କଣ୍ଢେଇ ନୃତ୍ୟ ଓ ସୃଷ୍ଟି ନାଟକ

ସତ୍ୟବ୍ରତ ପାଣିଗ୍ରାହୀ

ନୃତ୍ୟ, କଳା, ସଙ୍ଗୀତର ଭୂମି ଭାରତ। କଳା ଓ ସଂସ୍କୃତିର ଯେ କେବଳ ଗୋଟିଏମାତ୍ର ପରିଚୟ ରହିଛି, ତାହା ନୁହେଁ। ବିଭିନ୍ନ ସ୍ଥାନରେ ବିଭିନ୍ନ ଲୋକକଳା, ଲୋକସଂସ୍କୃତିର ଉଦ୍ଭବ ହୋଇଛି। ବିବିଧତା ମଧ୍ୟରେ ଏକତା, ବହୁ ଲୋକକଳା ମଧ୍ୟରେ ଭାରତୀୟତାର ପରିଚୟ ହେଉଛି ଭାରତର ମହାନତା। କଣ୍ଢେଇ ନାଚ ଏକ ଭିନ୍ନ ଧରଣର କଳା, ଯେଉଁଥିରେ ମନୁଷ୍ୟ ବଦଳରେ ନୃତ୍ୟ ପରିବେଷଣ କରେ ଏକ ନିର୍ଜୀବ କଣ୍ଢେଇ। ବିଶେଷତ୍ୱ ହେଲା ନିର୍ଜୀବ କଣ୍ଢେଇ ମାଧ୍ୟମରେ ଜୀବନ୍ତ ବାସ୍ତବିକ ଦୃଶ୍ୟପଟର ଉପସ୍ଥାପନ। ଭାରତୀୟ ସଭ୍ୟତାରେ ଜ୍ଞାନ ବିତରଣ ଓ ବିଷୟ ଉପସ୍ଥାପନର ଏକ ସ୍ବତନ୍ତ୍ର କିନ୍ତୁ ଉତ୍କୃଷ୍ଟ ମାଧ୍ୟମ ରହିଛି, ତାହା ହେଉଛି କଥା, କାହାଣୀ ବା ନାଟକ ଦ୍ୱାରା ସାଧାରଣ ସମାଜକୁ ଦିବ୍ୟ ସନ୍ଦେଶ ପ୍ରଦାନ କରିବାର ପ୍ରଥା। ଏହା ମାଧ୍ୟମରେ ଉଭୟ ଲୋକ ମନୋରଞ୍ଜନ ଓ ଜ୍ଞାନୋଦୟର ସମ୍ଭାବନା ନିହିତ ଥାଏ। ଯେଉଁ କ୍ଳିଷ୍ଟ ଜଟିଳ ଜୀବନଧର୍ମୀ ଧାରଣାଗୁଡ଼ିକୁ ସିଧାସଳଖ ଭାବେ ଜନମାନସରେ ପ୍ରୟୋଗ କରାଯାଇପାରେ ନାହିଁ, ସୁନ୍ଦର କାହାଣୀ ଦ୍ୱାରା ନାଟକୀୟ ଭଙ୍ଗୀରେ, ସୃଷ୍ଟିରେ ପ୍ରାଣୀମାନଙ୍କର ବୁଦ୍ଧିଗତ ବୈଷମ୍ୟତାକୁ ସମ୍ମାନ ଜଣାଇ ସେସବୁକୁ ଉପସ୍ଥାପନ କରାଯାଏ। ଯଦ୍ଦ୍ବାରା ଜନସାଧାରଣ ତାକୁ ଗ୍ରହଣ କରିବାରେ ସମର୍ଥ ହୁଅନ୍ତି। ସ୍ତୂଳଦୃଷ୍ଟିରେ କଣ୍ଢେଇ ନାଚ ମଧ୍ୟ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଏକପ୍ରକାର ନାଟକ କଳା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ଏହା ପଶ୍ଚାତ୍‌ରେ ରହିଛି ଏକ ବିରାଟ ଜୀବନ ଦର୍ଶନ ଓ ସୃଷ୍ଟିଚକ୍ରର ଗୂଢ଼ ରହସ୍ୟ।
ଭାରତୀୟ ଦର୍ଶନ ଅନୁସାରେ ପରମସତ୍ତା ସମଗ୍ର ଜୀବଜଗତକୁ ତ୍ରିଗୁଣମୟୀ ରଜ୍ଜୁ ଅର୍ଥାତ୍‌ ସତ୍ତ୍ୱ, ରଜଃ, ତମଃ ତ୍ରିଗୁଣ ଦ୍ୱାରା ପରିଚାଳନା କରନ୍ତି; ଠିକ୍‌ ଯେପରି ନୃତ୍ୟ ପରିଚାଳକ ରଜ୍ଜୁ ଦ୍ୱାରା କଣ୍ଢେଇକୁ ନଚାଏ। ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଲେଖିଛନ୍ତି, ”ତ୍ରିଗୁଣ ରଜ୍ଜୁ କରେ ଧରି। ମୃଗୀ ନଚାନ୍ତି ନରହରି।“ ଏହି ଜଗତରୂପୀ ମଞ୍ଚରେ ଆମେ ସମସ୍ତେ ନିଜ ନିଜ ଗୁଣକର୍ମ ଅନୁସାରେ ଅଭିନୟ କରୁଛେ। ଅଭିନୟ ସାରି ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବା ଆମ ମୂଳ ବାସ୍ତବିକ ସ୍ଥିତିକୁ, ଅର୍ଥାତ୍‌ ବୁଦ୍ଧତ୍ୱ ସ୍ଥିତିକୁ। କବିବର ରାଧାନାଥ ରାୟଙ୍କ ଭାଷାରେ, ”କେହି ରହିନାହିଁ ରହିବେ ନାହିଁଟି, ଭବ-ରଙ୍ଗ-ଭୂମି-ତଳେ, ସର୍ବେ ନିଜ ନିଜ ଅଭିନୟ ସାରି, ବାହୁଡ଼ିବେ କାଳବଳେ।“ ଆମର ଅନ୍ତଃପ୍ରକୃତି ଓ ବାହ୍ୟପ୍ରକୃତି ଉଭୟ ତ୍ରିଗୁଣର ସମାହାର। ତ୍ରିଗୁଣମୟୀ ଏ ଜଗତ। ତ୍ରିଗୁଣ ତିନୋଟି ରଜ୍ଜୁରେ ସଂସାର ରଥ ଅବିରତ ଗତିଶୀଳ।
ମଞ୍ଚ ନାଟକରେ ଜଣେ ଅଭିନେତା ତା’ର ଚରିତ୍ରରେ ବନ୍ଧା ହୋଇଥାଏ। ଚରିତ୍ର ଅନୁସାରେ ତା’ର ଅଭିନୟର ଯାଦୁ ଆକଳନ କରିହୁଏ ଏବଂ ନାଟକର କାହାଣୀ ବାହାରକୁ ଯିବା ଅଭିନେତା ପକ୍ଷରେ ଉଚିତ ମନେହୁଏ ନାହିଁ। ଏହା କାହାଣୀର ସୃଜନକାରଙ୍କ ମହନୀୟତା ଓ ସଂକଳ୍ପର ଆଭାସ ଦିଏ। ତେବେ ନାଟକରେ ଅଭିନେତାର ସ୍ବାଧୀନ ଇଚ୍ଛାର ଭୂମିକା କେଉଁଠି? ହଁ, ସ୍ବାଧୀନ ଇଚ୍ଛାର ଭୂମିକା ନିଶ୍ଚୟ ରହିଛି। ସେହି ସ୍ବାଧୀନ ଇଚ୍ଛାର ଉପଯୋଗ କରି ଅଭିନେତା ନିଜ କୌଶଳ ବା ଦକ୍ଷତା ମାଧ୍ୟମରେ ନିଜ ଚରିତ୍ରର ଗୁରୁତ୍ୱକୁ ଆହୁରି ଶାଣିତ କରେ ଏବଂ ନାଟକର ଲକ୍ଷ୍ୟ ପୂରଣରେ ସହାୟକ ହୁଏ (ଯୋଗଃ କର୍ମଶୁ କୌଶଳ-ଗୀତା ୨.୫୨)।
ବର୍ତ୍ତମାନ ଜୀବନ ଓ ଜଗତ କଥା ବିଚାରଜୁ ନେବା। ସମଗ୍ର ଜୀବନଟା ଏକ ରୋମାଞ୍ଚପୂର୍ଣ୍ଣ, ମାଧୁର୍ଯ୍ୟଭରା ନାଟକ। ନାଟକର ଅଭିନେତା ବି ଆମେ ଏବଂ ଦର୍ଶକ ବା ରସିକ ମଧ୍ୟ ଆମେ। ଆମ ନାଟକର କାହାଣୀ ଏକ ଶାଶ୍ୱତ ଚିରନ୍ତନ ମାନବୀୟ ମୂଲ୍ୟବୋଧ ଓ ପ୍ରକୃତିର ନିୟମରେ ଆବଦ୍ଧ। ନାଟ୍ୟ ନିର୍ଦ୍ଦେଶକ ଅପିତୁ କାହାଣୀର ରଚନାକାର ଆମ୍ଭକୁ ଅଭିନୟ ନିମନ୍ତେ ପ୍ରେରିତ କରିଛନ୍ତି। କାହାଣୀକାରଙ୍କ କାହାଣୀର ଏକ ଅଙ୍ଗ ହେଉଛି ଆମ ଜନ୍ମର ପ୍ରୟୋଜନ।
ପ୍ରତ୍ୟେକ କାହାଣୀର ଏକ ଆରମ୍ଭ ଓ ଶେଷ ଥାଏ ଏବଂ ଥାଏ ଏକ ନିର୍ଦ୍ଦିଷ୍ଟ ପ୍ରୟୋଜନ। କିନ୍ତୁ ଆମ ଜୀବନ ନାଟକର ତାତ୍ପର୍ଯ୍ୟ କ’ଣ ହୋଇପାରେ? ଅସ୍ତିତ୍ୱବାଦ କହେ, ପ୍ରତ୍ୟେକ ଜୀବ ନିଜେ ନିଜର ପ୍ରୟୋଜନ ସନ୍ଧାନ କରିବାରେ ସ୍ବାଧୀନ। ତେବେ ଭାରତୀୟ ଦର୍ଶନରେ ଏହି ସୃଷ୍ଟି କାବ୍ୟର ବିଚିତ୍ର ବୈଶିଷ୍ଟ୍ୟ ଏହା ଯେ, ଏହାର ଆରମ୍ଭ ଓ ଶେଷ ଅବସ୍ଥା ଏକ। ଆରମ୍ଭ ଯେଉଁଠି , ଶେଷ ବି ସେଇଠି। ମୋଟାମୋଟି ଭାବରେ ଏତେ ସବୁ ଘଟଣା ଘଟିଯାଇ ମଧ୍ୟ, ସବୁକିଛି ଶୂନ୍ୟ ପରିଲକ୍ଷିତ ହୁଏ, ଅର୍ଥାତ୍‌ ଏହି ମହାଯାତ୍ରାରେ ଆମେ ଯଥେଷ୍ଟ ଦୂରତା ଅତିକ୍ରମ କରିଥିଲେ ମଧ୍ୟ ଆମ ବିସ୍ଥାପନ ହେଉଛି ଶୂନ୍ୟ। ତେବେ ଏହି ଆରମ୍ଭ କେଉଁଠାରୁ? ଏହା ଏକ ପ୍ରଶ୍ନ, ଯାହା ସୃଷ୍ଟିର ଉଷାକାଳରୁ ମାନବଜାତିକୁ ସତ୍ୟ ସନ୍ଧାନ ନିମନ୍ତେ ପ୍ରେରିତ କରିଛି। ଏହି ପ୍ରଶ୍ନ ପୁଣି କେତେ ଯେ ବୈଜ୍ଞାନିକ, ଦାର୍ଶନିକ, ଋଷିମନୀଷୀ, କବିଙ୍କୁ ବ୍ୟଥିତ କରିଛି, ମନରେ କୌତୂହଳର ବୀଜ ରୋପଣ କରିଛି, ତାହା ଆମର ଅଧ୍ୟୟନଯୋଗ୍ୟ। ତେବେ ସାଂଖ୍ୟ ଦର୍ଶନକୁ ଆଧାର କରି ଏତିକି କୁହାଯାଇପାରିବ ଯେ, ସୃଷ୍ଟି ନାଟକର ନାୟକ- ‘ପୁରୁଷ’ ଏବଂ ନାୟିକା- ‘ପ୍ରକୃତି’। ପ୍ରକୃତିର ମାତୃଗର୍ଭରୁ ବ୍ୟକ୍ତ ହୁଏ ବିଶାଳ ବ୍ରହ୍ମାଣ୍ଡ। ମୂଳ ପ୍ରକୃତିରେ ତ୍ରିଗୁଣର ସନ୍ତୁଳିତ ଅବସ୍ଥାରେ ବ୍ୟତିକ୍ରମ ଦ୍ୱାରା ସୃଷ୍ଟି ନାଟକର ଅୟମାରମ୍ଭ ହୁଏ। ଏହି ଜଗତ ହୁଏ ବିବିଧତା ପୂର୍ଣ୍ଣ। ସେହି ମୂଳ ବୁଦ୍ଧତ୍ୱ ଓ ସମତ୍ୱ ଅବସ୍ଥା ପ୍ରାପ୍ତି କରିବା ହେଉଛି ଜୀବଜଗତର ଲକ୍ଷ୍ୟ। ଏହା ହିଁ ନିର୍ବାଣ। ଏହିଭଳି ଭାବେ ସୃଷ୍ଟିପ୍ରକ୍ରିୟା ଅନବରତ ଚାଲିଥାଏ ଚକ୍ରାକାର ଗତିରେ। ବହୁତ୍ୱରେ ଏକତ୍ୱ, ବୈଷମ୍ୟରେ ସମତା, ଅବ୍ୟକ୍ତରେ ବ୍ୟକ୍ତ, ବିଶୃଙ୍ଖଳାରେ ଶୃଙ୍ଖଳା, ସଙ୍ଗୀତରେ ଶାନ୍ତି ହିଁ ସୃଷ୍ଟି କାବ୍ୟର ବୈଚିତ୍ର୍ୟ ଓ ଜୀବନର ରୋମାଞ୍ଚକ ଅନୁଭୂତି। ସମ୍ପୂର୍ଣ୍ଣ ଜୀବନ ଏକ ମହାଯାତ୍ରା। ଏହି ମହାଯାତ୍ରାରେ ଜୀବନପଥରେ ନନ୍ଦିଘୋଷ ରଥାରୂଢ଼ ହୋଇ ଏକ ଚେତନା କ୍ରମାଗତ ଗତି କରୁଛି ନିଜକୁ ବ୍ୟକ୍ତ କରିବା ପାଇଁ, ଦିବ୍ୟତ୍ୱର ପରିପ୍ରକାଶ କରିବା ପାଇଁ। ଏହି ଯାତ୍ରାକୁ ଯୋଗମାର୍ଗରେ ଉପଭୋଗ କରି ଯାହାକିଛି ଉପଲବ୍ଧି କରିଛେ, ସେଥିରେ ସନ୍ତୁଷ୍ଟ ରହିବା ଆମ କର୍ତ୍ତବ୍ୟ। ନିଜର ଅହଂକୁ ଭୁଲିଯାଇ ଏହି ନନ୍ଦିଘୋଷ ରଥକୁ ଆମକୁ ଆଗକୁ ନେବାକୁ ହେବ। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଭାଷାରେ, ”ଜାତି ନନ୍ଦିଘୋଷ ଚାଲିବ କି ଭାଇ ସ୍ବାର୍ଥକୁ ସାରଥି କଲେ…“। ଏହାହିଁ ହେବ ମହାଯାତ୍ରାରେ ଦିଗ୍‌ବିଜୟର ପ୍ରତୀକ। ଅଜ୍ଞାନ ଉପରେ ଜ୍ଞାନର ବିଜୟର ଶଙ୍ଖନାଦରେ ସ୍ପନ୍ଦିତ ହେବ ସମଗ୍ର ବିଶ୍ୱ। ସେହି ଦିବ୍ୟଚେତନାର ଆଗମନ ହେଉଛି ଏହି ସୃଷ୍ଟି ମହାକାବ୍ୟର ଉଦ୍ଦେଶ୍ୟ ତଥା ଦଶାବତାର ତତ୍ତ୍ୱର ସାର।
ଗୁଣପୁର, ମୋ: ୬୩୭୧୬୮୪୬୯୯


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri