Categories: ଖେଳ

ଶାଜି ପ୍ରଭାକରନ ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ, ୪।୯: ଫୁଟ୍‌ବଲ ଦିଲ୍ଲୀ ସଭାପତି ଶାଜି ପ୍ରଭାକରନ ଶନିବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ସଭାପତି କଲ୍ୟାଣ ଚୌବେଙ୍କ ଅଧ୍ୟକ୍ଷତାରେ ନବଗଠିତ ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟି ପ୍ରଭାକରନଙ୍କୁ ମନୋନୀତ କରିଥିଲା, ଯାହା ପୂର୍ବରୁ ଅନୁମାନ କରାଯାଉଥିଲା। ଏଆଇଏଫ୍‌ଏଫ୍‌ ସଭାପତିଙ୍କ ପ୍ରସ୍ତାବକ୍ରମେ ସର୍ବସମ୍ମତିରେ ସୁନନ୍ଦୋ ଧର୍‌ ମହାସଂଘର ଉପସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ଧର ଆଇ-ଲିଗ୍‌ର ସିଇଓ ଭାବେ ଏଆଇଏଫ୍‌ଏଫ୍‌ରେ ଯୋଗ ଦେଇଥିଲେ। କୁଶାଲ ଦାସଙ୍କୁ ବହିଷ୍କାର କରାଯିବା ପରେ ସେ କାର୍ଯ୍ୟନିର୍ବାହୀ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ଏଆଇଏଫ୍‌ଏଫ୍‌ରେ ପରିବର୍ତ୍ତନ ଆଣିବା ଲାଗି ଚାହୁଁଥିବା ଗୋଷ୍ଠୀରେ ପ୍ରଭାକରନ ସର୍ବାଗ୍ରେ ଥିଲେ। ଶୁକ୍ରବାର ଭାରତୀୟ ଫୁଟ୍‌ବଲ ମହାସଂଘ ନିର୍ବାଚନରେ ସେ ଅଂଶଗ୍ରହଣ କରି ନ ଥିଲେ। ଚୌବେ ସେଦିନ ମହାସଂଘର ଦୀର୍ଘ ୮୫ ବର୍ଷର ଇତିହାସରେ ପ୍ରଥମ ଖେଳାଳି ଭାବେ ସଭାପତି ପଦ ପାଇଁ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ, ୨୦୧୭ରେ ପ୍ରଭାକରନ ଦିଲ୍ଲୀ ଫୁଟ୍‌ବଲ ଆସୋସିଏଶନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ତାହା ଫୁଟ୍‌ବଲ ଦିଲ୍ଲୀ ନାମରେ ପରିଚିତ। ସେ ଆହୁରି ମଧ୍ୟ ଫିଫା ସାଉଥ ସେଣ୍ଟ୍ରାଲ ଏସିଆ ଡେଭଲପମେଣ୍ଟ ଅଫିସର ହୋଇଛନ୍ତି। ଆଲବର୍ଟୋ କୋଲାକୋ ସାଧାରଣ ସମ୍ପାଦକ ରହିଥିବା ବେଳେ ସେ ଫୁଟ୍‌ବଲ ହାଉସ୍‌ର ଭିଜନ ଓ ଜାତୀୟ ଦଳର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଗତ ମେ’ ମାସରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ପ୍ରଫୁଲ୍ଲ ପଟେଲ ବିଦା ହେବା ପରେ ପ୍ରଭାକରନ ଏଆଇଏଫ୍‌ଏଫ୍‌ ସଭାପତି ଦୌଡ଼ରେ ରହିବେ ବୋଲି ଅନୁମାନ କରାଯାଉଥିଲା। ମାତ୍ର ପରେ ଜଣାପଡ଼ିଥିଲା ଯେ, ଚୌବେଙ୍କ ଗୋଷ୍ଠୀର ଯଦି ବିଜୟ ହୁଏ ତେବେ ତାଙ୍କୁ ସାଧାରଣ ସମ୍ପାଦକ ପଦ ମିଳିବ। ପୂର୍ବତନ ଗୋଲ୍‌କିପର ଚୌବେ ଶୁକ୍ରବାର ନିର୍ବାଚନରେ ପୂର୍ବତନ ଭାରତୀୟ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କ ବିପକ୍ଷରେ ବିପୁଳ ବିଜୟ ହାସଲ କରି ଏଆଇଏଫଏଫ୍‌ର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଫଳରେ ଏଆଇଏଫ୍‌ଏଫ୍‌ ମୁଖ୍ୟ କାର୍ଯ୍ୟାଳୟକୁ ବଡ଼ ପଦବୀ ସହ ଫେରିବା ଲାଗି ପ୍ରଭାକରନଙ୍କ ପାଇଁ ପଥ ପରିଷ୍କାର ହୋଇଥିଲା। କାର୍ଯ୍ୟନିର୍ବାହୀ କମିଟି ଆହୁରି ମଧ୍ୟ ଆଇ.ଏମ୍‌. ବିଜୟନଙ୍କୁ ନୂଆ ଏଆଇଏଫ୍‌ଏଫ୍‌ ଟେକ୍‌ନିକାଲ କମିଟିର ଚେୟାରମ୍ୟାନ ଭାବେ ମନୋନୀତ କରିଛି। ୟୁଜେନସନ ଲିଙ୍ଗ୍‌ଦୋ, କ୍ଲାଇମାକ୍ସ ଲରେନ୍ସ, ହରଜିନ୍ଦର ସିଂ, ଅରୁଣ ମାଲହୋତ୍ରା ଓ ପିଙ୍କି ବୋମ୍ପାଲଙ୍କୁ ଟେକ୍‌ନିକାଲ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଅନ୍ୟପକ୍ଷରେ ପୂର୍ବତନ ଭାରତ ଅଧିନାୟକ ଶିବର ଅଲୀଙ୍କୁ ସର୍ବସମ୍ମତିକ୍ରମେ ଉପଦେଷ୍ଟା କମିଟିର ଚେୟାରମ୍ୟାନ କରାଯାଇଛି।

Share