Categories: ଖେଳ

ସିନିୟର ମହିଳା ଫୁଟ୍‌ବଲ: ଭାରତୀୟ ଦଳରେ ପ୍ୟାରୀ

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି)-ଚଳିତ ମାସ ୧୪ରୁ ୨୪ ପର୍ଯ୍ୟନ୍ତ ତୁର୍କୀରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ପାଇଁ ଏହା ପ୍ରସ୍ତୁତି ସଦୃଶ ହେବ। ଏଥିପାଇଁ ଭାରତୀୟ ଦଳରେ ଓଡ଼ିଶାର ପ୍ୟାରୀ ଖାଖା ସ୍ଥାନ ପାଇଛନ୍ତି। ଏପରି ଏକ ବଡ଼ ସୁଯୋଗ ପାଇଥିବାରୁ ପ୍ୟାରୀଙ୍କୁ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଓ ଅନ୍ୟ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି। ୧୯୯୭ ମେ ୧୮ରେ ରାଉରକେଲାରେ ଜନ୍ମିତ ପ୍ୟାରୀ ୨୦୧୫ରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ପକ୍ଷରୁ ଖେଳି ସିନିୟର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେହିବର୍ଷ ସେ ଏଆଇଏଫ୍‌ଏଫ୍‌ ଇମର୍ଜିଂ ଫୁଟବଲର ଅଫ୍‌ ଦି ଇୟର ପୁରସ୍କାର ପାଇଥିଲେ। ୨୦୧୬ରେ ଶିଲଂରେ ସାଉଥ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟା ଥିଲେ। ୨୦୧୭ରେ କୁଆଲାଲମ୍ପୁରଠାରେ ମାଲେସିଆ ବିପକ୍ଷ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ୨ଟି ଗୋଲ ସ୍କୋର କରିଥିଲେ। ଏଥିରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଥିଲା। ଏହା ବ୍ୟତୀତ ୨୦୧୯ରେ ହଂକଂ ଓ ଇଣ୍ଡୋନେସିଆ ବିପକ୍ଷରେ ୪ଟି ଯାକ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଜିତିଥିବା ଭାରତୀୟ ଦଳ ପକ୍ଷରୁ ମଧ୍ୟ ସେ ଖେଳିଥିଲେ। ୨୦୧୮ରେ ମେଘାଳୟର ଶିଲଂଠାରେ ଅନୁଷ୍ଠିତ ଇଣ୍ଡିଆନ ଓମେନ୍ସ ଲିଗ୍‌ ଟାଇଟଲ ଜିତିଥିବା ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ଦଳର ସେ ସଦସ୍ୟା ଥିଲେ।

Share