍ଷିଣ-ପୂର୍ବ ଏସିଆକୁ ବ୍ୟବସାୟରେ କରାୟତ୍ତ କରି ତାଙ୍କ ଉଦ୍‌ଯୋଗର ପ୍ରମାଣ ଦେଇଥିଲେ। ମାତ୍ର ଏବେ ଆଉ ତାହା ରହିନାହିଁ। ଗାଁ ଗହଳରେ ଲୋକଙ୍କ ଭିତରେ ଶ୍ରମ ବିମୁଖତା ଓ ଛୋଟ ହେଉ ପଛେ ଚାକିରି ପ୍ରତି ଅହେତୁକ ଆକର୍ଷଣ ଆମକୁ ଏକ ସାଧାରଣ ଜାତିରେ ପରିଣତ କରି ସାରିଛି। ଆମେ ଆଉ ଅସାଧାରଣ ହୋଇ ରହିନାହେଁ ଏକଥା ସ୍ବୀକାର କରିବାକୁ ପଡ଼ିବ। ମୁଁ ଏ ପ୍ରାଥମିକ କାରଣଟିକୁ ବାଦ୍‌ ଦେଇ ଆଉ ଏକ କାରଣ ଖୋଜି ପାଇଲି, ଯାହା ସେମାନଙ୍କୁ ସ୍ବତନ୍ତ୍ର କରିଛି। ଓଡ଼ିଶାରେ ନଡ଼ିଆ ଚାଷୀମାନେ କେବଳ ପଇଡ଼, ପାକଳ ନଡ଼ିଆ ବିକ୍ରି ଉପରେ ନିର୍ଭର କରି ଚାଷ କରିଥାନ୍ତି। ଅତି ବେଶିରେ ନଡ଼ିଆ କତା ବିକ୍ରିରୁ ମଧ୍ୟ ଅଳ୍ପ କିଛି ଆୟ ହୁଏ। ଧରାଯାଉ ଗୋଟେ ନଡ଼ିଆ ଗଛରେ ବର୍ଷକୁ ଶହେ ପାଖାପାଖି ପଇଡ଼ ବା ନଡ଼ିଆ ବାହାରେ। ଗୋଟା ପଇଡ଼ ବା ନଡ଼ିଆ ପିଛା କୋଡ଼ିଏ ଟଙ୍କା ହେଲେ ଓଡ଼ିଶାର ଜଣେ ନଡ଼ିଆ ଚାଷୀ ବର୍ଷକୁ ଦୁଇ ହଜାର ଟଙ୍କା ପାଇବ। ମାତ୍ର କେରଳରେ ନଡ଼ିଆ ଚାଷୀମାନେ ଆଗଭଳି ସେଇ ଚିରାଚରିତ ପଇଡ଼ ବା ନଡ଼ିଆ ବିକ୍ରି କରି ଚଳିବା ଉପରେ ନିର୍ଭର କରୁନାହାନ୍ତି। ନଡ଼ିଆ ତେଲ ବ୍ୟତୀତ ଆମ ଅଞ୍ଚଳରେ ଯେମିତି ଖଜୁରି ଗଛରୁ ନୀରା ସଂଗ୍ରହ ହୁଏ ଏଠି ନଡ଼ିଆ ଗଛର କାନ୍ଦିରୁ ସେଇଭଳି ନୀରା ସଂଗ୍ରହ କରୁଛନ୍ତି। ନଡ଼ିଆ ଗଛରେ ଯେତେବେଳେ ନୂଆ କାନ୍ଦି ପଡ଼ି ଚଅଁର ବାହାରିବା ଆରମ୍ଭ ହୁଏ ସେମାନେ ଅଗଆଡ଼ୁ ତାକୁ କାଟି ଦେଇ ସେଠି ଗୋଟେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ମାଟି ହାଣ୍ଡି ବସେଇ ଦିଅନ୍ତି। ମାଟିହାଣ୍ଡିଟି ଏଭଳି ନିର୍ମିତ ଯେ ତା’ର ଗୋଟିଏ କଡ଼ରେ ଥିବା କଣା ଭିତରେ କାନ୍ଦିର କଟା ଯାଇଥିବା ଅଗଟିକୁ ପୂରେଇ ଦିଆଯାଏ। ଭିତରେ ଗୋଟେ ଜରିରେ କିଛି ବରଫ ପୂରେଇ ରଖାଯାଇଥାଏ ।
ଏଇ ବରଫ ଯୋଗୁ ମାଟି ହାଣ୍ଡି ଭିତରେ ଥିବା ମୁଣିରେ ସଂଗୃହୀତ ହେଉଥିବା ନୀରା ଖରାପ ହୁଏ ନାହିଁ ଓ ଥଣ୍ଡା ରହେ। ଖଜୁରି ଗଛରେ ନୀରା ଯେତେବେଳେ ପବନ ଓ ଉଚ୍ଚ ତାପମାତ୍ରା ସମ୍ପର୍କରେ ଆସେ ତାହା ଖଜୁରି ତାଡ଼ିରେ ପରିଣତ ହୋଇଯାଏ ଓ ନିଶାମୁକ୍ତ ହୋଇଯାଏ। ମାତ୍ର ଏହି ପଦ୍ଧତିରେ କେରଳରେ ସଂଗୃହୀତ ହେଉଥିବା ନୀରା ପବନ ଓ ତାପମାତ୍ରା ଦ୍ୱାରା ପ୍ରଭାବିତ ହେଉ ନ ଥିବାରୁ ତାହା ଦିନେ ଦି’ଦିନ ଯାଏ ଖରାପ ନ ହୋଇ ମାଟି ହାଣ୍ଡି ଭିତରେ ରହିପାରେ। ଗୋଟିଏ ଗଛରେ ବର୍ଷକୁ ଚାରି ପାଞ୍ଚଟି କାନ୍ଦିି ପଡ଼ିପାରେ। ପ୍ରତି କାନ୍ଦିରୁ ପ୍ରତିଦିନ ସକାଳେ ଦେଢ଼ ଲିଟର ଓ ସନ୍ଧ୍ୟାରେ ପ୍ରାୟ ଲିଟରେ ପାଖାପାଖି ନୀରା ସଂଗୃହୀତ ହୋଇପାରେ। ଏହାର ଲିଟର ପିଛା ବଜାର ମୂଲ୍ୟ ଦେଢ଼ଶହ ଟଙ୍କା ଯାହା ସେମାନେ ବ୍ୟବସାୟିକ ଭାବେ ବୋତଲରେ ଭର୍ତ୍ତି କରି ବିକ୍ରି କରୁଛନ୍ତି। ଲିଟର ପିଛା ଯେଉଁ ଦେଢ଼ଶହ ଆୟ ହୁଏ ସେଥିରୁ ଚାଷୀ ପାଏ ଚାଳିଶଟଙ୍କା, ତୋଳିବା ବାଲା ତିିରିଶ ଟଙ୍କା ଓ ବାକି ଷାଠିଏ ଟଙ୍କା ଖର୍ଚ୍ଚ ହୁଏ ଚାଷ, ଜଳସେଚନ, ସୁରକ୍ଷା ଔଷଧ, ପରିବହନ ଓ ବଜାର ଜନିତ ବାବଦରେ। ଗୋଟିଏ ଗଛରୁ ଏକାବେଳେ ଦୁଇ ତିନିଟି କାନ୍ଦି ପଡ଼ିଲେ ପ୍ରାୟ ଛଅରୁ ସାତ ଲିଟର ନୀରା ସଂଗ୍ରହ ହୋଇପାରେ। ତେଣୁ ଗଛ ପିଛା ଦୈନିକ ଆୟ ଅଢ଼େଇ ଶହରୁ ତିନିଶହ ଟଙ୍କା ହୋଇପାରେ। ବର୍ଷରେ ଯଦି ଛଅ ମାସ ଫଳରହେ ତେବେ ବାର୍ଷିକ ଆୟ ହେବ ପ୍ରାୟ ପଚାଶ ହଜାର। ଗୋଟେ ନଡ଼ିଆଗଛ ପ୍ରାୟ ୩୦-୪୦ ବର୍ଷ ଯାଏ ରୋଜଗାର ଦେଇପାରେ। ଜଣେ ଜଣେ ଚାଷୀ ଏଥିରୁ ବର୍ଷକୁ ଗଛ ପିଛା ଲକ୍ଷେ ଟଙ୍କା ପାଖାପାଖି ଆୟ କରନ୍ତି। ତେଣୁ ସେମାନେ ସ୍ବଚ୍ଛଳ ହେବେ ନାହିଁ କାହିଁକି? ଚାକିରି ପଛରେ ସେମାନେ ଗୋଡ଼େଇବେ କାହିଁକି? ଖାଲି ପଇଡ଼ ବା ନଡ଼ିଆ ଉପତ୍ାଦନ ଉପରେ ନିର୍ଭର କରିଥିଲେ ବର୍ଷକୁ ଅତିବେଶିରେ ତିନି ଚାରି ହଜାର ଆୟ ହୋଇଥାନ୍ତା।
ଏବେ ନୀରାର ନୈତିକତା ଉପରେ ପ୍ରଶ୍ନ କେହି କେହି କରିପାରନ୍ତି। ଏହାକୁ ନିଶାଯୁକ୍ତ କହି କେହି କେହି ଗ୍ରହଣ କରି ନ ପାରନ୍ତି। ମାତ୍ର କହି ରଖେ ଯେ, ଖଜୁରି ବା ନଡ଼ିଆ ଗଛରୁ ସଂଗୃହୀତ ନୀରାରେ ଖରା ପଡ଼ିଲେ ତାପମାତ୍ରା ଅଧିକ ହେଲେ ବା ପବନ ସଂସ୍ପର୍ଶରେ ଆସିଲେ ତାହା ନିଶାମୁକ୍ତ ହୋଇଥାନ୍ତା। ମାତ୍ର ଏହା ବନ୍ଦ ମାଟିପାତ୍ରରେ ବରଫ ମଧ୍ୟରେ ସଂଗୃହୀତ ହେଉଥିବାରୁ ଏହା ତାଡ଼ିରେ ପରିଣତ ହୁଏନାହିଁ। ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ମଧ୍ୟ ଏହା ବହୁତ ଉପକାରୀ। ସ୍ଥାନୀୟ ଅଞ୍ଚଳରେ ଏହାକୁ କଳ୍ପରସ ବୋଲି ମଧ୍ୟ କୁହାଯାଏ। ଏହାକୁ ବରଫ ଭିତରେ ଥଣ୍ଡା କରି ୪୫ ଦିନ ଯାଏ ରଖାଯାଇପାରେ। ଏଥିରେ ଶ୍ୱେତସାର ୧୪% ଥିବାବେଳେ ଭିଟାମିନ-ସି, ଭିଟାମିନ-ବି କମ୍ପ୍ଳେକ୍ସ ଓ ଆମିନୋ ଏସିଡ୍‌ର ଉପସ୍ଥିତି ମଧ୍ୟ ଯଥେଷ୍ଟ ଥାଏ। ତା’ଛଡ଼ା କ୍ୟାଲସିୟମ, ମ୍ୟାଗନେସିୟମ୍‌, ପୋଟାସିୟମ୍‌, ଆଇରନ, ସୋଡ଼ଇମ ଓ ଫସଫରସ ମଧ୍ୟ ପ୍ରଚୁର ମାତ୍ରାରେ ଥାଏ। ଶ୍ୱେତସାର ୧୪% ଥିଲେ ମଧ୍ୟ ମଧୁମେହ ରୋଗୀମାନେ ଏହାକୁ ନିରାପଦ ଭାବେ ଗ୍ରହଣ କରିପାରିବେ କାରଣ ଏହାର ଗ୍ଲାଇସେମିକ୍‌ ଭାଲ୍ୟୁ ମଧ୍ୟ ଯଥେଷ୍ଟ କମ୍‌। ଏହି ନୀରାକୁ ସଂଗ୍ରହ କରି ତାକୁ ବୈଜ୍ଞାନିକ ପଦ୍ଧତିରେ ଶୁଖେଇ ସେଥିରୁ ନଡ଼ିଆ ଚିନି, ନଡ଼ିଆ ମହୁ ମଧ୍ୟ ପ୍ରସ୍ତୁତ କରାଯାଉଛି। ଗୋଟେ ଲିଟର ନୀରାରୁ ୩୦୦-୪୦୦ ଗ୍ରାମ୍‌ ଚିନି ସଂଗ୍ରହ କରାଯାଇପାରେ, ଯାହାର କେଜି ପିଛା ମୂଲ୍ୟ ୬୫୦ ଟଙ୍କା। ଏହାକୁ ମଧୁମେହ ରୋଗୀ ମଧ୍ୟ ଗ୍ରହଣ କରିପାରିବେ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ପ୍ରଚୁର ମାତ୍ରାରେ ଥିବାରୁ ବୟସଜନିତ ସମସ୍ୟା ଓ କ୍ୟାନ୍‌ସରକୁ ମଧ୍ୟ ପ୍ରତିହତ କରେ। ପୋଟାସିୟମ୍‌ ଯୋଗୁ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହେ। କ୍ୟାଲସିୟମ୍‌ ଓ ଭିଟାମିନ୍‌ ଯୋଗୁ ହାଡ଼ ଶକ୍ତ ହୁଏ ଏବଂ ରକ୍ତହୀନତା ଦୂର କରେ। ଏଥିରେ ଥିବା ଗ୍ଳୁଟାମିକ ଏସିଡ୍‌ ନାମକ ଆମିନୋ ଏସିଡ୍‌ର ପ୍ରଭାବରୁ ସ୍ନାୟୁଗତ ସମସ୍ୟା ଉପରେ ମଧ୍ୟ ନିୟନ୍ତ୍ରଣ ଆସେ।
ବହୁ ଶତାବ୍ଦୀ ତଳେ ଆଲେକ୍‌ଜାଣ୍ଡାର ଯେତେବେଳେ କହିଥିଲେ ଯେ ଯେଉଁ ଗଛରୁ ଖାଦ୍ୟ ଓ ପାନୀୟ ଉଭୟ ମିଳିପାରେ ସେଭଳି ଗଛ ଥିବା ଦେଶ ବାସ୍ତବରେ ଭାଗ୍ୟବାନ, ସେତେବେଳେ ଏତେ କଥା ତ ବାହାରି ନ ଥିଲା। ଏବେ ଯଦି ଆଲେକ୍‌ଜାଣ୍ଡାର କେରଳ ଆସିଥାନ୍ତେ ସେ ବୋଧେ ଆଉ ଫେରିକି ଯିବା କଥା ଚିନ୍ତା କରି ନ ଥାନ୍ତେ। ଶ୍ରୀଫଳ ଭିତରେ ଏତେ ଫଳ ଲୁଚି କରି ଥାଏ ତାହା ଆମ ଚାଷୀମାନଙ୍କୁ ଅଜଣା। ଯଦି ଆମର ପୁରୀ, କଟକ ଆଦି ଜିଲାରେ ଯେଉଁ ଚାଷୀମାନେ ନଡ଼ିଆ ଚାଷ କରୁଛନ୍ତି ସେମାନେ ଏ ଜ୍ଞାନକୌଶଳ ଆପଣାନ୍ତେ ହୁଏତ ସେମାନଙ୍କ ଭାଗ୍ୟରେ ଆର୍ଥତ୍କ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିପାରନ୍ତା।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ -୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri