Categories: ଖେଳ

ପାକିସ୍ତାନ ଦଳରେ ଯୁବ ବ୍ୟାଟ୍ସମ୍ୟାନ ଶାଫିକ୍‌

କରାଚୀ, ୨୦ା୧୦ (ପି.ଟି.)- ଆସନ୍ତା ମାସରେ ଜିମ୍ବାଓ୍ବେ ବିପକ୍ଷରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ପାକିସ୍ତାନ ୨୨ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ କରିଛି। ଏଥିରେ ସର୍ଫରାଜ ଅହମ୍ମଦ, ଶୋଏବ ମଲିକ ଏବଂ ମହମ୍ମଦ ଅମିରଙ୍କ ଭଳି ସିନିୟର ଖେଳାଳି ସ୍ଥାନ ପାଇ ନ ଥିବା ବେଳେ ଯୁବ ବ୍ୟାଟ୍ସମ୍ୟାନ ଅବ୍‌ଦୁଲ୍ଲା ଶାଫିକ୍‌ଙ୍କୁ ସାମିଲ କରାଯାଇଛି। ୨୦ ବର୍ଷୀୟ ଶାଫିକ୍‌ ନିକଟରେ ଶେଷ ହୋଇଥିବା ନ୍ୟାଶନାଲ ଟି୨୦ କପ୍‌ରେ ସେଣ୍ଟ୍ରାଲ ପଞ୍ଜାବ ଦଳ ତରଫରୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ନ୍ୟାଶନାଲ ଟି୨୦ କପ୍‌ରେ ସିଆଲକୋଟର ଏହି ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ୭ମ ସଫଳ ବ୍ୟାଟ୍ସମ୍ୟାନ ବିବେଚିତ ହୋଇଥିଲେ। ସେ ମୋଟ ୩୫୮ ରନ ସଂଗ୍ରହ କରିଥିବା ବେଳେ ତାଙ୍କର ଷ୍ଟ୍ରାଇକ୍‌ରେଟ୍‌ ୧୩୩ରୁ ଅଧିକ ରହିଥିଲା। ଟି୨୦ ପଦାର୍ପଣରେ ସେ ଏକ ଶତକ ହାସଲ କରିଥିଲେ। ଫଳରେ ଉଭୟ ପ୍ରଥମ ଶ୍ରେଣୀ ଏବଂ ଟି୨୦ ପଦାର୍ପଣରେ ଶତକ ଅର୍ଜନ କରିବାରେ ସେ ଇତିହାସରେ ଦ୍ୱିତୀୟ ଖେଳାଳି ବିବେଚିତ ହୋଇଛନ୍ତି।

Share