ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ରବିବାର ସାରେ ନାବାଳିକା ଜଣକ ଘର ବାହାରେ ଖେଳୁଥିବା ସମୟରେ ନାବାଳକ ଭାଇ ତାଙ୍କୁ ବିଭିନ୍ନ କଥା କହି ନିକଟସ୍ଥ ଜଙ୍ଗଲକୁ ଡ଼ାକି ନେଇ ଥିଲେ। ସେଠାରେ ସେ ଯୌନ ନିର୍ଯାତନା ଦେଇଥିଲେ। ଏପରିକି ଘଟଣା ବାବଦରେ କାହାରିକି ନ କହିବାକୁ ଧମକଚମକ ଦେଇଥିଲେ। ଫଳରେ ଡରିଯାଇ ଶିଶୁ କନ୍ୟା ଘଟଣା କାହାରିକି କହି ନ ଥିଲେ।
ପରବର୍ତ୍ତୀ ସମୟରେ ଶିଶୁକନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ସବୁକଥା ପଚାରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ପରିବାର ଲୋକେ ତୁରନ୍ତ ନାବାଳିକାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ନାବାଳିକାଙ୍କୁ ବେତନଟୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଶିଶୁକନ୍ୟାଙ୍କ ବାପା ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗୁ ଭିତ୍ତି କରି ବୈଶିଙ୍ଗା ଥାନା ପୋଲିସ ଏକ ମାମଲା(ନଂ.୪୮୪/୨୧) ରୁଜୁ କରିଛି। ଏସ୍ଆଇ ଅଶୋକ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ ଜାରି ରହିଛି। ପୋଲିସ ନାବାଳକ ଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ନାବାଳକ ଜଣଙ୍କ ନିକଟସ୍ଥ ଏକ ଆଶ୍ରମ ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢୁଥିବା ବେଳେ ଇତି ମଧ୍ୟରେ ସେ ପାଠ ପଢ଼ା ଛାଡ଼ି ଦେଇଥିବା ସୂଚନା ମିଳିଛି।

