Categories: ଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ: ଭାରତୀୟ ମହିଳା ଦଳ ଘୋଷିତ; ଶିଖାଙ୍କୁ ଅଣଦେଖା, ଦିନିକିଆରୁ ଶେଫାଳି ବାଦ୍‌

ନୂଆଦିଲ୍ଲୀ,୨୮।୨(ପି.ଟି.): ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟୁଇନ୍‌ ସିରିଜ (ଦିନିକିଆ ଓ ଟି୨୦) ପାଇଁ ଭାରତୀୟ ମହିଳା ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟି୨୦ ସିରିଜ ଦଳରୁ ଅଭିଜ୍ଞ ଦ୍ରୁତ ବୋଲର ଶିଖା ପାଣ୍ଡେଙ୍କୁ ବାଦ୍‌ ଦିଆଯାଇଛି। ସେହିପରି ଆଶ୍ଚର୍ଯ୍ୟଜନକ ଭାବେ ଦିନିକିଆ ଦଳର ଧୂଆଁଧାର ଓପନର ଶେଫାଳି ବର୍ମାଙ୍କୁ ବାଦ୍‌ ଦିଆଇଛି। ନିତୁ ଡେଭିଡ୍‌ଙ୍କ ନେତୃତ୍ୱାଧୀନ ଚୟନ କମିଟି ଶେଫାଳିଙ୍କୁ ବାଦ୍‌ ଦେଇଥିବାରୁ ଏ ନେଇ ଚର୍ଚ୍ଚା ହେଉଛି। ମିଥାଲି ରାଜ ଓ ପୁନମ ରାଉତଙ୍କ ଷ୍ଟ୍ରାଇକ୍‌ ରେଟ୍‌ ନୈରାଶ୍ୟଜନକ ଥିବା ବେଳେ ଦଳରେ ସ୍ଥାନ ପାଇଛନ୍ତି।
ମାତ୍ର ୧୯ଟି ଟି୨୦ ଖେଳିଥିବା ଶେଫାଳି ଗତବର୍ଷ ଟି୨୦ ବିଶ୍ୱକପ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ ଓ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଚୟନକର୍ତ୍ତାମାନେ ଗତବର୍ଷର ଘରୋଇ ସେସନର ପ୍ରଦର୍ଶନ ସହିତ ବାଂଲାଦେଶ ବିପକ୍ଷରେ ସିରିଜରେ ଏ ଓ ବି ଦଳର ପ୍ରଦର୍ଶନକୁ ବିଚାର କରି ଦଳ ଚୟନ କରିଛନ୍ତି। ଦୁଇଟି ଫର୍ମାଟ୍‌ ପାଇଁ ଉଇକେଟକିପର ବ୍ୟାଟ୍ସମ୍ୟାନ ଶ୍ୱେତା ଭର୍ମା ଓ ସୁଷମା ବର୍ମାଙ୍କୁ ଉଭୟ ଦଳରେ ସାମିଲ କରାଯାଇଛି। ସେହିପରି ଡାହାଣହାତୀ ମିଡିୟମ ପେସର ସି. ପ୍ରତ୍ୟୁଷା ଓ ମୋନିକା ପଟେଲ ଉଭୟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଯୁବ ଦ୍ରୁତ ବୋଲର ସିମ୍‌ରନ ଡିଲ ବାହାଦୁର ମଧ୍ୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଦୁର୍ବଳ ଫର୍ମ ଦେଇ ଗତିକରୁଥିବା ଭେଦା କ୍ରିଷ୍ଣମୂର୍ତ୍ତି ଉଭୟ ଦଳରୁ ବାଦ୍‌ ପଡିଛନ୍ତି। ଦିନିକିଆ ଦଳରେ ଏକତା ବିଷ୍ଟଙ୍କୁ ବାଦ୍‌ ଦିଆଯାଇଥିବା ବେଳେ ୟସ୍ତିକା ଭାଟିଆ ସାମିଲ ହୋଇଛନ୍ତି।
ଦୁଇଟି ସିରିଜର ସବୁ ମ୍ୟାଚ୍‌ ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ମାର୍ଚ୍ଚ ୭ରୁ ୧୭ ତାରିଖ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯିବ। ସେହିପରି ମାର୍ଚ୍ଚ ୨୦ରୁ ୨୩ ମଧ୍ୟରେ ଟି୨୦ ମ୍ୟାଚ୍‌ଗୁଡିକ ଅୟୋଜନ ହେବ।
ଭାରତୀୟ ମହିଳା ଦିନିକିଆ ଦଳ:
ମିଥାଲି ରାଜ (ଅଧିନାୟିକା), ସ୍ମୃତି ମାନ୍ଦନା, ଜେମିମା ରୋଡ୍ରିଗୁଏଜ, ପୁନମ ରାଉତ, ପ୍ରିୟା ପୁନିଆ, ୟସ୍ତିକା ଭାଟିଆ, ହରମନପ୍ରୀତ କୌର (ଉପଅଧିନାୟିକା), ଡି. ହେମଲତା, ଦୀପ୍ତି ଶର୍ମା, ସୁଷମା ବର୍ମା (ଉଇକେଟକିପର), ଶ୍ୱେତା ବର୍ମା (ଉଇକେଟକିପର), ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ଝୁଲଣ ଗୋସ୍ବାମୀ, ମାନସୀ ଜୋଷୀ, ପୁନମ ଯାଦବ, ସି. ପ୍ରତ୍ୟୁଷା ଓ ମୋନିକା ପଟେଲ।
ଭାରତୀୟ ମହିଳା ଟି୨୦ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା (ଉପଅଧିନାୟକ), ଶେଫାଳି ବର୍ମା, ଜେମିମା ରୋଡ୍ରିଗୁଏଜ, ଦୀପ୍ତି ଶର୍ମା, ରିଚା ଘୋଷ, ହାର୍ଲିନ ଦେଓଲ, ସୁଷମା ବର୍ମା (ଉଇକେଟକିପର), ନୁଝତ ପରବୀନ (ଉଇକେଟକିପର), ଆୟୁଷୀ ସୋନୀ, ଅରୁନ୍ଧତି ରେଡ୍ଡୀ, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ପୁନମ ଯାଦବ, ମାନସୀ ଜୋଷୀ, ମୋନିକା ପଟେଲ, ସି. ପ୍ରତ୍ୟୁଷା ଓ ସିମ୍‌ରନ ଦିଲ ବାହାଦୁର।

Share