Posted inଫୁରସତ

ଓଡ଼ିଆ କାବ୍ୟ ସାହିତ୍ୟର ନିଆରା ସ୍ରଷ୍ଟା ଅପର୍ଣ୍ଣା

ଓଡ଼ିଆ କାବ୍ୟ ସାହିତ୍ୟରେ ଜଣେ ଆଦରଣୀୟ ବ୍ୟକ୍ତିତ୍ୱ, ନିଆରା ସ୍ରଷ୍ଟା ସର୍ବୋପରି ଜଣେ ବରିଷ୍ଠ କବୟିତ୍ରୀ ଅପର୍ଣ୍ଣା ମହାନ୍ତି। ଯିଏ କି ଶିକ୍ଷା ଓ ସାହିତ୍ୟ ପ୍ରତି ଉତ୍ସର୍ଗ କରିଛନ୍ତି ତାଙ୍କ ସମଗ୍ର ଜୀବନ। ନିଜର ସୃଷ୍ଟି ଓ ସର୍ଜନା ପାଇଁ ତାଙ୍କର ସ୍ଥାନ ସ୍ବତନ୍ତ୍ର। ପ୍ରେମ, ବିଦ୍ରୋହ, ପ୍ରତାରଣା, ପ୍ରେରଣା, ଯାହା ଏ ସଂସାରରେ ନାରୀଟିକୁ ପ୍ରାପ୍ତ ହୋଇଥାଏ। ସେହିସବୁ କଥା କାହାଣୀ ପାଠକ ଖୋଜି ପାଇଥାଏ ତାଙ୍କ କବିତାରେ। ସମାଜରେ ନାରୀର ସ୍ଥିତି ସମ୍ବନ୍ଧରେ ବିଚାର କରିଥାଏ ପାଠକ। ବାପା ବିଚିତ୍ରା ନନ୍ଦ ମହାନ୍ତି, ମାଆ ନିର୍ମଳା ମହାନ୍ତିଙ୍କ ଚାରିକନ୍ୟା ମଧ୍ୟରୁ ଜ୍ୟେଷ୍ଠାକନ୍ୟା ଅପର୍ଣ୍ଣାଙ୍କର ଜନ୍ମ ୧୯୫୨, ଡିସେମ୍ବର ୧୬ ତାରିଖ କେନ୍ଦ୍ରାପଡ଼ା ଜିଲାର ଗୋରଖପୁର ଗ୍ରାମରେ, ଏକ ସଂସ୍କୃତି ଓ ସଂସ୍କାରପୂର୍ଣ୍ଣ ପରିବାରରେ। ଯେଉଁ ପରିବାରର ମୂଳମନ୍ତ୍ର ଥିଲା ମାନବ ସେବା, ଦାନ, ଧର୍ମ ଓ ଜୀବେଦୟା। ବାପା, ବୋଉ ଉଭୟ ଥିଲେ ଭୂଦାନ ଓ ସର୍ବୋଦୟ କର୍ମୀ। ବଡ଼ବାପା ଥିଲେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସଚ୍ଚିଦାନନ୍ଦ ମହାନ୍ତି। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୂରା ପରିବାର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଦେଶ ସେବାରେ ବ୍ରତୀ ଥିଲେ। ଏଣୁ ଖୁବ୍‌ ପିଲାଦିନୁ ପୂଜ୍ୟ ସ୍ବାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣା, ଶରତ ଚନ୍ଦ୍ର ମହାରଣା, ଗୋପବନ୍ଧୁ ଚୌଧୁରୀ, ମାଳତୀ ଚୌଧୁରୀଙ୍କ ଆଦର ଯତ୍ନରେ ସେ ବଢିଛନ୍ତି। ମାଆ ଅନ୍ନପୂର୍ଣ୍ଣା ହିଁ ତାଙ୍କ ନାଆଁ ରଖିଥିଲେ ଅପର୍ଣ୍ଣା। ତେବେ ଚାରି ବର୍ଷ ବୟସରୁ ସେ ଚାଲି ଆସିଥିଲେ ଜନୌକା ମଣିନାଗ ଗୁମ୍ଫାଠାରେ ଅବସ୍ଥିତ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ଆଶ୍ରମକୁ। ସେହିଠାରେ ହିଁ ଲାଳନପାଳନ ଓ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ। ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀ ନିପ୍ରା ବିଦ୍ୟାଳୟ, କପିଳେଶ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସନ୍ଥ ନଳିନୀ ହାଇସ୍କୁଲ କଟକ ତୁଳସୀପୁର, ସରକାରୀ ବାଳିକା ବିଦ୍ୟାଳୟ କେନ୍ଦ୍ରାପଡାରେ ସ୍କୁଲ ଶିକ୍ଷା ସମାପ୍ତ କରି ଶୈଳବାଳା ମହିଳା କଲେଜ ଏବଂ କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ରେଭେନ୍ସାରୁ ସ୍ନାତକୋତ୍ତର ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ବିଭାଗରେ ପିଏଚ୍‌.ଡି. ଡିଗ୍ରୀ ହାସଲ କରିଛନ୍ତି। ଅପର୍ଣ୍ଣା କୁହନ୍ତି, ମୋ’ ପିଲାଦିନ ଆଶ୍ରମ ପରିବେଶରେ କଟିଥିବାରୁ ମୁଁ ଖୁବ୍‌ ଈଶ୍ବର ବିଶ୍ୱାସୀ। ଛୋଟ ସମୟରୁ ହିଁ ଜହ୍ନରାତିରେ କଇଁଫୁଲର ପୋଖରୀ, ତରୁଲତା, ବଣ ପାହାଡ଼ଘେରା ଆଶ୍ରମର ପରିବେଶ ମୋତେ ବିଭୋର କରୁଥିଲା। ଅନେକ ସମୟରେ ଏକା ଏକା ଠିଆ ହୋଇ ସେ ସବୁର ସୁନ୍ଦର ଦୃଶ୍ୟ ମନଭରି ଉପଭୋଗ କରେ। ମୋ କବିତା ଲେଖାର ବୀଜ ସେହିଠାରେ ହିଁ ଅଙ୍କୁରିତ। ବାବା ନିଜେ ଭଜନ ଜଣାଣ ଲେଖନ୍ତି। ହାର୍‌ମୋନିୟମରେ ପକାଇ ମୋତେ ଗୀତ ଶିଖାନ୍ତି। ପିଲାଦିନେ ଭଲ ଗାଉଥିଲି। ଏବେ ବି ସଙ୍ଗୀତ ପ୍ରତି ରହିଛି ମୋର ପ୍ରଥମ ଆକର୍ଷଣ। ବାବାଙ୍କ ଗୀତଲେଖାର ପ୍ରେରଣା ପାଇ ଦିନେ ମନକୁମନ ମୁଁ କେଇ ଧାଡ଼ି ପ୍ରଭୁଙ୍କ ଭଜନ ଲେଖି ବାବାଙ୍କୁ ଦେଖାଇଲି। ବାବା ଖୁବ୍‌ ପ୍ରଶଂସା କଲେ। ଲେଖିବାର ପ୍ରେରଣା ଦେଲେ। ଜୀବଜଗତ, ପ୍ରକୃତିକୁ ଭଲପାଇ ସ୍ବାଧୀନ ଚେତା ଭାବେ ବଞ୍ଚିବା ମୁଁ ମୋ ଚାରିପାଖ ପରିବେଶରୁ ହିଁ ଶିକ୍ଷା ପାଇଛି। ଯେଉଁ ସ୍ବାଧୀନଚେତା ପ୍ରତିଫଳିତ ହୋଇଥାଏ ମୋ କଲମରେ। କବିତା ମୋର ପ୍ରାଣ ପ୍ରିୟା। ହସ-କାନ୍ଦ, ରାଗ-ରୁଷା, ଅଭିମାନ ସବୁ ତାରି ପାଖରେ ବନ୍ଧା। ପ୍ରାରମ୍ଭରୁ ଗୀତି-କବିତା ଲେଖିବା ମୋର ପ୍ରଥମ ପସନ୍ଦ ଥିଲା। ନିଜ ଲେଖାକୁ ସୁର ଦେଇ ସାଙ୍ଗମାନଙ୍କୁ ନୃତ୍ୟ ଅଭିନୟ ଶିଖାଉଥିଲି। ସଂକୀର୍ତ୍ତନ, ରାମଲୀଳା କରିବା ମୋର ଭାରି ସଉକ ଥିଲା।ଅଧ୍ୟାପିକା ହେଲାପରେ ମଧ୍ୟ ନିଜ ରଚନା ଓ ନିର୍ଦ୍ଦେଶନାରେ ବହୁ ନୃତ୍ୟ ନାଟିକା ମଞ୍ଚସ୍ଥ କରିଛି। ୧୯୭୫ରେ ଅପର୍ଣ୍ଣା ବିବାହ କରନ୍ତି ଡକ୍ଟର ଧୀରେନ୍ଦ୍ର କୁମାର ମହାନ୍ତିଙ୍କୁ। ସ୍ବାମୀ ମଧ୍ୟ ପେସାରେ ଅଧ୍ୟାପକ। କବିଙ୍କ ଲେଖାର ପ୍ରଥମ ପାଠକ ଓ ସମାଲୋଚକ। ଦୁଇ କନ୍ୟାଙ୍କ ଜନନୀ ଡକ୍ଟର ମହାନ୍ତି ୧୯୭୭ ମସିହାରୁ ପ୍ରଥମେ ଆଳି କଲେଜ, ତୁଳସୀ ମହାବିଦ୍ୟାଳୟ ଓ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ଶିକ୍ଷା ଦାନକରି ଅଧ୍ୟାପିକା ବୃତ୍ତିରୁ ଅବସର ଗ୍ରହଣ କରି ସାରିଛନ୍ତି। କବିଙ୍କର କବିତା ହିନ୍ଦୀ, ବଙ୍ଗଳା, ମରାଠୀ, କନ୍ନଡ, ଗୁଜରାଟୀ, ତେଲୁଗୁ ବହୁ ଭାରତୀୟ ଭାଷା ସହିତ ଇଂଲିଶ୍‌ରେ ମଧ୍ୟ ଅନୁବାଦ ହୋଇଛି। ଲେଖିକା କୁହନ୍ତି, ମୋର ଅନେକ ପାଠିକାପାଠକ କବିତା ପଢ଼ି ମୋ ସହିତ ସୁଖଦୁଃଖ, ସମସ୍ୟା ବାଣ୍ଟିଛନ୍ତି। ଯେତେବେଳେ ମୋର କବିତା କାହା ଜୀବନର ଚିନ୍ତନକୁ ବଦଳାଇ ଜୀବନ ଜିଇବାର ନୂଆ ରାହା ଦେଖାଇଥାଏ ସେ ଉପହାର ମୋ ପାଇଁ ଶ୍ରେଷ୍ଠ ଉପହାର ପାଲଟିଯାଏ। ଉତ୍କଳ ସମ୍ମିଳନୀ, ଉତ୍କଳ ସାହିତ୍ୟ ସମାଜ, ଓଡ଼ିଶା ଲେଖିକା ସଂସଦ, ଓଡ଼ିଶା ଗବେଷଣା ପରିଷଦ, କେନ୍ଦ୍ରାପଡ଼ା ସାହିତ୍ୟ ପରିଷଦର ଆଜୀବନ ସଦସ୍ୟା ଅପର୍ଣ୍ଣାଙ୍କର ପାଠକାଦୃତି ପାଇଥିବା କାବ୍ୟ ଗ୍ରନ୍ଥଗୁଡ଼ିକ ମଧ୍ୟରେ ଅବ୍ୟକ୍ତ ଆତ୍ମୀୟତା, ଅସତୀ ନାରୀ, ନିଃଶବ୍ଦରେ ଅତିଥି, ପୂର୍ଣ୍ଣତମା, ଝିଅ ପାଇଁ ଝର୍କାଟିଏ, ନଷ୍ଟ ନାରୀ, ତୀର୍ଥଯାତ୍ରା, ମା’ର କାନ୍ଦଣା ଗୀତ ଇତ୍ୟାଦି ଅନ୍ୟତମ। ତାଙ୍କର ପ୍ରବନ୍ଧ ପୁସ୍ତକ ଓଡ଼ିଆ ଉପନ୍ୟାସରେ ନାରୀ ଚରିତ୍ର ଅନ୍ତରଙ୍ଗ ଆଲୋଚନା ଏକ ବହୁଚର୍ଚ୍ଚିତ ପୁସ୍ତକ। ଏତଦ୍‌ବ୍ୟତୀତ ଲେଖିକା କିଛି ଅନୁବାଦ ପୁସ୍ତକର ରଚୟିତା ଅଟନ୍ତି। ଅଧ୍ୟାପିକା ଜୀବନରୁ ଅବସର ନେଇସାରିଥିବା କବୟିତ୍ରୀ ଡକ୍ଟର ମହାନ୍ତି ବିଭିନ୍ନ ସାରସତ୍ୱ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ସାହିତ୍ୟ ସେବାରେ ନିଜକୁ ସମର୍ପିତ କରିଛନ୍ତି। ହିନ୍ଦୀ, ବଙ୍ଗଳା, ଗୁଜରାଟୀ, ମରାଠୀ, କନ୍ନଡ, ଇଂଲିଶ୍‌ ଇତ୍ୟାଦି ବହୁ ଭାରତୀୟ ଭାଷାରେ କବିଙ୍କର କବିତା ଅନୂଦିତ ହୋଇଛି। ନିଜର ସୃଷ୍ଟି ଓ ସର୍ଜନା ପାଇଁ ସେ ଅନେକ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ବିଷୁବ ସମ୍ମାନ, ପ୍ରଜାତନ୍ତ୍ର କବିତା ସମ୍ମାନ, ଝଙ୍କାର ସମ୍ମାନ, ସାହିତ୍ୟ ଭାରତୀ, କାଦମ୍ବିନୀ, ଗୋକର୍ଣ୍ଣିକା ସମ୍ମାନ, ସୁଚରିତା ଶ୍ରେଷ୍ଠ କବି ପୁରସ୍କାର, ଧ୍ବନି ପ୍ରତିଧ୍ବନି କବିତା ସମ୍ମାନ, ବିରାଜ ସମ୍ମାନ ଓ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଇତ୍ୟାଦି ଅନ୍ୟତମ।
-ପ୍ରିୟମ୍ବଦା ରଥ
(ଆର୍‌ କେ ପୁରମ୍‌ ସେକ୍ଟର ୪), ନ୍ୟୁ ଦିଲ୍ଲୀ
ମୋ:୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?