ସ୍ୱଳ୍ପ ଅବଧି

କୁହାଯାଉଥିଲା ଯେ କଂଗ୍ରେସର ଭୁଲ୍‌ ପଦକ୍ଷେପ ଯୋଗୁ ନିଜ ଲୋକଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦିଆଯିବାରୁ ବ୍ୟାଙ୍କଗୁଡ଼ିକର ବିଫଳତା ଦେଖାଦେଇଥିଲା। ଏହି ବିଷୟ ମଧ୍ୟ ବାରମ୍ବାର ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କହୁଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ଲୋକେ ଭାବିଲେ ପୂର୍ବ କଂଗ୍ରେସ ସରକାର ଅମଳରେ ଏଭଳି ଭାବେ ଜନସାଧାରଣଙ୍କ ଅର୍ଥକୁ ଚୋରି କରି ନିଆଯାଇଛି। ତେବେ ଗରିବ, ଖଟିଖିଆଙ୍କ ଆର୍ଥିକ ଭବିଷ୍ୟତ ସହିତ ଆଜିର ସରକାର କେବେହେଲେ ଖେଳିବାକୁ ଦେବେ ନାହିଁ ବୋଲି ମୋଦି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। ହେଲେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ନକାରାତ୍ମକ ମନ୍ତବ୍ୟ ଦେଇ ଆସୁଛନ୍ତି। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିଠାରୁ ଆରମ୍ଭକରି ଅତ୍ୟାବଶ୍ୟକ ସାମଗ୍ରୀର ଅଭୂତପୂର୍ବ ମୂଲ୍ୟବୃଦ୍ଧି ସତ୍ତ୍ୱେ ଭାରତୀୟମାନେ ସହନଶୀଳତା ପ୍ରଦର୍ଶନ କରି ମୋଦିଙ୍କ ଭାଷଣ ଉପରେ ସର୍ବଦା ବିଶ୍ୱାସ କରି ରହିଲେ। ଅସଲ ଚିତ୍ର ପଦାକୁ ଆସିବା ପରେ ବର୍ତ୍ତମାନ ସରକାରଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ତଥ୍ୟ ପ୍ରକାଶ ପାଇବାରେ ଲାଗିଲାଣି।
ନିକଟରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ଭାରତୀୟ ପୁଞ୍ଜିବଜାର ଦୋହଲିଯାଇଛି। ନିଜ ଷ୍ଟକ୍‌ ଓ ଆକାଉଣ୍ଟ୍‌ସରେ ଦୀର୍ଘବର୍ଷ ଧରି ଆଦାନୀ ଗ୍ରୁପ୍‌ ବ୍ୟାପକ ହେରଫେର କରିଥିବା ବିଷୟ ପ୍ରଘଟ ହେବା ପରେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଥିବା ଗୌତମ ଆଦାନୀ ଏବେ ୭ମ ସ୍ଥାନକୁ ଖସି ଯାଇଛନ୍ତି। ଆଦାନୀ ଗ୍ରୁପ୍‌ ପ୍ରତିଷ୍ଠାତା ଗୌତମ ଆଦାନୀ ଜାଣିଶୁଣି ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇ ଗତ ୩ ବର୍ଷ ମଧ୍ୟରେ ୧୨୦ ବିଲିୟନ୍‌ ଡଲାର ଠୁଳ କରିଛନ୍ତି। ଏହା ଏକ ବିରାଟକାୟ ଆର୍ଥିକ ଠକାମି। ପୁଞ୍ଜିବଜାରରେ ତାଲିକାଭୁକ୍ତ ହୋଇଥିବା ଆଦାନୀ ଗ୍ରୁପ୍‌ର ୭ ମୁଖ୍ୟ କମ୍ପାନୀ ଏହି ଅବଧି ମଧ୍ୟରେ ହାରାହାରି ୮୧୯ ପ୍ରତିଶତ ଉପରକୁ ଉଠିଥିବା ବିଷୟ ହିଣ୍ଡେନ୍‌ବର୍ଗ ତା’ ରିପୋର୍ଟରେ ଦର୍ଶାଇବାରୁ ଭାରତବାସୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ଆଦାନୀ ଗ୍ରୁପ୍‌ ସିଏଫ୍‌ଓ ଯୁଗେଶିନ୍ଦର (ରୋବି) ସିଂ ଖଣ୍ଡନ କରିବା ଅବସରରେ ତାଙ୍କ ପଛରେ ଭାରତର ଜାତୀୟ ପତାକା ଟଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଏଥିରୁ ଧାରଣା ସୃଷ୍ଟି କରାଯିବାର ଉଦ୍ୟମ ହୋଇଥିବାର ମନେହେଉଛି ଯେ ଆଦାନୀ ବ୍ୟବସାୟକୁ ସମଗ୍ର ଭାରତବର୍ଷ ଏକ ଦେଶ ଭାବେ ସମର୍ଥନ କରୁଛି। ଆଦାନୀ ବିରୋଧରେ କହିବାର ଅର୍ଥ ହେଉଛି ଭାରତକୁ ବିରୋଧ କରିବା। ଏହି ଭ୍ରାନ୍ତ ଧାରଣା ସୃଷ୍ଟି କରିବାର ଉଦ୍ୟମ ଦେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହିଭଳି ଭାବେ ଆସ୍ପର୍ଦ୍ଧା ପ୍ରଦର୍ଶନ କରିବାର ମାନେ ହେଉଛି କେନ୍ଦ୍ର ସରକାର ଏହି କେତୋଟି ଘରୋଇ ଶିଳ୍ପପତିଙ୍କୁ ଅଯଥା ସମର୍ଥନ କରୁଛନ୍ତି। ଏହାକୁ ଅଯଥା ଏଇଥିପାଇଁ କୁହାଯାଉଛି, କାରଣ ଆଦାନୀ ଗ୍ରୁପ୍‌ ଏକ ଘରୋଇ କମ୍ପାନୀ ଏବଂ ଦେଶର ଭବିଷ୍ୟତ ସେହି ସଂସ୍ଥା ସହିତ ବନ୍ଧା ନୁହେଁ। ଅନ୍ୟପଟେ ଏହା ଅଯଥା କୁହାଯାଇପାରିବ ନାହିଁ, କାରଣ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଓ ଜୀବନ ବୀମା ନିଗମ (ଏଲ୍‌ଆଇସି) ଭଳି ଅନେକ ସରକାରୀ ସଂସ୍ଥାଠାରୁ ପ୍ରବଳ ପରିମାଣର ଅର୍ଥ ଆଦାନୀ ଉଠାଇ ନେଇଛନ୍ତି, ଯାହାର କୁଫଳ ଦେଶ ଉପରେ ପଡ଼ିବା ସ୍ବାଭାବିକ। ଗତ ଦୁଇ ଦିନ ମଧ୍ୟରେ ଏଲ୍‌ଆଇସି ଓ ଏସ୍‌ବିଆଇର ୭୮,୦୦୦ କୋଟି ଟଙ୍କା କ୍ଷତି ହୋଇସାରିଲାଣି। ସରକାରୀ ବ୍ୟବସ୍ଥା ସହିତ ଜଡ଼ିତ ବ୍ୟକ୍ତି ଫୋପାଡ଼ିଲା ଭଳି କହି ଦେଉଛନ୍ତି ଏହା ଦ୍ୱାରା ଦେଶର ଆର୍ଥିକ ସ୍ଥିତି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ମନେରଖିବାକୁ ହେବ ଯେ, ଏହି ମନ୍ଦ ପ୍ରଭାବ ଅଚାନକ ପଡ଼ି ନ ପାରେ, କିନ୍ତୁ ଏହାର କ୍ଷତିକାରକ ଦିଗ ନିକଟ ଭବିଷ୍ୟତରେ ଦେଶବାସୀଙ୍କୁ ଭୋଗିବାକୁ ପଡ଼ିବ।
ବିଗତ କିଛି ଦଶନ୍ଧିର ଶାସକଙ୍କ ଆଚରଣ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ନୂଆ କରି କ୍ଷମତାକୁ ଆସୁଥିବା ବର୍ଗ ପ୍ରଥମ ୫ ବର୍ଷ ମଧ୍ୟରେ ପର୍ଯ୍ୟାପ୍ତ ଦୁର୍ନୀତି କରିବାକୁ ସୁଯୋଗ ପାଉନାହାନ୍ତି। ଯେତେବେଳେ ଦ୍ୱିତୀୟ ଥର କ୍ଷମତାକୁ ଫେରୁଛନ୍ତି ସେତେବେଳେ ସବୁ ଫନ୍ଦିଫିକର କରି ଯାହା ପାରୁଛନ୍ତି ରାମ୍ପି ନେଉଛନ୍ତି। ଭାରତବାସୀ ଉପା ସରକାରର ପ୍ରଥମ ପାଳି ଅପେକ୍ଷା ଦ୍ୱିତୀୟ ପାଳିରେ ହୋଇଥିବା ଦୁର୍ନୀତି ବିଷୟରେ ଅବଗତ ହୋଇଥିଲେ। ସମାନ ଭାବେ ଦେଖିଲେ ୨୦୧୪ରେ ମୋଦି ସରକାରଙ୍କ ପ୍ରଥମ ପାଳି ଅପେକ୍ଷା ୨୦୧୯ରେ ଗଠିତ ସରକାର ଅଧିକ ନକାରାତ୍ମକ କାର୍ଯ୍ୟ ପାଇଁ ନିନ୍ଦିତ ହେଉଥିବା ଦେଖାଯାଉଛି। ଜାନୁୟାରୀ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରେ ୧,୧୧୧ତମ ଭଗବାନ ଶ୍ରୀଦେବନାରାୟଣଙ୍କ ଅବତାରଣ ଦିବସରେ ଯୋଗଦେବା ବେଳେ ଭାଷଣରେ କହିଛନ୍ତି, ଭାରତକୁ ଭାଙ୍ଗିବା ଲାଗି ଭୌଗୋଳିକ, ସାଂସ୍କୃତିକ, ସାମାଜିକ ଓ ଆଦର୍ଶାତ୍ମକ ଭାବେ ଅନେକ ଚେଷ୍ଟା କରାଯାଇଛି। କିନ୍ତୁ କୌଣସି ଶକ୍ତି ଭାରତକୁ ଧ୍ୱଂସ କରିପାରି ନାହିଁ। ଏବେ ଭାରତୀୟ ଜନତା ପାର୍ଟି (ଭାଜପା) ଯେଉଁଭଳି ଭାବେ ଦେଶକୁ ପ୍ରଗତି ପଥରେ ଆଗେଇ ନେଉଛି ତାହା ପୂର୍ବରୁ କଦାପି ଦେଖାଯାଇ ନ ଥିଲା। ଏଠାରେ ମୋଦି ନିଜ ଭାଷଣରେ ସରକାରଙ୍କ ଗୁଣଗାନ କରୁଥିଲେ ମଧ୍ୟ ଏହି ଶାସନ ସମୟରେ ଦେଖାଦେଇଥିବା ଅସଙ୍ଗତିକୁ ଜନସାଧାରଣ ଭଲ ଭାବେ ବୁଝିସାରିଲେଣି। ବିବିସି ଡକ୍ୟୁମେଣ୍ଟାରିକୁ ଭାରତରେ ପ୍ରଦର୍ଶନ କରିବାକୁ ସୁଯୋଗ ଦିଆଯାଇଥିଲେ ଖୋଦ୍‌ ମୋଦି ଓ ତାଙ୍କ ସରକାରଙ୍କ ସ୍ବଚ୍ଛତା ବିଷୟରେ ଲୋକେ ଜାଣିପାରିଥାଆନ୍ତେ। କିନ୍ତୁ ତାହା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଅନୁରୂପ ଭାବେ ଏକ କଳଙ୍କିତ ସଂସ୍ଥା ଆଦାନୀ ଗ୍ରୁପ୍‌କୁ ପୂର୍ଣ୍ଣ ସମର୍ଥନ ଦେଉଥିବାରୁ ସରକାରଙ୍କ ତରଫରୁ ଅଦ୍ୟାବଧି ଅର୍ଥମନ୍ତ୍ରୀ କୌଣସି ସ୍ପଷ୍ଟୀକରଣ ଦେଉ ନ ଥିବା ଦେଖିବାକୁ ମିଳିଛି। ଆମେରିକାର ଏକ ଗବେଷଣା ସଂସ୍ଥା ଭାରତର ଏକ ବୃହତ୍‌ କମ୍ପାନୀ ବିରୋଧରେ ଅଭିଯୋଗ ଆଣିଥିବାରୁ ତତ୍‌କ୍ଷଣାତ୍‌ ସରକାରଙ୍କ ତରଫରୁ ଯାଞ୍ଚ ନିର୍ଦ୍ଦେଶ ଦିଆଯିବା କଥା। କିନ୍ତୁ ଏ ଦିଗରେ ସରକାରୀ ବ୍ୟବସ୍ଥା ମୁଣ୍ଡ କାନ ହଲାଉ ନାହାନ୍ତି। ତେଣୁ ଆଜିର ସ୍ଥିତିକୁ ଦେଖିଲେ ୫ ବର୍ଷରୁ ଊର୍ଦ୍ଧ୍ୱ ଶାସନ ଦାୟିତ୍ୱରେ ରହୁଥିବା ସରକାରଙ୍କ କାର୍ଯ୍ୟକଳାପ ସନ୍ଦେହର ଊର୍ଦ୍ଧ୍ୱକୁ ଉଠିପାରୁ ନାହିଁ। ଦେଶବାସୀ ଭାରତର ମଙ୍ଗଳ ଚାହୁଁଥିଲେ ସ୍ବଳ୍ପ ଅବଧିର ଶାସନକୁ ପସନ୍ଦ କରିବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri