ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ପୁଣି ବଡ଼ ପରଦାକୁ ଫେରୁଛନ୍ତି। ମ୍ୟାଡକ ଫିଲ୍ମସ ଏବଂ କଠପୁତଲି କ୍ରିଏସନ୍ସର ଆଗାମୀ ଫିଲ୍ମ ‘ଇଠା’ରେ ସେ ଏକ ଭିନ୍ନ ତଥା ଚ୍ୟାଲେଞ୍ଜିଂ ଚରିତ୍ରରେ ନଜର ଆସିବେ। ମହାରାଷ୍ଟ୍ରର ପ୍ରସିଦ୍ଧ ପାରମ୍ପରିକ ଲୋକ କଳାକାର ବିଠାବାଇ ନାରାୟଣଗାଓଁକରଙ୍କ ଜୀବନୀ ଉପରେ ଆଧାରିତ ଏହି ମ୍ୟୁଜିକାଲ ଡ୍ରାମାର ଦମ୍ଦାର ଟ୍ରେଲର ଆଜି ରିଲିଜ ହୋଇଛି। ଟ୍ରେଲରରେ ଶ୍ରଦ୍ଧାଙ୍କ ଅଭିନୟ ଓ ଲୁକ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରୁଛି।
‘ଇଠା’ରେ ଶ୍ରଦ୍ଧା ବିଠାବାଇ ନାରାୟଣଗାଓଁକରଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଟ୍ରେଲରରେ ପୁରୁଣା ସମୟର ରଙ୍ଗିନ ଦୁନିଆ, ଆକର୍ଷଣୀୟ ମଞ୍ଚ ପରିବେଷଣ ଏବଂ ଜଣେ କଳାକାରଙ୍କ ସଂଘର୍ଷଭରା ଜୀବନର ଝଲକ ଦେଖିବାକୁ ମିଳିଛି। ‘ସ୍ତ୍ରୀ ୨’ରେ ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକ ଦେଇଥିବା ଶ୍ରଦ୍ଧା ଏଥର ଏକ ଗମ୍ଭୀର ଓ ଆହ୍ବାନପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ମହାରାଷ୍ଟ୍ରୀୟ ନୱାରୀ ଶାଢ଼ି, ପାରମ୍ପରିକ ଅଳଙ୍କାର ଏବଂ ମୁହଁରେ ଦୃଢ଼ ଆତ୍ମବିଶ୍ୱାସ ତାଙ୍କ ଲୁକ୍କୁ ଆହୁରି ପ୍ରଭାବଶାଳୀ କରିଛି। ପରିସ୍ଥିତି ଆଗରେ ମୁଣ୍ଡ ନ ନୁଆଁଇ ନିଜ ସର୍ତ୍ତରେ ଜୀବନ ବଞ୍ଚିବାକୁ ଚାହୁଁଥିବା ମହିଳାଙ୍କ ସ୍ବର ଭାବେ ତାଙ୍କ ଚରିତ୍ରକୁ ଦର୍ଶାଯାଇଛି।
ଟ୍ରେଲରରେ ଶ୍ରଦ୍ଧାଙ୍କ ଏକ ସଂଳାପ, ‘ଏହା କେବଳ କପଡ଼ା ନୁହେଁ, ଅଭିମାନ’ ବେଶ ଚର୍ଚ୍ଚା ସାଉଁଟୁଛି। ନୱାରୀ ଶାଢ଼ିକୁ ନେଇ ଏହି କଥା ବିଠାବାଇଙ୍କ ପରମ୍ପରା, ପରିଚୟ ଓ ଆତ୍ମସମ୍ମାନକୁ ପ୍ରତିଫଳିତ କରୁଛି। ଫିଲ୍ମରେ ରଣଦୀପ ହୁଡ୍ଡା ବିଠାବାଇଙ୍କ ସ୍ବାମୀ ମର୍ଚ୍ଚାଣ୍ଟଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।
ଏହି ଫିଲ୍ମଟି ସିନେମାଘରରେ ୪ ଡିସେମ୍ବର ୨୦୨୬ରେ ରିଲିଜ ହେବ। ଶ୍ରଦ୍ଧା କପୁର ଓ ରଣଦୀପ ହୁଡ୍ଡାଙ୍କ ବ୍ୟତୀତ ଫିଲ୍ମରେ ମହମ୍ମଦ ଜିଶାନ ଆୟୁବ, ଅନନ୍ତ ଜୋଶୀ, ସିଦ୍ଧାର୍ଥ ଯାଧବ, ଅକ୍ଷରା ସିଂହ ଏବଂ ଉଲ୍କା ଗୁପ୍ତା ପ୍ରମୁଖ ଅଭିନୟ କରିଛନ୍ତି। ଟ୍ରେଲର ରିଲିଜ ପରେ ଏବେ ଦର୍ଶକଙ୍କ ନଜର ଫିଲ୍ମର ରିଲିଜ ଉପରେ ରହିଛି।
Dharitri – Odisha’s No.1 Odia Daily

