ଚୟନାତ୍ମକ ଆକ୍ରୋଶ

ଡ. ଷ୍ଟାଲିନ ମିଶ୍ର

ଭାରତୀୟ ସମାଜ ବଡ଼ ବିଚିତ୍ର। ଏଠାରେ କୌଣସି ଜିନିଷ ଅରାଜନୈତିକ ନୁହେଁ। ନେତାଙ୍କଠାରୁ ଆରମ୍ଭ କରି ଜନତା ଯାଏ ସମସ୍ତେ ଜଣେ ଜଣେ ରାଜନୈତିକ ଚରିତ୍ର। ଆମମାନଙ୍କର କ୍ରିୟା-ପ୍ରତିକ୍ରିୟା, ବିରୋଧ-ସହଯୋଗ, ହାନି-ଲାଭ ସବୁ କିଛି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସମାଜରେ କିଛି ଘଟଣା ବା ଦୁର୍ଘଟଣା ଘଟିଲେ ଜନସାଧାରଣଙ୍କର ପ୍ରତିକ୍ରିୟା ଆସିବା ସ୍ବାଭାବିକ। ଭଲ କାର୍ଯ୍ୟ ପାଇଁ ପ୍ରଶଂସା ତଥା ନିନ୍ଦନୀୟ କାର୍ଯ୍ୟ ଲାଗି ନିନ୍ଦା ବା ବିରୋଧ ମଧ୍ୟ ସ୍ବାଭାବିକ କଥା। କିନ୍ତୁ ଆମ ସମାଜରେ ଏଥିରେ ବ୍ୟତିକ୍ରମ ସର୍ବବିଦିତ। ଆମେ ରାଜନୈତିକ କାରଣ ପ୍ରତି ଏତେମାତ୍ରାରେ ପ୍ରଭାବିତ ତଥା ବିବଶ ଯେ ଭଲକୁ ଭଲ ତଥା ଖରାପକୁ ଖରାପ କହିବା ପୂର୍ବରୁ ଏହାର ରାଜନୈତିକ ପରିଣାମ, ହାନିଲାଭ ତଥା ନିଜର ବ୍ୟକ୍ତିଗତ ସ୍ବାର୍ଥ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆକଳନ କରି ପ୍ରତିକ୍ରିୟା ଦେବାକୁ ଶ୍ରେୟସ୍କର ମନେକରୁ; ଯାହାଦ୍ୱାରା ଅନେକାଂଶରେ ଆମେ ମୂଳ ବିଷୟବସ୍ତୁଠାରୁ ବହୁ ଦୂରକୁ ଚାଲିଯାଉ। ଆମ ଅଜାଣତରେ ଆମେ ଉକ୍ତ ବିଷୟବସ୍ତୁର ଗାମ୍ଭୀର୍ଯ୍ୟତା, ଉପାଦେୟତା, ମର୍ଯ୍ୟାଦା ତଥା ପ୍ରାସଙ୍ଗିକତାକୁ କ୍ଷତି ପହଞ୍ଚାଇଥାଉ। ଏହି ଚୟନାତ୍ମକ ଆକ୍ରୋଶ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ପୀଡ଼ିତାର ଅଶେଷ କ୍ଷତି ସାଧନ କରିଥାଏ। ଆମେ ନିଜ ରାଜନୈତିକ ସମର୍ଥିତ ବିଚାରଧାରାର ପ୍ରରୋଚନାରେ ନିଜ ପ୍ରତିକ୍ରିୟା ଦେବାକୁ ଉଚିତ ମନେକରୁ। ନିଜ ବିବେକକୁ ମାରିବାକୁ ବାଧ୍ୟ ହେଉ। ଅଧିକାଂଶ ଘଟଣାରେ ଆମେ ଅନିଚ୍ଛାକୃତ ଭାବେ ଏପରି ଧାରଣା ସୃଷ୍ଟିକରି ଚାଲୁ; ଯାହାଦ୍ୱାରା ନ୍ୟାୟିକ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହିତ କେବଳ ଗୋଟେ ରାଜନୈତିକ ବିଷୟବସ୍ତୁରେ ସୀମିତ ହୋଇ ରହିଯାଏ।
ଭାରତୀୟ ସମାଜରେ ଆପଣ କେବେ ଦେଖିଛନ୍ତି କି ନିଜ ଦଳୀୟ ନେତାଙ୍କ କୁକୃତ୍ୟକୁ ନିଜ ଦଳୀୟ କର୍ମୀ ବିରୋଧ କରିବାର? ଆମେ ବରଂ ଯଥାସମ୍ଭବ ଘଣ୍ଟ ଘୋଡ଼ାଇବାକୁ ପସନ୍ଦ କରିଥାଉ। ଏପରି ମାନସିକତା ଭାରତ ଛଡ଼ା ଅନ୍ୟ କୌଣସି ଦେଶରେ ପ୍ରାୟତଃ ଦେଖିବାକୁ ମିଳି ନ ଥାଏ। ନେତା ଅନୀତିର ଶିଖରରେ ବସିଥିଲେ ମଧ୍ୟ ଆମେ ରାଜ ଦରବାରର ଭାଟ ସଦୃଶ ଚାଟୁକାରିତାକୁ ପ୍ରାଧାନ୍ୟ ଦେଇଥାଉ। ଏହି ଅନାବଶ୍ୟକ ଚାଟୁକାରିତା ଉଭୟ ନେତା ଓ ସମାଜର ସର୍ବନାଶ କରିବାକୁ ପ୍ରୋତ୍ସାହନ ତଥା ସାମର୍ଥ୍ୟ ପ୍ରଦାନ କରିଥାଏ। ଆମ ସମାଜରେ ଘୃଣ୍ୟରୁ ଘୃଣ୍ୟତମ ଅପରାଧ ପାଇଁ ମଧ୍ୟ ଆମେ ରାଜନୈତିକ କାରଣ ଖୋଜୁ। ପୀଡ଼ିତାକୁ ନ୍ୟାୟ ଦେବା ଅପେକ୍ଷା ଅପରାଧ କିଏ କଲା, ସେ କେଉଁ ରାଜନୈତିକ ଦଳର ଲୋକ, ନିଜ ଦଳର ଲୋକ କି ବିରୋଧୀ ଦଳର, ନିକଟ ଭବିଷ୍ୟତରେ କିଛି ନିର୍ବାଚନ ଅଛି କି ନାହିଁ ଏସବୁ ଦିଗ ପ୍ରତି ଧ୍ୟାନଦେଇ ଆନ୍ଦୋଳନକୁ ଓହ୍ଲାଇବା କ’ଣ ଲଜ୍ଜାଜନକ ବ୍ୟାପାର ନୁହେଁ କି? ଅପରାଧ ଯିଏ ବି କରୁ ସେ ଅପରାଧୀ, ପୀଡ଼ିତା ଶାସକଦଳ ସମର୍ଥିତ ହେଉ ଅବା ବିରୋଧୀଦଳ ସମର୍ଥିତ, ସେ ଜଣେ ପୀଡ଼ିତା ଏବଂ ପୀଡ଼ିତା କିପରି ନ୍ୟାୟ ପାଇବ, ଦୋଷୀ କିପରି ଉପଯୁକ୍ତ ଶାସ୍ତିପାଇବ ଏହାକୁ ସୁନିଶ୍ଚିତ କରିବା ଆମର ଖାଲି ଦାୟିତ୍ୱ ନୁହେଁ, କର୍ତ୍ତବ୍ୟ ମଧ୍ୟ। ଆଜିର ରାଜନୀତିସର୍ବସ୍ବ ଜନତାଙ୍କୁ ପ୍ରଶ୍ନ ଏହି ମୌଳିକ କର୍ତ୍ତବ୍ୟ ପ୍ରତି ଆମେ କେତେ ସମର୍ପିତ? ଯଦି ଏହି ମୌଳିକ କର୍ତ୍ତବ୍ୟ ପ୍ରତି ଆମ ସମାଜର ୧୦ପ୍ରତିଶତ ଜନତା ସମର୍ପିତ ହୋଇପାରିବେ ତା’ହେଲେ ସମାଜରୁ ଏପରି ଘୃନ୍ୟ ଅପରାଧ ନିଶ୍ଚିତ କମ୍‌ କରାଯାଇପାରିବ। ମନେରଖିବା ଉଚିତ ଯେ ରାଜନୀତି ଆମ ଜୀବନର ଏକ ଅଂଶବିଶେଷ ହୋଇପାରେ କିନ୍ତୁ ରାଜନୀତି ଆମ ଜୀବନ ନୁହେଁ ବା ଆମ ଜୀବନର ଏକମାତ୍ର ଲକ୍ଷ୍ୟ ନୁହେଁ।
ଏବେ ମୋର ପ୍ରଶ୍ନ ବିରୋଧ ପ୍ରଦର୍ଶନ କରୁଥିବା ରାଜନେତାମାନଙ୍କୁ। ଅପରାଧୀକୁ ଦଣ୍ଡଦେବାର ଅଧିକାର କାହାର? ନ୍ୟାୟାଳୟ ଓ ନ୍ୟାୟପ୍ରଣାଳୀ ଉପରେ ମିଡ଼ିଆଟ୍ରାଏଲ କି? ଆମ ସମ୍ବିଧାନ କହୁଛି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନ ହେବାଯାଏ ତାକୁ ଦୋଷୀ କହିବା ଅପରାଧ। ତଦନ୍ତ ପ୍ରକ୍ରିୟା ଚାଲିଥିବାବେଳେ ଏପରି ଚୟନାତ୍ମକ ଆକ୍ରୋଶ ପ୍ରଦର୍ଶନ ତଦନ୍ତ ପ୍ରକ୍ରିୟାରେ ବାଧା ତଥା ନ୍ୟାୟପ୍ରଣାଳୀକୁ ପ୍ରଭାବିତ କରିବା ନୁହେଁ କି? ନିଜ ଦଳସମର୍ଥିତ ବ୍ୟକ୍ତିବିଶେଷ ଯଦି ଆପରାଧିକ କାର୍ଯ୍ୟରେ ନିୟୋଜିତ ହେବା ଦେଖୁଛନ୍ତି ଏହି ସମାନ ଆକ୍ରୋଶ ପ୍ରଦର୍ଶନ କରିବାକୁ ସତ୍‌ସାହସ କାହିଁକି ଦେଖାଇ ପାରୁନାହାନ୍ତି ସେମାନେ। ସେମାନଙ୍କର ନୈତିକ ମୂଲ୍ୟବୋଧ କୁଆଡ଼େ ଯାଉଛି। ଦଳମତ ନିର୍ବିଶେଷରେ ଅପରାଧୀକୁ ସଂରକ୍ଷଣଦେବା ଅପରାଧ ନୁହେଁ କି? କାହାର ସର୍ବନାଶ ଘଟିଥିବାବେଳେ ନିଜର ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ଶବ ଉପରେ ରାଜନୀତି କରିବା ଆମ ଶାଗୁଣାଚରିତ୍ରକୁ ପ୍ରତିପାଦନ କରିଥାଏ। ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ସରକାରଙ୍କୁ ଅବା ଶାସକଦଳର କୌଣସି ପ୍ରଭାବଶାଳୀ ନେତାଙ୍କୁ ଅନାବଶ୍ୟକ ଭାବେ ସଂଶ୍ଲିଷ୍ଟ କରାଯାଏ । ଗଣମାଧ୍ୟମ ସଂସ୍ଥା ମଧ୍ୟ ବେଶ୍‌ କିଛିଦିନ ପାଇଁ ନିଜ ଟି.ଆର.ପି. ବୃଦ୍ଧି ଲୋଭରେ ଏପରି ସମବେଦନଶୀଳ ଘଟଣାକୁ ନେଇ ଆରମ୍ଭକରେ ଆରୋପ ପ୍ରତ୍ୟାରୋପ, ମେଡିଆଟ୍ରାଏଲ, ଚର୍ଚ୍ଚା। ଏସବୁ ମଧ୍ୟରେ ସମସ୍ତେ ଭୁଲିଯାନ୍ତି ଯେ କାହାକୁ ଦୋଷୀ କିମ୍ବା ନିର୍ଦୋଷ ଘୋଷଣା କରିବାର ଅଧିକାର କେବଳ ନ୍ୟାୟାଳୟର।
ଯଦି ସମସ୍ୟା କାହାର ଜୀବନ ମୃତ୍ୟୁର, କାହାର ମାନଅପମାନର, କାହାର ଇଜ୍ଜତ ସ୍ବାଭିମାନର, ନୈତିକତାର, ନ୍ୟାୟ ପ୍ରଦାନ କରିବାର ତଥା ସମାଜକୁ ବ୍ୟଭିଚାର ମୁକ୍ତକରିବାର, ଜନତାଙ୍କ ଆତ୍ମସମ୍ମାନକୁ ସୁରକ୍ଷିତ ରଖିବାର ତା’ହେଲେ ଏହି ଚୟନାତ୍ମକ ଆକ୍ରୋଶ କ’ଣ ପାଇଁ? ତା’ହେଲେ ଦୋଷୀ ଦଣ୍ଡପାଇବା ଯାଏ, ପୀଡ଼ିତା ନ୍ୟାୟପାଇବା ଯାଏ ସମାଜ ପାପମୁକ୍ତ ହେବା ଯାଏ ଆମ ସଂଗ୍ରାମ, ଆମ ବିକ୍ଷୋଭ ତଥା ଆମ ବିରୋଧାଭାସ କାହିଁକି ଜାରି ରହୁନି। କହିପାରିବେ କି ଆଜିଯାଏ କେହି ଜଣେ ବି ହେଲେ ପୀଡ଼ିତା ଏହି ରାଜନୈତିକ ପ୍ରଣୋଦିତ ଆକ୍ରୋଶ ପ୍ରଦର୍ଶନରୁ ନ୍ୟାୟ ପ୍ରାପ୍ତି କରିପାରିଛି। ଯଦି ନୁହେଁ ତା’ହେଲେ ଏହି ବ୍ୟୟବହୁଳ ରାଜନୈତିକ ନାଟକବାଜି କ’ଣ ପାଇଁ। ଯେଉଁ ନେତାଙ୍କୁ ଆମେ ଆଜି ଖଳନାୟକ ସଜାଉଛନ୍ତି ପରମୁହୂର୍ତ୍ତରେ ନିଜର ବ୍ୟକ୍ତିଗତ ସ୍ବାର୍ଥସାଧନ ଲୋଭରେ ତାଙ୍କ ଚରଣବନ୍ଦନା କରିବାକୁ ପଛାଉ ନାହୁଁ କାହିଁକି। ଯଦି କଥା ନାରୀ ସମ୍ମାନର, ନାରୀ ସ୍ବାଭିମାନର ତା’ହେଲେ ଆମ ନୈତିକତା ବିରୋଧୀ ଶାସକ ମଧ୍ୟରେ କାହିଁକି ବିଭକ୍ତ ହେଉଛି।
ଯିଏ ଅପରାଧୀକୁ ସଂରକ୍ଷଣ ଦେଉଛି ସେପରି ନେତା ବା ରାଜନୈତିକ ଦଳକୁ ଆମେ ଆଜୀବନ ବାସନ୍ଦ କରିପାରିବାର ସାହସ ଜୁଟାଇ ପାରିବା କି? ଯଦି ସେହି ସାହସ ଜୁଟାଇ ପାରିବା ହୁଏତ ଆମେ ଆମ ସମାଜକୁ ଅପରାଧମୁକ୍ତ କରିପାରିବା। ନ ହେଲେ ଆମେ ଲକ୍ଷେ ବିରୋଧାଭାସ, ଆକ୍ରୋଶ ପ୍ରଦର୍ଶନ, ମହମବତି ଶୋଭାଯାତ୍ରା ତଥା ଚକାଜାମ କଲେ ବିନା ପୀଡ଼ିତା ନ୍ୟାୟପାଇବ ନା ସମାଜରେ ଅପରାଧ କମ ହେବ। କେବଳ ଆମ ଆକ୍ରୋଶ ରାଜନୈତିକ ନାଟକବାଜିରେ ହିଁ ସୀମିତ ରହିଯିବ।
ଆସନ୍ତୁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା, ଦଳମତ ନିର୍ବିଶେଷରେ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବା, ଶାଗୁଣା ଚରିତ୍ର ପରିତ୍ୟାଗ କରିବା,ନ୍ୟାୟ ପ୍ରଣାଳୀକୁ ସ୍ବଚ୍ଛ କରିବାକୁ ତତ୍ପରହେବା, ସମାଜକୁ ଅପରାଧ ମୁକ୍ତକରିବାକୁ ପ୍ରଯତ୍ନ କରିବା, ଅପରାଧୀଙ୍କୁ ପ୍ରୋତ୍ସାହନ ତଥା ସଂରକ୍ଷଣ ପ୍ରଦାନ କରୁଥିବା ରାଜନେତାଙ୍କୁ ଆଜୀବନ ପରିତ୍ୟାଗ କରିବା, ଚୟନାତ୍ମକ ଆକ୍ରୋଶ ନୁହେଁ ବରଂ ଭୁଲ୍‌କୁ ଭୁଲ୍‌ ଠିକ୍‌କୁ ଠିକ୍‌ କହିବାକୁ ସାହସ ଦେଖାଇବା। ନିଜର ରାଜନୈତିକ ହାନି ଲାଭର ଆକଳନରୁ ବିରତ ରହି ସମାଜହିତରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ତତ୍ପର ରହିବା। ନୀତି ଅନୀତିରେ ପ୍ରଭେଦ କରିବାର କ୍ଷମତା ହାସଲ କରିବା, ନିଜ ଘରୁ ସଫାଇ କାର୍ଯ୍ୟ ଆରମ୍ଭକରିବା। ଏହାଦ୍ୱାରା ହୁଏତ ଆମେ ଆମ ସମାଜକୁ ପାପମୁକ୍ତ କରିବାରେ ସମର୍ଥ ହୋଇପାରିବା।
ସୂଚନା ପ୍ରଯୁକ୍ତିବିତ୍‌, ସିଙ୍ଗାପୁର
ମୋ: +୯୧ ୯୩୪୩୯୩୫୩୪୧


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri