ହାସିନା ପଳାଇଲେ

ଭାରତର ପଡ଼ୋଶୀ ଏବଂ ଏକମାତ୍ର ଦେଶ ଯିଏ କି ଭାରତ ସହ ଭଲ ସମ୍ପର୍କ ରଖିଆସିଛି, ବାଂଲାଦେଶ ଏବେ ଅଶାନ୍ତ। ସଂରକ୍ଷଣକୁ ନେଇ ତେଜିଉଠିଥିବା ହିଂସାତ୍ମକ ଛାତ୍ର ଅନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଦେଶ ଛାଡ଼ି ପଳାଇଛନ୍ତି। ଏହା ଘଟିଲା ଯେତେବେଳେ ଅନେକ ହଜାର ଲୋକ ସ୍ବତଃସ୍ଫୂର୍ତ୍ତ ଭାବେ ଦେଶର ରାଜଧାନୀ ଢାକାସ୍ଥିତ ‘ଗଣଭବନ’ ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅବସ୍ଥାପିତ, ତା’ ଉପରେ ଚଢ଼ାଉ କରି ପ୍ରବେଶ କଲେ। ତେବେ ବାଂଲାଦେଶର ସଂରକ୍ଷଣ ବିରୋଧୀ ହିଂସାରେ ଏଯାବତ ୩୦୦ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ସ୍ତରରେ କୁହାଯାଇଛି। ସଂରକ୍ଷଣକୁ ନେଇ ଆନ୍ଦୋଳନ ହେବା କିମ୍ବା ଧନ ଜୀବନ କ୍ଷତି ହେବା ବିଷୟ କିଛି ନୂଆ କଥା ନୁହେଁ। ଅତୀତରେ ଭାରତରେ ମଧ୍ୟ ଏହାର ଭୟାବହତା ଦେଖିବାକୁ ମିଳିଛି। ଏଇ ନିକଟରେ ସଂରକ୍ଷଣକୁ ନେଇ ମଣିପୁରର ଜାତିଗତ ହିଂସା ସମସ୍ତଙ୍କର ମନେ ଅଛି। ସଂରକ୍ଷଣକୁ କେନ୍ଦ୍ରକରି କର୍ନାଟକ, ହରିୟାଣା, ମହାରାଷ୍ଟ୍ର ଆଦି ରାଜ୍ୟଗୁଡ଼ିକରେ ମଧ୍ୟ ହିଂସା ସୃଷ୍ଟି ହୋଇଥିଲା। ଏହା ବ୍ୟତୀତ ସଂରକ୍ଷଣକୁ ନେଇ ୯୦ ଦଶକରେ ଭାରତ ଏକ ବଡ଼ଧରଣର ଆନ୍ଦୋଳନ ଦେଖିଥିଲା। କିନ୍ତୁ ଭାରତ ଭଳି ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା ଏତେ ଅଧିକ ନ ଥିଲେ ମଧ୍ୟ ତାହାକୁ ନେଇ ସୃଷ୍ଟି ହୋଇଥିବା ବ୍ୟାପକ ହିଂସା ଯୋଗୁ ହାସିନା ଦେଶ ଛାଡ଼ି ପଳାଇବାକୁ ବାଧ୍ୟ ହୋଇଛନ୍ତି। ଉଲ୍ଲେଖନୀୟ ଯେ, ଗତ ମାସରେ ବାଂଲାଦେଶର ହାଇକୋଟର୍ର୍ ବାଂଲାଦେଶ ସ୍ବାଧୀନତା ସଂଗ୍ରାମୀ(ମୁକ୍ତି ଯୋଦ୍ଧା)ଙ୍କ ଦାୟାଦଙ୍କ ପାଇଁ ସରକାରୀ ଚାକିରିରେ ୩୦% ସଂରକ୍ଷଣ ରଖିବାକୁ କହିବା ପରେ ଛାତ୍ର ଆନ୍ଦୋଳନ ଦେଖାଯାଇଥିଲା। ପ୍ରାରମ୍ଭିକ ସ୍ତରରେ ହାସିନା ଆନ୍ଦୋଳନକାରୀଙ୍କୁ ‘ରାଜାକର’ ବୋଲି ମନ୍ତବ୍ୟ ଦେବା ପରେ ଆନ୍ଦୋଳନ ବଢ଼ିଥିଲା। ରାଜାକର କହିଲେ ବାଂଲାଦେଶ ସ୍ବାଧୀନତା ସଂଗ୍ରାମରେ ପାକିିସ୍ତାନ ସପକ୍ଷରେ ଥିବା ବ୍ୟକ୍ତିଙ୍କୁ ସୂଚିତ କରେ । ତେବେ ଆନ୍ଦୋଳନର ଭୟାବହତାକୁ ଲକ୍ଷ୍ୟକରି ଜୁଲାଇ ଶେଷ ସପ୍ତାହରେ ବାଂଲାଦେଶ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ, ଯୋଗ୍ୟତା ଆଧାରରେ ୯୩ ପ୍ରତିଶତ ଚାକିରି ଦିଆଯିବା ସହ ବାଂଲାଦେଶ ସ୍ବାଧୀନତା ସଂଗ୍ରମୀଙ୍କ ଦାୟାଦଙ୍କ ପାଇଁ ୫% ଓ ଅନ୍ୟ ବର୍ଗ ପାଇଁ ୨%(ମୋଟ ୭ ପ୍ରତିଶତ) ରଖାଯିବ। ତଥାପି ଆନ୍ଦୋଳନ ଶାନ୍ତ ପଡ଼ି ନ ଥିଲା।
ଉଲ୍ଲେଖନୀୟ ଯେ, ପାକିସ୍ତାନଠାରୁ ଅଲଗା ହୋଇ ୧୯୭୧ରେ ବାଂଲାଦେଶ ଗଠନ ହୋଇଥିଲା। ଏହି ସ୍ବାଧୀନତା ପାଇଁ ହୋଇଥିବା ଲଢ଼େଇକୁ ମୁକ୍ତିଯୁଦ୍ଧ କୁହାଯାଏ ଓ ଏଥିରେ ଭାଗ ନେଇଥିବା ସଂଗ୍ରାମୀମାନଙ୍କ ଦାୟାଦଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଅଣାଯିବା ପରେ ବାଂଲାଦେଶ ସଙ୍କଟକୁ ଚାଲିଯାଇଛି। ଏହା ମଧ୍ୟ ଉଲ୍ଲେଖନୀୟ ଯେ, ହାସିନାଙ୍କ ନେତୃତ୍ୱାଧୀନ ଆଓ୍ବାମି ଲିଗ୍‌ ଦଳରେ ମୁଖ୍ୟତଃ ଏହି ସ୍ବାଧୀନତା ସଂଗ୍ରମୀମାନଙ୍କର ଦାୟାଦମାନେ ନେତୃସ୍ଥାନୀୟ ପଦବୀରେ ଅଛନ୍ତି। ଏହି ଦଳର ନିର୍ମାତା ଏବଂ ହାସିନାଙ୍କ ପିତା ଶେଖ୍‌ ମୁଜିବୁର ରହମନ ଥିଲେ ବାଂଲାଦେଶର ‘ଜାତିର ପିତା’। ସ୍ବାଧୀନତା ପରେ ମୁଜିବୁର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ବାଂଲାଦେଶ ସେନାର ସକ୍ରିୟ ସହଯୋଗରେ ହତ୍ୟା କରାଯାଇଥିଲା।
୨୦୧୮ରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ୧୯୭୦ ଦଶକର ପ୍ରାରମ୍ଭରୁ ରହିଆସିଥିବା କୋଟା ସିଷ୍ଟମକୁ ଉଚ୍ଛେଦ କରିଥିଲେ। ଏହାକୁ ଲକ୍ଷ୍ୟକରି ହାସିନା ସ୍ବାଧୀନତା ସଂଗ୍ରମୀମାନଙ୍କ ଦାୟାଦଙ୍କ ପାଇଁ କୋଟା ବ୍ୟବସ୍ଥା କରିବାକୁ କହିଥିଲେ। ତେବେ ଜୁନ୍‌ ୨୦୨୪ରେ ବାଂଲାଦେଶ ସୁପ୍ରିମକୋର୍ଟ ପୁନର୍ବାର ଏହା ଉପରେ ବିଚାରକରି ୩୦% ସଂରକ୍ଷଣ ପୁନଃସ୍ଥାପିତ କରିବା ଛାତ୍ର ଆନ୍ଦୋଳନର ମୁଖ୍ୟ କାରଣ ହୋଇଛି। ଉଲ୍ଲେଖନୀୟ ଯେ, ଶେଖ୍‌ ହାସିନା ୧୯୯୬ରେ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ୨୦୦୯ ରୁ ୨୦୨୪ ଯାଏ ରହିଥିଲେ। ହେଲେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି( ବିଏନ୍‌ପି) ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ସମୟରେ ନିର୍ବାଚନ କରାଯାଇଥିଲା। ଏଥିରେ ବିଏନ୍‌ପି ଭାଗ ନେଇ ନ ଥିଲା। ପରେ ନିର୍ବାଚନରେ ଅନିୟମିତତା ଅଭିଯୋଗ ଆସିଥିଲେ ବି ତାହାର କୌଣସି ଫଳ ମିଳି ନ ଥିଲା। ଏହା ସ୍ପଷ୍ଟ ଯେ, ବାଂଲାଦେଶରେ ଥିବା ଚାପା ଉତ୍ତେଜନାକୁ ସଂରକ୍ଷଣ ବ୍ୟବସ୍ଥା ଏକ ସୁଯୋଗ ହୋଇଥିବା କୁହାଯାଇପାରେ। ୧୭ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଦେଶରେ ପାଖାପାଖି ୩.୨ କୋଟି ଯୁବକଙ୍କ ହାତରେ ଏବେ କାମ ନାହିଁ। ଏଭଳି ସ୍ଥିତିରେ ସଂରକ୍ଷଣ ଲାଗୁ କରିବା ଅସନ୍ତୋଷର କାରଣ ହେବା ସ୍ବାଭାବିକ। ଯୁଦ୍ଧରୁ ସୃଷ୍ଟି ହୋଇଥିବା ବାଂଲାଦେଶର ୫ ଦଶନ୍ଧି ଇତିହାସ ମଧ୍ୟରେ ଲଗାତର ଭାବେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଶତ୍ରୁତା ପରିଲକ୍ଷିତ ହୋଇ ଆସିଛି। ବାସ୍ତବରେ ହାସିନାଙ୍କ ସମୟରେ ବାଂଲାଦେଶର ଅର୍ଥନୈତିକ ଉନ୍ନତି ଘଟିଥିଲେ ମଧ୍ୟ ରାଜନୈତିକ ଏବଂ ସାମାଜିକ ଅସ୍ଥିରତା ବୃଦ୍ଧି ପାଇଥିଲା।
ଏଠାରେ ଉଲ୍ଲେଖନୀୟ ଯେ, ଭାରତର ସୀମାନ୍ତ ଅଞ୍ଚଳରେ ଥିବା ସବୁ ଦେଶ ତୁଳନାରେ ବାଂଲାଦେଶ ଥିଲା ଅନ୍ୟତମ। ସେଠାକାର ଆଓ୍ବାମି ଲିଗ୍‌ ସରକାରର ଭାରତ ସହ ବନ୍ଧୁତ୍ୱ ସମ୍ପର୍କରେ ସମଗ୍ର ପୃଥିବୀ ଜାଣିଥିଲା। ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଯେଉଁ ସରକାର ବାଂଲାଦେଶକୁ ଶାସନ କରିବ ତାହା ହାସିନାଙ୍କ ନୀତିରେ ଆମୂଳଚୂଳ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହେବ। ବିଭିନ୍ନ ନୀତି ମଧ୍ୟରୁ ବହିର୍ବ୍ୟାପାର ନୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଭାରତ ସହ ବନ୍ଧୁତ୍ୱ ପରିବର୍ତ୍ତେ ଶତ୍ରୁତା ଆରମ୍ଭ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଯିବ। ତିସ୍ତା ନଦୀ ଜଳବିବାଦରୁ ଆରମ୍ଭକରି ଅନେକ ଏଭଳି ପ୍ରସଙ୍ଗ ଯେଉଁଗୁଡ଼ିକୁ ବ୍ୟବହାର କରି ଭାରତକୁ ବିରୋଧୀ ରାଷ୍ଟ୍ର ଭାବେ ରଙ୍ଗ କରିଦେବା ସହଜ ହେବ। ହାସିନାଙ୍କ ସମୟରେ ବାଂଲାଦେଶ ଅନେକ ପରିମାଣରେ ଧର୍ମନିରପେକ୍ଷତା ଅବଲମ୍ବନ କରି ଆସୁଥଲା। ଏବେ ସେଥିରେ ବଡ଼ଧରଣର ପରିବର୍ତ୍ତନ ଆସିବାର ସବୁ ସମ୍ଭାବନା ରହିଛି, କାରଣ ମୁଖ୍ୟ ଦୁଇ ବିରୋଧୀ ଦଳ- ବାଂଲାଦେଶ ନ୍ୟାଶାଲିଷ୍ଟ ପାର୍ଟି ଏବଂ ଜମାତ ଇ ଇସ୍‌ଲାମୀ-ଉଭୟେ ଇସ୍‌ଲାମୀୟ ଜଗତ ସାଙ୍ଗରେ ବନ୍ଧୁତ୍ୱ ଗଢ଼ିବା ପାଇଁ ଅଧିକ ମନ ବଳାଇବେ। ତତ୍‌ସହିତ ବାଂଲାଦେଶରେ ଚାଇନାର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ବଢ଼ିବ। ଏହି ଦୃଷ୍ଟିକୋଣରୁ ବାଂଲାଦେଶରେ ଘଟୁଥିବା ଅଶାନ୍ତ ପରିସ୍ଥିତିକୁ ନୂଆଦିଲ୍ଲୀ ଗୁରୁତ୍ୱର ସହିତ ଦେଖିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri